Anweshan organisation's free education slum children ପୁରୀ: ରୋଜଗାର ନାଁରେ ବହି ବସ୍ତାନୀ ବଦଳରେ କାନ୍ଧରେ ପଡୁଥିଲା ଜରି ଅଖା । ସୂର୍ଯ୍ୟ ଉଇଁଲେ କାନ୍ଧରେ ଜରିଅଖା ଧରି ବାହାରି ପଡୁଥିଲେ ରୋଜଗାର କରିବା ପାଇଁ । ଯେଉଁଥିପାଇଁ ବସ୍ତିର ପ୍ରାୟ ସବୁ ପିଲା ରୋଜଗାର ନାଁରେ ପାଠରେ ଡୋରି ବାନ୍ଧିଥିଲେ । ଏବେ କିନ୍ତୁ ଆଉ ସେ ଜରିଅଖା ଦେଖିବାକୁ ମିଳୁନାହିଁ । ଏବେ ହାତରେ ବହି ବସ୍ତାନୀ । ଏସବୁ କେବଳ ସମ୍ଭବ ହୋଇପାରିଛି ଅନ୍ବେଷଣ ଅନୁଷ୍ଠାନ ପାଇଁ । ‘‘ଆମେ ପ୍ରଥମେ ମାତ୍ର 4 ଜଣ ପିଲାଙ୍କୁ ନେଇ ଆମ ଚାଟଶାଳୀ ଆରମ୍ଭ କରିଥିଲୁ। ଏବେ ଆମ ସହ 70 ରୁ ଅଧିକ ପିଲା ଯୋଡ଼ି ହୋଇ ରହିଛନ୍ତି। ସେଥି ମଧ୍ୟ ରୁ 27 ଜଣ ପିଲା ଡ୍ରପଆଉଟ୍ ଥିଲେ। ତାଙ୍କୁ ଆମେ ପୁଣି ସ୍କୁଲକୁ ପଠାଇଛୁ। ସେମାନେ ସ୍କୁଲ ଗଲେଣି ଓ ମୁଖ୍ୟ ସ୍ରୋତରେ ସାମିଲ ହେଲେଣି’’ ବୋଲି କୁହନ୍ତି ଅନୁଷ୍ଠାନର ଜଣେ କର୍ମକର୍ତ୍ତା।
ବସ୍ତି ଅଞ୍ଚଳରେ ରହୁଥିବା କୋମଳମତି ଶିଶୁ କାନ୍ଧରେ ରହିଛି ପରିବାରର ବୋଝ। କିଏ ଜଙ୍ଗଲକୁ କାଠ ଗୋଟାଇବାକୁ ଯାଉଛି ତ କିଏ ହୋଟେଲରେ ରହି ବିଭିନ୍ନ କାର୍ଯ୍ୟ କରୁଛନ୍ତି। କେତେକ ଶିଶୁ ଭିକ୍ଷା ବୃତ୍ତି କରୁଥିଵା ବେଳେ କିଏ ରାସ୍ତା ପାର୍ଶ୍ବରେ ଜରି ଓ ବୋତଲ ଗୋଟାଉଛି। ପୁରୀ ସହରରେ ଥିବା ବିଭିନ୍ନ ବସ୍ତିରେ ଏହା ସଧାରଣ କଥା । କୋମଳମତି ଶିଶୁଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ସହ ଶିକ୍ଷାଦାନ ପାଇଁ କାର୍ଯ୍ୟ କରୁଛନ୍ତି କିଛି ଯୁବକ। ପ୍ରଥମେ ବସ୍ତି ରେ ଖୋଲିଥିଲେ ମୁକ୍ତାକାଶ ପାଠାଗାର। ତେବେ ଅଧିକାଂଶ ପିଲା ଅକ୍ଷର ଶିଖି ନ ଥିବାରୁ ତାଙ୍କୁ ଶିକ୍ଷାଦାନ ସହ ସ୍କୁଲ ପଠେଇବା ଉଦ୍ଦେଶ୍ୟ ନେଇ କିଛି ଯୁବକ କରିଛନ୍ତି 'ଆମ ଚାଟଶାଳୀ' ।

ପ୍ରତିଦିନ ଦୁଇ ଓଳି ପାଠ ପଢ଼ାଯାଉଛି। ଏହାର ପ୍ରଭାବରେ ବିଦ୍ୟାଳୟ ଛାଡିଥିବା କିଛି ପିଲା ଏବେ ସରକାରୀ ବିଦ୍ୟାଳୟରେ ପୁଣି ନାମ ଲେଖିଲେଣି। ପୁରୀର କିଛି ଯୁବକ ମିଶି ଗଢ଼ିଚନ୍ତି 'ଅନ୍ୱେଷଣ' ନାମକ ଏକ ଅନୁଷ୍ଠାନ। ଏହାର ଉଦ୍ଦେଶ୍ୟ ଆର୍ଥିକ ଅନଗ୍ରସର ଶିଶୁଙ୍କ ପାଠ ପଢ଼ାର ଯତ୍ନ ସହ ସମାଜର ମୂଖ୍ୟ ସ୍ରୋତରେ ସାମିଲ କରାଇ ଭଲ ମଣିଷ ଭାବେ ପିଲାଙ୍କୁ ଗଢ଼ିବା। ପୁରୀ ସହରର ପେଣ୍ଠକଟା ନିକଟରେ ଥିବା ଧୋବା ଖାଲ ବସ୍ତିରେ ଶହ ଶହ ପିଲା ଅଛନ୍ତି। ଅଭିଭାବକ ମାନେ କୁଲି ମଜୁରୀ ଲାଗି ପରିବାର ଚଳାଉଥିବାରୁ ପିଲାଙ୍କ ଶିକ୍ଷାକୁ ଗୁରୁତ୍ଵ ଦିଅନ୍ତି ନାହିଁ। ଏମିତି ଅନେକ ପିଲା ଅଛନ୍ତି ବୟସ 10 ବର୍ଷ ହୋଇଥିଲେ ମଧ୍ୟ ଅ’ ଆ’ ଲେଖି ଜାଣିନାହାନ୍ତି। ତେବେ ଶିକ୍ଷା ପ୍ରତି ପିଲାଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଥମେ ବସ୍ତିର ପିଲାଙ୍କୁ ମଜାଦାର ପାଠ୍ୟ ପୁସ୍ତକ ଯୋଗାଇଲେ।

- ଆମ ଚାଟଶାଳୀରେ ପଢୁଛନ୍ତି 70ରୁ ଅଧିକ ପିଲା Aama Chatashali
ଏହା ପରେ ଆରମ୍ଭ ହୋଇଥିଲା 'ଆମ ଚାଟଶାଳୀ '। ଏହା ନିୟମିତ ଚାଲିଛି। 2021 ମସିହା ରୁ ପ୍ରଥମେ ମାତ୍ର 4 ଟି ପିଲାଙ୍କୁ ନେଇ ଧୋବା ଖାଲ ବସ୍ତିରେ ଆରମ୍ଭ ହେଲା ଅନ୍ୱେଷଣ ଅନୁଷ୍ଠାନ ପକ୍ଷରୁ ' ଆମ ଚାଟଶାଳୀ '। ଏବେ ଚାଟଶାଳୀ 70 ରୁ ଅଧିକ ବସ୍ତି ପିଲା ପାଠ ପଡ଼ୁଚନ୍ତି। ସକାଳେ ଦେଢ଼ ଘଣ୍ଟା ଓ ଅପରାହ୍ନରେ ଦୁଇ ଘଣ୍ଟା ପଢ଼ାଯାଉଛି। କେବଳ ସେତିକି ନୁହେଁ ପିଲାଙ୍କ ଲୁକ୍କାୟିତ ପ୍ରତିଭାର ବିକାଶ ପାଇଁ ପାଠ ସହ ଖେଳ କୁଦ, ନୃତ୍ୟ, ସଙ୍ଗୀତ ଓ ଚିତ୍ରାଙ୍କନ ଶିକ୍ଷା ଓ ପ୍ରତିଯୋଗିତା ହେଉଛି। ଗତ 4 ବର୍ଷ ହେବ ବସ୍ତିରେ ଚାଲିଛି ଏଭଳି ମହତ କାର୍ଯକ୍ରମ। ଏଭଳି ମହତ କାର୍ଯ୍ୟ ଦେଖି ଧିରେ ଧିରେ ଅନ୍ୟ ଅନୁଷ୍ଠାନ ଓ ବଦାନ୍ୟ ବ୍ୟକ୍ତି ମଧ୍ୟ ସାହାଯ୍ୟ ସହଯୋଗ କଲେଣି। ଶିକ୍ଷା ଅଧିକାରରୁ କେହି ଯେମିତି ବଞ୍ଚିତ ନ ରୁହନ୍ତୁ, ବସ୍ତି ପିଲାମାନଙ୍କ ଚାଲିଚଳନରେ ପରିମାର୍ଜିତ ହୁଅନ୍ତୁ ତାହା ଅନ୍ୱେଷଣ ଅନୁଷ୍ଠାନ ର ଲକ୍ଷ୍ୟ। ଏବେ ଏହି ପିଲାମାନେ ନିଜ ଆଡୁ ବିଦ୍ୟାଳୟକୁ ଯାଉଛନ୍ତି। ଏପରିକି ଦିନ ଟିଏ ବି ଏବେ କେହି ବିଦ୍ୟାଳୟ ଯିବା ବନ୍ଦ କରୁନାହାନ୍ତି। ସ୍ମାର୍ଟ ଶିକ୍ଷା ଦାନ ସହିତ ବସ୍ତି ପିଲାଙ୍କୁ ଯୋଡ଼ିବା ପ୍ରୟାସ ଚାଲିଥିବା ଅନ୍ୱେଷଣ ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।

ଆମ ଚାଟଶାଳୀରେ ପଢୁଥିବା ଜଣେ ଛାତ୍ରୀ ସ୍ମୃତି ବେହେରା କହିଛନ୍ତି, ‘‘ଚାଟଶାଳୀରେ ପ୍ରଥମ ରୁ ଦଶମ ଶ୍ରେଣୀ ଯାଏ ପାଠ ପଢ଼ାଯାଉଛି। ପାଠ ପଢା ସହିତ ନାଚ, ଗୀତ, ଚିତ୍ର ଆଙ୍କିବା ଆଦି ଶିଖା ଯାଉଛି। ଏଠାରେ ପାଠ ପଢିବା ପାଇଁ ବହୁତ ଭଲ ଲାଗୁଛି। ପ୍ରତ୍ୟେକ ବିଷୟ ପାଇଁ ଶିକ୍ଷାଦାନ କରାଯାଉଛି। ମୋର ଲକ୍ଷ୍ୟ ଅଛି ମୁଁ ଭଲ ପାଠ ପଢି ପୋଲିସ୍ ହେବି। ହେଲେ ଆମ ପାଠ ପଢା ପାଇଁ ଘର ଛୋଟ ଥିବାରୁ ବସିବା ରେ ଅସୁବିଧା ହେଉଛି। ଯଦି ଆଉ ଗୋଟିଏ ବଡ ଘର ହୋଇ ପାରନ୍ତା ଆହୁରି ଅଧିକ ପିଲା ମୋ ଭଳି ପାଠ ପଢ଼ିବା ପାଇଁ ଆସିବେ’’।

- 4 ଜଣ ପିଲାଙ୍କୁ ନେଇ ଆରମ୍ଭ ହୋଇଥିଲା ଆମ ଚାଟଶାଳୀ
ନିରଞ୍ଜନ ପ୍ରଧାନ, ସୁମିତା ପାଥିଆ, ସୁମିତ୍ରା ଦାସ, ସିପାଲି ବାରିକ, ବାମଦେବ ମହାରଣା, ତାରାକାନ୍ତ ତରେଇ, ପ୍ରିୟଙ୍କା ପ୍ରିୟ ଦର୍ଶିନୀ, ଅଭିଷେକ ବେହେରାଙ୍କ ସମେତ କିଛି ସଦସ୍ୟଙ୍କ ଉଦ୍ୟମ ଯୋଗୁଁ କିଛି ପିଲାଙ୍କ କାନ୍ଧରୁ ଜରିବସ୍ତା ହଟି ପିଲା ମାନେ ପାଠ ପଢ଼ୁଛନ୍ତି। ପୁରୀ ସହରର ଅବକାଶ ଲେନର ବାସିନ୍ଦା ଦୁଇ ଜଣ ସାମାଜସେବୀ ନିରଞ୍ଜନ ପ୍ରଧାନ ଓ ସନ୍ତୋଷ କୁମାର ରାଉତ ପ୍ରଥମେ ଗତ 2021 ମସିହାରୁ ଆମ ଚାଟଶାଳୀ ପେଣ୍ଠକଟାରେ ଥିବା ବସ୍ତି ଅଞ୍ଚଳରେ ଆରମ୍ଭ କରିଥିଲେ। ଲକ୍ଷ୍ୟ ଥିଲା ସ୍କୁଲ ଯାଉ ନଥିବ ପିଲାଙ୍କୁ 'ଆମ ଚାଟଶାଳୀ' ରେ ଶିକ୍ଷାଦାନ କରାଯାଇ ସ୍କୁଲ କୁ ପୁଣି ପଠାଇବା। ଏବେ ଏହା ଧିରେଧିରେ ସଫଳ ହେଉଛି। ଏହା ସଫଳ ହେଉଥିବାରୁ ଆଗାମୀ ଦିନରେ ଅଧିକ ବସ୍ତି ପିଲା ଙ୍କୁ ଶିକ୍ଷାଦାନ କରିବା ପାଇଁ ଲକ୍ଷ୍ୟ ରଖିଛି ଅନ୍ୱେଷଣ ଅନୁଷ୍ଠାନ। ଚାଟଶାଳୀରେ ଆସୁଥିବା ପ୍ରଥମରୁ ଦଶମ ଶ୍ରେଣୀ ପିଲାଙ୍କୁ କିଛି ସ୍ବେଛାସେବୀ ଯୁବକ ଓ ଯୁବତୀ ବିନା ପାରିଶ୍ରମିକ ରେ ପାଠ ପଢାଉଛନ୍ତି। କିଛି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ ଓ ଅନ୍ୱେଷଣ ଅନୁଷ୍ଠାନ ର କର୍ମକର୍ତ୍ତାଙ୍କ ଆର୍ଥିକ ସହଯୋଗରେ ଚାଲିଛି ‘ଆମ ଚାଟଶାଳୀ’।

ଅନ୍ୱେଷଣ ଅନୁଷ୍ଠାନର ସଭାପତି ଅଛନ୍ତି ନିରଞ୍ଜନ ପ୍ରଧାନ (୪୫)। ସେ ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ଥିବା ସାମସ୍ ରେ ଡିଓ ଚାକିରି କରିଛନ୍ତି। ଏମସିଏ ଶିକ୍ଷା ପରେ ସେ ଚାକିରି ସହ ବସ୍ତି ପିଲାଙ୍କୁ ମାଗଣା ଶିକ୍ଷାଦାନ ଓ ସମାଜର ମୂଖ୍ୟସ୍ରୋତରେ ବସ୍ତି ପିଲାଙ୍କୁ ସାମିଲ କରିବା ନିରଞ୍ଜନଙ୍କ ମୁଖ୍ୟ ଉଦ୍ଦେଶ୍ୟ। ସେହିପରି ଅନ୍ୱେଷଣ ଅନୁଷ୍ଠାନର ଆଉ ଜଣେ ପ୍ରମୁଖ କର୍ମକର୍ତ୍ତା ସନ୍ତୋଷ କୁମାର ରାଉତ (୩୩) ମଧ୍ୟ ଜଣେ ସମାଜସେବୀ। ପିଲାଟି ଦିନରୁ ଅନେକ ସମାଜସେବା ସେ କରିଆସୁଛନ୍ତି। ଅନ୍ୱେଷଣ ଅନୁଷ୍ଠାନ ଜରିଆରେ ଯୋଡ଼ି ହୋଇ ସେ ବସ୍ତି ପିଲାଙ୍କୁ ମାଗଣା ଶିକ୍ଷା ପ୍ରଦାନ କରିବା ତାଙ୍କର ମୁଖ୍ୟ ଲକ୍ଷ୍ୟ ଥିବାରୁ ସେ ଅନ୍ୱେଷଣ ଅନୁଷ୍ଠାନରେ ଯୋଡ଼ି ହୋଇ ଏହି କାର୍ଯ୍ୟ କରୁଛନ୍ତି। ସନ୍ତୋଷ କଳାରେ ସ୍ନାତକ ଶିକ୍ଷା ଲାଭ କରିଥିବା ବେଳେ ଚାକିରି ପ୍ରତି ଆଗ୍ରହ ନ ଦେଖାଇ ବସ୍ତି ପିଲାଙ୍କ ଶିକ୍ଷାଦାନ ପାଇଁ କାର୍ଯ୍ୟ କରୁଛନ୍ତି। ସନ୍ତୋଷଙ୍କ ଏଭଳି ମହତ ଉଦ୍ଦେଶ୍ୟକୁ ସବୁ ମହଲରେ ପ୍ରଶଂସା କରଯାଉଛି।

- ବସ୍ତିକୁ ଶିକ୍ଷିତ କରିବା ଲକ୍ଷ୍ୟ Free education to slum children
ଅନ୍ୱେଷଣ ଅନୁଷ୍ଠାନର କର୍ମକର୍ତ୍ତା ସନ୍ତୋଷ ନିଜ କହିଛନ୍ତି, ‘‘ଏହି ବସ୍ତି ରେ ଅନେକ ପିଲା ରହୁଛନ୍ତି। ଯାହାର ପରିବାର ବହୁ ଅଭାବ ଅନଟନ ରେ ଚଳୁଛନ୍ତି। ପୁରୀ ଧୋବାଖାଲ ବସ୍ତିରେ 700 ପରିବାର ବାସ କରୁଛନ୍ତି। ଅଧିକାଂଶ ପିଲା ଘର ବିଭିନ୍ନ ପରିସ୍ଥିତି ଓ ଆର୍ଥିକ ସମସ୍ୟା ଯୋଗୁ ଶିକ୍ଷା ରୁ ଦୂରେଇ ଯାଉଛନ୍ତି। ଏଣୁ ସେହି ପିଲା ମାନେ କିଭଳି ପାଠ ସହ ଯୋଡ଼ି ହେବେ ସେଥିପାଇଁ ଆମେ ଆରମ୍ଭ କରିଥିଲୁ ' ଆମ ଚାଟଶାଳୀ'। ଅନ୍ୱେଷଣ ଅନୁଷ୍ଠାନ ପକ୍ଷରୁ ଏହା ଆମେ ଆରମ୍ଭ କରିଥିଲୁ। ମାଗଣା ଶିକ୍ଷାଦାନ ଆମର ଲକ୍ଷ୍ୟ ରହିଚି। ଆହୁରି ଆମେ ଚେଷ୍ଟା କରୁଛୁ ଯେଉଁ ପିଲା ମାନେ ସ୍କୁଲ ଯାଉନାହାନ୍ତି ସେମାନଙ୍କୁ କିଭଳି ସ୍କୁଲକୁ ପଠାଇ ତାଙ୍କୁ ଶିକ୍ଷା ଦାନରେ ସାମିଲ କରିପାରିବୁ। ତେବେ ଏହା ବହୁତ କଷ୍ଟ କାର୍ଯ୍ୟ। ଆମେ ବସ୍ତି ରେ ରହୁଥିବା ଅଭିଭାବକଙ୍କ ସହିତ ଆଲୋଚୋନା କରି ଶିକ୍ଷାର ମହତ୍ତ୍ଵ ବିଷୟ ଅବଗତ କରାଇଥାଉ। ଉଭୟ ଅଭିଭାବକ ଓ ପିଲାଙ୍କୁ ଶିକ୍ଷା ର ଉପକାରିତା ନେଇ ସଚେତନ କରାଇ ଆମ ଚାଟଶାଳୀ ରେ ଆଣି ଶିକ୍ଷାଦାନ କରାଇଥାଉ। ଅନେକ ପିଲାଙ୍କ ବହୁତ୍ ଲୁକ୍କାୟିତ ପ୍ରତିଭା ଥାଏ। କିଏ ଭଲ ନାଚି ପରେ, କିଏ ଭଲ ଖେଳି ଥାଏ, କିଏ ଭଲ ଚିତ୍ର କରିଥାଏ ତାହା ଆମେ ଅନ୍ୱେଷଣ କରୁ। ଉକ୍ତ ପିଲା କୁ ସେହି ବିଷୟ ରେ ପ୍ରଥମେ ତାଲିମ ଦେଇ ଥାଉ। ପରେ ଶିକ୍ଷା ସହ ଯୋଡ଼ି ଥାଉ। ଏହା ଦ୍ଵାରା ପିଲାଟି ପାଠ ପଢିବା ପାଇଁ ଆଗ୍ରହ ପ୍ରକାଶ କରିଥାଏ। ଅନ୍ୱେଷଣ ଅର୍ଥ ହେଉଛି ଖୋଜିବା। ଏଣୁ ଆମେ ସେହି ପିଲାଙ୍କୁ ଖୋଜି ଥାଉ ଯାହାର ସମାଜ ପାଇଁ ଆବଶ୍ୟକ ଅଛି। ପିଲାଟିଏ ଯେତେ ଶିକ୍ଷା ରେ ଉନ୍ନତି କରେ ସେହି ଦେଶ ଉନ୍ନତି କରିଥାଏ। କିନ୍ତୁ ପିଲାଟିଏ ଅଶିକ୍ଷିତ ଓ ଅବହେଳିତ ରହିଲେ ସେହି ବ୍ୟକ୍ତି ଦେଶ ମଧ୍ୟ ଅବହେଳିତ ରହିବ। ଏଣୁ ବସ୍ତି ପିଲାଙ୍କୁ ଶିକ୍ଷିତ କରିବା ଓ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଅନ୍ୱେଷଣର ମୁଖ୍ୟ ଲକ୍ଷ୍ୟ’’।

ଅନ୍ୱେଷଣ ଅନୁଷ୍ଠାନରେ ସ୍ବେଛାକୃତ ଭାବେ ପିଲାଙ୍କୁ ପାଠ ପଢାଉଥିବା ରୂପାଲି ବାରିକ କହିଛନ୍ତି, ‘‘ଏହା ହେଉଚି ଆମ ଚାଟଶାଳୀ। ସ୍କୁଲ ନ ଯାଇ ଯେଉଁ ପିଲା ମାନେ ଶିକ୍ଷାରୁ ଦୂରେଇ ରହିଛନ୍ତି ସେମାନଙ୍କୁ ଆମେ ଶିକ୍ଷା ଦାନ କରିଥାଉ। ବସ୍ତିରେ ରହୁଥିବା ପିଲାଙ୍କ ବାପା ଓ ମାଙ୍କୁ ଆମେ ବୁଝାଇ ଆମେ ଶିକ୍ଷା ଦାନ କରୁଛୁ। କେତେକ ଅଭିଭାବକ ପିଲାଙ୍କୁ ଛାଡିବାକୁ ରାଜି ହେଉନାହାଁନ୍ତି। ସେମାନଙ୍କୁ ବହୁତ୍ ବୁଝାଇ ତାଙ୍କ ପିଲାଙ୍କୁ ଆମେ ଶିକ୍ଷାଦାନ କରୁଛୁ। ଛୋଟ ପିଲାଙ୍କ ଭବିଷ୍ୟତ ଉଜ୍ଜ୍ବଳ ପାଇଁ ଶିକ୍ଷାର ନିହାତି ଆବଶ୍ୟକ ରହିଛି। କେବଳ ପାଠ ପଢା ନୁହେଁ ଆମେ ପିଲାଙ୍କ ଲୁକ୍କାୟିତ ପ୍ରତିଭାର ବିକାଶ ପାଈଁ ଚିତ୍ର ଆଙ୍କିବା, ନାଚ, ଖେଳ, ଗୀତ ଆଦିରେ ପ୍ରଶିକ୍ଷଣ ଦେଉଛୁ। ପରିବେଶ ସୁରକ୍ଷା, ଭଲ ଆଚାର ବ୍ୟବହାର ବିଷୟ ରେ ପ୍ରଶିକ୍ଷଣ ମଧ୍ୟ ଦେଉଛୁ। ବିଭିନ୍ନ ମନୋରଞ୍ଜନ ମାଧ୍ୟମ ରେ ପିଲାଙ୍କୁ ଆମେ ଶିକ୍ଷା ଦାନ କରୁଛୁ। ମତେ ପିଲାଙ୍କୁ ପଢେଇ ବାରେ ବେଶ୍ ଭଲ ଲାଗୁଛି। ଆଗାମୀ ଦିନ ରେ ମଧ୍ୟ ଏହା ଜାରି ରଖିବି’’।

ଆମ ଚାଟଶାଳୀ ଆରମ୍ଭ କରିଥିବା ଅନ୍ୱେଷଣ ଅନୁଷ୍ଠାନର ସଭାପତି ନିରଞ୍ଜନ ପ୍ରଧାନ କହିଛନ୍ତି, ‘‘ଗତ ଚାରି ବର୍ଷ ହେବ ଆମେ ଆମ ଚାଟଶାଳୀ ଆରମ୍ଭ କରି ବସ୍ତି ପିଲାଙ୍କୁ ଶିକ୍ଷାଦାନ କରୁଛୁ। ବସ୍ତି ରେ ବିଭିନ୍ନ ସମସ୍ୟା ଯୋଗୁ ଛୋଟ ପିଲା ମାନେ ଶିକ୍ଷାରୁ ଦୂରେଇ ରୁହନ୍ତି। ତେବେ ସେମାନଙ୍କ ଅଭିଭାବକଙ୍କୁ ଆମେ ସଚେତନ କରାଇ ପିଲା ଙ୍କୁ ଆମେ ଶିକ୍ଷାଦାନ କରୁଛୁ। ପିଲାଟି କିଭଳି ସ୍କୁଲ ଯିବ ସେ ନେଇ ଆମେ ପ୍ରୟାସ କରୁଛୁ। କାରଣ ଛୋଟ ପିଲା ଙ୍କ ଭିତରେ ଅନେକ ଲୁକ୍କାୟିତ ପ୍ରତିଭା ରହିଛି। ସେମାନଙ୍କୁ ସଠିକ୍ ମାର୍ଗ ଦର୍ଶନ ମିଳିପାରିଲେ ଛୋଟ ପିଲା ମାନେ ଆଗାମୀ ଦିନ ରେ ଉଚ୍ଚ ଶିକ୍ଷିତ ହୋଇ ଦେଶର ଉନ୍ନତି ରେ ପ୍ରମୁଖ ଭୂମିକା ନେବେ। ଆମର ମୁଖ୍ୟ ଲକ୍ଷ୍ୟ ପୁରୀ ସହର ରେ ଥିବା ବିଭିନ୍ନ ବସ୍ତି। କାରଣ ବସ୍ତି ରେ ଅଭିଭାବକ ଙ୍କ ସଚେତନତା ଅଭାବ ରୁ ପିଲା ମାନେ ଶିକ୍ଷା ରୁ ଦୂରେଇ ଯାଆନ୍ତି। ପରବର୍ତ୍ତୀ ସମୟ ରେ ଶିଶୁ ଶ୍ରମିକ ହୋଇ ଯାଆନ୍ତି। ଆମର କିଛି ଭାଲ୍ୟୁଣ୍ଟର ଅଛନ୍ତି। ସେମାନେ ପ୍ରତିଦିନ ସକାଳେ ଓ ସନ୍ଧ୍ୟା ବେଳେ ପିଲା ଙ୍କୁ ପାଠ ପଢାନ୍ତି। ପ୍ରଥମ ରୁ ଦଶମ ପର୍ଯ୍ୟନ୍ତ ପିଲା ପାଠ ପଢ଼ୁଛନ୍ତି। ସ୍ଥାନୀୟ ବସ୍ତି ବାସିନ୍ଦା ଓ କିଛି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ ରେ ଏକ ଛୋଟ ଘର୍ ଆମେ କରିଚୁ। ସେଠାରେ ପିଲା ଙ୍କୁ ଶିକ୍ଷା ଦାନ କରାଯାଉଛି। ତେବେ ଆଗାମୀ ଦିନ ରେ କିଭଳି ବଡ ଗୃହ ହୋଇ ପାରିବ ସେ ନେଇ ଉଦ୍ୟମ ଜାରି ରଖିଛୁ। ପ୍ରଥମେ ଆମେ ନିଜସ୍ଵ ଉଦ୍ୟମ ରେ ଆମ ଚାଟଶାଳୀ କରିଥିଲୁ। ଏବେ ଆମ ସହ କିଛି ବଦାନ୍ୟ ବ୍ୟକ୍ତି ଯୋଡ଼ି ହେଲେଣି। ତାଙ୍କ ସହ ଯୋଗ ରେ ପିଲା ଙ୍କ ର ଶିକ୍ଷା ପାଇଁ ଆବଶ୍ୟକ ହେଉଥିବା ପାଠ ପଢ଼ା ସାମଗ୍ରୀ କିଣି ଆମେ ପିଲା ଙ୍କୁ ଦେଉଚୁ। ଆଗାମୀ ଲକ୍ଷ୍ୟ ରହିଛି ଏହାକୁ ବଢାଇବୁ। ଅଧିକ ରୁ ଅଧିକ ବସ୍ତି ପିଲା ଙ୍କୁ ମାଗଣା ଶିକ୍ଷାଦାନ ସହ ସ୍କୁଲ କୁ ପାଠ ପଢିବା ପାଇଁ ପଠାଇବୁ’’।

ଇଟିଭି ଭାରତ, ପୁରୀ