The Heritage Craft Village Raghurajpur ପୁରୀ: ବଦଳିବ କଳାଗ୍ରାମର ରୂପରେଖ । ପର୍ଯ୍ୟଟନ ବିଭାଗ ପକ୍ଷରୁ 17 କୋଟି ଟଙ୍କାର ପ୍ରକଳ୍ପ ବ୍ୟବସ୍ଥା ହୋଇଛି । ଗ୍ରାମକୁ ପର୍ଯ୍ୟଟକଙ୍କୁ ସ୍ବାଗତ କରିବା ପାଇଁ ହେବ ଆକର୍ଷଣୀୟ ତୋରଣ। ମୁକ୍ତାକାଶ ବଜାର ସହିତ କିଣାକିଣି ସୁବିଧା ପାଇଁ ହେବ ପାଥ ୱେ’ । ଗ୍ରାମ ରେ ଥିବା ବିଭିନ୍ନ ମନ୍ଦିର ଗୁଡ଼ିକର ପୁନରୁଦ୍ଧାର କରାଯାଇ ଦିଆଯିବ ନୁଆ ରୂପରେଖ। ପର୍ଯ୍ୟଟକଙ୍କ ପାଇଁ ନିର୍ମିତ ହେବ ବ୍ୟାଖ୍ୟାନ କେନ୍ଦ୍ର। ଏ ନେଇ ଡିଜାଇନ୍ ପ୍ରସ୍ତୁତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି।
ସ୍ଥାନୀୟ ସରପଞ୍ଚ ମହେନ୍ଦ୍ର ମହାପାତ୍ର କହିଛନ୍ତି, ‘‘ରଘୁରାଜପୁର ଗ୍ରାମର ବିକାଶ ପାଈଁ ପର୍ଯ୍ୟଟନ ବିଭାଗ ଆର୍ଥିକ ଅନୁଦାନ ଦେଇ ଥିବାରୁ ଆମେ ବହୁତ ଖୁସି। ରଘୁରାଜପୁର ଗ୍ରାମ ର ଉନ୍ନତି ପାଇଁ ପର୍ଯ୍ୟଟନ ବିଭାଗ ତତ୍ପର ହୋଇଉଠିଛି। ରଘୁରାଜପୁର କଳା ଓ ସଂସ୍କୃତିର ଗନ୍ତାଘର। ରଘୁରାଜପୁର ସାରା ବିଶ୍ଵ ରେ ସ୍ବତନ୍ତ୍ର ସ୍ଥାନ ନେଇ ସାରିଛି। ଆମେ ଚାହୁଚୁଁ ଯେଉଁ ଅର୍ଥ ଆସିବ ତାହା ସଠିକ୍ ଭାବରେ ବିନିଯୋଗ ହେଉ। ଗ୍ରାମର ଭିତ୍ତିଭୂମି ଉନ୍ନତି ଭଲରେ ହେଉ। ରାସ୍ତା, ପାନୀୟ ଜଳ, ହସ୍ତଶିଳ୍ପ କେନ୍ଦ୍ର, ପାର୍କିଂ ଆଦି ଭିତ୍ତିଭୂମିର ଉନ୍ନତି ହେଉ । ଏହା ଦ୍ଵାରା ଅଧିକ ପର୍ଯ୍ୟଟକ ଆସିବେ। ଓଡ଼ିଶାର କଳା ସଂସ୍କୃତି ଆହୁରି ପ୍ରଚାର ପ୍ରସାର ହେବ ’’।

ରଘୁରାଜପୁରରେ କ’ଣ ବଦଳିବ ? Devlopement of Raghurajpur
- ଗାଁରେ ଥିବା ତୋରଣକୁ ଆକର୍ଷଣୀୟ ରୂପ ଦିଆଯିବ।
- ଆର୍ଟ ଗ୍ୟାଲେରୀ ଓ ପ୍ରଦର୍ଶନୀ ହଲର ଉନ୍ନତି କରାଯିବ।
- ଶିଳ୍ପୀ ମାନଙ୍କ କଳା ଚତୁରୀକୁ ସିଧାସଳଖ ପର୍ଯ୍ୟଟକ ମାନେ ଦେଖିପାରବେ ।
- ମନ୍ଦିର ଗୁଡ଼ିକର ପୁନଃରୁଦ୍ଧାର କରାଯାଇ ଦିଆଯିବ ନୁଆ ରୂପରେଖ।
- ପର୍ଯ୍ୟଟକଙ୍କ ପାଇଁ ନିର୍ମିତ ହେବ ବ୍ୟାଖ୍ୟାନ କେନ୍ଦ୍ର।
- ମୁକ୍ତାକାଶ ବଜାର ସହିତ କିଣାକିଣି ସୁବିଧା ପାଇଁ ହେବ ପାଥ ୱେ’ ।

151 ପରିବାର ପଟ୍ଟଚିତ୍ର କରି ପେଟ ପୋଷୁଛନ୍ତି Craft Village Raghurajpur
ଗ୍ରାମ୍ୟ ପର୍ଯ୍ୟଟନରେ ଐତିହ୍ୟ ଗ୍ରାମ ରଘୁରାଜପୁରର ରହିଛି ସ୍ଵତନ୍ତ୍ର ସ୍ଥାନ। କେବଳ ଚିତ୍ରକଳା ନୁହେଁ ରଘୁରାଜପୁର ପ୍ରସିଦ୍ଧ ଗୋଟିପୁଅ ନୃତ୍ୟର ଏନ୍ତୁଡିଶାଳ। ଗ୍ରାମରେ ୧୫୧ ପରିବାର ପଟ୍ଟ ଚିତ୍ର ଓ ଅନ୍ୟ ଚିତ୍ରକଳାକୁ ନେଇ ବୃତ୍ତି କରିଆସୁଛନ୍ତି। ପଟ୍ଟ ଚିତ୍ର ସହିତ ତାଳପତ୍ର, ଟସର, ଗୋବର କଣ୍ଢେଇ, କାଗଜମୁଖା ଓ କାଠ ଶିଳ୍ପ ଆଦିର କଳାକୃତି ଯୋଗୁଁ ଦେଶ ବିଦେଶରୁ ପ୍ରତିଦିନ ପର୍ଯ୍ୟଟକ ମାନେ ରଘୁରାଜପୁର ବୁଲିବାକୁ ଆସିଥାନ୍ତି। ଫେରିବା ବେଳେ ବିଭିନ୍ନ କଳା ସାମଗ୍ରୀ କିଣି ନେଇଥାଆନ୍ତି। ଇନ୍ ଟାକ୍ ପକ୍ଷରୁ ୧୯୯୮ ମସିହାରୁ ୨ବର୍ଷ ଗବେଷଣା କରାଯାଇ ୨୦୦୦ମସିହାରେ ଏହି ଗ୍ରାମକୁ ରାଜ୍ୟର ପ୍ରଥମ ଐତିହ୍ୟ ଗ୍ରାମ ମାନ୍ୟତା ଦିଆଯାଇ ଏହାର ବିକାଶ କରାଯାଇଥିଲା। ତେବେ ଇତି ମଧ୍ୟରେ ଗ୍ରାମ କୁ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇଥିବା ବେଳେ ଅନେକ ଭିତ୍ତିଭୂମିର ଅଭାବ ରହିଛି। ଗ୍ରାମ କୁ ଓସାରିଆ ରାସ୍ତା ନ ଥିବାରୁ ଗାଡି ଗୁଡିକ ଠିକରେ ଯାତାୟାତ ହୋଇପାରୁନାହିଁ। ସେହିପରି ଗ୍ରାମରେ ପାନୀୟ ଜଳର ଘୋର ଅଭାବ ରହୁଛି।

ଚିତ୍ର ଶିଳ୍ପୀ ଦେବୀ ପ୍ରସନ୍ନ ନନ୍ଦ କହିଛନ୍ତି, ‘‘ଐତିହ୍ୟ ରଘୁରାଜପୁରର ଉନ୍ନତି ପାଇଁ ସରକାର ଅର୍ଥ ମଞ୍ଜୁର କରିଥିବାରୁ ଏହା ସ୍ବାଗତ ଯୋଗ୍ୟ। ରଘୁରାଜପୁର ଓଡ଼ିଶାର ଏକ ମାତ୍ର ଐତିହ୍ୟ ଗ୍ରାମ। ଏଠାରେ 10 ପ୍ରକାର ହସ୍ତ ଶିଳ୍ପୀ ଅଛନ୍ତି । ଏହା ଆଖ ପାଖ ଗ୍ରାମ ରେ ମଧ୍ୟ ଅନେକ ହସ୍ତ ଶିଳ୍ପୀ ରହିଛନ୍ତି। ସେହି ଅଞ୍ଚଳ ମଧ୍ୟ ବିକାଶ କରାଯାଉ। ରଘୁରାଜପୁରରେ ଆହୁରି ଅନେକ ବିକାଶ ବାକି ରହିଛି। ତାହାର ଉନ୍ନତି ହେବା ଦରକାର। ପର୍ଯ୍ୟଟକ ଙ୍କ ପାଇଁ ଅଧିକ ଶୌଚାଳୟ , ଅଭ୍ୟର୍ଥନା କେନ୍ଦ୍ର, କ୍ୟାଣ୍ଟିନ ରହିବା ଉଚିତ୍। ଏହା ଦ୍ଵାରା ପର୍ଯ୍ୟଟକ ମାନେ ଅଧିକ ସମୟ ଗ୍ରାମରେ ରହିବାକୁ ଇଚ୍ଛା କରିବେ। ରାସ୍ତା ଘାଟର ଉନ୍ନତି ହେବା ଦରକାର। ବ୍ୟାଖ୍ୟାନ କେନ୍ଦ୍ର , ଲାଇବ୍ରେରି ରହିବା ଉଚିତ୍। ତେବେ ଗ୍ରାମ ର ମୌଳିକତା ନଷ୍ଟ ହୋଇ ଗଲେ ରଘୁରାଜପୁର ନିଜର ସତ୍ତା ହରାଇବ। ଏଣୁ ବିକାଶ ହେଉ କିନ୍ତୁ ଗ୍ରାମର ମୌଳିକତା ଯେଭଳି ଅକ୍ଷୁର୍ଣ୍ଣ ରହେ ସେ ଦିଗରେ ସରକାର ଦୃଷ୍ଟି ଦେବା ଉଚିତ୍’’।
କେତେ ଆସୁଛନ୍ତି ପର୍ଯ୍ୟଟକ ? Tourist Place Raghurajpur

ପୁରୀକୁ ଆସୁଥିବା ପର୍ଯ୍ୟଟକ ମାନେ ବୁଲାବୁଲି କରିବା ପରେ ପଟ୍ଟଚିତ୍ର, ତାଳପତ୍ର, ପୋଥି ଚିତ୍ର ଏବଂ ଗୋଟି ପୁଅ ନୃତ୍ୟ ପାଇଁ ପ୍ରସିଦ୍ଧ କଳାଗ୍ରାମ ପୁରୀର ରଘୁରାଜପୁର ଗ୍ରାମ ବୁଲିବାକୁ ଅଧିକ ପସନ୍ଦ କରୁଛନ୍ତି। ପୁରୀ ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ମିଳିଥିବା ସୁଚନା ଅନୁଯାଇ ରଘୁରାଜପୁରକୁ ୨୦୨୨ ରେ ୧ ଲକ୍ଷ ୬୬ହଜାର ୭ଶହ ପର୍ଯ୍ୟଟକଙ୍କ ଆଗମନ ହୋଇଥିଲା। ଗତ ୨୦୨୩ ମସିହାରେ ୨ଲକ୍ଷ ୪୫ ହଜାର ୯୪୦ଜଣ ପର୍ଯ୍ୟଟକଙ୍କ ଆଗମନ ହୋଇଥଲା। ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି କୁ ନଜର ରେ ରଖି ରାଜ୍ୟ ପର୍ଯ୍ୟଟନ ବିଭାଗ ରଘୁରାଜପୁରର ବିକାଶ ପାଇଁ ପ୍ରୟାସ ଆରମ୍ଭ କରିଛି।
- 2022ରେ ରଘୁରାଜପୁର ଆସିଥିଲେ ୧ ଲକ୍ଷ ୬୬ହଜାର ୭00 ପର୍ଯ୍ୟଟକ
- ୨୦୨୩ ମସିହାରେ ଆସିଥିଲେ ୨ ଲକ୍ଷ ୪୫ ହଜାର ୯୪୦ ଜଣ ପର୍ଯ୍ୟଟକଙ୍କ

ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି, ‘‘ରଘୁରାଜପୁରର ସ୍ବତନ୍ତ୍ର ପ୍ରସିଦ୍ଧି ରହିଛି । ଦେଶ ବିଦେଶରୁ ପର୍ଯ୍ୟଟକ ମାନେ ସେଠାକୁ ଯାଇଥାନ୍ତି। ବିଭିନ୍ନ ହସ୍ତ ଶିଳ୍ପ ସାମଗ୍ରୀ ଦେଖିବା ସହ କିଣି ଥାଆନ୍ତି। ଓଡ଼ିଶୀ, ଗୋଟି ପୁଅ ନୃତ୍ୟ ଗୁରୁଙ୍କ ଜନ୍ମସ୍ଥଳୀ ହେଉଚି ରଘୁରାଜପୁର। ପ୍ରତେକ କୋଣ ଅନୁକୋଣରେ କଳା ରହିଛି। ପ୍ରବାସୀ ଭାରତୀୟ ଦିବସରେ ଅନେକ ବିଦେଶୀ ପର୍ଯ୍ୟଟକ, ସିଙ୍ଗାପୁର ରାଷ୍ଟ୍ରପତି ମଧ୍ୟ ରଘୁରାଜପୁର ଯାଇଥିଲେ। ତେବେ ଐତିହ୍ୟ ଗ୍ରାମର ସର୍ବାଙ୍ଗୀନ ବିକାଶ କରାଯିବା ନେଇ ସରକାର ଯୋଜନା କରିଛନ୍ତି। ରଘୁରାଜପୁର ବିକାଶ ପାଇଁ ଅର୍ଥ ବାଧକ ରହିବନି’’।
ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ 17 କୋଟି ଟଙ୍କା ରଘୁରାଜପୁରର ବିକାଶ ପାଇଁ ଅର୍ଥ ବରାଦ ହୋଇଥିବାରୁ ଗ୍ରାମବାସୀ ଓ ଚିତ୍ରଶିଳ୍ପୀଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳିଯାଇଛି। ଆଗାମୀ ଦିନରେ ରଘୁରାଜପୁରର ସମସ୍ୟା ଦୂର ହେବା ସହ ନୁଆ ରୂପ ପାଇବ ଏହି କଳାଗ୍ରାମ। ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଆହୁରି ଆକର୍ଷଣର କେନ୍ଦ୍ର ବିନ୍ଦୁ ହେବ ବୋଲି ସମସ୍ତେ ଆଶା ରଖିଛନ୍ତି।

- କେମିତି ପହଞ୍ଚିବେ ରଘୁରାଜପୁର ?
ଐତିହ୍ୟ ଗ୍ରାମ ରଘୁରାଜପୁରର ଦୂରତା ଓଡ଼ିଶାର ରାଜଧାନୀ ଭୁବନେଶ୍ବରରୁ ପ୍ରାୟ 50 କିଲୋମିଟର । ଏହା ପୁରୀ ସହରଠାରୁ ମାତ୍ର 12 କିଲୋମିଟର ଓ ଚନ୍ଦନପୁରଠାରୁ 1 କିଲୋମିଟର ଦୂରରେ ରହିଛି । ଏହି ଐତିହ୍ୟ ଗ୍ରାମକୁ ବୁଲିବାକୁ ଦେଶ ବିଦେଶରୁ ଅନେକ ପର୍ଯ୍ୟଟକ ପ୍ରତ୍ୟେକ ଦିନ ଆସିଥାନ୍ତି । ପର୍ଯ୍ୟଟକଙ୍କୁ ବିଭିନ୍ନ ଚିତ୍ରକଳା ଦେଖାଇବେ ଓ ସୂଚନା ପ୍ରଦାନ ପାଇଁ ରଘୁରାଜପୁର ଗ୍ରାମରେ ଏକ ପ୍ରଦର୍ଶନୀ କେନ୍ଦ୍ର ରହିଛି । ସେଠାରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ମଧ୍ଯ ହେଇଥାଏ । ଗ୍ରାମରେ ମୋଟ୍ 160 ଟି ପରିବାର ରହୁଛନ୍ତି । 875 ଜଣ ମୋଟ କାରିଗର ରହିଛନ୍ତି । ସମସ୍ତେ ଚିତ୍ରକଳା କରି ନିଜ ପରିବାର ପ୍ରତିପୋଷଣ କରୁଛନ୍ତି । ଅନେକ ଯୁବପିଢ଼ି ଉଚ୍ଚଶିକ୍ଷିତ ଥିଲେ ମଧ୍ୟ ପାରମ୍ପରିକ ଚିତ୍ରକଳାକୁ ଶିକ୍ଷା ଲାଭ କରି ଚିତ୍ରକଳା ବ୍ୟବସାୟ କରୁଛନ୍ତି । କେତେକ ଚିତ୍ରଶିଳ୍ପୀ ଅନଲାଇନ ମଧ୍ୟ ପଟ୍ଟଚିତ୍ର ବ୍ୟବସାୟ କରୁଛନ୍ତି । ପରିବାରରେ ଥିବା ମହିଳାମାନେ ମଧ୍ୟ ଏହି ପାରମ୍ପରିକ ଚିତ୍ରକଳା ଶିଖି ବ୍ୟବସାୟ କରୁଛନ୍ତି । ତେବେ ଅଳ୍ପ ବ୍ୟବସାୟ କରୁଥିବା ପରିବାର ମାସିକ ହାରାହାରି 10 ରୁ 15 ହଜାର ଟଙ୍କା ଯାଏ ରୋଜଗାର କରୁଛନ୍ତି । କେତେକ ପରିବାର ମାସିକ ହାରାହାରି 15 ରୁ 30 ହଜାର ମଧ୍ୟ ରୋଜଗାର କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ ପଟ୍ଟଚିତ୍ର ପାଇଁ ବିଶ୍ୱପ୍ରସିଦ୍ଧ 'ରଘୁରାଜପୁର', ଐତିହ୍ୟ ଗାଁର ସୁବିଧା ଅସୁବିଧାକୁ ନେଇ ଗ୍ରାଉଣ୍ଡ ରିପୋର୍ଟ...
ଏହା ମଧ୍ୟ ପଢନ୍ତୁ ସିଙ୍ଗାପୁର ରାଷ୍ଟ୍ରପତିଙ୍କ ରଘୁରାଜପୁର ଓ କୋଣାର୍କ ପରିଦର୍ଶନ