କଟକ: ''ଓଡ଼ିଶାର ବିକାଶ ଇତିହାସରେ ଆଜି ଗୋଟିଏ ଫର୍ଦ୍ଦ ଯୋଡ଼ି ହୋଇଯାଇଛି। ରାଜ୍ୟର ୧ କୋଟି ୩ ଲକ୍ଷ ପରିବାର ପାଇଁ ଆୟୁଷ୍ମାନ ଜନ ଆରୋଗ୍ୟ ଯୋଜନା' ଓ 'ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା' ଏବଂ 'ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା' ଲାଗୁ ହୋଇଯାଇଛି। ଏହି ସ୍ବାସ୍ଥ୍ୟ କାର୍ଡ ଓଡ଼ିଶା ସହିତ ରାଜ୍ୟ ବାହାରେ ଥିବା ୨୯ ହଜାର ଡାକ୍ତରଖାନାରେ କାମ କରିବ। ଏହି କାର୍ଡଗୁଡ଼ିକ ଆଗାମୀ ୩ ମାସ ମଧ୍ୟରେ ସମସ୍ତଙ୍କର ପାଖରେ ପହଞ୍ଚିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
'୬ ବର୍ଷ ଆଗରୁ ଏହା ଲାଗୁ ହେବାର ଥିଲା'

କଟକ ବାଲିଯାତ୍ରା ତଳପଡ଼ିଆରେ ଜନସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ''ଓଡ଼ିଶାର ବିକାଶ ଇତିହାସରେ ଆଉ ଏକ ଫର୍ଦ୍ଦ ଯୋଡି ହୋଇଯାଇଛି । ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା ୬ ବର୍ଷ ଆଗରୁ ଲାଗୁ ହେବାର ଥିଲା। କିନ୍ତୁ ତତ୍କାଳୀନ ସରକାର ଏହାକୁ ଲାଗୁ କରିନଥିଲେ। ରାଜ୍ୟରେ ନୂଆ ସରକାର ଆସିବାର ବର୍ଷେ ନପୁରୁଣୁ ପରେ ଏହି ଯୋଜନା ଲାଗୁ ହୋଇପାରିଛି। ଏଥି ସହିତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା ମଧ୍ୟ ଆରମ୍ଭ ହୋଇଯାଇଛି। ଆଜିଠୁ ଓଡ଼ିଶାବାସୀ ନିଃଶୁଳ୍କ ସ୍ବାସ୍ଥ୍ୟ ସେବା ପାଇପାରିବେ । ଓଡ଼ିଶା ବାହାରେ ରହୁଥିବା ଓଡ଼ିଆ ଲୋକମାନେ ମଧ୍ୟ ଏହି ଯୋଜନାରୁ ଲାଭବାନ ହେବେ। ଭାରତ ବର୍ଷରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ମେଡିକାଲରେ ଏହି ସେବା ଉପଲବ୍ଧ । ଏଥି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ । ଡବଲ ଇଞ୍ଜିନ ସରକାରରେ ବିକାଶ ଦ୍ବିଗୁଣିତ ହୋଇଛି । ''

'ଆଗାମୀ ଦିନରେ ଆହୁରି ୫୩୭୪ ଡାକ୍ତରଙ୍କୁ ନିଯୁକ୍ତି ମିଳିବ'
ମୁଖ୍ୟମନ୍ତ୍ରୀ କହିଛନ୍ତି,''ଗତ ୧୦ ମାସ ମଧ୍ୟରେ ୪୦୦୦ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କୁ ନିଯୁକ୍ତି ଦିଆଯାଇଛି। ଆଗାମୀ ଦିନରେ ଆହୁରି ୫୩୭୪ ଡାକ୍ତରଙ୍କୁ ନିଯୁକ୍ତି ମିଳିବ। ସ୍ବାସ୍ଥ୍ୟ ହିଁ ସଂପଦ। ଏହାକୁ ଲକ୍ଷ୍ୟରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଆୟୁଷ୍ମାନ ଭାରତ ଯୋଜନା’ର ଶୁଭାରମ୍ଭ କରିଥିଲେ। ଗରିବ ଲୋକଙ୍କୁ କିଭଳି ଉପଯୁକ୍ତ ଚିକିତ୍ସା ଦିଆଯାଇପାରିବ, ତାହା ହିଁ ଲକ୍ଷ୍ୟ ରଖାଯାଇଥିଲା। ରାଜ୍ୟର ୨୩ ଲକ୍ଷରୁ ଅଧିକ ବରିଷ୍ଠ ନାଗରିକ ଦେୟମୁକ୍ତ ଚିକିତ୍ସା ପାଇପାରିବେ। ଏହି କାର୍ଡ ପରିବାରର ଜଣେ ବ୍ୟକ୍ତିଙ୍କୁ ଦିଆଯାଉନାହିଁ। ବରଂ ପରିବାରର ସମସ୍ତ ସଦସ୍ୟଙ୍କୁ ଏହି କାର୍ଡ ଦିଆଯାଉଛି। ରାଜ୍ୟରେ ଆଗାମୀ ଦିନରେ ଭଦ୍ରକ, ଜଗତସିଂହପୁର, ନବରଂଗପୁର ଓ ଢେଙ୍କାନାଳ ଜିଲ୍ଲାରେ ମେଡିକାଲ କଲେଜ ହେବ। ସେହିପରି ଅନ୍ୟ ୪ଟି ଜିଲ୍ଲରେ ଡେଣ୍ଟାଲ କଲେଜ ପ୍ରତିଷ୍ଠା କରାଯିବ। ସରକାର ସ୍ବାସ୍ଥ୍ୟ ସେବାକୁ ଗୁରୁତ୍ବପୂର୍ଣ୍ଣ ମନେ କରୁଛନ୍ତି। ଏଥି ପାଇଁ ଏକ ସୁସ୍ଥ ବଜେଟ୍ ବ୍ୟବସ୍ଥା କରିଛନ୍ତି। ''

11ରୁ ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା: କେମିତି ପାଇବେ ସ୍ବାସ୍ଥ୍ୟକାର୍ଡ ? ଜାଣନ୍ତୁ
ଆୟୁଷ୍ମାନ ଭାରତ ପାଇଁ ନୂଆ ଆଇଟି ପ୍ଲାଟଫର୍ମ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହସ୍ପିଟାଲ ପାଇଁ ଜାରି ହେଲା SoP
'ମୋଦି ଗ୍ୟାରେଣ୍ଟର ଆଉ ଏକ ଅଧ୍ୟାୟ ପୂର୍ଣ୍ଣ'
ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି, ''ଆଜି ଓଡ଼ିଶା ପାଇଁ ଏକ ଐତିହାସିକ ଦିନ । ସରକାର ଆସିବାର 10 ମାସ ପରେ ମୋଦି ଗ୍ୟାରେଣ୍ଟର ଆଉ ଏକ ଅଧ୍ୟାୟକୁ ପୂର୍ଣ୍ଣ କରିଥିବାରୁ । ଦେଶର 29 ହଜାର ହସ୍ପିଟାଲରେ ଚିକିତ୍ସା ସୁବିଧା ପହଞ୍ଚାଇଥିବାରୁ ପ୍ରଧାନମନ୍ତ୍ରୀ, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ଓଡ଼ିଶା ଲୋକଙ୍କ ସ୍ବାସ୍ଥ୍ୟର ଦାୟିତ୍ବ ରାଜ୍ୟ ଓ କେନ୍ଦ୍ର ସରକାରର । ବିଏସକେଓ୍ବାରେ ଇନ୍ସୁରାନ୍ସ କମ୍ପାନୀ ଥିଲା, ଆସୁରାନ୍ସ ନଥିଲା, ଆୟୁଷ୍ମାନରେ ଆସୁରାନ୍ସ ଅଛି ନିଶ୍ଚିନ୍ତ ଭାବେ ସେବା ମିଳିବ । ଏଥିରେ ଇନ୍ସୁରାନ୍ସ କମ୍ପାମୀର ମନମାନୀ ଶେଷ ହୋଇଛି । ''

ଜଣେ ହିତାଧିକାରୀ କହିଛନ୍ତି, ''ଆମକୁ ଏହି କାର୍ଡ ସ୍ବାସ୍ଥ୍ଯ କ୍ଷେତ୍ରରେ ବହୁ ସହଯୋଗ କରିବ । ଆୟୁଷ୍ମାନ କାର୍ଡ ଇଣ୍ଡିଭିଜୁଆଲି ମିଳୁଛି । ଯାହା ଆମକୁ ବହୁତ ସହାୟକ ହେବ । ରାଜ୍ୟର ବାହାର ହସ୍ପିଟାଲେ ମଧ୍ୟ ମାଗଣାରେ ଆମକୁ ଚିକିତ୍ସା ମିଳିବ । ''
କଟକରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, କଟକ ସାଂସଦ ଭତ୍ତୃହରି ମହତାବ, କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
ଇଟିଭି ଭାରତ, କଟକ