କଟକ: ବନ୍ଧାହେଲେ କୁବେର ଯନ୍ତ୍ରୀ । ନିଜ ଘରୁ ବିଡା ବିଡା ଟଙ୍କା ଜବତ ହେବା ପରେ ଅନୁଗୋଳ ଆଠମଲ୍ଲିକ ବ୍ଲକ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥିଙ୍କୁ ଗିରଫ କରିଛି ରାଜ୍ୟ ଭିଜିଲାନ୍ସ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଗିରଫ କରିଥିବା ବିଭାଗ ପକ୍ଷରୁ କୁହାଯାଇଛି । ଗତକାଲି ତାଙ୍କର 8ଟି ଠିକଣାରେ ରେଡ କରିଥିଲା ଭିଜିଲାନ୍ସ । ଚଢାଉ ବେଳେ ପୁଳା ପୁଳା ସୁନା ଓ ଟଙ୍କା ଜବତ ହୋଇଥିଲା ।
କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟ ଆରମ୍ଭ ରାମଚନ୍ଦ୍ର:
୧୯୮୯ ମସିହାରୁ ମାଲକାନଗିରିରେ କନିଷ୍ଠ ଯନ୍ତ୍ରୀ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ ରାମଚନ୍ଦ୍ର । ଚାକିରିରେ ଥିବା ସମୟରେ ନିଜର ଆୟର ୨୨୬% ଅଧିକ ସମ୍ପତ୍ତିର ମାଲିକ ହୋଇଯାଇଥିଲେ । ଏନେଇ ଭିଜିଲାନ୍ସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଟିମ ପକ୍ଷରୁ ଚଢ଼ାଉ ସମୟରେ ଗୋଟିଏ ଦୁଇ ମହଲା କୋଠା, ୨୨ ପ୍ଲଟ ,୩୫୦ ଗ୍ରାମ ସୁନା ,ଜ୍ୱାଇଁଙ୍କ ଘରୁ ନଗଦ ୨୩.୯୫ ଲକ୍ଷ ଟଙ୍କା ଓ ବ୍ୟାଙ୍କ ଡିପୋଜିଟ ୧.୪୦ କୋଟି ଜବତ କରିଛି ଭିଜିଲାନ୍ସ ।
ଏହା ମଧ୍ୟ ପଢନ୍ତୁ: ଭିଜିଲାନ୍ସ ଜାଲରେ ଆଠମଲ୍ଲିକ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀ STAର ଯୁଗ୍ମ କମିଶନର ପ୍ରଦୀପ ମହାନ୍ତି ଗିରଫ, ଘରୁ ମିଳିଛି ପୁଳା ପୁଳା ଟଙ୍କା-ସୁନା |
8ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ:
ଏନେଇ କଟକ ଭିଜିଲାନ୍ସ ଏସପି ସୁଧାଂଶୁ ଶେଖର ମିଶ୍ର କହିଛନ୍ତି, ‘ଗତକାଲି ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟର ଅନୁମତି କ୍ରମେ ଅନୁଗୋଳ, କଟକ ଓ ଢେଙ୍କାନାଳରେ ଥିବା ୮ଟି ଠିକଣାରେ ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ । ଏହି ଟିମରେ ୭ ଡିଏସପି ୧୫ ଇନିସପେକ୍ଟର ସାମିଲ ଥିଲେ । ଯାଞ୍ଚ ସମୟରେ ରାମଚନ୍ଦ୍ର ଶତପଥିଙ୍କ ଜ୍ବାଇଁ ଡା ତପନ କୁମାର ତ୍ରିପାଠୀଙ୍କ ଘରୁ ନଗଦ ୨୩.୯୫ ଟଙ୍କା ଜବତ କରିଛି ଭିଜିଲାନ୍ସ । ଜୁନାଗଡ଼ରେ ମେଡିକାଲ ଅଫିସର ଭାବରେ କାର୍ଯ୍ୟରତ ରହିଛନ୍ତି ଜ୍ୱାଇଁ । ବର୍ତ୍ତମାନ ଏହି ମାମଲାରେ ତଦନ୍ତ ଜାରି ରହିଥିବା ହେତୁ ଜ୍ୱାଇଁଙ୍କୁ ମଧ୍ୟ ଅଧିକ ପଚରାଉଚରା କରାଯିବ । ଆବଶ୍ୟକ ପଡ଼ିଲେ ରାମଚନ୍ଦ୍ର ଶତପଥିଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବ ।’
ଇଟିଭି ଭାରତ, କଟକ