ଭୁବନେଶ୍ବର: କଥାରେ ଅଛି ଅଧିକ ହୋସିଆର ହେବାକୁ ଯାଇ ବେଳେ ବେଳେ ମଣିଷ ବୋକାମିର ପରିଚୟ ହୋଇଥାଏ । ଠିକ୍ ସେହିପରି ଯେତେବେଳେ ହତ୍ୟା ପରେ ଲୁଚି ରହିଥିବା ହତ୍ୟାକାରି, ନିଜେ ପୋଲିସକୁ ଚିଠି ଲେଖି ତଦନ୍ତକୁ ବାଟବଣା କରିବା ପାଇଁ ତଦନ୍ତକାରି ଟିମକୁ ଅନ୍ୟ ଏକ ମୋଡରେ ତଦନ୍ତ ପାଇଁ ଉପଦେଶ ଦିଏ। ଠିକ୍ ସେହି ଚିଠିରେ ଥିବା ଦୁଇଟି ଶବ୍ଦ, ସେହି ହତ୍ୟାକାରୀକୁ ଧରିବାରେ ସଫଳ ହୁଏ। ସେଭଳି କିଛି ଘଟଣାକ୍ରମ ଘଟିଥିଲା ପାଟଣାଗଡ଼ ପାର୍ସଲ ବୋମା ହତ୍ୟାକାଣ୍ଡର ପର୍ଦ୍ଦାଫାଶ ବେଳେ। ଆଉ ସାମାନ୍ୟ ଇଂରାଜୀ ଲେଖାଥିବା ଚିଠିର ଦୁଇଟି ଶବ୍ଦ ହିଁ ହତ୍ୟାକାରୀ ଅଧ୍ୟାପକ ପୁଞ୍ଜିଲାଲ ମେହେରକୁ ଧରିବାରେ ସଫଳ ହୋଇଥିଲା। ଯେ କି ନିଜର ପଦବୀ ଓ ସମ୍ମାନ ପାଇଁ ରଚିଥିଲା ଏକ ଲୋମ ଟାଙ୍କୁରା ହତ୍ୟାକାଣ୍ଡ।
ଘଟଣାର ସାତ ବର୍ଷ ପରେ ସେହି ହତ୍ୟାକାରୀକୁ ଦଣ୍ଡାଦେଶ ଶୁଣାଣି ହୋଇଛି। ଦୋଷୀ ସାବ୍ୟସ୍ତ ହୋଇଥିବା ଇଂରାଜୀ ଅଧ୍ୟାପକ ପୁଞ୍ଜି ଲାଲ୍ ମେହେରଙ୍କୁ ଆଜୀବନ କାରାଦଣ୍ଡ ସହ ୧ ଲକ୍ଷ ୪୦ ହଜାର ଟଙ୍କା ଜରିମାନା ମଧ୍ୟ ଆଦାୟ ପାଇଁ ବଲାଙ୍ଗିର ପାଟଣାଗଡ଼ କୋର୍ଟ ରାୟ ଦେଇଛନ୍ତି। ରାୟ ପ୍ରକାଶ ପରେ, ଘଟଣାର ତଦନ୍ତ ନେତୃତ୍ବ ନେଇଥିବା ତତ୍କାଳୀନ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା (ବର୍ତ୍ତମାନ ଏଡିଜି ରେଲୱେ ଏବଂ ତଟସୁରକ୍ଷା ଭାବେ କାର୍ଯ୍ୟରତ) ନିଜର ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି ସେହି ଘଟଣା ପଛର କିଛି ଭାବଭରା ଘଟଣା, ଯାହାକୁ ଶୁଣିଲେ ଯେକେହି ବି ଆଶ୍ଚର୍ଯ୍ୟ ହେବେ।
୨୩ ଫେବୃଆରୀ ୨୦୧୮ରେ ପାଟଣାଗଡ଼ ବ୍ରହ୍ମପୁରରେ ଏହି ବିଭତ୍ସ ହତ୍ୟାକାଣ୍ଡ ଘଟିଥିଲା। ପାର୍ସଲରେ ଆସିଥିବା ବୋମା ଫୁଟି ନବ ବିବାହିତ ସୌମ୍ୟ ରଞ୍ଜନ ସାହୁ ଓ ତାଙ୍କ ଜେଜେମା ଜେମାମଣି ସାହୁଙ୍କର ମୃତ୍ୟୁ ହୋଇଥିଲା। ହତ୍ୟାକାଣ୍ଡର ପ୍ରାୟ ଏକ ମାସ ପରେ କ୍ରାଇମବ୍ରାଞ୍ଚକୁ ମିଳିଥିଲା ତଦନ୍ତ ଦାୟିତ୍ବ। ପାର୍ସଲ ବୋମା ତ ଫୁଟିଯାଇଥାଲା, ହେଲେ ପାର୍ସଲ କିଏ ଓ କେଉଁଠୁ ପଠାଇଛି କିଛି ମିଳିନଥିଲା। ଏନେଇ ତଦନ୍ତ ସମୟରେ ପ୍ରାୟ ଏକ ମାସ ପର୍ଯନ୍ତ, ସେତେବେଳେ ସ୍ଥାନୀୟ ବଲାଙ୍ଗିର ପୋଲିସ ସବୁ ଦିଗକୁ ନେଇ ତଦନ୍ତ ପରେ, ତଦନ୍ତର ମାସେ ପରେ ଦାୟିତ୍ବ ନେଇଥାବା କ୍ରାଇମବ୍ରାଞ୍ଚ ମଧ୍ୟ ପରିବାରରେ ମୃତ ସୌମ୍ୟରଞ୍ଜନଙ୍କ ଲଭ୍ ଲାଇଫ୍, ବିବାହ ପୁର୍ବରୁ କାହା ସହ ଶତ୍ରୁତା ବା ସୌମ୍ୟଙ୍କ ପତ୍ନୀଙ୍କର କାହା ସହ ଶତ୍ରୁତା ଓ ତା ସହିତ ପରିବାରର ଜମିବାଡ଼ି ଡିସପୁଟ୍ ବା ଅନ୍ୟ କାହ ସହ ଶତ୍ରୁତା ସବୁ ଦିଗକୁ ନେଇ ତଦନ୍ତ କରିଥିଲେ ବି କିଛି ସୁରାକ ମିଳିନଥିଲା।

ଚିଠି ଥିଲା ହତ୍ୟାର ପ୍ରଥମ ସୁରାକ
ହେଲେ ବଲାଙ୍ଗିର ପୋଲିସକୁ ଆସିଥିଲା ଏକ ଅଜଣା ଚିଠି। ଯେଉଁଥିରେ କେହି ଜଣେ ଅଜଣା ବ୍ୟକ୍ତି, କିଛି ତଥ୍ୟ ଆଧାରରେ ପୋଲିସକୁ ସେହି ଦିଗରେ ତଦନ୍ତ ପାଇଁ ପରାମର୍ଶ ଦେଉଛି। ଏହି ଚିଠି ପାଇବା ପରେ ପୋଲିସ ସେହି ଚିଠିର ଲେଖା ଥିବା ପ୍ରତିଟି ଶବ୍ଦରୁ କେହି ହତ୍ୟାକାଣ୍ଡକୁ ଦିଗହରା କରିବାକୁ ଚେଷ୍ଟା କରୁଛି ବୋଲି ପୋଲିସକୁ ସଂଦେହ ହୋଇଥିଲା। ଏନେଇ ଚିଠିକୁ ପଢ଼ିବା ସମୟରେ ଚିଠିରେ ଲେଖା ଥିବା can not ଦୁଇଟି ଶବ୍ଦ ଦୁଇ ଥର ବ୍ୟବହାର କରାଯାଇଛି। ଯେଉଁଠି ସାଧାରଣତଃ can't ଅଧିକାଂଶ ଲେଖାଯାଇଥାଏ। କିନ୍ତୁ can not ଲେଖିଥିବା ଲୋକ ଯିଏ ଭଲ ଇଂରାଜୀ ଲେଖି ପାରୁଥାବା ବ୍ୟକ୍ତି ହୋଇଥାବା ଆଇଜି ଅରୁଣ ବୋଥ୍ରା ସଂଦେହ କରିଥିଲେ। ସେନେଇ ବଲାଙ୍ଗିର ଏସ୍ପିଙ୍କୁ କେହି ଇଂରାଜୀ ଶିକ୍ଷକ ସେଭଳି କେହି ପରିବାର ସହ ସମ୍ପର୍କ ବା ଝଗଡ଼ା ଥିଲା ବୋଲି ସନ୍ଦେହ ଆସିଥିଲା। ପରେ ପୋଲିସ ତଦନ୍ତ ସମୟରେ ଜାଣିଥିଲା ଯେ, ମୃତ ସୌମ୍ୟଙ୍କ ମା'ଙ୍କ ସହ ତାଙ୍କ କଲେଜରେ ଇଂରାଜୀ ଅଧ୍ୟାପକଙ୍କ ସହ ପାଟିତୁଣ୍ଡ ହୋଇଥିଲା। ସେହିଠାରୁ ପୁଞ୍ଜି ଲାଲ୍ ଉପରକୁ ସଂଦେହ ଯାଇ ତଦନ୍ତ ଆରମ୍ଭ ହୋଇଥିଲା।
ପ୍ରଥମେ ପୋଲିସ ପୁଞ୍ଜି ଲାଲ୍ ର ଘରକୁ ଯାଇ ତାର ଘରୁ ତାର, ଲାପଟପ୍, ଲଫାଫା ଓ କିଛି ଅଠା ଭଳି ଅନେକ ଜିନିଷ ଜବତ କରିଥିଲା। ଯାହାକୁ ଲ୍ୟାବକୁ ପଠାଇ ସେହି ଅଜଣା ଚିଠି ପଠାଯାଇଥିବା ପୋଷ୍ଟାଲ ଲଫାପା ସହ ମେଳ କରିବାରୁ, ତାହା ପୁଞ୍ଜି ଲାଲ୍ ଘରୁ ମିଳିଥିବା ଲଫାପା ସହ ମେଳ ଖାଇଥିଲା଼। ଏପରିକି ୧୦ଟି ଲଫାପା ଥିବା ବଣ୍ଡଲରୁ ଗୋଟିଏ ବ୍ୟବହାର ହୋଇଥିଲା ଓ ଅନ୍ୟ ୯ଟି ତା ଘରୁ ଜବତ ହୋଇଥିଲା। ଲଫାପାରେ ଲଗାଯାଇଥିବା ଅଠା ଅର୍ଥାତ୍ ଯାହାକି ଫେବିଷ୍ଟିକ ବ୍ୟବହାର କରିଥିଲା, ଚିଠିର ଅଠା ସହ ମଧ୍ୟ ଲ୍ୟାବ୍ ମେଳ ଖାଉଥିବା ସ୍ପଷ୍ଟ କରିଥିଲା। ଏପରିକି ପୁଞ୍ଜି ଲାଲ୍ ଯେଉଁ ଲାପଟପ୍ ରେ ଲେଟର ଟାଇପ୍ କରନ୍ତି ସେହି ନୋଟ୍ ସଫ୍ଟୱେରରେ ମଧ୍ୟ ଯେଉଁ ଫ୍ରଣ୍ଟ ବ୍ୟବହାର କରୁଥିଲେ ସେହି ଫ୍ରଣ୍ଟ ମଧ୍ୟ ଚିଠି ଲେଖାଯାଇଥିଲା, ତାହା ମଧ୍ୟ ମେଳ ଖାଇଥିଲା। ଏପରିକି ସେହି ଫ୍ରଣ୍ଟର ଅନେକ ଲେଖା ଅଧ୍ୟାପକଙ୍କ ପାଖରୁ ମିଳିଥିଲା। ଯାହାକୁ ନେଇ ପୋଲିସ ସ୍ପଷ୍ଟ ହୋଇଥିଲା, ପୁଞ୍ଜି ଲାଲ୍ ମେହେର ହତ୍ୟାକାରୀ। ଏନେଇ ତାଙ୍କର can not ଲେଖା ଶୈଳି ମଧ୍ୟ ସୌମ୍ୟ ରଞ୍ଜନଙ୍କ ମା' ମଧ୍ୟ ସ୍ପଷ୍ଟ କରିଥିଲେ ଯେ ସେ ଏପରି ଲେଖନ୍ତି ବୋଲି। ସେହିଠାରୁ କେସ୍ ରେ ଗୋଟିଏ ପରେ ଗୋଟିଏ ଦିଗ ସାମ୍ନାକୁ ଆସିଥିଲା।

ପ୍ରେସର ବମ୍ ତିଆରି କରିଥିଲା
ପାର୍ସଲ ବୋମା ତିଆରି ସେ ୟୁଟ୍ୟୁବରୁ ଶିଖିଥିଲା। ଯେ କି ବଜାରରୁ ବାଣ କିଣି ଆଣି ନିଜେ ଘରେ ତିଆରି ଅଭ୍ୟାସ କରିଥିଲା। ପାଖାପାଖି ୧୦୦ରୁ ଅଧିକ ଥର ସେ କରି ସଫଳ ହୋଇଥିଲା। ପରେ ସେହି ପ୍ରମାଣ ମଧ୍ୟ ପୋଲିସ ତଦନ୍ତ ବେଳେ ତାର ଘର ବାହାରେ ଥିବା ନଗରପାଳିକା ଡଷ୍ଟବିନରୁ ପାଇଥିଲା। ଏନେଇ ସେ ପୋଲିସ ଆଗରେ ମାନିବା ପରେ, ତାକୁ ପଚରା ଉଚରା ସମୟରେ ପୋଲିସକୁ କହିଥିଲା।ଯେ ତାର ଘର ସାମ୍ନାରେ ଥିବା ଡଷ୍ଟବିନ୍ ରେ ସେ ବ୍ୟବହାର କରିଥିବା ବାଣର ଅବଶିଷ୍ଟାଂଶକୁ ପୋଡି ଦେଇଥିଲା। ଏନେଇ ପୋଲିସ ସେହି ଡଷ୍ଟବିନରୁ ଯେଉଁ ପୋଡ଼ା ବାରୁଦର କଣିକା ବା ଅଂଶ ଲ୍ୟାବକୁ ପଠାଇଥିଲା, ପରେ ହତ୍ୟା ସ୍ଥଳରେ ବୋମା ବିସ୍ଫୋରଣ ପରେ ବ୍ୟବହୃତ ବାରୁଦର ପୋଡ଼ା ସହ ମେଳ ଖାଇଥିଲା। ଯାହାକୁ ମଧ୍ୟ ପ୍ରମାଣ ଭାବେ ନିଆଯଇଥିଲା।
ମା' ସହ ଶତ୍ରୁତା ତାର ପୁଅ ଦ୍ବାରା ନେବାକୁ ସ୍ଥିର କରିଥିଲା
ତଦନ୍ତ ସମୟରେ ଯେତେବେଳେ ସ୍ପଷ୍ଟ ଜଣାପଡ଼ିଥିଲା ଯେ ପୁଞ୍ଜି ଲାଲ୍ ହତ୍ୟାକାରୀ, ସେ ପୋଲିସ ଆଗରେ ସମସ୍ତ ତଥ୍ୟ ମାନିବାସହ, କିଭଳି ଶତ୍ରୁତା ଥିଲା ତାହା ମଧ୍ୟ କହିଥିଲା। ଯେହେତୁ ମୃତ ସୌମ୍ୟଙ୍କର ମା ଯେଉଁ କଲେଜରେ ଅଧ୍ୟକ୍ଷ ଥିଲେ, ସେହି କଲେଜରେ କିଛି ଦିନ ଧରି ଅଧ୍ୟକ୍ଷ ଚାର୍ଜରେ ଥିଲେ ପୁଞ୍ଜି ଲାଲ୍। ଯେଉଁଥିପାଇଁ ସୌମ୍ୟଙ୍କ ମା ଆସିବା ପରେ ନିଜ ପଦବୀ ପ୍ରତି ତାଙ୍କର ଲୋଭ, ମୋହ ଓ ସମ୍ମାନ ତାଙ୍କ ମନରେ ଏକ ଇର୍ଷା ଜାଗ୍ରତ କରିଥିଲା। ଯେଉଁଥିପାଇଁ ସେ ମୃତ ସୌମ୍ୟଙ୍କ ମା ସହ ମଧ୍ୟ ଅନେକ ଥର କଲେଜରେ ଝଗଡ଼ା କରିବାର ନଜିର ମଧ୍ୟ ରହିଥିଲା। ଏନେଇ ଯେତେବେଳେ ତଦନ୍ତକାରୀ ଟିମ୍ ଆଗରେ କହିଥିଲା, ତାର ଶତ୍ରୁତା ସୌମ୍ୟଙ୍କ ମା ସହ ଥିଲା। କିନ୍ତୁ ତାଙ୍କ ମା'ଙ୍କୁ ହତ୍ୟା କରିବା ତାର ଲକ୍ଷ୍ୟ ନଥିଲା। ବରଂ ଏମିତି ଏକ ଲୋକ ଯାହାକୁ ମାରି ତାଙ୍କ ମା'ଙ୍କର ଦୁଃଖ ବେଦନା ଓ ତଡ଼ପିବାର ଦେଖିବାକୁ ଚାହୁଁଥିଲା ପୁଞ୍ଜିଲାଲ୍। ସେଥିପାଇଁ ସୌମ୍ୟଙ୍କୁ ହତ୍ୟା ପାଇଁ ସେ ଏପରି ପାର୍ସଲ ବୋମା ପଠାଇ, ତାର ବାହାଘର ସମୟରେ ଏପରି ହତ୍ୟାକାଣ୍ଡ ରଚିଥିଲା ବୋଲି, ତଦନ୍ତ ବେଳେ ଅରୁଣ ବୋଥ୍ରାଙ୍କ ଆଗରେ ସେ କହିଥିଲା।

ତଦନ୍ତ ସମ୍ପର୍କରେ କହିଲେ ଅରୁଣ ବୋଥ୍ରା
ଏହି ହତ୍ୟାକାଣ୍ଡ ତାଙ୍କ ଜୀବନ ଓ ଚାକିରି ସମୟର ଏଭଳି ଏକ ଘଟଣା, ଯାହା ରାଜ୍ୟ ଓ ଦେଶରେ ହୁଏତ କେବେ କେହି ଶୁଣି ନଥିଲେ କି ଦେଖି ନଥିଲେ। ଘରକୁ ପାର୍ସଲ ପଠାଇ କେହି ହତ୍ୟା କାଣ୍ଡ ରଚିଥିବ।ତେବେ ଏହି ହତ୍ୟାକାଣ୍ଡରେ ଯାହାର ଜୀବନ ଗଲା ତ ଗଲା, ଆଉ ଜଣେ ଏବେ ଜେଲ୍ ଗଲା। ଏଥିରେ ଖୁସି କି ଦୁଃଖ ବି ପ୍ରକାଶ କରିବାର ନାହିଁ। ଆମର ଯାହା ଦାୟିତ୍ବ ଥିଲା ତାହା ଆମେ କରିଥିଲୁ ବୋଲି କହିଛନ୍ତି ବୋଥ୍ରା। ଏଭଳି ଏକ ପରିବାରର ଦୁଇ ଜଣଙ୍କ ହତ୍ୟା ଘଟଣାରେ ଯେ ଏହି ଘଟଣା ଘଟାଇଥିଲା ତାକୁ ଦୋଷୀ ସାବ୍ୟସ୍ତ କରାଇବାରେ ଆମର ପୋଲିସ ଟିମ୍ ଓ ସରକାରୀ ଓକିଲ ମଧ୍ୟ ଭଲ କାମ କରିଛନ୍ତି। ଆମର ବିଶ୍ବାସ ଆମର କ୍ରାଇମବ୍ରାଞ୍ଚ ଯେପରି ବି କେସ୍ ଆସୁ, ତାହାର ତଦନ୍ତ ପାଇଁ ସକ୍ଷମ ଓ ପାରଙ୍ଗମ ବୋଲି କହିଛନ୍ତି ଅରୁଣ ବୋଥ୍ରା।
ଏହା ମଧ୍ୟ ପଢ଼ନ୍ତୁ- ପଠାଇଥିଲା ମୃତ୍ୟୁର ପାର୍ସଲ, ଆଜୀବନ ଜେଲରେ ରହିବ ପୁଞ୍ଜିଲାଲ