BUILDER SASMIT BISWAL MURDER CASE ଭୁବନେଶ୍ବର: ରାଜଧାନୀରେ ବିଲଡର ସସ୍ମିତ ବିଶ୍ବାଳ ଓରଫ ଚିନୁ ହତ୍ୟାକାଣ୍ଡ ମାମଲାରେ 3 ଜଣଙ୍କ ଗିରଫ କରିଛି ଏୟାରଫିଲଡ ଥାନା ପୋଲିସ । ଆଉ 4 ଜଣ ଫେରାର ରହିଥିବା ବେଳେ ସେମାନଙ୍କୁ ଧରିବା ପାଇଁ ଛାନଭିନ୍ ଚଳାଇଛି ପୋଲିସ । ବିଲଡର ହତ୍ୟାକାଣ୍ଡରେ ଜଣେ ହୋମଗାର୍ଡ ଥିଲା ଷଡଯନ୍ତ୍ରକାରୀ । ଜାଗା ବାଡିକୁ ନେଇ ହେଇଥିବା ଗଣ୍ଡଗୋଳ ଉଗ୍ରରୂପ ଧାରଣ କରି ହତ୍ୟାକାଣ୍ଡରେ ପରିଣତ ହୋଇଥିଲା ।
ବିଲଡର ହତ୍ୟାକାଣ୍ଡ ମାମଲାରେ 3 ଗିରଫ:


ଡିସିପି ଜଗମୋହନ ମୀନାଙ୍କ ସୂଚନା ଅନୁସାରେ, ମୁଖ୍ୟ ଅଭିଯୁକ୍ତ ଓ ମୃତକ ସସ୍ମିତ ବିଶ୍ବାଳ ପାର୍ଟନର ଭାବରେ ଏୟାରଫିଲଡ ଥାନା ବୋତଣ୍ଡା ଜାମୁକୋଳି ପ୍ରଧାନସାହି ନିକଟରେ ଏକ ପ୍ଲଟ କରିଥିଲେ । ପରେ ଜମି କିଣାବିକାକୁ ନେଇ ବିବାଦ ହେବା ପରେ ଏହାକୁ ନେଇ ଅଭିଯୁକ୍ତଙ୍କ ସହ ସସ୍ମିତଙ୍କ ଗଣ୍ଡଗୋଳ ହୋଇଥିଲା । ଏପରିକି ସେଠାରେ ପଥର ପକାଇବା ଆରମ୍ଭ କରି ଜାଗା ଉପରକୁ ଯିବା ପାଇଁ ରାସ୍ତା ନ ଦେବା, ସେଠାରେ ୧୪ରୁ ୧୫ ଏକର ଜାଗାର ପାଚେରୀ କରିବା ବେଳେ ପାଚେରୀ ଭାଙ୍ଗିବା ଓ ପରେ ସେଠାରେ ଗଣ୍ଡଗୋଳର ମାହୋଲ ସୃଷ୍ଟି କରି ବିଲଡର ସସ୍ମିତଙ୍କୁ ଧମକାଉ ଥିଲା ଅଭିଯୁକ୍ତ । ଗତ ବର୍ଷ ଡିସେମ୍ବର ମାସରେ ମଧ୍ୟ ପଥର ପକାଇବାକୁ ନେଇ ସସ୍ମିତଙ୍କ ସହ ଅଭିଯୁକ୍ତର ଗଣ୍ଡଗୋଳ ହୋଇଥିଲା । ଏନେଇ ସସ୍ମିତ ଥାନାରେ ଏତଲା ମଧ୍ୟ ଦେଇଥିଲେ । ସେବେଠୁ ଲାଗିରହିଥିବା ଗଣ୍ଡଗୋଳ ଗତକାଲି (ଶୁକ୍ରବାର) ଉଗ୍ରରୁପ ନେଇଥିଲା । ଗତକାଲି ସକାଳ ସମୟରେ ଜାଗା ଉପରକୁ ଯାଇ ପୋଲିସ ଟିମ୍ ସମାଧାନ କରି ଫେରିଥିଲା ।
ପରେ ଜାଗା ଡିସପୁଟ ନେଇ ପଜେସନ ପାଇଁ ମୃତକ ସସ୍ମିତ ବିଶ୍ବାଳ ଓରଫ ଚିନୁ ସେଠାକୁ ଯାଇଥିଲେ । ସେଠାରେ ପୁଣି ସସ୍ମିତଙ୍କ ସହ ଅଭିଯୁକ୍ତଙ୍କ ଗଣ୍ଡଗୋଳ ହୋଇଥିଲା । ପରେ ସସ୍ମିତ ଆଉ ଘରକୁ ଫେରିନଥିଲେ । ଗତକାଲି ସେହି ଜାଗା ପାଖରେ ଥିବା ଏକ ପଡ଼ିଆରେ ସସ୍ମିତ ଓରଫ ଚିନଙ୍କୁ ମୃତଦେହ ପଡ଼ିଥିଲା । ପଡ଼ିଆ ପାଖରେ ଖେଳୁଥିବା ପିଲାମାନେ ମୃତଦେହ ପଡ଼ିଥିବା ନେଇ ପୋଲିସକୁ ଖବର ଦେଇଥିଲେ । ମୃତଦେହ ହସ୍ପିଟାଲ ପହଞ୍ଚିବା ପରେ ଡ଼ାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ମୃତଦେହର ପୋଷ୍ଟମର୍ଟମ ହୋଇଥିଲା । ସେହି ସମୟରେ ଜଣାପଡିଥିଲା ଯେ, ମୃତକଙ୍କ ହାତ ଓ ଗୋଡ଼ରେ ଶକ୍ତ ଆଘାତ ରହିଛି । ଅର୍ଥାତ କେହି ତାକୁ ପିଟି ପିଟିପିଟି ହତ୍ୟା କରି ସେଠାରେ ପକାଇଛନ୍ତି ।
ବିବାଦ ନେଇ ପୂର୍ବରୁ ମାମଲା ହୋଇଥିଲା:

ସସ୍ମିତଙ୍କୁ ହତ୍ୟା ନେଇ ଲିଖିତ ଅଭିଯୋଗ ହେବା ପରେ ହତ୍ୟାରେ ସମ୍ପୃକ୍ତ ଥିବା ଏୟାରଫିଲଡ ଥାନା ପ୍ରଧାନ ସାହିର ଗୁଲୁ ମହାନ୍ତି (34), ମନୋଜ ବେହେରା (31), ହୋମଗାର୍ଡ ସୁକାନ୍ତ ବେହେରା (41)କୁ ଗିରଫ କରାଯାଇଛି । ତେବେ ଏହି ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ ସୁକାନ୍ତ ବେହେରା ଏୟାରଫିଲ୍ଡ ଥାନାରେ କାର୍ଯ୍ୟରତ ଥିଲେ । ଥାନାରେ ଥାଇ ଏଭଳି ଜାଗା ବାଡି ବା କାରବାରରେ ମୁଣ୍ଡ ପୁରାଉଥିଲେ । ଏଥିପାଇଁ ବିଲଡରକୁ ଜାଗା ଉପରକୁ ଯିବା ପାଇଁ ବାରଣ କରୁଥିଲେ । ପୂର୍ବରୁ ଅନେକ ଥର ଏନେଇ ମାମଲା ହୋଇଥିବା ବେଳେ ପୋଲିସ ଘଟଣାରେ କୌଣସି ଆକ୍ସନ ନେଇ ନଥିଲା ବୋଲି ମୃତକଙ୍କ ଭାଇ ଅଭିଯୋଗ ଆଣିଥିଲେ ।

ଏନେଇ 748 ନମ୍ବର ହୋମଗାର୍ଡ ସୁକାନ୍ତ ବେହେରାଙ୍କ ନାଁରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି । ଡିସିପିଙ୍କ ପାଖରେ ତାଙ୍କର କାରନାମା ନେଇ ଏକ ଚିଠି ପହଁଚିଛି । ଯେଉଁଠି ତାଙ୍କ ନାଁରେ 281/24ରେ ଏକ କେସରେ ସମ୍ପୃକ୍ତ ସହ 67/25 କେସରେ ଓ ଏବେ 105/25 ନମ୍ବର କେସରେ ମଧ୍ୟ ସମ୍ପୃକ୍ତ ଥିବା ପୋଲିସ ରେକର୍ଡରୁ ଜଣାପଡିଛି । ଭୁବନେଶ୍ୱର ଡିସିପି କହିଛନ୍ତି, "ଏଫଆଇଆରରେ ଷଡ଼ଯନ୍ତ୍ରକାରୀ ହିସାବରେ ତାର ନାମ ରହିଛି । ଆମେ ତାକୁ ଅଟକ ରଖିଛୁ । ତାର କଲ ରେକର୍ଡ ସହ ଅନ୍ୟାନ୍ୟ ଦିଗ ନେଇ ଯାଞ୍ଚ ହେବ ।"

କେମିତି ମାରିଲେ, ତଦନ୍ତ ଚାଲିଛି:
ଏନେଇ ଭୁବନେଶ୍ୱର ଡିସିପି କହିଛନ୍ତି, "ସେମାନେ କେମିତି ମାରିଲେ ସେନେଇ ତଦନ୍ତ ଚାଲିଛି । ସେମାନଙ୍କୁ ଅଟକ ରଖାଯାଇ ପଚରାଉଚରା ଚାଲିଛି । 4 ଅଭିଯୁକ୍ତ ଫେରାର ଅଛି । ପୋଲିସ ଘଟଣାସ୍ଥାଳରେ କ'ଣ ଘଟିଥିଲା ସେନେଇ ତଦନ୍ତ କରୁଛି । ସାଇଣ୍ଟିଫିକ ଟିମ୍ ମଧ୍ୟ ପହଞ୍ଚି ତଦନ୍ତ କରିଛି । ହତ୍ଯାର ଅନ୍ୟ କ'ଣ ସବୁ ଦିଗ ରହିଛି ସେନେଇ ତଦନ୍ତ ଚାଲିଛି । କେବଳ ପରିବାର ଲୋକ ଦେଇଥିବା 7 ଜଣ ଅଭିଯୁକ୍ତ ନାଁରେ କେସ ରୁଜୁ ହୋଇଛି । ଆଉ କେହି ସମ୍ପୃକ୍ତ ରହିଛିନ୍ତି ନାହିଁ ପୋଲିସ ତଦନ୍ତ ଜାରି ରଖିଛି ।"
ରାଜଧାନୀରେ ଚଳିତ ବର୍ଷର କିଛି ବଡ଼ ଘଟଣା ଉପରେ ନଜର:- ଚଳିତ ବର୍ଷ ଆରମ୍ଭରୁ ରାଜଧାନୀରେ ହତ୍ୟା ଲୁଟ ଓ ମହିଳ ଅପରାଧି ନେଇ ଘଟଣା ଏବେ ଚରମ ସୀମାରେ ପହଁଚିଛି । ବର୍ଷ ଆରମ୍ଭରୁ ଅର୍ଥାତ୍ ଗତ ଜାନୁଆରୀ ୮ ତାରିଖ ପ୍ରବାସୀ ଭାରତୀୟ ଦିବସ ଚାଲୁଥିବା ସମୟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯକ୍ରମ ପାଇଁ ସହର ସଜେଇ ହୋଇଥିବା ବେଳେ ରାଜଧାନୀର ରାଜରାସ୍ତା ଉପରେ ସହଦେବ ନାୟକ ନାମକ ଜଣେ ପୋଲିସ ଇନଫରମରକୁ ସଂଘବଦ୍ଧ ଭାବେ ରାସ୍ତା ଉପରେ ହାଣି ହତ୍ୟା କରିଥିଲେ ହତ୍ୟାକାରୀ । ଏହା ପଛରେ ୭ ଜଣ ଅପରାଧି ଗିରଫ ହୋଇଥିବା ବେଳେ ହତ୍ୟାର ବିଭତ୍ସ କାହାଣୀ ଦେଖିଥିଲେ ରାଜଧାନୀବାସୀ ।
- ଫେଵୃଆରୀ ୧୬ ତାରିଖରେ ମଞ୍ଚେଶ୍ବର ଥାନା ଅଞ୍ଚଳରେ ଜଣେ ପୋଲିସ କଣ୍ଟ୍ରୋଲ ରୁମରେ କାର୍ଯ୍ୟତର ଯୁବତୀଙ୍କୁ ବିଚ୍ ବଜାରରେ ବିବସ୍ତ୍ର କରି ଅସଦାଚରକଣ କରିବା ଭଳି ଘଟଣା ସାମ୍ନାକୁ ଆସଥିଲା । ଏହାର ସିସିଟିଭି ଭିଡିଓ ସାମ୍ନାକୁ ଆସିବା ପରେ ପୋଲିସ ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରିଥିଲା ।
- ସେହିପରି ଗତ ମାର୍ଚ୍ଚ ୧୫ ତାରିଖରେ ସାରା ଭୁବନେଶ୍ୱର ସହ ରାଜ୍ୟ ଉତ୍ସବମୁଖର ଥିବା ବେଳେ ରାଜଧାନୀରେ ଡବଲ ମର୍ଡର ରାଜଧାନୀବାସୀଙ୍କୁ ଚକିତ କରିଥିଲା । ରଙ୍ଗର ହୋଲି ବଦଳରେ ନିଶା କାରବାର ନେଇ ସହିଦନଗର ଶାନ୍ତିପଲ୍ଲୀ ବସ୍ତିରେ ଗୋପି ଗୁଣି ନାମକ ଜଣେ ଯୁବକକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଠିକ ସେହି ସମୟରେ ଅନ୍ୟପଟେ ମଞ୍ଚେଶ୍ବର ସମେଇ ଗାଡିଆରେ ଜଣେ ଯୁବକ ଆୟୁଷ୍ମାନ ପତିଙ୍କୁ ଗୋଡେଇ ଗୋଡେଇ ହାଣିଥିଲେ ଦୁର୍ବୃତ୍ତ । ପୁର୍ବ ଶତ୍ରୁତାକୁ କେନ୍ଦ୍ରା କରି ନିର୍ମମ ହତ୍ୟା ଘଟଣା ହୋଲିରେ ରାଜଧାନୀବାସୀଙ୍କୁ ଚକିତ କରିଥିଲା ।
- ସେହିପରି ଗତ ଏପ୍ରିଲ ୨ ତାରିଖରେ ବାଲିପାଟଣା ନରଦା ବଜାରରେ ପାରିବାରିକ ବିବାଦ ନେଇ ଭୁଜାଲି ଚୋଟରେ ଭିଣୋଇର ଜୀବନ ନେଇଥିଲା ଶଳା । ରାସ୍ତା ଉପରେ ଲୋକଙ୍କ ଉପସ୍ଥିତିରେ ଭିଣୋଇ ମୁସ୍ତାକିନ ଅଲ୍ଲୀକୁ ଗୋଡେଇ ଗୋଡେଇ ଧାରୁଆ ଅସ୍ତ୍ରରେ ଆକ୍ରମଣ ଯୋଗୁଁ ପ୍ରବଳ ରକ୍ତସ୍ରାବ ଓ ଗଭୀର କ୍ଷତ ଯୋଗୁଁ ଘଟଣାସ୍ଥଳରେ ଭିଣୋଇ ମୃତ୍ୟୁ ହୋଇଥିଲା ।
- ସେହିପରି ଗତ ଏପ୍ରିଲ ୪ ତାରିଖରେ ଜଟଣୀରେ ମୋରମ ତଥା ପଥର ବ୍ୟବସାୟୀ ମାନସ ଦଳେଇଙ୍କୁ ଘରୁ ଡାକି ନେଇ ଅତି ନିର୍ମମ ଭାବେ ହତ୍ୟା କରିଥିଲେ ଦୁର୍ବୃତ୍ତ । ହତ୍ୟାସ୍ଥଳରେ ଏକ ସ୍କୁଟି ଓ କାର ଜବତ ହୋଇଥିଲା । ହତ୍ୟା ପଛରେ କିଛି ବ୍ୟବସାୟୀକ ଶତ୍ରୁତାର ଗନ୍ଧ ବାରିଥିଲା ପୋଲିସ ।
- ଏପରିକି ପ୍ରେମରେ ବିଚ୍ଛେଦରୁ ଟଙ୍କା ପାଇଁ ଖାରବେଳ ନଗର ଥାନା ଅଞ୍ଚଳରୁ ଗତ ଏପ୍ରିଲ ୨ ତାରିଖରେ ମଧ୍ୟ ଯୁବକକୁ ଅପହରଣ ଘଟଣା ପୋଲିସକୁ ଚକିତ କରିଥିଲା । ଘଟଣାରେ ଜଣେ ଯୁବତୀ ସହ ଅନ୍ୟ 5 ଜଣ ଗିରଫ ହେବା ଘଟଣା ଏବେ ସହରରେ ଅପରାଧିକ ଆଇନ ଶୃଙ୍ଖଳାକୁ ନେଇ ଏକ ଅପଦସ୍ତ ପରିସ୍ଥିତି ସୃଷ୍ଟି କରୁଛି ।
ଏହା ମଧ୍ଯ ପଢ଼ନ୍ତୁ... ରାଜଧାନୀରେ ବିଲଡରଙ୍କୁ ହତ୍ୟା, ପଡିଆରୁ ମିଳିଲା ମୃତଦେହ ଦୟା ନଦୀ କୂଳରେ ହତ୍ୟାକାଣ୍ଡର ପର୍ଦ୍ଦାଫାସ, ବିବାହ କରିବାକୁ ମନା କରିବାରୁ ପ୍ରେମିକାକୁ ମାରିଥିଲା ପ୍ରେମିକ |
2024ରେ ରାଜଧାନୀରେ ଘଟିଛି 66 ହତ୍ୟାକାଣ୍ଡ:
ପୋଲିସ ରେକର୍ଡ ଅନୁସାରେ, ରାଜଧାନୀରେ ଅପରାଧ ସଂଖ୍ୟା ବଢିଚାଲିଥିବା ବେଳେ କମିବାର ନାଁ ନେଉନାହିଁ । ଗତବର୍ଷ ଅର୍ଥାତ୍ 2024ରେ ଅପରାଧ ତାଲିକା ଉପରେ ନଜର ପକାଇଲେ ରାଜଧାନୀ ଭୁବନେଶ୍ବରରେ ସର୍ବମୋଟ 14,392 ମାମଲା ରୁଜୁ ହୋଇଛି । ସେଥିମଧ୍ୟରୁ କେବଳ 66ଟି ହତ୍ୟାକାଣ୍ଡ 2024ରେଘଟିଥିଲା । 2023ରେ 11975ଟି ମାମଲା ରୁଜୁ ହୋଇଥିଲା । ସେଥିରୁ 52ଟି ହତ୍ୟାକାଣ୍ଡ ଘଟିଥିଲା । ଅର୍ଥାତ ଶତକଡା 27 ପ୍ରତିଶତ ବୃଦ୍ଧି ପାଇଥିଲା ହତ୍ୟାକାଣ୍ଡ ଘଟଣା । ସେହିପରି 2024ରେ 2586ଟି ଚୋରି ଡକାୟତି ରାହାଜାନି ମାମଲା ରୁଜୁ ହୋଇଥିବା ବେଳେ 137ଟି ଦୁଷ୍କର୍ମ ଘଟଣା ସହ ଛୋଡମୋଟ ଗଣ୍ଡଗୋଳ, ହାତାହାତି ଓ ଗାଳିଗୁଲଜ ଭଳି ଘଟଣା 9379ଟି ଘଟିଥିଲା । ଅର୍ଥାତ 2023 ତୁଳନାରେ 2024ରେ ରାଜଧାନୀରେ ଅପରାଧ ଏକ ମାତ୍ରାରେ ଉପରମୁହାଁ ହୋଇଥିଲା ।
ଇଟିଭି ଭାରତ, ଭୁବନେଶ୍ବର