Balasore Farmers Rabi Paddy ବାଲେଶ୍ୱର: ଚାଷ କରି ଫସଲ ଅମଳ କରିବା ପରେ, ଏବେ ଧାନ ବିକ୍ରି କରି ପାରୁନାହାନ୍ତି ଚାଷୀ । ମଣ୍ଡିରେ ଧାନ ପହଞ୍ଚି ପାରୁ ନଥିବା ବେଳେ ସେବା ସମବାୟ ସମିତିର ଟାର୍ଗେଟ ନଥିବାରୁ ଧାନ କିଣା ଯାଇ ପାରୁନାହିଁ । ଏପଟେ ଚାଷୀମାନେ ରବି ଫସଲ କରି ଅମଳ ଧାନ ନିଜ ଘରେ, ବାରଣ୍ଡାରେ ଓ ଖଳାରେ ଗଦା ମାରି ରଖିଛନ୍ତି। ଗୋଟିଏ ପଟେ ଚାଷୀମାନଙ୍କୁ ଅନଲାଇନ ଟୋକନ ମିଳିଥିବା ବେଳେ ଅନ୍ୟପଟେ ସେବା ସମବାୟ ସମିତିର ଟାର୍ଗେଟ ନଥିବାରୁ ଚାଷୀଙ୍କ ଗଚ୍ଛିତ ଧାନ ବିକ୍ରି ହୋଇପାରୁ ନାହିଁ। ଏଭଳି ଅଭିଯୋଗ ବାଲେଶ୍ବର ଜିଲ୍ଲାର ଚାଷୀମାନେ କରିଛନ୍ତି।
ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ଖାନନଗର ପଞ୍ଚାୟତରେ ଅମଳ ଧାନ ବିକ୍ରିରେ ସମାସ୍ୟା ଭୋଗୁଛନ୍ତି ଚାଷୀ । ଖାନନଗରରେ ୬୧ ଜଣ ଚାଷୀ ସେବା ସମବାୟ ସମିତିରେ ନାଁ ପଞ୍ଜିକରଣ କରିଛନ୍ତି । ଏହି ୬୧ ଜଣ ଚାଷୀ ପ୍ରାୟ ୮୦ ଏକର ଜମିରେ ରବି ଫସଲ କରି ପ୍ରାୟ ୨୫୦୦ କ୍ୱିଣ୍ଟାଲ ଧାନ ଅମଳ କରିଛନ୍ତି । ସରକାରୀ ସ୍ତରରେ ୧୯୦୦ କ୍ୱିଣ୍ଟାଲ ଧାନ କିଣିବା ପାଇଁ ଚାଷୀଙ୍କୁ ଟୋକନ ଆସିଥିବା ବେଳେ ଟାର୍ଗେଟ ନଥିବାରୁ ମିଲର ଧାନ ନେଉ ନଥିବା ଅଭିଯୋଗ ହେଉଛି। ବର୍ତ୍ତମାନ ସୁଦ୍ଧା ଚଳିତ ରବି ସିଜିନରେ ମାତ୍ର ୭୮ କ୍ୱିଣ୍ଟାଲ ଧାନ ସରକାରୀ ସ୍ତରରେ କିଣା ଯାଇଛି।

ଧାନ ବିକ୍ରି କରି ନ ପାରି ଖଳାରେ ଗଦା ମାରି ରଖିଥିବା ଚାଷୀ ସୁଶାନ୍ତ ନାୟକ କହିଛନ୍ତି ଯେ, "ମୁଁ ସାତରୁ ଆଠ ଏକର ଜମିରେ ଖରିଫ ଧାନ ଚାଷ କରିଥିଲି। ଏବେ ରବି ଫସଲ ପ୍ରାୟ ପାଞ୍ଚ ଏକର ଜମିରେ କରିଛି। ଆଜି ପର୍ଯ୍ୟନ୍ତ ଧାନ ସବୁ ସେମିତି ରହିଛି, ବିକ୍ରି ହୋଇପାରୁନାହିଁ। ଟାର୍ଗେଟ ବି ଆସି ନଥିଲା, ଯଦି ବି କିଛି ଟାର୍ଗେଟ ଆସିଥିଲା ମିଲରମାନେ ଆସୁନାହାନ୍ତି ଧାନ ନେବାପାଇଁ । ଆମର ଟୋକନ ଯଦି ବା ଆସିଛି ତାର ସମୟ ସୀମା ଆସନ୍ତା ୧୩ ତାରିଖରେ ସରିଯିବ । ତେଣୁ ଆମେ ଧାନ ସବୁ ସୁରକ୍ଷିତ ରଖିବା ପାଇଁ ମଧ୍ୟ ଅସୁବିଧା ଭୋଗ କରୁଛୁ। ଏହି ବର୍ଷା ଆସୁଛି ଏଥର ମୋୖସୁମୀ ବି ଶୀଘ୍ର ଆସୁଛି । ଛାନିଆ ହୋଇ ଧାନ ଢାଙ୍କିବାରେ ଲାଗିଛୁ । ମୂଷା ବି ଧାନ ଖାଇ ଯାଉଛନ୍ତି । ଆମେ ଏତିକି ଅନୁରୋଧ କରୁଛୁ କି ଆମ ଧାନ ଯଦି ସରକାର ଯଥାଶୀଘ୍ର କିଣି ନିଅନ୍ତି, ତେବେ ଆମେ ଖୁସି ହେବୁ । ଖାନନଗରରେ ସମୁଦାୟ ଚାରିଟି ପଏଣ୍ଟରେ ୧୦୦ ଏକର ଜମି ଚାଷ ହୋଇଛି। ସେଥିରୁ ମାତ୍ର ୭୮ କ୍ୱିଣ୍ଟାଲ ଧାନ ମଣ୍ଡିରେ ଦିଆଯାଇଛି। ଆହୁରି ୧୪୦୦ କ୍ୱିଣ୍ଟାଲ ଧାନ ସମସ୍ତଙ୍କ ଘରେ ଗଦା ମରାହୋଇ ରହିଛି। କେହି ବାହାର ବେପାରୀ ଆସୁନାହାନ୍ତି କି ନେଉ ନାହାନ୍ତି।"

ଧାନ ବିକ୍ରି ହୋଇପାରୁନଥିବା ନେଇ ଚାଷୀ ନିରଞ୍ଜନ କୁହନ୍ତି " ମୁଁ ରବି ଫସଲ ପାଞ୍ଚ ଏକର ଜମିରେ କରିଥିଲି । ପ୍ରାୟ ୬୦ କ୍ୱିଣ୍ଟାଲ ଧାନ ଏଥର ଅମଳ ହୋଇଥିଲା । ଧାନ ରଖାଯାଇଛି, ସୋସାଇଟି ଧାନ ନେଉନାହିଁ। ସୋସାଇଟିର ଟାର୍ଗେଟ ନାହିଁ, ଧାନ ସବୁ ମୂଷା ଖାଇ ମାଟି କରି ଦେଲେଣି । କଲିକତାରୁ କେହି ବେପାରୀ ଆସୁ ନାହାନ୍ତି, ସରକାର ତ ମନା କରିଛି କିଏ କାହିଁକି ଆସିବ। କଲିକତା ବେପାରୀ ଆସିଥିଲେ ଦେଇ ଦେଇଥାନ୍ତି, ଯାହା ଦର ଦେଇଥିଲେ ବି ଚଳିଥାନ୍ତା । ଏଠି ଶହ ଶହ ଚାଷୀ ଅଛନ୍ତି, ସମସ୍ତଙ୍କ ଧାନ ନଷ୍ଟ ହେବାକୁ ବସିଲାଣି । "

ହଜାର ହଜାର ଟଙ୍କା ଖର୍ଚ୍ଚ କରି ଅମଳ କରିଥିବା ଧାନ ଯେତେବେଳେ ଆଖି ଆଗରେ ନଷ୍ଟ ହେବାକୁ ବସିଛି ସେତେବେଳେ କୋହ ସମ୍ଭାଳି ପାରୁ ନାହାନ୍ତି ଚାଷୀ । ସେମିତି ଜଣେ ଚାଷୀ ଅନନ୍ତ ଦାସ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ," ସରକାରଙ୍କ ପକ୍ଷରୁ ତ ଅନଲାଇନ ଆସୁନାହିଁ, ଯଦି ବି ଆସିଥିଲା ଟାର୍ଗେଟ ଆସୁନାହିଁ। ଟାର୍ଗେଟ ଆସିଲା ବେଳକୁ ମିଲର ଆସୁନାହାନ୍ତି। ମୁଁ ଦୁଇ ଏକର ଜମି ଚାଷ କରିଥିଲି, ଅମଳ କରିଛି ୭୦ କ୍ୱିଣ୍ଟାଲ ଧାନ। କିନ୍ତୁ ମୋର ଟୋକନ ଆସିଛି ୨୨ କ୍ୱିଣ୍ଟାଲ ଧାନ ବିକିବା ପାଇଁ। ମୁଁ ସେତିକି ବି ଦେଇ ପାରୁନାହିଁ, ଯାହାକି ମୋର ୧୩ ତାରିଖ ଟୋକନ ଅବଧି ସରିଯିବ। ଦୁଇ ଏକର ଜମିରେ ୭୦/୮୦ ହଜାର ଟଙ୍କା ଖର୍ଚ୍ଚ ହୋଇଯାଇଛି। ବାହାରେ ଧାନ ଦେଲେ ଆମେ କେତେ ପଇସା ଆଉ ପାଇବା । ସରକାର ଯଦି ଧାନ ନ ନେବା ନେଇ ଯଦି ଜାଣି ଥାଆନ୍ତୁ ତେବେ ଧାନ ଚାଷ କରି ନଥାନ୍ତୁ। ।"

ସେହିପରି ଅଞ୍ଚଳର ଅନ୍ୟ ଚାଷୀ କମଳାକାନ୍ତ ଦାଶ, ରମାକାନ୍ତ ରାଉତ, ଗୋପୀନାଥ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ରାଉତ, ସର୍ବେଶ୍ୱର ଦାଶ, ପ୍ରକାଶ ଶତପଥୀ ପ୍ରମୁଖ ତୁରନ୍ତ ଧାନ କିଣିବା ପାଇଁ ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି।

ଏହା ମଧ୍ୟ ପଢ଼ନ୍ତୁ- ଠିକା ଶ୍ରମିକ ଏବେ କୋଟିପତି, 49 ଟଙ୍କା ଲଗାଇ ପାଇଲେ 30000000 ଟଙ୍କା
ଇଟିଭି ଭାରତ, ବାଲେଶ୍ବର