ଭକ୍ତଙ୍କ ଭାବାବେଗ ସହ ଖେଳ, ଖତ ଖାଉଛି ୧୦ ହଜାର କୁଇଣ୍ଟାଲ ଅର୍ପଣ ଚାଉଳ ! ପୂର୍ବ ସରକାରଙ୍କୁ ଏଭଳି କହିଲେ ଆଇନ୍ ମନ୍ତ୍ରୀ - Arpana Rice damage
Servitors Express Concern over Arpana Rice: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମୟରେ ପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଘରୁ ଘରୁ ଅଣାଯାଇଥିବା ଚାଉଳ ଏବେ କୌଣସି କାମରେ ନଆସି ମାଟିରେ ମିଶିବାକୁ ବସିଲାଣି । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଶ୍ରୀମନ୍ଦିର ସେବାୟତ । ସେପଟେ ଅର୍ପଣ ଚାଉଳ ନେଇ ପୂର୍ବ ସରକାରଙ୍କୁ ଏଭଳି କହିଲେ ଆଇନ ମନ୍ତ୍ରୀ । ଅଧିକ ପଢନ୍ତୁ

Published : August 3, 2024 at 3:15 PM IST
|Updated : August 3, 2024 at 4:55 PM IST
ପୁରୀ/ଭୁବନେଶ୍ବର: କୋଟି କୋଟି ଭକ୍ତଙ୍କ ଭାବାବେଗ ସହ ଖେଳ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମୟରେ ପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଘରୁ ଘରୁ ଅଣାଯାଇଥିବା ଚାଉଳ ଏବେ କୌଣସି କାମରେ ନଆସି ମାଟିରେ ମିଶିବାକୁ ବସିଲାଣି । ୧୪ ହଜାର କୁଇଣ୍ଟାଲ ଚାଉଳରୁ ମାତ୍ର ୪ ହଜାର କୁଇଣ୍ଟାଲ ଚାଉଳରେ ମହାପ୍ରସାଦ ପ୍ରସ୍ତୁତ ହୋଇଛି । ଆହୁରୀ ଖତ ଖାଉଛି ୧୦ହଜାର କୁଇଣ୍ଟାଲ ଚାଉଳ । ଏହି ଚାଉଳ ଏବେ ଗରିବଙ୍କ ମଧ୍ୟରେ ବାଣ୍ଟିବା ନେଇ ଶ୍ରୀମନ୍ଦିର ପ୍ରଶାସନ ଚିନ୍ତା କରୁଛି । ଅନ୍ୟପଟେ ଆନନ୍ଦ ବଜାରରେ ଶୃଙ୍ଖଳା ଆଣିବା ପାଇଁ ମଧ୍ୟ ପଦକ୍ଷେପ ନିଆଯିବ ବୋଲି ସୁଆର ମହାସୁଆର ନିଯୋଗକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରତିଶ୍ରୁତି ଦେଇଥିବା ନିଯୋଗ ପକ୍ଷରୁ କୁହାଯାଇଛି । ସେପଟେ ଖୁବଶୀଘ୍ର ଏହାକୁ ନେଇ ପରିଚାଳନା କମିଟି ବସିବ ଯାହା ନିଷ୍ପତ୍ତି ହେବ ସରକାର ତାକୁ ମାନିବେ ସରକାର ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।
ଗରିବଙ୍କ ମଧ୍ୟରେ ବଣ୍ଟାଯିବ ଅପର୍ଣ ଚାଉଳ:
ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଲୋକାର୍ପଣ ଉତ୍ସବ ପାଇଁ ସାରା ରାଜ୍ୟରୁ ଘରୁ ଘରୁ ସଂଗ୍ରହ ହୋଇଥିଲା ଅପର୍ଣ ଚାଉଳ । ସମସ୍ତେ ଅତି ଭକ୍ତିଭାବ ସହ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଚାଉଳ, ଗୁଆ, ନଡିଆ ଦେଇଥିଲେ । ହେଲେ ସେହି ସଂଗୃହିତ ହୋଇଥିବା ଅର୍ପଣ ଚାଉଳବ୍ୟବହାର ନ ହୋଇ ମାଟିରେ ମିଶିବାକୁ ବସିଲାଣି । ଏହି ଚାଉଳ ମହାପ୍ରସାଦ ପ୍ରସ୍ତୁତିରେ ଆଉ ବ୍ୟବହାର ହୋଇପାରିବ ନାହିଁ । ଦୀର୍ଘ ଦିନ ହେବ ଏହା ପଡ଼ି ରହିଥିବାରୁ ଏହା ନଷ୍ଟ ହେବାକୁ ବସିଛି । ତେବେ ଏହି ଚାଉଳକୁ ଗରିବ ଲୋକଙ୍କ ମଧ୍ୟରେ ବାଣ୍ଟି ଦେବାପାଇଁ ଶ୍ରୀମନ୍ଦିର ପ୍ରଶାସନ ଚିନ୍ତା କରୁଛି । ଶୁକ୍ରବାର ଦିନ ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏବଂ ସୁଆର ମହାସୁଆର ନିଯୋଗ ମଧ୍ୟରେ ବୈଠକ କରାଯାଇ ଆଲୋଚନା ହୋଇଥିବା ବେଳେ ଖୁବଶୀଘ୍ର ଏନେଇ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି ।
ଏହାମଧ୍ୟ ପଢନ୍ତୁ... ସରକାର କା ମାଲ୍... ! ଶ୍ରୀମନ୍ଦିର ପ୍ରଶାସନର ଅପାରଗତା ପାଇଁ ଖତ ଖାଉଛି 35ବ୍ୟାଟେରୀ ବସ୍, କେବେ ଆସିବ ଭକ୍ତଙ୍କ କାମରେ ? - Bus destroyed samang parking Puri
୧୪ ହଜାର କୁଇଣ୍ଟାଲ ଚାଉଳରୁ ବ୍ୟବହାର ହୋଇଛି ମାତ୍ର ୪ହଜାର କୁଇଣ୍ଟାଲ ଚାଉଳ:
ସୁଆର ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆରଙ୍କ କହିବାନୁଯାୟୀ, "୧୪ ହଜାର କୁଇଣ୍ଟାଲ୍ ଅର୍ପଣ ଚାଉଳ ସଂଗ୍ରହ କରାଯାଇଥିଲା । ସେଥିମଧ୍ୟରୁ ଚାରି ହଜାର କୁଇଣ୍ଟାଲ୍ ଚାଉଳ ମହାପ୍ରଭୁଙ୍କ ମହାପ୍ରସାଦ ପ୍ରସ୍ତୁତିରେ ବ୍ୟବହାର ହୋଇଥିଲା । ଅର୍ପଣ ଚାଉଳରୁ ପ୍ରସ୍ତୁତ ହୋଇଥିବା ମହାପ୍ରସାଦକୁ ମଧ୍ୟ ଭକ୍ତଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା । ତେବେ ୧୦ ହଜାର କୁଇଣ୍ଟାଲ୍ ଚାଉଳ ଏବେବି ଗଛିତ ରହିଛି । ଏହି ଚାଉଳ ଏବେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇନଥିବାରୁ ଏହାକୁ ଫିଙ୍ଗା ନଯାଇ ଗରିବ ଲୋକଙ୍କ ମଧ୍ୟରେ ବଣ୍ଟନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଚିନ୍ତା କରୁଛି । ଆଗାମୀ ଦିନରେ ଏନେଇ ଆଉ ଏକ ବୈଠକ ବସି ଚୂଡାନ୍ତ ନିଷ୍ପତ୍ତି ନିଆଯିବ ।" ସେପଟେ ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ଆନନ୍ଦ ବଜାରରେ ବଢୁଛି ବିଶୃଙ୍ଖଳା:
ଆନନ୍ଦ ବଜାରରେ ଦିନକୁ ଦିନ ବିଶୃଙ୍ଖଳା ଚରମ ସୀମାରେ ପହଞ୍ଚିଥିବା ବେଳେ ଏଥିରେ କିଭଳି ଶୃଙ୍ଖଳା ଆସିବ ସେନେଇ ମଧ୍ୟ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସୁଆର ମହାସୁଆର ନିଯୋଗ ସହ ମୁଖ୍ୟ ପ୍ରଶାସକ ଆଲୋଚନା କରିଛନ୍ତି । ସୁପକାର ନିଯୋଗଙ୍କ କହିବା ଅନୁଯାୟୀ," ଆନନ୍ଦ ବଜାରରେ ଅଣ ସୁପକାର ସେବାୟତ ବ୍ୟବସାୟ କରୁଥିବା ବ୍ୟକ୍ତିମାନଙ୍କୁ ଉଚ୍ଛେଦ କରାଯାଉ । ଅଧିକୃତ ସୁପକାର ସେବକଙ୍କୁ ଆନନ୍ଦ ବଜାରରେ ବ୍ୟବସାୟ କରିବା ପାଇଁ ଅନୁମତି ଦିଆଯିବା ସହ ପରିଚୟ ପତ୍ର ଦିଆଯିବାକୁ ନେଇ ନିଯୋଗ ପକ୍ଷରୁ ମୁଖ୍ୟ ପ୍ରଶାସକଙ୍କୁ ଅବଗତ କରାଯାଇଛି । ଭକ୍ତଙ୍କ ସୁବିଧା ଓ ଆର୍ଥିକ ଶୋଷଣରୁ ରକ୍ଷା ପାଇବା ପାଇଁ ମହାପ୍ରସାଦର ଦର ତାଲିକା ଲଗାଯିବା ନେଇ ମଧ୍ୟ ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଅବଗତ କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ଆନନ୍ଦ ବଜାରରେ ଶୃଙ୍ଖଳା ଆଣିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ସୁଆର ମହାସୁଆର ନିଯୋଗ ସମ୍ପୂର୍ଣ୍ଣ ସହଯୋଗ କରିବ ।"
ଏନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି, " ଆନନ୍ଦ ବଜାରରେ ଶୃଙ୍ଖଳା ଆଣିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ବେଶ୍ ଗୁରୁତ୍ବ ଦେଉଛି । ସୁଆର ମହାସୁଆର ନିଯୋଗ ସହ ଏନେଇ ଆଲୋଚନା ପରେ ସମସ୍ତ ପଦକ୍ଷେପ ନିଆଯିବ।"
'ଶୁଣିବାକୁ ନାରାଜ ଥିଲେ ପୂର୍ବ ସରକାର'
ସେପଟେ ଏନେଇ ପ୍ରତିକ୍ରିୟା ରଖି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଛନ୍ତି, "ଅର୍ପଣ ଚାଉଳ ଭଗବାନ ପାଖରେ ଅର୍ପଣ ହେବାର ଯୋଗ୍ୟ ନୁହେଁ । ପୂର୍ବରୁ ଆମେ କହିଛୁ ଭଗବାନଙ୍କ ପାଖରେ ଅର୍ପଣ ହେବା ଯୋଗ୍ୟ ନୁହେଁ, ହେଲେ ପୂର୍ବ ସରକାର ଏହା ଶୁଣିବାକୁ ନାରାଜ ଥିଲେ । ଶୁଣିବାକୁ ପ୍ରସ୍ତୁତ ନଥିଲେ ଏବଂ ନିଜ ଜିଦରେ ଅଟଳ ଥିଲେ । ଖେଚୁଡ଼ି ଭୋଗ କରି ଠାକୁରଙ୍କ ପାଖେ ଭୋଗ କରିବା ପ୍ରକ୍ରିୟାକୁ ଯାଇଥିଲେ । ଚାଉଳକୁ ଅର୍ପଣ ଯୋଗ୍ୟ ନୁହେଁ ବୋଲି ସେବାୟତମାନେ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ଆମ କଥାକୁ ସେବାୟତ ସମାଜ ସମର୍ଥନ କରିଥିଲେ । ମନ୍ଦିର ଭିତରେ ଏହାକୁ ବ୍ୟବହାର କରାଯାଇପାରିବ ନାହିଁ ବୋଲି ସେବାୟତମାନେ କହିଥିଲେ ।"
ଅର୍ପଣ ଚାଉଳର ସଦୁପଯୋଗ ପାଇଁ ନିଆଯିବ ପଦକ୍ଷେପ:
ମନ୍ତ୍ରୀ ପୃଥୀରାଜ ଆହୁରି ମଧ୍ୟ କହିଛନ୍ତି, "ଖୁବଶୀଘ୍ର ଏହାକୁ ନେଇ ପରିଚାଳନା କମିଟି ବସିବ । କମିଟି ବସିବା ପରେ ଯାହା ପରାମର୍ଶ ଦେବେ ସରକାର ତାଙ୍କୁ ଗ୍ରହଣ କରିବେ । ଏଫସିଆଇ ଗୋଦାମରେ ହଜାର ହଜାର କୁଇଣ୍ଟାଲ ଚାଉଳ ଗଦା ହୋଇଛି । ଏହା ବାବଦରେ ସ୍ପଷ୍ଟ ନିଷ୍ପତ୍ତି ହେବା ଦରକାର ଅଛି । ସେ ଚାଉଳ ଖରାପ ହେବା ଆରମ୍ଭ ହେଲାଣି । ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ସେ ଚାଉଳର ସଦୁପଯୋଗ କେମତି ହେବ, ସେନେଇ ପରିଚାଳନା କମିଟି ନିଷ୍ପତି ନେଇସାରିବା ପରେ ସରକାର ପଦକ୍ଷେପ ନେବେ ।"
ଇଟିଭି ଭାରତ, ପୁରୀ

