ଭୁବନେଶ୍ବର/ବଲାଙ୍ଗୀର: ବଲାଙ୍ଗୀର ପଟଣାଗଡର ପର୍ଶୁରାମ ଛକରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିକୁ ନିଆଁ ଲଗାଇ ପୋଡି ଦେଲେ ଦୁର୍ବୃତ୍ତ । ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହା ପଛରେ ଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ସେପଟେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେଡି ସାମ୍ବାଦିକ ସମ୍ମିଳନୀ କରିବା ସହ ଆନ୍ଦୋଳନ କରିବା ନେଇ ଚେତାବନୀ ଦେଇଛି ।
କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ:
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ପୋଡି ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତି ନିଶ୍ଚିତ ଭାବରେ ଜଣେ ହୀନ ଓ ଦୁସ୍ଥ ମାନସିକତାର ବ୍ୟକ୍ତି ହୋଇଥିବେ । ଏ ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ଏ ଘଟଣାରେ ଜଣେ ବ୍ୟକ୍ତି ଗିରଫ ହୋଇଛି । ଯଦି ଏହି ଘଟଣା ପଛରେ କିଛି ଷଡଯନ୍ତ୍ର ଥାଏ, ତେବେ ଏହାର ମଧ୍ୟ ପର୍ଦ୍ଦାଫାସ ହେବ । ରାଜ୍ୟର ସମସ୍ତ ବରପୁତ୍ରଙ୍କୁ ରାଜ୍ୟ ସରକାର ସମ୍ମାନ ଦେବାରେ ବିଶ୍ୱାସ କରନ୍ତି । ପୂଜ୍ୟପୂଜା ପାଇଁ ସମସ୍ତ ପଦକ୍ଷେପ ନେଇ ଆସୁଛନ୍ତି । ବିଜୁ ବାବୁଙ୍କ ପ୍ରତି ମୋର ବ୍ୟକ୍ତିଗତ ଭାବେ ଗଭୀର ସମ୍ମାନ ରହି ଆସିଛି । '' ନିକଟରେ ମାର୍ଚ୍ଚ 5 ତାରିଖରେ ବିଜୁବାବୁଙ୍କ ଜୟନ୍ତୀକୁ ରାଜ୍ୟ ସ୍ତରରେ ବିପୁଳ ଉତ୍ସାହର ସହ ପାଳନ କରାଯାଇଥିଲା । ସେଥିରେ ସେ ନିଜେ ଯୋଗ ଦେଇ ବିଜୁବାବୁଙ୍କ ସ୍ମୃତିଚାରଣ କରିଥିଲେ । ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ମଧ୍ୟ ଏପ୍ରଲ 17 ତାରିଖରେ ପାଳନ କରାଯିବ ।

ବିଜେଡିର ନିନ୍ଦା:
ବିଜୁଙ୍କ ପ୍ରତିମୂର୍ତ୍ତି ଜାଳିବା ଅସହନୀୟ ଓ ଅକ୍ଷମଣୀୟ'
ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି, "ଗତକାଲି ରାତିରେ ପାଟଣାଗଡ଼ରେ ଓଡ଼ିଆ ସ୍ୱାଭିମାନର ପ୍ରତୀକ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଜାଳି ଦିଆଗଲା । ଏହି ହୀନ ପ୍ରୟାସ ଓ ଷଡଯନ୍ତ୍ର ଯାହା ଧାରାବାହିକ ଭାବେ ଚାଲିଛି । ବିଜୁ ବାବୁଙ୍କ ନାଁରେ ଥିବା କାର୍ଯ୍ୟକ୍ରମ ବନ୍ଦ କି ବଦଳାଇବା ଉଦ୍ୟମକୁ ନିନ୍ଦା କରୁଛୁ । ବିଜୁଙ୍କ ପ୍ରତିମୂର୍ତ୍ତି ଜାଳିବା ଅସହନୀୟ ଓ ଅକ୍ଷମଣୀୟ । ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଦୁର୍ବୃତ୍ତଙ୍କୁ ଗିରଫରେ ତାଳତୁଳ ନୀତି ନେଲେ, ଲୋକ ଜବାବ ଦେବେ । ବିଜୁ ସ୍ମୃତି ଲିଭାଇବାକୁ ଥିବା ବିଜେପି ସରକାରର ଷଡଯନ୍ତ୍ରକୁ ଲୋକେ ଗ୍ରହଣ କରିବେ ନାହିଁ । ସରକାର କିଛି ନ କଲେ, ଭୟଙ୍କର ଆନ୍ଦୋଳନ ହେବ । ''
ଏହା ମଧ୍ୟ ପଢନ୍ତୁ-ବିଜୁଙ୍କୁ ଅସମ୍ମାନ ଅଭିଯୋଗ; ରାଜ୍ୟପାଳଙ୍କୁ ଫେରାଦ ହେଲା ବିଜେଡି - BJD MEET GOVERNOR
'ଏହା ଉଦ୍ଦେଶ୍ୟମୂଳକ ଓ ଷଡଯନ୍ତ୍ର ଯୁକ୍ତ'
ବିଜେଡି ନେତା ପ୍ରତାପ ଜେନା କହିଛନ୍ତି, "ଦୁଃଖ ପରିତାପର ବିଷୟ ଓଡ଼ିଶା ଓ ଭାରତର ଗର୍ବ ଏବଂ ସ୍ୱାଭିମାନ ବିଜୁ ବାବୁଙ୍କୁ ବାରମ୍ବାର ଅସମ୍ମାନୀତ କରାଯାଉଛି । ଯାହାଙ୍କ ଦେହାନ୍ତରେ ତିନୋଟି ରାଷ୍ଟ୍ରର ପତାକା ପଡିଥିଲା, ତାଙ୍କ ପ୍ରତିମୂର୍ତ୍ତିରେ ନିଆଁ ଲଗାଯାଉଛି । ଏହା ଉଦ୍ଦେଶ୍ୟମୂଳକ ଓ ଷଡଯନ୍ତ୍ର ଯୁକ୍ତ । ବିଜୁ ବାବୁଙ୍କ ନାଁ ଜନମାନସରୁ ଲିଭେଇବାକୁ ହେଉଥିବା ଷଡ଼ଯନ୍ତ୍ରର ପ୍ରତିଫଳନ ହେଉଛି ପାଟଣାଗଡ଼ ଘଟଣା । ଉଦେଶ୍ୟ ମୂଳକ ଭାବେ ଏହା ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ । ମାର୍ଚ୍ଚ 5 ବିଜୁ ଜୟନ୍ତୀରେ ପଞ୍ଚାୟତୀରାଜ ଦିବସ ଘୁଞ୍ଚାଇ ଦିଆଗଲା । ବିଜୁ ବାବୁଙ୍କ ନାଁରେ ଥିବା ଲୋକାଭିମୁଖୀ ଯୋଜନା ବନ୍ଦ କରାଯାଉଛି । ପ୍ରତିକ୍ଷେତ୍ରରେ ବିଜୁ ବାବୁଙ୍କ ନାଁ ଲିଭାଇବାକୁ ଷଡଯନ୍ତ୍ର କରାଯାଉଛି । ବିଜେପି ଯେତେ ଷଡ଼ଯନ୍ତ୍ର କଲେ ମଧ୍ୟ ବିଜୁ ବାବୁ ପ୍ରତ୍ୟେକ ଓଡିଆଙ୍କ ହୃଦୟରେ ଅଛନ୍ତି । ପାଟଣାଗଡ଼ ଘଟଣାକୁ ଆମେ ନିନ୍ଦା କରୁଛୁ । ଓଡ଼ିଶାବାସୀ ବିଜେପିର ଏହି ହୀନ କାର୍ଯ୍ୟକ୍ରମକୁ କ୍ଷମା ଦେବେନାହିଁ । ବିଜୁ ବାବୁ ଆମର ଅଛନ୍ତି ଓ ରହିବେ । ଏହାର ପ୍ରତିବାଦରେ ବିଜେପିକୁ ବହୁ ମୂଲ୍ୟ ଦେବାକୁ ପଡିବ ।"

'ବିଜୁ ବାବୁଙ୍କ ଅସ୍ତିତ୍ବ, ସ୍ମୃତି ଓ ଇତିହାସ ଲିଭେଇବାକୁ ଚେଷ୍ଟା ଚାଲିଛି'
ବିଜେଡି ବିଧାୟକ ଅରଣୁ ସାହୁ କହିଛନ୍ତି, "ଯେତେବେଳେ ସରକାର ଦୁର୍ବଳ ହୁଏ, ସେତେବେଳେ ପ୍ରଶାସନ ନିଷ୍କ୍ରିୟ ହୋଇଯାଏ । ଫଳରେ ଅପରାଧିକ କାର୍ଯ୍ୟକଳାପ ବଢିଚାଲେ । ଏହାର ପ୍ରତିଫଳନ ବିଭିନ୍ନ କ୍ଷେତ୍ରରେ ଘଟେ । ଯାହା ବର୍ତ୍ତମାନ ଦେଖିବାକୁ ମିଳୁଛି । ପ୍ରତ୍ୟେକ ଦିନ ସାଧାରଣ ଲୋକଙ୍କର ମୁଣ୍ଡ ଗଡୁଛି । ଲୋକ ପ୍ରତିନିଧିଙ୍କୁ ଆକ୍ରମଣ କରାଯାଉଛି । ଖାଲି ସେତିକି ନୁହେଁ ବରପୁତ୍ରଙ୍କ ପ୍ରତିମୂର୍ତ୍ତିକୁ ଆକ୍ରମଣ କରାଯାଉଛି । ଏସବୁ ହେବା ପଛରେ କାରଣ ଅତି ସ୍ପଷ୍ଟ । ସରକାର ଦୁର୍ବଳ ବୋଲି ଅପରାଧୀ ଭାବିଲେ ଏଭଳି କାଣ୍ଡକାରଖାନା କରନ୍ତି । ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଉପରେ ଏହା ଦ୍ଵିତୀୟ ଥର ଲାଗି ଆକ୍ରମଣ ହୋଇଛି । ମାର୍ଚ୍ଚ 5ରେ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ପୂର୍ବରୁ ମାହାଙ୍ଗାରେ ତାଙ୍କ ପ୍ରତିମୂର୍ତ୍ତିର ବେକ କାଟି ଦିଆଗଲା । 17 ତାରିଖରେ ଶ୍ରଦ୍ଧା ଦିବସ ପାଳନ ପୂର୍ବରୁ ବିଜୁ ପ୍ରତିମୂର୍ତ୍ତି ଜଳୁଛି । ଏହା ଏକ ସୁଚିନ୍ତିତ ଯୋଜନା । ବିଜୁ ବାବୁଙ୍କ ଅସ୍ତିତ୍ବ, ସ୍ମୃତି ଓ ଇତିହାସ ଲିଭେଇବାକୁ ଚେଷ୍ଟା ଚାଲିଛି । ଏଭଳି କାଣ୍ଡ କରୁଥିବା ବ୍ୟକ୍ତି କୌଣସି ଶକ୍ତିର ପ୍ରରୋଚନାରେ କରୁଛନ୍ତି । ଏଭଳି ଘଟଣା ଓଡ଼ିଆ ଅସ୍ମିତାର ପରିଚୟ ନୁହେଁ । ଉତ୍ତୁଙ୍ଗ ବ୍ୟକ୍ତିଙ୍କ ସହ ଏଭଳି ଘଟଣା, ଓଡ଼ିଆ ଅସ୍ମିତା ରକ୍ଷା କରିବାରେ ସହାୟକ ହେବନାହିଁ । ବିଜେପି ସରକାର ଏହାକୁ ସ୍ପଷ୍ଟ କରୁ । ରାଜନୈତିକ ବିରୋଧୀଙ୍କୁ ଆକ୍ରମଣ ଚଳିବ । କିନ୍ତୁ ଯେଉଁମାନେ ଓଡ଼ିଆ ଅସ୍ମିତାର ପରିଚୟ, ସେମାନଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିବା ଓ ଜାଳିବାକୁ ଓଡିଶାବାସୀ ସହ୍ୟ କରିବେ ନାହିଁ । ସରକାର ସମସ୍ତ ମହାପୁରୁଷଙ୍କ ପ୍ରତିମୂର୍ତ୍ତିକୁ ସୁରକ୍ଷା ଦିଅନ୍ତୁ । ସେମାନେ ଆଦରଣୀୟ । ବିଜୁ ବାବୁଙ୍କୁ ସମ୍ମାନ କରୁ ବୋଲି ବିଧାନସଭା ଭିତରେ ଓ ବାହାରେ ବିଜେପି କହିଛି । ଅନ୍ୟପଟେ ବିଜୁଙ୍କ ଚେର ମୂଳ କାଟିକି ଫିଙ୍ଗିବାକୁ ବିଜେପି ବସିଲାଣି । ବିଜୁ ବାବୁଙ୍କ ନାଁ'ରେ ଥିବା ଯୋଜନାର ନାଁ ପରିବର୍ତ୍ତନ ହେଉଛି ।"

'ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରାଯାଉ'
ବିଜେଡି ନେତା ସଞ୍ଜୟ କୁମାର ଦାସବର୍ମା କହିଛନ୍ତି, "ଭାରତ ବର୍ଷ ମୁକ୍ତି ଆନ୍ଦୋଳନର ଅନନ୍ୟ ଜନ ନାୟକ ବିଜୁ ପଟ୍ଟନାୟକ ଓଡ଼ିଆ ଜାତିର ସ୍ଵାଭିମାନର ପ୍ରତିକ । ବିଜୁ ବାବୁ କୌଣସି ଦଳ ବା ଗୋଷ୍ଠୀର ନେତା ନୁହନ୍ତି । ସେ ଓଡ଼ିଶାର ସର୍ବମାନ୍ୟ ନେତା । ସ୍ଵାଧୀନତା ଆନ୍ଦୋଳନରେ ଯୋଗ ଦେଇଥିବା ଓଡ଼ିଆ ଜାତୀର ମହାନ ଜନନାୟକ । ବିଜୁ ବାବୁଙ୍କ ପ୍ରତିମୂର୍ତ୍ତୀରେ ନିଆଁ ଲଗାଇବା କେବଳ ଏକ ଜଘନ୍ୟ ଅପରାଧ ନୁହେଁ ଓଡ଼ିଶାର ସ୍ଵାଭିମାନୀ ଓ ଅସ୍ମିତା କୁ ଭୁଲୁଣ୍ଠିତ କଲାଭଳି ଦୁର୍ଭାଗ୍ୟଜନକ ଘଟଣା । ଏହି ସରକାରରେ ଏକାଧିକ ଥର ବିଜୁ ବାବୁଙ୍କ ଅମ୍ଲାନ ସ୍ମୁତି ପ୍ରତି ଅପମାନ ଦେଲାଭଳି ଘଟଣା ଘଟି ଚାଲିଛି । ରାଜ୍ୟ ସରକାରଙ୍କ ନିରବତା ରହସ୍ୟମୟ । ଦିବଙ୍ଗତ ବିଜୁ ବାବୁଙ୍କ ପ୍ରତି ହେଉଥିବା ଏ ଅପମାନ ରାଜ୍ୟବାସୀଙ୍କୁ ଗଭୀର ବ୍ୟଥିତ କରିଛି । ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତୀ ପୋଡ଼ାଜଳା ହେବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ଓ ଦୁଃଖ ଦାୟକ । ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରାଯାଉ । ଆଗକୁ ଏହି ଭଳି ଘଟଣାକୁ ବିଜୁ ଜନତା ଦଳ ବରଦାସ୍ତ କରିବ ନାହିଁ । ଏହାର ଉଚିତ ଜବାବ ଦିଆଯିବ ।
ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ:
ଆଜି ବଲାଙ୍ଗୀର ପାଟଣାଗଡ଼ର ପର୍ଶୁରାମ ଛକ ଠାରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ କେହି ନିଆଁ ଲଗାଇ ଦେଇଥିଲେ । ଯାହା ଫଳରେ ସକାଳ ସମୟରେ ଏହା ହୁତୁହୁତୁ ହୋଇ ଜଳୁଥିବାର ଦେଖିବାକୁ ମିଳିଥିଲା । ପରେ ନିଆଁକୁ ଲିଭାଇ ଦିଆଯାଇଥିଲା । ସରକାରୀ ବିଜେପି ଦଳର ପ୍ରରୋଚନାରେ ଏହି ନିଆଁ ଲଗା ଯାଇଥିବାର ବିଜେଡ଼ି ଅଭିଯୋଗ ଆଣିଛି । ବଲାଙ୍ଗୀର ବିଜେଡିର ଏକ ପ୍ରତିନିଧି ଦଳ ଏସପିଙ୍କୁ ଭେଟି ତଦନ୍ତ ଦାବି କରିଛନ୍ତି। ଯେଉଁଥିରେ ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ବଲାଙ୍ଗୀର ବ୍ଲକ ଅଧ୍ୟକ୍ଷା ଏସ ବାଗ ରହିଥିଲେ ।
ପୂର୍ବରୁ ପ୍ରତିମୂର୍ତ୍ତି ସ୍ଥାପନ ନେଇ ରହିଛି ବିବାଦ:
ପଟଣାଗଡ଼ ବିଜେଡି ଦଳ ସମ୍ପାଦକ ଦୀପକ ପାଣିଗ୍ରାହୀ କହିଛନ୍ତି " ବିବାଦୀୟ ସ୍ଥାନରେ ଏହି ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା । ହେଲେ ଏଠି ଆଗରୁ ଭଗବାନ ପର୍ଶୁରାମଙ୍କ ଛବି ଥିବାରୁ ବିବାଦ ଉଠିଥିଲା। ଯାହାକୁ ନେଇ ହାଇକୋର୍ଟ ପାଖରେ ମାମଲା ବିଚାରଧୀନ ଅଛି । ତାହା ପାଇଁ ଆଜି ଯାଏ ତାର ଉନ୍ମୋଚନ ହୋଇ ପାରି ନଥିଲା। ତେବେ ଏହି ବିଜେପି ସରକାର ଆସିବା ପରଠୁ ସବୁଠି ଓଡ଼ିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ ଦିଆ ଯାଉଛି। ପୂର୍ବରୁ କେଉଁଠି ବିଜୁ ପଟ୍ଟନାୟକଙ୍କ ମୂର୍ତ୍ତି ରଙ୍ଗ ବଦଳା ଯାଇଥିବା ବେଳେ ଏବେ ଏଠି ନିଆଁଲଗାଇ ଦିଆ ଯାଇଛି। ତେବେ ସରକାର ଓ ପୋଲସ ପ୍ରସାଶନ ମୂର୍ତ୍ତିକୁ ସୁରକ୍ଷା ଦେଇ ପାରୁ ନାହାନ୍ତି ସାଧାରଣ ଲୋକଙ୍କୁ କଣ ସୁରକ୍ଷା ଦେବେ। ତେବେ ଏହି ଘଟଣାକୁ ଆମେ ତୀବ୍ର ନିନ୍ଦା କରୁଛୁ ଓ ଆଗକୁ ତୀବ୍ର ଆନ୍ଦୋଳନ କରିବୁ ।''
ପାଟଣାଗଡ଼ରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭଙ୍ଗା ନେଇ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି,'' ଯେତେ ଚେଷ୍ଟା କଲେ ବି ବିଜୁବାବୁଙ୍କ ନାଁ କୁ ଓଡ଼ିଶାରୁ ଲିଭାଇ ପାରିବେ ନାହିଁ। ମୁଖ୍ୟମନ୍ତ୍ରୀ ସେଠାରେ ତୁରନ୍ତ ଆଉ ଏକ ନୂଆ ପ୍ରତିମୂର୍ତ୍ତି ସ୍ଥାପନ କରନ୍ତୁ। ମୂର୍ତ୍ତି ପୋଡା ଘଟଣାର ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଯେଉଁମାନଙ୍କ ଇଙ୍ଗିତରେ ଏଭଳି ଘଟିଛି ସେମାନଙ୍କୁ ବହିଷ୍କାର କରାଯାଉ। ଘଟଣା ସମ୍ପର୍କରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ତୁରନ୍ତ ପ୍ରତିକ୍ରିୟା ରଖିବା କଥା। କେବଳ ଓଡିଶା ନୁହେଁ ସାରା ଦେଶ ପାଇଁ ଗର୍ବ ବିଜୁବାବୁ। '' ସେହିପରି ରାଜ୍ୟର ଆଇନଶୃଙ୍ଖଳାକୁ ନେଇ କଡା ସମାଲୋଚନା କରିଛନ୍ତି ଦେବାଶିଷ ସାମନ୍ତରାୟ। ପାଞ୍ଚ ଦିନରେ ପାଞ୍ଚଟି ହତ୍ୟାକାଣ୍ଡ ଅର୍ଥ ଆଇନଶୃଙ୍ଖଳା ସ୍ଥିତି ଏ ସରକାରରେ ଭୁଷୁଡି ପଡିଛି। ରାଜ୍ୟ ବିଜେପି ରିମୋର୍ଟ କଣ୍ଟ୍ରୋଲ ସରକାର। ଏହି ସରକାରର ରିମୋର୍ଟ କଣ୍ଟ୍ରୋଲ ଦିଲ୍ଲୀରୁ ହେଉଛି ବୋଲି ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ ପ୍ରତିକ୍ରିୟା ଦେଇଛନ୍ତି।
ଇଟିଭି ଭାରତ, ଭୁବନେଶ୍ବର/ବଲାଙ୍ଗୀର