NH 16 ରାଜପଥ ନା ମରଣଯନ୍ତା, ୬ ବର୍ଷରେ ଗଡ଼ିଲାଣି ୬୪୦ ମୁଣ୍ଡ
ଖାଲ ଓ ଡାଇଭର୍ସନ ଭରା ୬୨ କିଲୋମିଟର । ରାଜପଥ ପାଲଟିଛି ମରଣଯନ୍ତା । ବାଲେଶ୍ବର-ସିମୁଳିଆ NH 16ରୁ ଇଟିଭି ପ୍ରତିନିଧି ଜୀବନ ଜ୍ୟୋତି ନାୟକଙ୍କ ଗ୍ରାଉଣ୍ଡ ଜିରୋ ରିପୋର୍ଟ ।

Published : December 7, 2024 at 3:03 PM IST
|Updated : December 8, 2024 at 1:29 PM IST
ବାଲେଶ୍ବର: ପଶ୍ଚିମବଙ୍ଗର କୋଲକାତାରୁ ତାମିଲନାଡୁ ଚେନ୍ନାଇକୁ ଲମ୍ବିଛି ଜାତୀୟ ରାଜପଥ । ଓଡ଼ିଶାର ବାଲେଶ୍ବର ଯାଇଥିବା ଏହି NH-16 ଏବେ ଶିରୋନାମା ପାଲଟିଛି । କାହିଁକି ଚର୍ଚ୍ଚାରେ ଏହି ଜାତୀୟ ରାଜପଥ ? ଆସନ୍ତୁ ଜାଣିବା .....
୬୨ କିଲୋମିଟର ରାଜପଥ :
ବାଲେଶ୍ୱର କଳମା ଛକ ବା ନହରପାଟଣାରୁ ସିମୁଳିଆ ଅନ୍ତର୍ଗତ ମଇତାପୁର । ୬୨ କିଲୋମିଟର ଲମ୍ବ ଜାତୀୟ ରାଜପଥ-୧୬ (NH-16)। ଚାଲିଛି ରାସ୍ତା ପ୍ରଶସ୍ତି କରଣ କାର୍ଯ୍ୟ । ଏହାକୁ ୬ ଲେନ ବିଶିଷ୍ଟ କରାଯାଉଛି । ୬ ବର୍ଷ ବିତି ଗଲାଣି, ତଥାପି କାମ ସରୁନି । ଏହାରି ଭିତରେ ରାସ୍ତା ପାଇଁ ଗଲାଣି ଅନେକ ଲୋକଙ୍କ ଜୀବନ । ନା ଚିନ୍ତା ଅଛି ଜାତୀୟ ରାଜପଥ କର୍ତ୍ତୃପକ୍ଷ NHIAର ? ନା ସମ୍ପୃକ୍ତ ଠିକା କମ୍ପାନୀର ? ନା ସରକାରଙ୍କର ? କାମ ଶୀଘ୍ର ସରିଯିବ ବୋଲି ଠିକା କମ୍ପାନୀ ଏବଂ NHIA କହୁଥିବା ବେଳେ, ଯାତ୍ରୀଙ୍କ ସୁରକ୍ଷା ଯମ ଦେବତାଙ୍କ ହାତରେ ।

ଲମ୍ବୁଛି ସମୟ, ସରୁନି କାମ :
୨୦୧୮ ମସିହରେ ଆରମ୍ଭ ହୋଇଥିଲା ବାଲେଶ୍ବର-ସିମୁଳିଆ ଜାତୀୟ ରାଜପଥ ପ୍ରଶସ୍ତିକରଣ କାମ । ବ୍ରିଜ ଗୋପାଳ କନଷ୍ଟ୍ରକସନ କମ୍ପାନୀ ନେଇଥିଲା ଟେଣ୍ଡର । ବର୍ଷକ ପରେ ଅର୍ଥାତ ୨୦୧୯ରେ କାମ ଆରମ୍ଭ କରିଥଲା କମ୍ପାନୀ । ଏହି ୬୨ କିଲୋମିଟର ରାଜପଥ କାମ ପାଇଁ ପ୍ରଥମେ ୯୦୦ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିଲା । ପରେ ଏହା ୧୧୬୦ କୋଟିକୁ ବୃଦ୍ଧି କରାଯାଇଥିବା ବେଳେ, ତାଜା ତଥ୍ୟ ଅନୁସାରେ ବର୍ତ୍ତମାନ ବ୍ୟୟ ଅଟକଳ ୧୬୦୦ କୋଟି ଟଙ୍କାରେ ପହଞ୍ଚିଛି ।

ଏହା ମଧ୍ୟ ପଢ଼ନ୍ତୁ- ସରକାର ବଦଳିଲା ପରେ କାମ ବନ୍ଦ କରିଦେଲା ଠିକାସଂସ୍ଥା ! ଅଧପନ୍ତରିଆ ରାସ୍ତା ଏବେ ମରଣଯନ୍ତାପୁରୁଣା ରାସ୍ତା ଦେଖାଇ ଫେକ୍ ବିଲ୍, ୮ ଲକ୍ଷ ହଡ଼ପ ଅଭିଯୋଗ ଆଣିଲେ ଗ୍ରାମବାସୀ |
ଗ୍ରାଉଣ୍ଡ ଜିରୋରେ ETV Bharat :

ଦୁଇଟି ରାସ୍ତା କାମ ପାଇଁ ଦୁଇଟି ଠିକା କମ୍ପାନୀ କାର୍ଯ୍ୟଭାର ନେଇଥିଲେ । ମଇତାପୁରଠାରୁ ଭଦ୍ରକ ରାସ୍ତା ଦୁଇବର୍ଷ ହେଲା ଶେଷ ହୋଇ ସାରିଥିବା ବେଳେ, କଳମାଠାରୁ ମଇତାପୁର ଯାଏଁ ଜାତୀୟ ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ କରୁନାହିଁ ବ୍ରିଜ ଗୋପାଳ କନଷ୍ଟ୍ରକସନ କମ୍ପାନୀ । କେମିତି ଚାଲିଛି ରାସ୍ତା କାମ ? କେତେ ନିର୍ମାଣ ସରିଲାଣି ? ଆଉ କେତେ ବାକି ରହିଛି ? ପୋଲ ନିର୍ମାଣ କେଉଁଠି ପହଞ୍ଚିଲାଣି ? ଡାଇଭର୍ସନ ଅବସ୍ଥା କଣ ? ଏସବୁ ଜାଣିବା ପାଇଁ ବାଲେଶ୍ୱରରୁ ସୋର ଯାଏଁ ରାସ୍ତାର ଗ୍ରାଉଣ୍ଡ ରିୟଲିଟି ଚେକ୍ କରିଥିଲା ଇଟିଭି ଭାରତ ଟିମ୍ । ଆମ ବାଲେଶ୍ବର ପ୍ରତିନିଧି ଜୀବନ ଜ୍ୟୋତି ନାୟକ ରାସ୍ତା କାମର ଅପଡେଟ ଦେଖିଥିଲେ ଏବଂ ସ୍ଥାନୀୟ ଲୋକଙ୍କ ପ୍ରତିକ୍ରିୟା ନେଇଥିଲେ ।
ମୁଣ୍ଡ ନେଉଛି ରାଜପଥ :

୬ ବର୍ଷ ପରେ ମଧ୍ୟ ଅଧପନ୍ତରିଆ ଅବସ୍ଥାରେ ରାସ୍ତା ନିର୍ମାଣ କାମ । ଜାତୀୟ ରାଜପଥର ବିଭିନ୍ନ ସର୍ଭିସ ରୋଡ ଅତ୍ୟନ୍ତ ଖରାପ ହୋଇଥିବା ବେଳେ ନୂଆ କରି ତିଆରି ହୋଇଥିବା ପୋଲଗୁଡିକରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇ ନାହିଁ । ଏମିତି କି ରାସ୍ତା କଡରେ କାମ ଚାଲିଥିବା ବେଳେ ସେଠାରେ କୌଣସି ବୋର୍ଡ ମଧ୍ୟ ଲଗାଯାଇ ନାହିଁ । ପୋଲ ତିଆରି କାର୍ଯ୍ୟ ପାଇଁ ମଧ୍ୟ ସେମିତି ପୁରୁଣା ପୋଲ ଗୁଡିକୁ ସଂକୀର୍ଣ୍ଣ କରି ଦିଆଯାଇଛି । ଡାଇଭର୍ସନରେ ଠିକ ଠିକଣା ନଥିବାରୁ ଦୁର୍ଘଟଣା ସଂଖ୍ୟା ବଢ଼ୁଛି । ବିଶେଷ କରି ରାତି ସମୟରେ ଯାତାୟତ କରୁଥିବା ଗାଡ଼ି ଏବଂ ମୋଟର ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି । ସୂଚନା ଅନୁସାରେ ଗତ ୬ ବର୍ଷ ମଧ୍ୟରେ ରାସ୍ତା ଦୁର୍ଘଟଣାରେ ୬୪୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ସେଥିରୁ ବଡ଼ ଦୁର୍ଘଟଣାରେ ୩୪୨ ଜଣ ପ୍ରାଣ ହରାଇଥିବା ବେଳେ, ଛୋଟ ଛୋଟ ଦୁର୍ଘଟଣାରେ ୧୬୨ଟି ମୁଣ୍ଡ ଗଡ଼ିଲାଣି । ଦୁର୍ଘଟଣାର ମୁଖ୍ୟ କାରଣ ହେଉଛି ଡାଇଭର୍ସନ ଏବଂ ସୂଚନା ଫଳକ ନ ରହିବା । ୬୨ କିଲୋମିଟର ରାସ୍ତାରେ ପୂର୍ବରୁ ୧୫ଟି ଡାଇଭର୍ସନ ଥିବା ବେଳେ, ଏବେ ଏହି ସଂଖ୍ୟା ୪କୁ ଖସିଛି । ତେବେ ଏବେ ବି ସୁରକ୍ଷିତ ନୁହନ୍ତି ଯାତ୍ରୀ ।

୬ ବର୍ଷରେ ୬୪୦ ମୁଣ୍ଡ:
- ୬ ବର୍ଷରେ ଦୁର୍ଘଟଣାରେ ୬୪୦ରୁ ଅଧିକ ଜୀବନ ଯାଇଛି
- ବଡ଼ ଦୁର୍ଘଟଣାରେ ୩୪୨ ଜଣ ପ୍ରାଣ ହରାଇଛନ୍ତି
- ଛୋଟ ଦୁର୍ଘଟଣାରେ ୧୬୨ ଜଣ ପ୍ରାଣ ହାରଇଛନ୍ତି
- ଦୁର୍ଘଟଣାର ମୁଖ୍ୟ କାରଣ ଡାଇଭର୍ସନ ଓ ସୂଚନା ଫଳକ ନ ରହିବା
- ୬୨ କିଲୋମିଟର ରାସ୍ତାରେ ପୂର୍ବରୁ ୧୫ଟି ଡାଇଭର୍ସନ ଥିଲା , ଏବେ ଏହି ସଂଖ୍ୟା ୪
ଏହା ମଧ୍ୟ ପଢ଼ନ୍ତୁ- କାହା ପକେଟକୁ ଗଲା କୋଟି କୋଟି ଟଙ୍କା ? ରାସ୍ତା କାମ ନସରୁଣୁ ଲୋଡା ହେଲାଣି ମରାମତି - NEWLY MADE ROAD SEEKS REPAIR |
ଦୁର୍ଘଟଣାର କାରଣ ଡାଇଭର୍ସନ :

ରାଇଟ ଟୁ ଇନଫରମେସନ (ଆରଟିଆଇ) RTI ଜରିଆରେ ତଥ୍ୟ ମାଗିଥିଲେ ଜଣେ ଯୁବକ ଶୁଭ୍ରାଂଶୁ ଶେଖର ଆଚାର୍ଯ୍ୟ । ରାସ୍ତା କାମକୁ ନେଇ କଣ ରହିଛି ଆରଟିଆଇ ତଥ୍ୟ, ସେନେଇ ଶୁଭ୍ରାଂଶୁ ଶେଖର ଆଚାର୍ଯ୍ୟ କହିଛନ୍ତି ଯେ " ସିମୁଳିଆ ମଇତାପୁରରୁ ଆରମ୍ଭ କରି କଳମା ପର୍ଯ୍ୟନ୍ତ ଅନେକ ଡାଇଭର୍ସନ ରହିଛି । ଆରଟିଆଇ ତଥ୍ୟ ଅନୁସାରେ ସୁରକ୍ଷା ବ୍ୟବସ୍ଥା ପାଇଁ ଯେଉଁ ଗାଇଡ ଲାଇନ ପ୍ରସ୍ତୁତ କରାଯାଇଥିଲା, ସେ ଅନୁସାରେ କାମ ହେଉନାହିଁ । ଯେଉଁଥି ପାଇଁ ଦୁର୍ଘଟଣା ସଂଖ୍ୟା ବଢ଼ୁଛି । RTI ତଥ୍ୟରୁ ଜଣା ପଡ଼ିଲା ଯେ, ବର୍ତ୍ତମାନ ସୁଦ୍ଧା 640ରୁ ଅଧିକ ଦୁର୍ଘଟଣା ଘଟିଛି । ମାଇନର ମିନେରାଲ କମ ପଡୁଛି ବୋଲି କମ୍ପାନୀ କହୁଥିବା ବେଳେ ଆରଟିଆଇ ତଥ୍ୟ ଅନୁସାରେ କମ୍ପାନୀ ବିଭିନ୍ନ ସ୍ଥାନରୁ ପର୍ଯ୍ୟାପ୍ତ ପରିମାଣର ମାଇନ ମିନେରାଲ ଉଠାଇଛି । କମ୍ପାନୀ ପାଖାପାଖି ୨୬ କୋଟି ଟଙ୍କା NGTକୁ ଫାଇନ ଦେଇଥିବା ବେଳେ, ୨୦ କୋଟି ରାଜ୍ୟ ସରକାରଙ୍କୁ ଜୋରିମାନା ଆକା ରରେ ଦେଇ ସାରିଛି । କମ୍ପାନୀ, ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଖଣିରୁ ସମେତ ଚଣ୍ଡିଖୋଲରୁ ମଧ୍ୟ ମାଲ ଆଣିଛନ୍ତି । ତଥାପି ମେଟେରିଆଲ ଅଭାବ ଥିବା କମ୍ପାନୀ ଦର୍ଶାଉଛି । " କମ୍ପାନୀ, ସୁରକ୍ଷା ସଂପର୍କିତ ଗାଇଡ ଲାଇନ ଅନୁସରଣ କରୁନଥିବାରୁ ଦୁର୍ଘଟଣା ସଂଖ୍ୟା ବଢୁଥିବା ଅଭିଯୋଗ କରିଛନ୍ତି TRI କାର୍ଯ୍ୟକର୍ତ୍ତା ।

କଣ କହୁଛି RTI ତଥ୍ୟ ?
- ବର୍ତ୍ତମାନ ସୁଦ୍ଧା ୬୪୦ରୁ ଅଧିକ ଦୁର୍ଘଟଣା
- ମାଇନ୍ ମିନେରାଲ କମ ପଡୁଛି ବୋଲି କମ୍ପାନୀର ସଫେଇ
- RTI ଅନୁସାରେ କମ୍ପାନୀ ବିଭିନ୍ନ ସ୍ଥାନରୁ ପର୍ଯ୍ୟାପ୍ତ ପରିମାଣ ମାଇନ୍ ମିନେରାଲ ଉଠାଇଛି
- କମ୍ପାନୀ ୨୬ କୋଟି ଟଙ୍କା NGTକୁ ଫାଇନ ଦେଇଛି
- ୨୦ କୋଟି ରାଜ୍ୟ ସରକାରଙ୍କୁ ଜୋରିମାନା ଆକାରରେ ଗଣି ସାରିଛି
- ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଖଣିରୁ ସମେତ ଚଣ୍ଡିଖୋଲରୁ ମାଲ ଆଣିଛି କମ୍ପାନୀ
- ତଥାପି ମେଟେରିଆଲ ଅଭାବ ଥିବା କମ୍ପାନୀ ଦର୍ଶାଉଛି
- ବଡ଼ ଦୁର୍ଘଟଣାରେ ୩୪୨ ଜଣଙ୍କ ମୃତ୍ୟୁ
- ଛୋଟ ଦୁର୍ଘଟଣାରେ ୧୬୨ ଜୀବନ ଗଲାଣି
ଜାତୀୟ ରାଜପଥ ୧୬ର ଦୁରବସ୍ଥା ପାଇଁ ସଂପୃକ୍ତ କମ୍ପାନୀ, NHIA ଏବଂ ସରକାରୀ କଳକୁ ଦାୟୀ କରିଛନ୍ତି ସାଧାରଣ ଜନତା । ସ୍ଥାନୀୟ ବାସିନ୍ଦା ଅକ୍ଷୟ ଜେନାଙ୍କ କହିବା ହେଲା, " କମ୍ପାନୀ, ପୋଲ କାମ ଧିମା ଗତିରେ କରୁଛି । ପୋଲ ଭାଙ୍ଗିବା ପୂର୍ବରୁ ବାଇପାସ ରୋଡ୍ କରାଯାଉ ନାହିଁ । ଯାହାଦ୍ୱାରା ବାରମ୍ବାର ଦୁର୍ଘଟଣା ଘଟୁଛି । ଦୁର୍ଘଟଣାରେ ୬୦୦ରୁ ଅଧିକ ଲୋକଙ୍କର ଜୀବନ ଗଲାଣି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ପ୍ରଶାସନ ପଦକ୍ଷେପ ନେବା ଜରୁରୀ । ଡାଇଭର୍ସନ ସ୍ଥାନରେ ସୂଚନା ଫଳକ ଲଗାଯାଉ ନାହିଁ କିମ୍ବା ସିକ୍ୟୁରିଟି ମଧ୍ୟ ରଖାଯାଉ ନାହିଁ ।"

ଜାତୀୟ ରାଜପଥ ପ୍ରାଧିକରଣ (କର୍ତ୍ତୃପକ୍ଷ) National Highways Authority of India(NHAI) ରାସ୍ତା କାମ ବିଳମ୍ବକୁ ସ୍ବୀକାର କରିବା ସହ ନିର୍ମାଣକାରୀ ସଂସ୍ଥାକୁ ଡେଡ ଲାଇନ ଦେଇଛନ୍ତି । NHAI ପିଡି କହିଛନ୍ତି ଯେ, " ରାସ୍ତା କାମ ପାଇଁ ପଥର ଏବଂ ଅନ୍ୟାନ୍ୟ ମେଟେରିଆଲ ମିଳିବାରେ ସମସ୍ୟା ଯୋଗୁଁ ନିର୍ମାଣ କାମରେ ବିଳମ୍ବ ଘଟିଛି । ୭ ଦିନ ଭିତରେ ଏହାର ସମାଧାନ କରିବା ନେଇ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ପ୍ରତିଶ୍ରୁତି ଦେଇଛନ୍ତି । ପୂର୍ବରୁ ୧୫ଟି ଡାଇଭର୍ସନ ଥିବା ବେଳେ, ଏବେ ୪ଟିକୁ ହ୍ରାସ ପାଇଛି । ଅଧିକାଂଶ ପୋଲ ନିର୍ମାଣ କାର୍ଯ୍ୟ ସରିଛି । ଆସନ୍ତାବର୍ଷ ମେ ମାସ ସୁଦ୍ଧା ରାସ୍ତା କାମ ସଂପୂର୍ଣ୍ଣ ହୋଇଯିବ ବୋଲି କମ୍ପାନୀକୁ କୁହାଯାଇଛି । କମ୍ପାନୀ ଉପରେ ଫାଇନ ମଧ୍ୟ ଲଗାଯାଇଛି । ଯଦି ମେ ମାସ ସୁଦ୍ଧା କମ୍ପାନୀ କାମ ଶେଷ ନକରେ, କାର୍ଯ୍ୟାନୁଷ୍ଠାନ ନିଆଯିବ।"
୬ ବର୍ଷ ବିତିଲାଣି, ରାସ୍ତାକାମ ଚାଲିଛି ଯେ ଚାଲିଛି । ଠିକା କମ୍ପାନୀକୁ NHAI ଆଉ ୬ ମାସର ମହଲତ ଦେଇଛି । ୨୦୨୫ ମେ ମାସ ହେଉଛି ଡେଡ୍ ଲାଇନ । ଏହି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ୬୨ କିଲୋମିଟର ଲମ୍ବ ୬ ଲେନ୍ ବିଶିଷ୍ଟ ରାସ୍ତା କାମ ସଂପୂର୍ଣ୍ଣ ହୋଇପାରିବ ତ ?

ଏହା ମଧ୍ୟ ପଢ଼ନ୍ତୁ- ରୋଜଗାର ଗ୍ୟାରେଣ୍ଟି ଗେଣ୍ଡୁଫୁଲ, SHG ମହିଳାଙ୍କୁ କରିଛି ସ୍ବାବଲମ୍ବୀ |
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

