Shree Jagannath Temple Administration (SJTA) ପୁରୀ: 2024 ରଥଯାତ୍ରାରେ ଘଟିଥିଲା ଅଭାବନୀୟ ଘଟଣା । ଆଡ଼ପ ପହଣ୍ଡି ବିଜେ ବେଳେ ରଥ ଉପରୁ ଚାରମାଳକୁ ମୁହଁ ମାଡି ପଡ଼ିଯାଇଥିଲେ ବଡ ଠାକୁର ପ୍ରଭୁ ବଳଭଦ୍ର । ଏହି ଘଟଣାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଘଟଣାର ତଦନ୍ତ କରିଥିଲା ଶ୍ରୀମନ୍ଦିର ପ୍ରଶାସନ । ଇତି ମଧ୍ୟରେ ରିପୋର୍ଟ ମଧ୍ୟ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ପ୍ରଦାନ କରାଯାଇଛି । ହେଲେ କିନ୍ତୁ କାହା ଅବହେଳାରେ ଏହି ଅଘଟଣ ଘଟିଥିଲା ସେନେଇ କୌଣସି କାର୍ଯ୍ୟାନୁଷ୍ଠାନ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇନାହିଁ ।
2024 ରଥଯାତ୍ରା ଆଡପ ପହଣ୍ଡି ବିଭ୍ରାଟ ଘଟଣା-
ରଥଯାତ୍ରା ଆଉ ମାତ୍ର ଏକ ମାସରୁ କମ୍ ସମୟ ଥିବା ବେଳେ କେବେ କାର୍ଯ୍ୟାନୁଷ୍ଠାନ ହେବ ସେନେଇ ପ୍ରଶ୍ନ ଉଠାଇଛନ୍ତି ଜଗନ୍ନାଥ ପ୍ରେମୀ ଓ ବୁଦ୍ଧିଜୀବୀ । ପୂର୍ବରୁ ଅନେକ ବିଭ୍ରାଟକୁ ନେଇ ତଦନ୍ତ କମିଟି ଗଠନ ହୋଇଥିଲେ ମଧ୍ୟ ଫଳ ଶୂନ ରହିଛି। ପ୍ରସଙ୍ଗ ପୁରୁଣା ହେବା ପରେ ସରକାର ତଦନ୍ତ ରିପୋର୍ଟକୁ ଫାଇଲ ଭିତରେ ଚାପି ଦେଇ ରଖୁଛନ୍ତି। ବିଶେଷ କରି ସେବାୟତଙ୍କ ଚାପରେ ସରକାର ଚେପା ହୋଇ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ଅଭିଯୋଗ କରିଛନ୍ତି ଜଗନ୍ନାଥପ୍ରେମୀ ଓ ବୁଦ୍ଧିଜୀବୀ । ଏହା ଦ୍ଵାରା ଶୃଙ୍ଖଳା ପରିବର୍ତ୍ତେ ବିଶୃଙ୍ଖଳା ବଢୁଥିବା ଅଭିଯୋଗ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କ ସେବାୟତଙ୍କ ପ୍ରତି କୋହଳ ମନୋଭାବକୁ କଡା ସମାଲୋଚନା କରିଛନ୍ତି ବୁଦ୍ଧିଜୀବୀ ଓ ଜଗନ୍ନାଥପ୍ରେମୀ । ରଥଯାତ୍ରାରେ ବିଶୃଙ୍ଖଳା ପଛରେ ପ୍ରଶାସନର କୋହଳ ମନୋଭାବକୁ ଦାୟୀ କରିଛନ୍ତି ବୁଦ୍ଧିଜୀବୀ ଓ ଜଗନ୍ନାଥପ୍ରେମୀ।
କେଉଁଠି ଅଟକିଲା ତଦନ୍ତ ? ୧୧ ମାସ ପରେ ବି କାର୍ଯ୍ୟନୁଷ୍ଠାନ ଶୂନ -
2024 ଜୁଲାଇ 9 ତାରିଖରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ରଥରୁ ବଡ ଠାକୁର ପ୍ରଭୁ ବଳଭଦ୍ରଙ୍କ ଆଡ଼ପ ମଣ୍ଡପ ପହଣ୍ଡି ବିଜେରେ ଘଟିଥିଲା ଅଘଟଣ । ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ବେଳେ ହଠାତ୍ ପ୍ରଭୁ ବଳଭଦ୍ର ଚାରମାଳ ଉପରେ ମୁହିଁ ମାଡ଼ି ପଡ଼ିଯାଇଥିଲେ । ଏଥିରେ ଏକାଧିକ ସେବାୟତ ମଧ୍ୟ ଆହତ ହୋଇଥିଲେ। ପ୍ରଭୁ ବଳଭଦ୍ରଙ୍କ ତ୍ରିମୁଣ୍ଡିରୁ ପାଟଡୋରଟି ଖସି ଯିବାରୁ ଏହି ଅଘଟଣ ଘଟିଥିଲା । ଏହି ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତିନି ଜଣିଆ କମିଟି ଗଠନ କରାଯାଇ ତଦନ୍ତ କରାଯାଇଥିଲା ।
ତତ୍କାଳୀନ ଅତିରିକ୍ତ ଜିଲ୍ଲାପାଳ, ଶ୍ରୀମନ୍ଦିର ନୀତି ପ୍ରଶାସକ ଓ ପୁରୀ ସିଟି ଡିଏସପି ଏହି ଘଟଣାର ତଦନ୍ତ କରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ହେଲେ ଏହି ରିପୋର୍ଟ ଅସମ୍ପୂର୍ଣ୍ଣ ଥିବା ଦର୍ଶାଇ ତତ୍କାଳୀନ ଶ୍ରୀମନ୍ଦିର ପରିଚାଳନା କମିଟି ଆଉ ଥରେ ତଦନ୍ତ କରାଯାଇ ରିପୋର୍ଟ ଦେବାକୁ କହିଥିଲେ । ତେବେ ପୁନର୍ବାର ଏହି ଟିମ୍ ତଦନ୍ତ କରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ରିପୋର୍ଟ ଦେଇଥିଲେ ।
ହେଲେ ଆଜି ପର୍ଯ୍ୟନ୍ତ ଏହି ରିପୋର୍ଟ ଉପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହାଁନ୍ତି । ଗତ କିଛିଦିନ ତଳେ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଶ୍ରୀମନ୍ଦିର ପ୍ରଶାସନର ଉଚ୍ଚସ୍ତରୀୟ ବୈଠକରେ ଏହି ରିପୋର୍ଟକୁ ଉପସ୍ଥାପନ କରାଯାଇ ରାଜ୍ୟ ଆଇନ ବିଭାଗକୁ ପଠାଇ ଦିଆଯାଇଛି । ତେବେ ପ୍ରଭୁ ବଳଭଦ୍ର ଆଡ଼ପ ପହଣ୍ଡି ବିଭ୍ରାଟ ଘଟଣା ଆଉ ଏକ ମାସ ପରେ ବର୍ଷେ ପୁରିବାକୁ ଥିବା ବେଳେ ଆଜି ପର୍ଯ୍ୟନ୍ତ ଏହି ପହଣ୍ଡି ବିଭ୍ରାଟ ପଛରେ ଅବହେଳା କରିଥିବା ସେବାୟତଙ୍କ ବିରୋଧରେ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନେବାରେ ଆଗ୍ରହ ପ୍ରକାଶ ନ କରିବା ଜଗନ୍ନାଥପ୍ରେମୀ ଓ ବୁଦ୍ଧିଜୀବୀ କ୍ଷୋଭ ପ୍ରକାଶ କରିଛନ୍ତି । ଏଣୁ ଆଗାମୀ ଦିନରେ ରଥ ଯାତ୍ରା ଆହୁରି ବିଶୃଙ୍ଖଳା ହେବାର ଆଶଙ୍କା ଥିବା ଜଗନ୍ନାଥପ୍ରେମୀ ଓ ବୁଦ୍ଧିଜୀବୀ ନିଜ ମତରେ କହିଛନ୍ତି।
ପୁଣି ରଥ ଯାତ୍ରାରେ ବିଶୃଙ୍ଖଳା ହେବ ତ?
ବୁଦ୍ଧିଜୀବୀ ଶରତ ରାୟଗୁରୁ ନିଜ ପ୍ରତିକ୍ରିୟାରେ କୁହନ୍ତି, "ଯେତେବେଳେ ରଥଯାତ୍ରା ଆସେ ସେହି ଚିରାଚରିତ ଢଙ୍ଗରେ ପ୍ରଶାସନ କହେ ଶୃଙ୍ଖଳିତ ରଥଯାତ୍ରା ହେବ । କେବଳ ଅଘଟଣ ଘଟିଲେ ତଦନ୍ତ କମିଟି ଗଠନ କରିଦେବେ । ହେଲେ ତଦନ୍ତ ଓ ରିପୋର୍ଟ ଫଳ ଶୂନ ଥାଏ । ପ୍ରଭୁ ବଳଭଦ୍ରଙ୍କ ଆଡ଼ପ ମଣ୍ଡପ ବିଜେ ପହଣ୍ଡି ଘଟଣା ୧୧ ମାସ ବିତି ଯାଇଥିଲେ ମଧ୍ୟ ଯେମିତି ରିପୋର୍ଟ ଆସିପରିଲା ନାହିଁ । କାର୍ଯ୍ୟାନୁଷ୍ଠାନ ଶୂନ । ଏବେ ପ୍ରଶ୍ନ ଉଠୁଛି ପହଣ୍ଡି ବିଭ୍ରାଟ ଘଟଣା ସଂପୃକ୍ତ ସେବକଙ୍କୁ ଏଥର ପହଣ୍ଡିରୁ ବାଦ୍ ଦିଆଯାଇଛି କି ? ଯଦି ସେମାନଙ୍କୁ ପୁଣି ପହଣ୍ଡିରେ ସୁଯୋଗ ଦିଆଯାଏ ପୂର୍ବ ଭୁଲ ପାଇଁ କାର୍ଯ୍ୟାନୁଷ୍ଠାନ ନ ଥିବାରୁ ଖାମ୍ ଖିଆଲି ମନୋଭାବ ବଢିବ । ପୁଣି ରଥ ଯାତ୍ରାରେ ବିଶୃଙ୍ଖଳା ହେବ ତ? କଣ ପାଇଁ ତାଙ୍କ ଚାପରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଉନାହିଁ ସେ ନେଇ ପ୍ରଶ୍ନ ଉଠୁଛି ? ତିନି ଜଣିଆ କମିଟିର ତଦନ୍ତ ରିପୋର୍ଟ ଆସିସାରିଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ କାହିଁକି କାର୍ଯ୍ୟାନୁଷ୍ଠନ ନେଉନାହିଁ । ଆଇନମନ୍ତ୍ରୀ ଅନେକ କଥା କହୁଛନ୍ତି । ହେଲେ କାର୍ଯ୍ୟ ଘର ଶୂନ।"
ସେବାୟତଙ୍କୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନର ସେହି ଶତ ସାହସ ନାହିଁ -
ଜଗନ୍ନାଥପ୍ରେମୀ ସୂର୍ଯ୍ୟ ରଥ ନିଜ ପ୍ରତିକ୍ରିୟାରେ କୁହନ୍ତି, "ବିଗତ ସରକାର କେବେବି ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇନାହିଁ। ଏ ସରକାର ବି କିଛି କାର୍ଯ୍ୟାନୁଷ୍ଠାନ ନେବେ ନାହିଁ। ଉଭୟ ସରକାର ଓ ପ୍ରଶାସନର ଶ୍ରୀମନ୍ଦିର ସେବାୟତଙ୍କୁ ଭାରି ଭୟ । ସେବାୟତ ଯାହା ଚାହୁଁଛନ୍ତି ଶ୍ରୀମନ୍ଦିର ପ୍ରଶାସନ ସେହି ଅନୁଯାୟୀ କାର୍ଯ୍ୟ କରୁଛୁ । ଲୋକ ମାନେ ଉପଲବ୍ଧି କରିସାରିଲେଣି ଶ୍ରୀମନ୍ଦିର ପ୍ରଶାସନ ବିଶୃଙ୍ଖଳା କରୁଥିବା ସେବାୟତଙ୍କ ବିରୋଧରେ କିଛି ବି କାର୍ଯ୍ୟାନୁଷ୍ଠାନ ନେବେ ନାହିଁ । ପ୍ରଭୁ ବଳଭଦ୍ର ରଥ ଉପରୁ ତଳୁ ପଡିଗଲେ । ଏତେବଡ ଘଟଣା ଘଟିଲା ସତ୍ତ୍ୱେ ଆଜି ପର୍ଯ୍ୟନ୍ତ ଅବହେଳା କରିଥିବା ସେବାୟତଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ହୋଇ ପାରିଲା ନାହିଁ । ଏବେ କହୁଛନ୍ତି ପହଣ୍ଡିକୁ ଆମେ ଶୃଙ୍ଖଳିତ କରିବୁ । ହେଲେ ଏହା କେବଳ ଭାଷଣରେ ସୀମିତ ରହିଯାଇଛି । ତେବେ ସେବାୟତଙ୍କୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନର ସେହି ଶତ ସାହସ ନାହିଁ । ତେବେ ଯଦି ସରକାର ଓ ପ୍ରଶାସନ ଚାହୁଁଛନ୍ତି ପହଣ୍ଡି ବିଜେ ନୀତି ଶୃଙ୍ଖଳିତ ହେଉ ତାହା ହେଲେ ପ୍ରଶାସନ ସ୍ପଷ୍ଟ କରୁ ରଥ ଉପରକୁ କେତେ ସେବାୟତ ଉପସ୍ଥିତ ରହିବେ । କିଏ କିଏ ରହିବେ ସେ ନେଇ ଜଗନ୍ନାଥପ୍ରେମୀଙ୍କୁ ଶ୍ରୀ ମନ୍ଦିର ପ୍ରଶାସନ ଦ୍ବାରା ସୂଚନା ଦିଆଯାଉ ।"
ପହଣ୍ଡି ବିଜେ ନୀତି ଶୃଙ୍ଖଳିତ ରହିବା ଉପରେ ଗୁରୁତ୍ବ-
ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି, "ଚଳିତ ବର୍ଷ ରଥ ନିର୍ମାଣରେ ମହାପ୍ରଭୁଙ୍କ ପହଣ୍ଡି ବିଜେ ନୀତି ଶୃଙ୍ଖଳିତ ରହିବ ସେ ନେଇ ଅଧିକ ଗୁରୁତ୍ବ ଦିଆଯାଉଛି । ପହଣ୍ଡି ନୀତି ବେଳେ ସଂପୃକ୍ତ ସେବାୟତଙ୍କ ସହ ଆମେ ଆଲୋଚୋନା କରୁଛୁ । ଚଳିତ ଥର ପହଣ୍ଡିରେ ସେବାୟତଙ୍କ ସଂଖ୍ୟା ସୀମିତ କରାଯିବ । ସେହିପରି ରଥ ଉପରେ ମୋବାଇଲ ବ୍ୟବହାର ନିଷିଦ୍ଧ କରାଯାଇଛି । ଚଳିତ ବର୍ଷ ପହଣ୍ଡି ରେ ଯେଭଳି କିଛି ତ୍ରୁଟି ନ ରୁହେ ସେଥିପାଇଁ ବରିଷ୍ଠ ଅଧିକାରୀଙ୍କୁ ନିୟୋଜିତ କରାଯିବ ।"
ରଥ ଉପରେ ମୋବାଇଲ ଫୋନ୍ ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ କରାଯାଉ-
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର କହିଛନ୍ତି, "ରଥ ଯାତ୍ରାକୁ ଶୃଙ୍ଖଳାର ସହ ସମାପନ କରିବାକୁ ହେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସଠିକ୍ ଭାବରେ ସମସ୍ତଙ୍କୁ ନେଇ କାର୍ଯ୍ୟ କରିବାକୁ ପଡ଼ିବ । ନହେଲେ ବିଶୃଙ୍ଖଳା ବୃଦ୍ଧି ହେବ । ତେବେ ଚଳିତ ଥର ପହଣ୍ଡି ପାଇଁ ଯେତିକି ସେବାୟତଙ୍କ ଆବଶ୍ୟକତା ରହିଛି ସେତିକି ସଂଖ୍ୟା କରାଯାଉ । ରଥ ଉପରେ ମୋବାଇଲ ଫୋନ୍ ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ କରାଯାଉ । ପହଣ୍ଡିରେ ଯେତିକି ସେବାୟତ ରହିବା କଥା ସେତିକି ସେ ନେଇ ଗାଇଡ ଲାଇନ ଆସିବା ଦରକାର । ଚଳିତ ପହଣ୍ଡିରେ ଅଭିଜ୍ଞ ସେବାୟତ ରହିବେ ।"
ଇଟିଭି ଭାରତ, ପୁରୀ