ଭୁବନେଶ୍ବର: ସରକାରୀ ସ୍କୁଲ ପ୍ରତି ବଢୁଛି ଆଗ୍ରହ । ଅସର ରିପୋର୍ଟରେ ପ୍ରକାଶ ପାଇଲା ଚମକାଇ ଦେବା ଭଳି ତଥ୍ୟ । ରାଜ୍ୟରେ ସ୍କୁଲ ମାନଙ୍କରେ ଡ୍ରପ ଆଉଟ ସମସ୍ୟା ଚିନ୍ତାଜନକ ଥିବାବେଳେ ଏହି ତଥ୍ୟ କିଛି ମାତ୍ରାରେ ଆଶ୍ବସ୍ତି ଆଣିଛି । ଓଡ଼ିଶାରେ ସରକାରୀ ସ୍କୁଲ ପ୍ରତି ଛାତ୍ରଛାତ୍ରୀଙ୍କ ଆକର୍ଷଣ ବଢିବାରେ ଲାଗିଛି। ଦେଶର ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ ଅଧିକ ପିଲା ସରକାରୀ ସ୍କୁଲରେ ପାଠ ପଢୁଛନ୍ତି। ଏପରିକି ରାଜ୍ୟର ସରକାରୀ ସ୍କୁଲରେ ୬- ୧୪ ବର୍ଷ ବୟସର ଛାତ୍ରଛାତ୍ରୀଙ୍କ ହାର ଅନ୍ୟ ରାଜ୍ୟ ଗୁଡ଼ିକଠାରୁ ଅଧିକ ରହିଛି। ସାରା ଦେଶରେ ଏହି ବୟସ ବର୍ଗର ୬୬.୮ ପ୍ରତିଶତ ଛାତ୍ରଛାତ୍ରୀ ସରକାରୀ ସ୍କୁଲରେ ପାଠ ପଢ଼ୁଥିବାବେଳେ ଓଡ଼ିଶାରେ ୮୮.୬ ପ୍ରତିଶତ ଛାତ୍ରଛାତ୍ରୀ ସରକାରୀ ସ୍କୁଲରେ ଶିକ୍ଷାଗ୍ରହଣ କରୁଛନ୍ତି। ଅନୁରୂପ ଭାବରେ ବିଭିନ୍ନ ବର୍ଗରେ ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ଭଲ ପ୍ରଦର୍ଶନ କରିଥିବା ନିକଟରେ ପ୍ରକାଶିତ ବାର୍ଷିକ ଶିକ୍ଷା ସ୍ଥିତି ରିପୋର୍ଟ (ଅସର) ରେ ପ୍ରକାଶିତ ହୋଇଛି।
- କେଉଁ ରାଜ୍ୟରେ କେତେ ପିଲା ପଢୁଛନ୍ତି ?
ରିପୋର୍ଟ ଅନୁସାରେ ୨୦୨୧ ମସିହା ବେଳକୁ ଦେଶର ୭୨% ଛାତ୍ରଛାତ୍ରୀ ସରକାରୀ ବିଦ୍ୟାଳୟରେ ପଢ଼ୁଥିଲେ ହେଁ ୨୦୨୪ ବେଳକୁ ଏହା ହ୍ରାସ ପାଇ ୬୬.୮% ରେ ପହଞ୍ଚିଛି। ମାତ୍ର ଓଡ଼ିଶାରେ ସରକାରୀ ସ୍କୁଲ ପ୍ରତି ପିଲାମାନଙ୍କ ଆକର୍ଷଣ ଅଧିକ ରହିଛି। ୨୦୧୮ରେ ୮୮% ପିଲା ସରକାରୀ ସ୍କୁଲରେ ପାଠ ପଢ଼ୁଥିଲେ । ଏବେ ବି ୮୮.୬% ପିଲା ସରକାରୀ ସ୍କୁଲର ଶିକ୍ଷାର୍ଥୀ ରହିଛନ୍ତି। ସର୍ବଭାରତୀୟ ସ୍ତରରେ ଏ କ୍ଷେତ୍ରରେ ଓଡ଼ିଶା ଦ୍ବିତୀୟ ସ୍ଥାନରେ ରହିଛି। ତେବେ ପ୍ରଥମ ସ୍ଥାନରେ ରହିଛି

ପଶ୍ଚିମବଙ୍ଗ ଯେଉଁ ରାଜ୍ୟରେ ୮୯.୬ ପ୍ରତିଶତ ପିଲା ସରକାରୀ ସ୍କୁଲରେ ପାଠ ପଢୁଛନ୍ତି। ଓଡ଼ିଶା ପଛକୁ ଗୁଜୁରାଟରେ ୮୬.୫% ଓ ଛତିଶଗଡ଼ରେ ୮୦.୬% ପିଲା ସରକାରୀ ସ୍କୁଲରେ ପାଠ ପଢୁଛନ୍ତି।
- ଖୁସିବ୍ୟକ୍ତ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ
ବିଭିନ୍ନ ବର୍ଗରେ ଜାତୀୟ ହାର ତୁଳନାରେ ଉତ୍ତମ ପ୍ରଦର୍ଶନ କରିଥିବାରୁ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ‘ଏକ୍ସ’ ହ୍ୟାଣ୍ଡେଲ୍ରେ ଏକ ପୋଷ୍ଟ କରି ଖୁସି ବ୍ୟକ୍ତ କରିଛନ୍ତି। ‘୫-ଟି’ ଉପକ୍ରମରେ ଓଡ଼ିଶାର ବିଦ୍ୟାଳୟ ରୂପାନ୍ତରଣକୁ ନିରନ୍ତର ଭାବେ ଧ୍ୟାନ ଦିଆଯାଇଛି। ଫଳରେ ଦେଶର ଶିକ୍ଷା ବ୍ୟବସ୍ଥା ତୁଳନାରେ ଓଡ଼ିଶା ଉକ୍ରୃଷ୍ଟ ପ୍ରଦର୍ଶନ କରିପାରିଛି ବୋଲି ନବୀନ କହିଛନ୍ତି।
- କାହିଁକି ସରକାରୀ ସ୍କୁଲ ପ୍ରତି ଆକର୍ଷିତ ହେଉଛନ୍ତି ?
ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଦ୍ୟାଳୟ ଶିକ୍ଷାକୁ ସୁଦୃଢ଼ କରିବା ପାଇଁ ନବୀନ ସରକାର ୫-ଟି ଉପକ୍ରମରେ ଶିକ୍ଷାର ରୂପାନ୍ତରୀକରଣ ଆରମ୍ଭ କରିଥିଲେ। ମାନବୃଦ୍ଧି ସହ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାକୁ ବିଭିନ୍ନ ପଦକ୍ଷେପ ନି ଯାଇଥିଲା। ବିଦ୍ୟାଳୟର ମୌଳିକ ଆବଶ୍ୟକତା ସ୍ୱରୁପ ସ୍ମାର୍ଟ କ୍ଲାସରୁମ, ଇ-ଲାଇବ୍ରେରୀ, ଉନ୍ନତମାନର ବିଜ୍ଞାନାଗାର, ପାନୀୟ ଜଳ ବ୍ୟବସ୍ଥା, ଶୌଚାଳୟ, ଖେଳ ପଡ଼ିଆର ଉନ୍ନତିକରଣ ଓ ଶୈକ୍ଷିକ ସମୃଦ୍ଧି ଭଳି ବ୍ୟବସ୍ଥାର ଉନ୍ନତିକରଣ ହୋଇଥିଲା। ଏପରିକି ଉଚ୍ଚ ବିଦ୍ୟାଳୟରେ ୪ଟି କ୍ଳବ ଯଥା ଜିଜ୍ଞାସା, କୌଶଳୀ, ସାହିତ୍ୟ ସୃଜନୀ ଓ କ୍ରୀଡ଼ାଙ୍ଗନ ଗଠନ କରି ମେଧା ଶକ୍ତି ବିକଶିତ ପାଇଁ ପଥ ଉନ୍ମୁକ୍ତ କରିଥିଲା। ଯାହାର ପ୍ରତିଫଳନ ଅସର ରିପୋର୍ଟରେ ଦେଖାଯାଇଥିବା ଶିକ୍ଷାବିତମାନେ ମତବ୍ୟକ୍ତ କରିଛନ୍ତି। ଶିକ୍ଷା ବ୍ୟବସ୍ଥାରେ ଉକ୍ରୃଷ୍ଟ ପାଇଁ ‘୫-ଟି’ ଏକ ଉତ୍ତମ ମଡେଲ ବୋଲି ମଧ୍ୟ ସେମାନେ କହିଛନ୍ତି।

ଏହା ମଧ୍ୟ ପଢନ୍ତୁ ଓଡିଶାରେ ଷୋଡ଼ଶ ଅର୍ଥ କମିଶନ, ମୁଖ୍ୟମନ୍ତ୍ରୀଙ୍କ ସହ କରିବେ ବୈଠକ
ଏହା ମଧ୍ୟ ପଢନ୍ତୁ ବିସ୍କୁଟ ଆଣିବାକୁ ଯାଇ ଫେରିଲାନି କୁନିଝିଅ, ନନ୍ଦନକାନନ ରାସ୍ତାରେ ମାଡିଗଲା ‘ମୋ ବସ୍’
- ପ୍ରାଥମିକ ସ୍କୁଲରେ କ୍ରୀଡା ଉପକରଣ ଅଛି, ଭିତ୍ତିଭୂମି ନାହିଁ
ଛାତ୍ରଛାତ୍ରୀଙ୍କ ବୈଶିକ ବିକାଶ ପାଇଁ କ୍ରୀଡ଼ା ଜରୁରୀ ଅଟେ। ଖେଳ ଦ୍ଵାରା ଶିଶୁର ମାନସିକ ଓ ଶାରୀରିକ ବିକାଶ ହେବ। ଏହା ଦ୍ଵାରା ଶିକ୍ଷା ପ୍ରତି ମଧ୍ୟ ଆଗ୍ରହ ବଢ଼ିବ। ଶିଶୁମାନେ ଦୈନିକ ସ୍କୁଲ ଆସି ଶିକ୍ଷା ଗ୍ରହଣ କରିବା ପାଇଁ ଆଗ୍ରହ ପ୍ରକାଶ କରିବେ। ଏହା ଜାତୀୟ ଶିକ୍ଷା ନୀତି ୨୦୨୦ ରେ ଉଲ୍ଲେଖ ରହିଛି। ତେବେ ନିକଟରେ ପ୍ରକାଶ ପାଇଥିବା ଅସର ରିପୋର୍ଟରେ ଆସିଛି ଆଶ୍ଚର୍ଜ୍ଯାଜନିତ ତଥ୍ୟ। ତେବେ ରିପୋର୍ଟ ଅନୁଯାୟୀ, ୯୨.୪ ପ୍ରତିଶତ ସ୍କୁଲରେ ଶିକ୍ଷା ଉପକରଣ ରହିଛି। ହେଲେ ୫୬.୯ ପ୍ରତିଶତ ସ୍କୁଲରେ ଖେଳ ପଡ଼ିଆଟିଏ ନାହିଁ। ଅସର ରିପୋର୍ଟରେ ଏହା ମଧ୍ୟ ଦର୍ଶଯାଉଛି ଯେ ୯୫.୯ ପ୍ରତିଶତ ସ୍କୁଲରେ ଖେଳ ପାଇଁ ସମୟ ସାରଣୀ ଦିଆଯାଇଛି। ମାତ୍ର ୨୮.୬ ପ୍ରତିଶତ ସ୍କୁଲରେ ସ୍ବତନ୍ତ୍ର ଭାବେ ଶାରୀରିକ ଶିକ୍ଷା ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଛି।

ତେବେ ପ୍ରାଥମିକ ସ୍କୁଲ ମାନଙ୍କରେ କ୍ରୀଡ଼ାର ଭିତ୍ତିଭୂମି ନାହିଁ। ପିଲା ଖେଳିବେ କେଉଁଠି ? ପୂର୍ବରୁ ଅନେକ ସ୍କୁଲରେ ପିଲାଙ୍କ ଖେଳିବା ପାଇଁ ନିର୍ମିତ ଖେଳ ଉପକରଣରୁ ଅନେକ ଉପକୃତ ହେଉଛନ୍ତି। ଏପଟେ ଶିକ୍ଷାବିତ ଜଲିଲ ଖାନ କହିଛନ୍ତି ଯେ, "ସରକାରୀ ସ୍କୁଲ ରେ ପିଲାମାନଙ୍କ ଆଗ୍ରହ ବଢିବା ସ୍ଵାଗତଯୋଗ୍ୟ ଅଟେ। ଏଇ କିଛି ଦିନ ହେଲା ସରକାରୀ ସ୍କୁଲଗୁଡିକରେ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଭିତ୍ତିଭୂମି ଏବଂ ମୌଳିକ ଶିକ୍ଷା ଆଦି ବହୁ ମାତ୍ରାରେ ପରିବର୍ତ୍ତନ ଆସିଛି। ଯେମିତିକି ସରକାରୀ ସ୍କୁଲରେ ସ୍ମାର୍ଟ କ୍ଳାସ, ଇ ଲାଇବ୍ରେରୀ ସହ ସ୍ମାର୍ଟ କ୍ଳାସ ରୁମ ଆଦି କରାଯାଇଛି। ଏହା ସହ ପିଲାଙ୍କର ମୌଳିକ ବିକାଶରେ ଉନ୍ନତି ହେବା ପାଇଁ ବିଭିନ୍ନ ପ୍ରକାରର ଯୋଜନା ଆପଣାଯାଇଥିଲା। ବର୍ତ୍ତମାନ ସରକାରୀ ସ୍କୁଲର ପିଲାମାନେ ଅଧାରୁ ପାଠ ଛାଡିଥିଲେ ସେମାନଙ୍କୁ ପୁଣିଥରେ ସ୍କୁଲକୁ ଆଣିବା ପାଇଁ ସରକାର ଯୋଜନା କରିଛନ୍ତି। ଯାହା ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନା ନାମରେ ରଖାଯାଇଛି।
- ଆସର ରିପୋର୍ଟ କଣ ?
ଏନଜିଓ ସଂସ୍ଥା ପ୍ରଥମ ଗତ 2005ରୁ ଆନୁଆଲ ଷ୍ଟାଟସ ଅଫ ଏଜୁକେସନ ରିପୋର୍ଟ (ଆସର) ରିପୋର୍ଟ ପ୍ରକାଶ କରୁଛି । ସରକାରୀ ସ୍କୁଲର ବିଭିନ୍ନ ନିୟମାବଳୀକୁ ନେଇ ବାର୍ଷିକ ରିପୋର୍ଟ ପ୍ରସ୍ତୁତ କରିଥାଏ ପ୍ରଥମ ଏନଜିଓ ସଂସ୍ଥା । ଗତ 2024ରେ 605 ଜିଲ୍ଲାରେ ଥିବା 17 ହଜାର 997 ସ୍କୁଲର 6 ଲକ୍ଷ 49 ହଜାର 491 ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଆସର ରିପୋର୍ଟ ପ୍ରସ୍ତୁତ କରିଥିଲା ଏହି ସଂସ୍ଥା ।

- ମାଧୋ ସିଂ ହାତଖର୍ଚ୍ଚ ଯୋଜନା
ଓଡିଶା ସରକାର 2024-25 ବର୍ଷ ପାଇଁ ମାଧୋ ସିଂ ହାତଖର୍ଚ୍ଚ ଯୋଜନା ଲଞ୍ଚ କରିଛନ୍ତି । ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ସ୍କୁଲ ଡ୍ରପଆଉଟ ସମସ୍ୟାକୁ ଦୂର କରିବା ପାଇଁ ଏହି ପଦକ୍ଷେପ ନେଇଛନ୍ତି ମୋହନ ସରକାର । ଏହି ଯୋଜନାରେ ନବମ ଓ ଏକାଦଶ ଛାତ୍ରଛାତ୍ରୀଙ୍କୁ ମିଳିବ 5 ହଜାର ଟଙ୍କା । ଏଥିଯୋଗୁଁ ୨ ଲକ୍ଷରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଉପକୃତ ହେବେ । ଦଶମ ଓ ଦ୍ବାଦଶ ଛାତ୍ର ଛାତ୍ରୀ ଏହି ସୁବିଧା ପାଇବେ । ଅନୁସୂଚିତ ଜାତି ଜନଜାତି ଛାତ୍ରଛାତ୍ରୀ ଏହି ସୁବିଧା ପାଇବେ । ୮୦ କୋଟି ଟଙ୍କା ପ୍ରଦାନ କରାଯାଇଛି ।