ETV Bharat / state

ମାର୍ଗଦର୍ଶୀ ସାଜିଲେ ଗାଁ ଝିଅ ଭାରତୀ; ମାଟି କଙ୍କଡା ପାଳି ଚାଷୀଙ୍କୁ ଦେଖାଇଲେ ରୋଜଗାରର ନୂଆ ରାହା

ଚିକିଟି ବ୍ଲକ କାଟୁରୁ ଗାଁର କ୍ଲାଇମେଟ ଚମ୍ପିଆନ ଭାରତୀ । ତାଙ୍କର ଭରସାରେ ଚିଙ୍ଗୁଡି ଚାଷ ଛାଡି ଆଗେଇ ଆସିଛନ୍ତି ମାଟି ଅଧିକ ଉପାର୍ଜ୍ଜନକ୍ଷମ କଙ୍କଡା ଚାଷ ପାଇଁ ।

Bharati Sethy Mud Crab Farmer
Bharati Sethy Mud Crab Farmer (Etv Bharat)
author img

By ETV Bharat Odisha Team

Published : September 27, 2025 at 4:13 PM IST

6 Min Read
Choose ETV Bharat

ବ୍ରହ୍ମପୁର: ସମୁଦ୍ର କୂଳିଆ ଗାଁ । ବାତ୍ୟା, ପବନ ରୂପ ନେଇ କେତେବେଳେ ଏଇ ସମୁଦ୍ର ଏମାନଙ୍କର ସ୍ୱପ୍ନ ସବୁ ଧୋଇ ନେଇଛି । ପୁଣି କେତେବେଳେ ଏଇ ସମୁଦ୍ର ବଞ୍ଚିବାର ରାହା ଦେଖାଇଛି । ଏଇ ପରିବେଶ ଶିଖେଇଛି ପ୍ରତିକୂଳ ସ୍ଥିତି ସହ ଲଢି ଜିଇଁବାର କଳା, ଏଇ ବେଳାଭୂମି ବତେଇଛି ସଂଘର୍ଷ ଭିତରେ ସଫଳତା ପାଇବାର କୌଶଳ । ସେଥିପାଇଁ ଏଇ ଉପକୂଳ ଗାଁ ଆଉ ସମୁଦ୍ରର ଲୁଣିଆ ପାଣିରେ ତାଙ୍କର ଦୁନିଆ ଗଢିବାକୁ ନିଷ୍ପତ୍ତି ନେଇଛନ୍ତି ଭାରତୀ ସେଠି ।

25 ବର୍ଷକ ଶ୍ୟାମଳୀ ଝିଅଟିଏ । ଉଚ୍ଚତା 5 ଫୁଟ 10 ଇଞ୍ଚ । ଅଭିଜ୍ଞତା ହୁଏତ ପରିପକ୍ୱ ହୋଇନି, କିନ୍ତୁ ବଳିଷ୍ଠ ବ୍ୟକ୍ତିତ୍ୱର ଆହ୍ୱାନକୁ କେହି ଏଡାଇ ଦେଇ ପାରି ନାହାନ୍ତି । ସେଥିପାଇଁ ଗଞ୍ଜାମ ଜିଲ୍ଲା କାଟୁରୁ ଗାଁର ବରିଷ୍ଠରୁ କନିଷ୍ଠ ସମସ୍ତ ଚାଷୀ ତାଙ୍କ କଥାରେ ଭରସା କରି ଆଗେଇ ଆସିଛନ୍ତି ମାଟି କଙ୍କଡା ଚାଷ କରିବା ପାଇଁ ।

ମାର୍ଗଦର୍ଶୀ ସାଜିଲେ ଗାଁ ଝିଅ ଭାରତୀ; ମାଟି କଙ୍କଡା ପାଳି ଚାଷୀଙ୍କୁ ଦେଖାଇଲେ ରୋଜଗାରର ନୂଆ ରାହା (ETV BHARAT ODISHA)

ବୟସ ଛୋଟ କିନ୍ତୁ ଦେଇ ଚାଷୀଙ୍କ ମନରେ ଭରିଛନ୍ତି ଅଗାଧ ଭରସା

ଚିକିଟି ବ୍ଲକ କାଟୁରୁ ଗାଁର କ୍ଲାଇମେଟ ଚମ୍ପିଆନ ଭାରତୀ । ଛୋଟ ହେଲେ ବି ତାଙ୍କର ଦୃଢ ବ୍ୟକ୍ତିତ୍ୱ ସମସ୍ତଙ୍କ ମନରେ ସୃଷ୍ଟି କରି ପାରିଛି ଅଗାଧ ଭରସା । ମୁହଁ ବୁଲେଇ ଚାଲି ଯାଇଥିବା ଚାଷୀ ପୁଣି ଥରେ ଫେରି ଆସିଛନ୍ତି, ତାଙ୍କ ହାତରେ ହାତ ମିଳାଇଛନ୍ତି । ଏକ ନୂଆ କିନ୍ତୁ ଉନ୍ନତ ମାନର ଜୀବିକାକୁ ବାଛି ନେଇଛନ୍ତି । ମାଟି କଙ୍କଡା ଏମିତି ଏକ ଚାଷ, ଯାହା କେବଳ ଚାଷୀଙ୍କ ଉତ୍ପାଦନ ବୃଦ୍ଧି କରେନି ବରଂ ଏକ ପରିବେଶ ଅନୁକୂଳ ଜୀବିକାକୁ ପ୍ରୋତ୍ସାହନ ଦେଇଥାଏ ।

ଇଟିଭି ଭାରତ ପକ୍ଷରୁ କସ୍ତୁରୀ ରାୟ ଯେତେବେଳେ ଏଇ ମାଟିର ଝିଅ ଭାରତୀଙ୍କ ପାଖରେ ପହଞ୍ଚିଥିଲେ ସେତେବେଳେ ତାଙ୍କୁ ଅପେକ୍ଷା କରିଥିଲେ 20ରୁ ଅଧିକ ମାଛଚାଷୀ । ପୋଖରୀ କୂଳେ କୂଳେ ସରୁ ମାଟି ରାସ୍ତାରେ ଡଗଡଗ ହୋଇ ଯାଉଥିଲେ ଭାରତୀ । ହାତରେ ଗୋଟିଏ ପତଳା ବାଡି ଧରି ଗୋଟିଏ ପରେ ଗୋଟିଏ ପୋଖରୀ ପାରି ହୋଇ ପହଞ୍ଚିଥିଲେ ଅପେକ୍ଷାରତ ଚାଷୀଙ୍କ ପାଖରେ ।

Bharati Sethy Leads Ganjam Farmers Into Mud Crab Farming
Bharati Sethy Leads Ganjam Farmers Into Mud Crab Farming (Etv Bharat)

ଆୟ ବଢାଇବ, ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିବ

କେବଳ ମାଛ ଚାଷକୁ ବୃତ୍ତି ଭାବେ ଆପଣେଇ ଆସିଥିବା କାଟୁର ଗାଁ ଚାଷୀଙ୍କ ଲକ୍ଷ୍ୟ ଏବେ ମାଟି କଙ୍କଡା ଉପରେ ନିବଦ୍ଧ । ନିଜଠାରୁ ଅଧିକ ବିଶ୍ୱାସ ଭାରତୀଙ୍କ ଉପରେ ରହିଛି । ମାଟି କଙ୍କଡା ଚାଷରୁ ଅଧିକ ଦି ପଇସା ରୋଜଗାର ଆଶା ସେମାନଙ୍କ ମୁହଁରେ ହସ ଫୁଟାଇ ପାରିଛି । ତା ଛ଼ଡା ସେମାନଙ୍କର ଏଇ ଛୋଟ ଉଦ୍ୟମ ପରିବେଶ ପ୍ରଦୂଷଣ ତଥା ଜଳ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାରେ ଯେ ସାହାଯ୍ୟ କରିବ ତାହା ସେମାନଙ୍କୁ ଅଧିକ ଉତ୍ସାହିତ କରୁଛି । ଅବଶ୍ୟ ଏତେ ଶୀଘ୍ର ବ୍ୟାବସାୟିକ ସମ୍ଭାବନା ତଥା ଲାଭ ଆଶା କରିବା ଠିକ ହେବନି । କିନ୍ତୁ ଏହାର ଏକ ସକାରାତ୍ମକ ପ୍ରଭାବ କ୍ଲାଇମେଟ ଚମ୍ପିଆନ ଭାରତୀ ଏହି ଚାଷୀଙ୍କ ପାଖରେ ଦେଖି ପାରିଛନ୍ତି ।

ଖାଲି ଚାଷୀ ନୁହେଁ, ନିଜର ଆତ୍ମ ବିଶ୍ୱାସ ବି ବଢି ଯାଇଛି ଯାହା ତାଙ୍କ ମୁହଁରୁ ଉତୁରି ଆସୁଛି । ନିଜର ଅଭିଜ୍ଞତା ନେଇ ଭାରତୀ କହନ୍ତି, ‘ମାଟି କଙ୍କଡା ବିଷୟରେ ପ୍ରଥମେ ମୁଁ କିଛି ଜାଣି ନ ଥିଲି । ପ୍ରଥମେ ପ୍ରଥମେ ବହୁଚ କଷ୍ଟ ହେଉଥିଲା । ଏଥିପାଇଁ ତାଲିମ ନେଲି । ବିଶେଷଜ୍ଞଙ୍କଠାରୁ ଏ ବିଷୟରେ ପ୍ରତ୍ୟେକ ବିଷୟରେ ବିସ୍ତୃତ ବିବରଣୀ ଜାଣିଲି । ଧୀରେ ଧୀରେ ମୋର ଆତ୍ମବିଶ୍ୱାସ ବଢିଲା । ଯେତେବେଳେ ମୋତେ ECRICC (Enhancing Climate Resilience of India’s Coastal Communities ) ପ୍ରୋଜେକ୍ଟ କ୍ଲାଇମେଟ ଚାମ୍ପିଆନ ଭାବେ ମନୋନୀତ କଲେ ମୋ କାମ ଆହୁରୁ ସହଜ ହେଇଗଲା ।’

Bharati Sethy Leads Ganjam Farmers Into Mud Crab Farming
Bharati Sethy Leads Ganjam Farmers Into Mud Crab Farming (Etv Bharat)

ହାତରେ ସ୍ନାତକ ଡିଗ୍ରୀ କିନ୍ତୁ ମାଟି କାଦୁଅରେ କାମ

ବ୍ରଦ୍ମପୁର ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ କରିଥିବା ଭାରତୀ ଏବେ କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହା ପୂର୍ବରୁ ଭାରତୀ ପିଲାଙ୍କୁ ପାଠ ପଢଉଥିଲେ । ଅଧିକାଂଶ ସମୟ ତାଙ୍କର ପାଠ ପଢାଇବାରେ ଯାଉଥିଲା । ହେଲେ ଏବେ ତାଙ୍କର ବୃତ୍ତି ଆଉ ମନବୃତ୍ତି ବଦଳିଯାଇଛି । ECRICC ସହାୟତାରେ ଏଇ କ୍ଲାଇମେଟ ଚମ୍ପିଆନ ନିଜ ମାଟି ଏବଂ ଏଇ ମାଟିର ମଣିଷଙ୍କ ପାଇଁ କିଛି କରିବାର ଇଚ୍ଛାକୁ ପୂରଣ କରି ପାରିଛନ୍ତି । ମାଟି କଙ୍କଡା ଚାଷ ମାଧ୍ୟମରେ ଗାଁ ତଥା ଆଖପାଖ ଗାଁ ଲୋକଙ୍କ ମଧ୍ୟରେ ଏକ ଜଳବାୟୁ ସଚେତନତା ସୃଷ୍ଟି କରି ପାରିଛନ୍ତି ।

Bharati Sethy Leads Ganjam Farmers Into Mud Crab Farming
Bharati Sethy Leads Ganjam Farmers Into Mud Crab Farming (Etv Bharat)

ସବୁ ଧୀରେ ଧୀରେ ସହଜ ହୋଇଗଲା

ମାଛ ତଥା ଚିଙ୍ଗୁଡି ଏଇ ଅଞ୍ଚଳର ଲୋକଙ୍କର ମୁଖ୍ୟ ବ୍ୟବସାୟ ଥିଲା । ସେମାନଙ୍କୁ ଏହି ପାରମ୍ପରିକ ଧାରାରୁ ବିଚ୍ୟୁତ କରାଇ କଙ୍କଡା ଚାଷ ପାଇଁ ରାଜି କରାଇବା କିଛି ସହଜ କଥା ନ ଥିଲା । ଭାରତୀ କହନ୍ତି, ‘ଗୋଟିଏ ନୂଆ କାମ ଆରମ୍ଭ କଲେ ନୂଆ ନୂଆ ସମମ୍ୟା ଦେଖାଯାଏ । ମୋ ପାଇଁ ବି ସମାନ ସମସ୍ୟା ଆସିଥିଲା । ତେବେ ମୁଁ ଏଇ ଗାଁର ଝିଅ ହୋଇଥିବାରୁ ମୋ ପାଇଁ ଏହା ସହଜରେ ସମାଧାନ ହୋଇ ପାରିଥିଲା । ଗାଁ ଲୋକଙ୍କର ବିଶ୍ୱାସ ଥିଲା, ମୁଁ ଏମିତି କିଛି କରିବିନି ଯାହା ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ, ସେମାନଙ୍କ ଜୀବିକାରେ ବାଧା ସୃଷ୍ଟି କରିବ । ତା ଛଡା ସେମାନଙ୍କ ସହ ତାଲିମ ଶିବିରରେ ସାମିଲ ହୋଇ କାମ କରିଲି ଯେଉଁଥିପାଇଁ ସବିକିଛି ଧୀରେ ଧୀରେ ସହଜ ହୋଇଗଲା ।’

Bharati Sethy Leads Ganjam Farmers Into Mud Crab Farming
Bharati Sethy Leads Ganjam Farmers Into Mud Crab Farming (Etv Bharat)

‘ଭାରତୀ କହନ୍ତି, ସେ ଚାଷୀଙ୍କ ସହ ଯେତେ ବେଶି ମିଶିଲେ ସେମାନଙ୍କର ଜ୍ଞାନ ସେତେ ବଢିଲା । ପାରମ୍ପରିକ ମାଛ ଚାଷରେ କିପରି କି କି ସମସ୍ୟାକୁ ସାମ୍ନା କରୁଥିଲେ, ମାଟି କଙ୍କଡାରେ କି ପ୍ରକାର ସମସ୍ୟାକୁ ସାମ୍ନା କରୁଛନ୍ତି, ଏକ ନୂଆ କାମ କରିଥିବାରୁ ସେମାନଙ୍କ ମନରେ କି କି ଭୟ ରହିଛି ସେ ବିଷୟରେ ଖୋଲାଖୋଲି ଆଲୋଚନା କରିଥିଲେ । ମୋର ବିଶ୍ୱାସ, ମୁଁ ସେମାନଙ୍କର ଭୟ ଦୂର କରି ପାରିଥିଲି ଯେଉଁଥିପାଇଁ ସେମାନେ ଆଗକୁ ଯିବାପାଇଁ ସାହାସ ଜୁଟାଇ ପରିଥିଲେ ।’

ମାଟି କଙ୍କଡା ଚାଷରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ପାଣିର ଉଚିତ ଲବଣତା ଏବଂ ଉପଯକ୍ତ ଔଷଧ । ସମୁଦ୍ର ନିକଟବର୍ତ୍ତି ଅଞ୍ଚଳରେ ମାଛଚାଷୀମାନେ ଖୋଳିଥିବା ପୋଖରୀକେ ଆରମ୍ଭ ହୋଇଥିଲା ମାଟି କଙ୍କଡା ଚାଷ । କଙ୍କଡାଙ୍କ ଲାଗି ଏହି ପାଣିକୁ ଚାଷୋପଯୋଗୀ କରିବା ପାଇଁ ଉପଯୁକ୍ତ ମାତ୍ରାରେ ଔଷଧ ଏବଂ ଅନ୍ୟାନ୍ୟ ଉପକରଣ ମିଶା ଯାଇଥାଏ । ତା ପରେ ଚେନ୍ନାଇରୁ ଆସୁଥିବା ଯାଆଁଳ ଏହି ପାଣିରେ ଛଡାଯାଏ ।

Bharati Sethy Leads Ganjam Farmers Into Mud Crab Farming
Bharati Sethy Leads Ganjam Farmers Into Mud Crab Farming (Etv Bharat)

ଏକ୍ରିକ ବଢାଇଥିଲା ସହାୟତାର ହାତ

ଏହି ଚାଷ ପାଇଁ କ୍ଲାଇମେଟ ଚମ୍ପିଆନଙ୍କ ମାଧ୍ୟମରେ ଏକ୍ରିକ (ECRICC) ତିନୋଟି ପର୍ଯ୍ୟାୟରେ ସହାୟତା ଯୋଗାଇ ଦେଇଥାନ୍ତି । ଗ୍ରୀନ କ୍ଲାଇମେଟ ଫଣ୍ଡ, ଭାରତ ସରାକରଙ୍କ ଜଙ୍ଗଲ,ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ, ଜାତିସଂଘ ବିକାଶ କାର୍ଯ୍ୟକ୍ରମ (UNDP) କୋଲାବରେସନରେ ECRICC ଉପକୂଳବାସୀଙ୍କ ଜୀବନ ଜୀବିକାକୁ ଉନ୍ନତ କରିବା ପାଇଁ ଆଗେଇ ଆସିଛି । ECRICC ସ୍ଥାନୀୟ ଅଞ୍ଚଳରୁ କେତେଜଣ ମହିଳାଙ୍କୁ କ୍ଲାଇମେଟ ଚମ୍ପିଆନ ବାଛିଥାଏ ଏବଂ ସେମାନଙ୍କ ସହାୟତାରେ ଏହି କାମ କରିଥାଏ ।

Bharati Sethy , Mud Crab Farmer
Bharati Sethy , Mud Crab Farmer (Etv Bharat)

ଏକ୍ରିକର ଗଞ୍ଜାମ ଜିଲ୍ଲା ସମନ୍ୱୟ ଅଧିକାରୀ ରଞ୍ଜନ କୁମାର ଭୋଇଙ୍କ କହିବା ଅନୁଯାୟୀ, ‘ପ୍ରଥମେ ଚାଷୀଙ୍କୁ 2ରୁ3 ଗ୍ରାମ ଓଜନର ଛୋଟ ଛୋଟ କଙ୍କଡା ଯାଆଁଁଳ ମିଳିଥାଏ । ପ୍ରତି ହେକ୍ଟରରେ ପ୍ରାୟ 5000 ମାଟି କଙ୍କଡା ହୋଇଥାଏ । ଚେନ୍ନାଇରୁ ଏହି କଙ୍କଡା ଯାଆଁଳ ବିମାନରେ ଆସିଥାଏ । ଏଥିଯୋଗୁ ଖର୍ଚ୍ଚ ବହୁତ ହେଉଥିଲା । ଏବେ ଏକ୍ରିକ ପକ୍ଷରୁ ଯାଆଁଳ ଉତ୍ପାଦନ କେନ୍ଦ୍ର ପାରାଦୀପରେ ହେବାକୁ ଯାଉଛି, ଯଦ୍ୱାରା ଏହି ସମସ୍ୟାର ସମାଧାନ ହୋଇ ପାରିବ ।’

Bharati Sethy Leads Ganjam Farmers Into Mud Crab Farming
Bharati Sethy Leads Ganjam Farmers Into Mud Crab Farming (Etv Bharat)

ଏହି ଯାଆଁଳ ଉତ୍ପାଦନ କେନ୍ଦ୍ରରେ 3.58 କେଟି ଟଙ୍କା ବ୍ୟୟରେ ବର୍ଷକୁ10 ଲକ୍ଷରୁ ଅଧିକ ଉଚ୍ଚମାନର ମାଟି କଙ୍କଡା ଯାଆଁଳ କରାଯାଇ ଚାଷୀଙ୍କୁ ପ୍ରଦାନ କରାଯାଇ ପାରିବ । ଏହା ଦ୍ୱାରା ଚାଷୀ ସୁଲଭ ଦରରେ ଏବଂ ସହଜରେ ଏହା ପାଇ ପାରିବେ । ଏକ୍ରିକର ରାଜ୍ୟ ପରିଯୋଜନା ନିର୍ଦ୍ଦେଶକ ଆଇଏଫଏସ ପ୍ରେମ କୁମାର ଝା କହନ୍ତି, ‘ଏହି ଯାଆଁଳ ଉତ୍ପାଦନ କେନ୍ଦ୍ର ଉନ୍ନତ ମାନର ଯାଆଁଳ ବିହନ ଯୋଗାଇବା ସହ ରାଜ୍ୟରେ ଏକ ପରିବେଶ ଅନୁକୂଳ ଜୀବିକାକୁ ପ୍ରୋତ୍ସାହନ ଦେବ।’

Bharati Sethy Leads Ganjam Farmers Into Mud Crab Farming
Bharati Sethy Leads Ganjam Farmers Into Mud Crab Farming (Etv Bharat)

ମିଳିବ ଦୁଇଗୁଣା ଆୟ

ମାଟି କଙ୍କଡା ଚାଷ ଯୋଜନାରେ କଇଥା, ସୁନାପୁର, କାଟୁରୁ ଗାଁକୁ ଅନ୍ତର୍ଭୁକ୍ତ କରାଯାଇଛି । ଏଥିରେ ମୋଟ 23 ଜଣ ଚାଷୀ ସାମିଲ ହୋଇଛନ୍ତି ଯେଉଁମାନଙ୍କ ମଧ୍ୟରେ 18 ଜଣ ଚିକିଟି ଏବଂ 5 ଜଣ ଗଞ୍ଜାମର ଅଛନ୍ତି । ପଦ୍ମନାଭ ବେହେରା ନାମକ ଜଣେ ବିଟେକ କରିଥିବା ଚାଷୀ କହନ୍ତି, ‘ଆମେ ପାରମ୍ପରିକ ଚିଙ୍ଗୁଡି ଚାଷ କରି କିଲ ପିଛା 500ରୁ 600 ଟଙ୍କା ପାଉଥିଲୁ । ହେଲେ ମାଟି କଙ୍କଡା କିଲ ପିଛା 1,250 ଟଙ୍କା ଅର୍ଥାତ ଦୁଇଗୁଣା ଲାଭ ପାଇ ପାରିବୁ । ଏହା ଜଳବାୟୁ ଉପଯୋଗୀ ଚାଷ । ଭାରତୀଙ୍କଠାରୁ ପ୍ରୋତ୍ସାହନ ପାଇ ଆମେ ଏହି ଚାଷ କରୁଛୁ । ଆମର ନିଜର ଯାଆଁଳ କେନ୍ଦ୍ର ହୋଇଯିବା ପରା ଏହା ଆହୁରି ସହଜ ହୋଇ ପାରିବ ।’

ପୋଖରି କୂଳେ କୂଳେ ଛୋଟ ଛୋଟ ଅସ୍ଥାୟୀ କୁଡିଆମାନ ଦେଖିବାକୁ ମିଳିଥାଏ । ଏଠାରେ ପରିବାର ସଦସ୍ୟମାନେ ପାଳି କରି କଙ୍କଡାକୁ ଜଗିଥାନ୍ତି । କାରଣ ଏହାର ଦାମ ଅଧିକ ହୋଇଥିବାରୁ ଚୋରି ହେବାର ଆଶଙ୍କା ରହିଛି ।

Bharati Sethy Leads Ganjam Farmers Into Mud Crab Farming
Bharati Sethy Leads Ganjam Farmers Into Mud Crab Farming (Etv Bharat)

ଏକ୍ରିକ ପ୍ରକଳ୍ପର ଅନ୍ୟଜଣେ ଲାଭାର୍ଥ ଚୈତନ୍ୟ ବେହେରା କହିଛନ୍ତି, ‘ଗତ 40 ବର୍ଷ ଧରି ଆମେ ମାଛ ଓ ଚିଙ୍ଗୁଡି ଚାଷ କରି ଆସୁଥିଲୁ । ହେଲେ ଆମ ଗାଁର ଝିଅ ଭାରତୀ ଆମକୁ ମାଟି କଙ୍କଡା ବିଷୟରେ କହିବା ସହ ଭଲ ଲାଭ ମିଳିବ ବୋଲି ଆଶ୍ୱାସନା ଦେଇଥିଲେ ।’ ଚୈତନ୍ୟ କହିଛନ୍ତି, ‘କେତେ ଲାଭ ହେବ ଆଜିଠାରୁ କହିବା ସମ୍ଭବ ନୁହେଁ । ଆମେ ଏବେ ଏହାକୁ ଆରମ୍ଭ କରିଛୁ । ଉତ୍ପାଦନ ପାଇଁ କିଛି କିଛି ମାସ ଅପେକ୍ଷା କରିବାକୁ ପଡିବ । ତେବେ କଙ୍କଡା ଭଲ ବଢୁଛନ୍ତି । ତେଣୁ ଲାଭ ଭଲ ହେବ ବୋଲି ଆମେ ଆଶା କରୁଛୁ ।

64 ବର୍ଷୀୟ ଚାଷୀ ନକୁଳ ବେହେରା କହିଛନ୍ତି, ଆମେ ଅଳ୍ପଦିନ ହେଲା କଙ୍କଡା ଚାଷ କରିଛୁ । ଏବେ କଙ୍କଡାରୁ ପ୍ରଥମ ଖୋଳପା ଛାଡିଛି । ଏହିପରି ଆହୁରି ଅନେକ ଖୋଳପା ଛାଡିବ । ଆମେ ବିନା ଔଷଧ ବ୍ୟବହାରରେ ଏହି ଚାଷ କରି ପାରୁଛୁ । ଏହାଦ୍ୱାରା ଆମର ପାଣି ଦୂଷିତ ହେଉନି ।

Bharati Sethy Leads Ganjam Farmers Into Mud Crab Farming
Bharati Sethy Leads Ganjam Farmers Into Mud Crab Farming (Etv Bharat)

ମାଚି କଙ୍କଡା ଚାଷ ଦେଇଛି ନୂଆ ପରିଚୟ

ଯାହା ବି ହେଉ, ଗଞ୍ଜାମ ଜିଲ୍ଲାର ଏଇ ଚିକିଟି ଅଞ୍ଚଳରେ ଆଜି ଯେଉଁ ପରିବର୍ତ୍ତନର ସ୍ୱର ଶୁଣିବାକୁ ମିଳିଛି ତାହା କେବଳ ଭାରତୀଙ୍କ ପାଇଁ ସମ୍ଭବ ହୋଇଛି । 2025 ଫେବୃଆରୀରେ ଏକ୍ରିକ ପକ୍ଷରୁ ତାଙ୍କୁ କ୍ଲାଇମେଟ ଚମ୍ପିଆନ ଉପାଧି ମିଳିବା ପରେ ସେ ଖୁବ ଉତ୍ସାହର ସହ ଏହି କାମ କରି ଆସୁଛନ୍ତି । ନିଜ ଇଲାକାର ମତ୍ସ୍ୟଜୀବି ଭାଇଙ୍କୁ ଜଳବାୟୁ ଉପଯୋଗୀ ମାଟି କଙ୍କଡା ଚାଷ ବିଛୟରେ ବୁଝାଇ ପାରିଛନ୍ତି, ଏହି ଚାଷ ମାଧ୍ୟମରେ ସେମାନଙ୍କ ଆର୍ଥିକ ସ୍ଥିତିକୁ ମଜବୁତ କରି ପାରିଛନ୍ତି.. ସେଥିପାଇଁ ସେ ବହୁତ ଖୁସି । ଏହି କାମ ତାଙ୍କୁ ଏକ ନୂଆ ପରିଚୟ ଦେଇଛି । ପିଲାଦିନୁ ସମାଜ ପାଇଁ କିଛି କରିବାର ଇଚ୍ଛାକୁ ସେ ଏହାଦ୍ୱାରା ପୂରଣ କରି ପାରିଛନ୍ତି । ସେ ଏହି କାମ କରିବା ସହ ତାଙ୍କ ଅଞ୍ଚଳରେ କେଉଁ ଚାଷଙ୍କର ବ୍ୟାଙ୍କ ସମ୍ପର୍କିତ କାମ, ସ୍ୱାସ୍ଥ୍ୟ, ଶିକ୍ଷା ସମ୍ପର୍କିତ ସଚେତନତା କାମ କରି ଆସୁଛନ୍ତି । ଏଥି ସହିତ ନିଜ ପାଠପଢା ମଧ୍ୟ ଜାରି ରଖିଛନ୍ତି । କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

ଏହା ମଧ୍ୟ ପଢନ୍ତୁ ଶଙ୍ଖ ଶାମୁକା ହସ୍ତଶିଳ୍ପ ପାଇଁ ସମର୍ପିତ ଜଗନ୍ନାଥ, ପାଇଛନ୍ତି ରାଷ୍ଟ୍ରୀୟ ପୁରସ୍କାର

ଏହା ମଧ୍ୟ ପଢନ୍ତୁ ପଛୁଆ ଜନଜାତିଙ୍କ ପ୍ରେରଣାର ଉତ୍ସ ଜୈମିନୀ ଝାଙ୍କର; ପ୍ରଥମ ପିଏଚଡି ଡିଗ୍ରୀ ପାଇ ସାଜିଲେ ଉଦାହରଣ