Maa Budhi Thakurani Jatra 7th day puja ବ୍ରହ୍ମପୁର (ଗଞ୍ଜାମ): ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରାର ସପ୍ତମ ଦିବସରେ ମାଉସୀ ମା'ଙ୍କ ଘରେ ମାଆ । ମାଆଙ୍କ ଘଟ ମାଉସୀ ମାଆ ଘର ପରିକ୍ରମାର ପରମ୍ପରା ନିଆରା । ଯାହାକି ମାଆଙ୍କର ଘଟ ପରିକ୍ରମାର ପଞ୍ଚମ ଦିବସରେ ଅନୁଷ୍ଠିତ ହୋଇଥାଏ । ମାଉସୀ ମାଆଙ୍କ ଘରେ ମାଆଙ୍କୁ ଲାଗି ହୁଏ କାକରା ପିଠା ।
Budhi Thakurani Visits Aunt's House:
ତିନି ଥର ମାଉସୀ ମା' ଘରକୁ ଯାଆନ୍ତି ମାଆ : ପ୍ରତି ଦୁଇ ବର୍ଷରେ ଥରେ ଆୟୋଜିତ ହୁଏ ମାଆ ବୁଢ଼ିଆଣୀ ଠାକୁରାଣୀ ଯାତ୍ରା । ଗତକାଲି (ବୁଧବାର) ଥିଲା ଯାତ୍ରାର ସପ୍ତମ ଦିନ । ମାଆ ପୂରା ଯାତ୍ରା ସମୟରେ ୩ ଥର ମାଉସୀ ମାଆଙ୍କ ଘରକୁ ଯାଇଥାନ୍ତି । ପ୍ରଥମେ ୭ ଦିନରେ, ପରେ ୧୪ ଦିନରେ ଏବଂ ତୃତୀୟରେ, ଯାତ୍ରାର ଶେଷ ଦିନ ବା ଯାତ୍ରାର ଅନ୍ତିମ ଦିବସରେ ମାଆ ବୁଢ଼ି ଠାକୁରାଣୀ, ମାଉସୀ ମାଆଙ୍କ ଘରକୁ ଯାତ୍ରା କରିବାର କାହିଁ କେଉଁ କାଳରୁ ପରମ୍ପରା ରହି ଆସିଛି ।
ପରମ୍ପରା ଓ ରୀତିନୀତିକୁ ନେଇ ଆୟୋଜିତ ହେଉଥିବା ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରାର ଚଳିତବର୍ଷର ସପ୍ତମ ଦିବସରେ ଏବଂ ଘଟ ପରିକ୍ରମାର ପଞ୍ଚମ ଦିନରେ ମାଉସୀ ମାଆ ଘରକୁ ଯାତ୍ରା କରନ୍ତି । ସେଠାରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିବାର ନଜିର ରହିଛି । ମାଆ ନିଜ ବାପ ଘରକୁ ଆସିଥିବାରୁ ଏହି ସମୟରେ ମାଉସୀ ମାଆଙ୍କର ନିମନ୍ତ୍ରଣ ପାଇ ବାପାଙ୍କର ଅନୁମତି ନେଇ ବାହାରିଥାନ୍ତି ଜଉରା ସାହି ସ୍ଥିତ ମାଉସୀ ମାଆ ଘର । କୁହାଯାଏ ଯାତ୍ରା ଆରମ୍ଭ ହେବାର ସାତ ଦିନ ପରେ ମା'ଙ୍କ ସୁରକ୍ଷା କବଚ ଭାବେ ରାଜା, କଟୁଆଳ ଓ ପାଇକ ସମେତ ସୁରକ୍ଷା କର୍ମୀହ୍କ ଗହଣରେ ମାଆ, ମାଉସୀ ମା'ଙ୍କ ଘରକୁ ଯାଆନ୍ତି ।
Significance Of Budhi Thakurani Festival:
ମାଉସୀ ମାଆଙ୍କ ସଂପର୍କରେ କିମ୍ୱଦନ୍ତୀ: କୁହାଯାଏ, ପୂର୍ବରୁ ରାଜା ରାଜୁଡ଼ା ଶାସନ ସମୟରେ ବ୍ରିଟିଶମାନେ ବିରୋଧ କରିବା ସହ ତାହାକୁ ଦମନ କରିବା ପାଇଁ ରାଜାମାନଙ୍କ ଦୁର୍ଗକୁ ଗୋଟିଏ ପରେ ଗୋଟିଏ ସ୍ଥାନରେ କବଜା କରୁଥିଲେ । ସେହି ସମୟରେ ମହୁରୀ ରାଜାଙ୍କ ତତ୍ତ୍ୱାବଧାନରେ ମାଆଙ୍କ ଯାତ୍ରା ପରିଚାଳିତ ହେଉଥିବା ବେଳେ, ବ୍ରିଟିଶମାନଙ୍କ ଭୟରେ ତତକାଳୀନ ମହୁରୀ ରାଜା, ମାଆଙ୍କୁ ଜଉରା ସାହି ସ୍ଥିତ ବର୍ତ୍ତମାନର ଏମ୍. ଶ୍ରୀନିବାସ ରାଓଙ୍କ ବଂଶର ପୂର୍ବଜଙ୍କ ଘରେ ଲୁଚାଇ ରଖିଥିବା ଲୋକକଥା ରହିଛି । ଯାହାକି ସେହି ସମୟରୁ ସହରର ଜଉରା ସାହିରେ ଶ୍ରୀନିବାସଙ୍କ ପରିବାର ବଂଶ କ୍ରମେ ମାଆ ବୁଢ଼ୀ ଠାକୁରାଣୀଙ୍କ ମାଉସୀ ମାଆ ଭାବେ ପରିଚିତ । ସେହି ସମୟରୁ ମାଆଙ୍କ ଘଟ ପରିକ୍ରମା ବେଳେ ସର୍ବଦା ସୈନ୍ୟ ସାମନ୍ତଙ୍କ ସମେତ ପୋଲିସ ସାଙ୍ଗରେ ରହିଥିବା ଯୋଗୁଁ ଆଜି ବି ସେହି ପରମ୍ପରା ଜାରି ରହିଛି । ଯାହାକି ପ୍ରତି ଦୁଇ ବର୍ଷକୁ ଥରେ ବାପା ଘରକୁ ଆସିବା ସମୟରେ ମାଆଙ୍କ ରହଣି ମଧ୍ୟରେ ମାଆ ବୁଢୀ ଠାକୁରାଣୀ ତିନି ଥର ମାଉସୀ ମାଆଙ୍କ ଘରକୁ ଯାଇଥାନ୍ତି ।
ମାଉସୀ ମାଆ ପରିବାରର ବୋହୂ ସୁନିତା କୁହନ୍ତି " ମାଆଙ୍କ ଯାତ୍ରା ଅତ୍ୟନ୍ତ ପୁରାତନ । ବୁଢ଼ୀ ଠାକୁରାଣୀ ଯେତେବେଳେ ନିଜ ମାଆ ଘରକୁ ଝିଅ ଭାବେ ବୁଲିବାକୁ ଆସିଥାନ୍ତି, ସେହି ସମୟରେ ମାଉସୀ ମାଆଙ୍କ ଘରକୁ ମଧ୍ୟ ବୁଲି ଆସିଥାନ୍ତି । ଚଳିତବର୍ଷ ମାଆଙ୍କ ଯାତ୍ରା ସାତ ଦିନରେ ଆଗମନକୁ ନେଇ ଘରେ ସ୍ୱାଗତ କରିବା ପାଇଁ ସୁନ୍ଦର ଝୋଟି ପକାଇଥିଲୁ । ମାଆଙ୍କ ନିକଟରେ କଦଳୀ ନଡିଆ ଓ ଗଜା ଭୋଗ କରାଯାଇଛି । ଏପରିକି ମାଆଙ୍କ ଯାତ୍ରାର ଶେଷ ଦିନ ପୋଡ଼ପିଠା ଭୋଗ କରାଯାଏ । "
ମାଆଙ୍କ ମୁଖ୍ୟ ପୀଠ ପୂଜକଙ୍କ କହିବା କଥା "ମହାପ୍ରଭୁ ଶ୍ରୀଜଗନ୍ନାଥ ଯେପରି ମାଉସୀ ମାଆଙ୍କ ଘରେ ଯାଇ ପୋଡ଼ ପିଠା ଖାଆନ୍ତି, ଠିକ୍ ସେହିପରି ମାା ଜଗତଜନନୀ ବୁଢ଼ୀ ଠାକୁରାଣୀ ସପ୍ତମ ଦିନରେ ମାଉସୀ ମାଆଙ୍କ ଘରକୁ ଯାଇ କାକରା ପିଠା ଖାଇ ସେଠାରୁ ବିଭିନ୍ନ ସାହିକୁ ପରିକ୍ରମା କରିଥାନ୍ତି । "
ମାଆ ବୁଢ଼ୀ ଠାକୁରାଣୀଙ୍କ ସାହି ପରିକ୍ରମା:
ମାଆ ବୁଢ଼ୀ ଠାକୁରାଣୀ, ସପ୍ତମ ଦିବସରରେ ପୁରୁଣା ବ୍ରହ୍ମପୁର ସାହି , ଖଣ୍ଡିଆ ସାହି , ଶଙ୍କାରି ସାହି ଏବଂ ତାର ପାର୍ଶ୍ୱବର୍ତ୍ତୀ ବିଭିନ୍ନ ସାହି ପରିକ୍ରମା କରନ୍ତି । ବିଭିନ୍ନ ସାହିରେ ବାହାରୁଥିବା କଳାକୁଞ୍ଜ କର୍ଣ୍ଣ , ହରି ଅର୍ଜୁନ , ହନୁମାନ, ଜଗନ୍ନାଥ ଭଳି ବିଭିନ୍ନ ରଥ ଓ କଳାକୁଞ୍ଜକୁ ନିମନ୍ତ୍ରଣ କରାଯାଇଥିଲା । ମାଉସୀ ମାଆଙ୍କ ଘରେ ମାଆ ପହଞ୍ଚିବା ପୂର୍ବରୁ ତାଙ୍କ ପରିବାର ବର୍ଗ ୨୦ ମିଟର ଦୂରରୁ ମାଆଙ୍କୁ ଆସି ନିମନ୍ତ୍ରଣ କରି ନେଇଥିଲେ । ସେହି ସମୟରେ ମାଆଙ୍କୁ କାକରା, ଗଜା ଭଳି ବିଭିନ୍ନ ମିଷ୍ଟାନ୍ନ ଭୋଗ ଲାଗି କରାଯାଇଥିଲା । ଏହାସହ ମାଆଙ୍କୁ ନୂଆ ବସ୍ତ୍ର ପ୍ରଦାନ କରାଯାଇଥିଲା । "
ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ଉତ୍ସବ ମୁଖର ବ୍ରହ୍ମପୁର । ଏଥର ମାଆଙ୍କ ଯାତ୍ରା ଏପ୍ରିଲ ୩ ତାରିଖରୁ ଆରମ୍ଭ ହୋଇଥିବା ବେଳେ, ଏପ୍ରିଲ ୨୬ ତାରିଖରେ ସଂପନ୍ନ ହେବାର କାର୍ଯ୍ୟକ୍ରମ ରହିଛି ।
ଇଟିଭି ଭାରତ, ବ୍ରହ୍ମପୁର