Provision Water For Thirsty Birds: ଭୁବନେଶ୍ବର: ଡହଡହ ଖରାରେ ପାଣି ପାଇଁ ସମସ୍ତେ ବ୍ୟାକୁଳ । କେବଳ ମଣିଷ ନୁହେଁ, ପଶୁପକ୍ଷୀମାନେ ପାଣି ଟୋପାଏ ପାଇଁ ବ୍ୟାକୁଳ ହେଉଛନ୍ତି । ମଣିଷର ସିନା କଥା କହିପାରୁଛି ବୋଲି ଶୋଷ ହେଲେ ପାଟି ଖୋଲି ପାଣି ମାଗି ଦେଉଛି, ହେଲେ କଥା କହିପାରୁନଥିବା ପଶୁପକ୍ଷୀମାନଙ୍କ ଅବସ୍ଥା କଣ ହେଉଥିବ ? । ତେବେ ଏହି ଖରାଦିନେ ପକ୍ଷୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ଦୁଇ ଯୁବ ସମାଜସେବୀ । ପକ୍ଷୀ ଯେମିତି ଶୋଷରେ ଆଉଟୁ ପାଉଟୁ ନ ହୁଅନ୍ତୁ ସେନେଇ ଏମାନେ ଆଗେଇ ଆସିଛନ୍ତି । ଗାଆଁ ଠାରୁ ସହର ପର୍ଯ୍ୟନ୍ତ ପ୍ରତିଟି ଗଳି କନ୍ଦିରେ ବୁଲି ବୁଲି ପଶୁପକ୍ଷୀଙ୍କ ପାଇଁ କରୁଛନ୍ତି ପିଇବା ପାଣିର ବ୍ୟବସ୍ଥା କରୁଛନ୍ତି । କେଉଁଠି ଗଛ ମୂଳରେ ପିଇବା ପାଣି ରଖୁଛନ୍ତି ତ ଆଉ କେତେବେଳେ ଗଛ ଉପରେ ଏକ ପାତ୍ରରେ ଶିକା କରି ପିଇବା ପାଣି ରଖୁଛନ୍ତି । ଯାହା ଖରା ଦିନରେ ପକ୍ଷୀଙ୍କ ତୃଷ୍ଣା ମେଣ୍ଟାଉଛି ।


ଖରା ଧୀରେ ଧୀରେ ବଢ଼ିବାକୁ ଲାଗିଲାଣି । ମେ' ମାସର ପ୍ରଚଣ୍ଡ ଖରା ତାତିରେ ଲୋକେ ଆଉଟୁପାଉଟୁ ହେଉଛନ୍ତି । ପାଣି ଟିକେ ପାଇଁ ପଶୁ-ପକ୍ଷୀମାନେ ମଧ୍ୟ ଡହଳ ବିକଳ ହେଉଛନ୍ତି । ଯେହେତୁ ପଶୁପକ୍ଷୀଙ୍କ ପାଟି ଖୋଲୁନି, ସେମାନେ କହିପାରୁନାହାନ୍ତି କି କାହା ପାଖରେ ଦାବି ମଧ୍ୟ ଜଣାଇ ପାରୁନାହାନ୍ତି । ତେବେ ସେମାନଙ୍କ ପାଇଁ ସାହାରା ପାଲଟିଛନ୍ତି ଭୁବନେଶ୍ବରର ଯୁବ ସମାଜସେବୀ ପ୍ରତାପ ସାହୁ । ଯିଏ ଖରା ଦିନେ ପଶୁପକ୍ଷୀମାନଙ୍କ ପାଇଁ ଚିନ୍ତା କରି ସେମାନଙ୍କ ପାଇଁ ପାଣିର ବ୍ୟବସ୍ଥା କରିଛନ୍ତି । ନିଜେ ବୁଲି ବୁଲି ଗଛ ଉପରେ ଏବଂ ଗଛ ମୂଳରେ ମାଟି ପାତ୍ରରେ ପାଣି ରଖିବା ପାଇଁ ବ୍ୟବସ୍ଥା କରିଥାନ୍ତି । ଭୁବନେଶ୍ଵରର ଅନେକ ସ୍ଥାନରେ ମାଟି ପାତ୍ର ରଖିଛନ୍ତି । ନିଜେ ଆସି ପ୍ରତ୍ୟେକ ଦିନ ପାଣି ଦେଉଛନ୍ତି । ଏଭଳି କାର୍ଯ୍ୟ ସେ ଦୀର୍ଘ ବର୍ଷ ଧରି କରି ଆସୁଛନ୍ତି । ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ପକ୍ଷୀଙ୍କ ପାଇଁ ପାଣି ପାତ୍ର କିଣିବା ସହିତ ସକାଳୁ ସାନ୍ଧ୍ୟ ପର୍ଯ୍ୟନ୍ତ ପଶୁପକ୍ଷୀଙ୍କ ସେବାରେ ଲାଗିପଡିଛନ୍ତି ପ୍ରତାପ ।

ଏନେଇ ପ୍ରତାପ ସାହୁ କହିଛନ୍ତି, "ଦୀର୍ଘ ୩୦-୩୫ ବର୍ଷ ଧରି ଏଭଳି ସେବାରେ ଲାଗିଛି । ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସେବା କରୁଛି । ଏଭଳି କରିବା ଦ୍ଵାରା ମୋତେ ଆତ୍ମସନ୍ତୋଷ ମିଳିଥାଏ । ମଣିଷ କଥା କହିପାରେ କିନ୍ତୁ ପକ୍ଷୀମାନେ କଥା କହିପାରନ୍ତି ନାହିଁ । ତେଣୁ ପ୍ରତ୍ୟେକ ବର୍ଷ ଖରା ଦିନରେ ପକ୍ଷୀମାନଙ୍କ ପାଇଁ ଏଭଳି ବ୍ୟବସ୍ଥା କରିଥାଏ । ଭୁବନେଶ୍ବରର ପାଖାପାଖି ୬୦ରୁ ଅଧିକ ସ୍ଥାନରେ ଏଭଳି ବ୍ୟବସ୍ଥା କରିଛି । କେବଳ ପାଣି ନୁହେଁ ଏପରିକି ଓଆରଏସ ସହିତ ଗ୍ଲୁକୋଜ ପାଣି ମଧ୍ୟ ରହିଛି ।"
ସେ ମଧ୍ୟ ଆହୁରି କହିଛନ୍ତି, "ମୁଁ ନିଜେ ପଇସା ଖର୍ଚ୍ଚ କରି ଏସବୁ କରେ । ଯେତେବେଳେ ଯେଉଁ ଲୋକ କାମ କରିବାକୁ ଡାକନ୍ତି ଅର୍ଥାତ ଶ୍ରମିକ କାମ ଯାଇ କାମ କରିଥାଏ । ଏଥିରୁ ଯାହା ବି ପଇସା ଆସେ ପଶୁପକ୍ଷୀ ସେବାରେ ଖର୍ଚ୍ଚ କରିରେ । ଏହି ଖରା ଦିନରେ ପାଖପାଖି ୩୦ରୁ ୪୦ ହଜାର ଟଙ୍କା ଖର୍ଚ୍ଚ ହେଉଛି । ମୋ ପରିବାର କହିଲେ ବୃଦ୍ଧା ବାପା ମାଆ ସମେତ ପତ୍ନୀ ଓ ଗୋଟିଏ ଛୋଟ ଝିଅ । ସମସ୍ତେ କଟକର ମହାଙ୍ଗା ଅଞ୍ଚଳରେ ରୁହନ୍ତି । ଜମି ବାଡିରୁ ଯାହା ବି ପଇସା ଆସେ ପରିବାର ଲୋକ ଚଳନ୍ତି ।"
ଖରା ଦିନରେ ପକ୍ଷୀଙ୍କ ପାଇଁ ଦେବଦୂତ ମାଟିପାତ୍ର:
ସେହିପିର ଖରା ଦିନରେ ପକ୍ଷୀପଶୁଙ୍କ ପାଇଁ ସାହାରା ପାଲଟିଛନ୍ତି ଢେଙ୍କାନାଳ ଜିଲ୍ଲା ଯୁବ ସମାଜସେବୀ ଶୁଭ୍ରାଂଶୁ ଶତପଥୀ । ପୂର୍ବରୁ ସେ ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ । ହେଲେ ସମାଜସେବା କରିବା ନିଶା ଶେଷରେ ଚାକିରି ଛାଡିବାକୁ ପଡିଥିଲା । ଏବେ ପଶୁପକ୍ଷୀଙ୍କ ସେବାରେ ନିଜକୁ ହଜାଇ ଦେଇଛନ୍ତି । ତେବେ ଶୁଭ୍ରାଂଶୁ ଶତପଥୀଙ୍କୁ ଓଡ଼ିଶାର ପର୍ବତନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବାର୍ଡମ୍ୟାନର ଆଖ୍ୟା ପ୍ରଦାନ କରିଥିଲେ । ଏହା ସମେତ ଜାତିସଂଘ ପୁରସ୍କାର ପ୍ରାପ୍ତ ପରିବେଶବିତ ଶୁଭ୍ରାଂଶୁ ଶତପଥୀ ।

ପକ୍ଷୀ ପ୍ରେମୀ ତଥା ବାର୍ଡମ୍ୟାନ ଶୁଭ୍ରାଂଶୁ ଶତପଥୀ କହିଛନ୍ତି, "ବିଶେଷ ଭାବରେ ଖରାଦିନେ ତାପମାତ୍ରା ବୃଦ୍ଧି ସାଙ୍ଗକୁ ଜଳୀୟ ବାଷ୍ପ ହ୍ରାସ ଯୋଗୁଁ ସାରା ମଣିଷ ସମାଜକୁ ହାହାକାର ଦେଇ ଗତି କରିବାକୁ ପଡ଼ିଥାଏ । କେବଳ ମଣିଷ ନୁହେଁ ନିରୀହ ପଶୁପକ୍ଷୀମାନେ ମଧ୍ୟ କଲବଲ ହୋଇଥାନ୍ତି । ଅନ୍ୟ ଦିନ ଅପେକ୍ଷା ଗ୍ରୀଷ୍ମ ଋତୁରେ ଅସହ୍ୟ ଗରମ ହେତୁ ନିରିହ ପକ୍ଷୀମାନେ ମୃତ୍ୟୁ ବରଣ କରିଥାନ୍ତି । ବିଶେଷ କରି ସହରୀ ଅଞ୍ଚଳରେ ଜଳାଶୟ ଗୁଡିକ ଶୁଖିଯିବା ଫଳରେ ଜଳ ଅଭାବରେ ସେମାନଙ୍କ ମୃତ୍ୟୁ ହୋଇଥାଏ । ଖରା ଦିନେ ଏହା ଶୁଖିଯିବା ଫଳରେ ଜଳ ସନ୍ଧାନରେ ପକ୍ଷୀ ବେଶୀ ବାଟ ଉଡ଼ି ପାରିନଥାନ୍ତି । ଫଳରେ ଅନେକ ସମୟରେ ସେମାନଙ୍କର ମୃତ୍ୟୁ ଘଟିଥାଏ । ତେଣୁ ପକ୍ଷୀମାନଙ୍କ ପାଇଁ ପାଣିର ବ୍ୟବସ୍ଥା କରିବା ପାଇଁ ସହର ବାହାରେ ବିଭିନ୍ନ ଗଛରେ ମାଟି ପାତ୍ର ରଖି ପାଣି ରଖିଛୁ ।"
ସଚେତନ କରାଉଛନ୍ତି ଶୁଭ୍ରାଂଶୁ:
ତେବେ ଖରା ଦିନରେ ନିଜର ଉଦ୍ୟମ ବଳରେ ବିଭିନ୍ନ ସ୍କୁଲ କଲେଜ ଯାଇ ସେଠି ଛାତ୍ରଛାତ୍ରୀଙ୍କୁ ଏ ସମ୍ବନ୍ଧୀୟ ସଚେତନ କରାଉଛନ୍ତି ଶୁଭ୍ରାଂଶୁ । ଏନେଇ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଲୋକଙ୍କୁ ସଚେତନ କରିବା ସହ ବର୍ତ୍ତମାନ ସୁଦ୍ଧା ୨୦୦୮ ମସିହାରୁ ଆଜି ପର୍ଯ୍ୟନ୍ତ ପାଖାପାଖି ୫୦ ହଜାରରୁ ଅଧିକ ମାଟି ପାତ୍ର ପକ୍ଷୀମାନଙ୍କ ଉଦେଶ୍ୟରେ ବଣ୍ଟନ କରିସାରିଛନ୍ତି ଶୁଭ୍ରାଂଶୁ । ଏନେଇ ରାଜ୍ୟ ସାରା ସ୍କୁଲ କଲେଜରେ ନିଜସ୍ୱ ଭାବେ କର୍ମଶାଳା ଆୟୋଜନ କରି ସଚେତନ କରୁଥିବା ବେଳେ ମୁମ୍ବାଇ, ଝାଡ଼ଖଣ୍ଡ, ଛତିଶଗଡ଼ ଏବଂ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟରେ ମଧ୍ୟ କର୍ମଶାଳାର ଆୟୋଜନ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ... ତିନି ସାଙ୍ଗଙ୍କ ମହତ୍ ପ୍ରୟାସ; ପକ୍ଷୀଙ୍କ ଶୋଷ ମେଣ୍ଟାଇବାକୁ ଗଛରେ ବାନ୍ଧୁଛନ୍ତି ମାଟିପାତ୍ର - Water for birds |
ଯୁବ ସମାଜସେବୀ ଶୁଭ୍ରାଂଶୁ ଆହୁରି ମଧ୍ୟ କହିଛନ୍ତି ଯେ, ନିଜ ପକେଟରୁ ପଶୁପାଖିଙ୍କ ପାଇଁ ସେବାରେ ଯେଉଁ ଖର୍ଚ୍ଚ ହୋଇଥାଏ ତାହା ଖର୍ଚ୍ଚ କରିଥାନ୍ତି । ଯଦି ପାଖରେ ମାଟି ପାତ୍ର ନାହିଁ ତେବେ, ବେଲ ଓ ନଡିଆ ଶଢେଇରେ ମଧ୍ୟ ପାଣି ରଖିପାରିବେ । ଯାହା ଫଳରେ ଅଧିକ ଖର୍ଚ୍ଚ ହେବ ନାହିଁ । ସେ ଲୋକମାନଙ୍କୁ ସନ୍ଧେସ ଦେଇଛନ୍ତି ଯେ, ଛାତ ଉପରେ କିମ୍ବା ବାଳକୁନିରେ ଏକ ମାଟି ପାତ୍ରରେ ପାଣି ରଖିଲେ ଏଥିରେ ଅନେକ ପକ୍ଷୀମାନେ ମଧ୍ୟ ସେମାନଙ୍କର ତୃଷ୍ଣା ମେଣ୍ଟାଇ ପାରିବେ ।
ଇଟିଭି ଭାରତ, ଭୁବନେଶ୍ବର