Misa Prisoners to Get Pension: ଜରୁରୀକାଳୀନ ସମୟରେ ବନ୍ଦୀମାନଙ୍କୁ ମିଳିବ ପେନସନ । ମିସା, ଡିଆଇଆର ଓ ଡିଆଇଆର ବନ୍ଦୀଙ୍କୁ ମିଳିବ ଏହି ପେନସନ । ପ୍ରାଥମିକ ପର୍ଯ୍ୟାୟରେ 21 ଜଣଙ୍କୁ ପେନସନ ଦେବାକୁ ଘୋଷଣା କରିଛନ୍ତି ମୋହନ ମାଝୀ ସରକାର । ଏନେଇ ବିଧାନସଭାରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମିସା ବନ୍ଦୀଙ୍କୁ ମାସକୁ 20 ହଜାର ଟଙ୍କା ଦେବାକୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ।
ମିସା କଣ (Maintenance of Internal Security Act )?
ବିଧାନସଭାରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି, ‘1975 ମସିହା 25 ଜୁନରୁ 1977 ମସିହା 21 ମାର୍ଚ୍ଚ ପର୍ଯ୍ୟନ୍ତ ଦେଶରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଥିଲା । ଏହି ସମୟରେ ଆଭ୍ୟନ୍ତରୀଣ ସୁରକ୍ଷା କାର୍ଯ୍ୟର ରକ୍ଷଣାବେକ୍ଷଣ ଆଇନ - 1971 ବା MISA ବା ମିସା, ପ୍ରତିରକ୍ଷା ଭାରତ ନିୟମ ବା ଡିଆଇଆର ବା DIR ଓ ପ୍ରତିରକ୍ଷା ଏବଂ ଭାରତର ଆଭ୍ୟନ୍ତରୀଣ ସୁରକ୍ଷା ଆଇନ ବା DISIR ବା ଡିଆଇଏସଆଇଆର ପ୍ରଭୃତି ଆଇନ ଲାଗୁ ହୋଇଥିଲା । ଏହି ଆଇନ ବଳରେ ଅନେକ ରାଜନୈତିକ ଦଳର ପ୍ରତିନିଧି, ସାମ୍ବାଦିକ ଓ ରାଜନୈତିକ କର୍ମୀ ଗିରଫ ହୋଇଥିଲେ । ରାଜ୍ୟରେ ଥିବା ଏହି ବନ୍ଦୀଙ୍କୁ ଓଡିଶା ସରକାରଙ୍କ ଦ୍ୱାରା ମାସିକ ପେନସନ ଦେବା ପାଇଁ ଗତ ସ୍ୱାଧୀନତା ଦିବସରେ ଘୋଷଣା କରାଯାଇଥିଲା ।’
ପ୍ରଥମ ପର୍ଯ୍ୟାୟରେ 21 ଜଣ ପାଇବେ ପେନସନ (First Phase MISA Pension):
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ସରକାରଙ୍କ ଦ୍ୱାରା ଏକ ସଂକଳ୍ପ ପତ୍ର 13 ଜାନୁଆରୀ 2025 ତାରିଖରେ ଜାରି କରାଯାଇଥିଲା । ସେହି ସଂକଳ୍ପ ପତ୍ରରେ ଜରୁରୀକାଳୀନ ପରିସ୍ଥିତି ସମୟରେ ବନ୍ଦୀ ହୋଇଥିବା ବ୍ୟକ୍ତିମାନଙ୍କୁ ଜିଲ୍ଲାପାଳମାନଙ୍କ ନିକଟରେ ଆବେଦନ କରିବାକୁ ଘୋଷଣା କରାଯାଇଥିଲା । ସମ୍ପୃକ୍ତ ଜିଲ୍ଲାପାଳମାନେ ବନ୍ଦୀମାନଙ୍କ ଠାରୁ ପ୍ରାପ୍ତ ହୋଇଥିବା ଆବେଦନ ପତ୍ର ଗୁଡିକୁ ଜିଲ୍ଲାସ୍ତରୀୟ କମିଟିରେ ତର୍ଜମା କରି ରାଜ୍ୟସ୍ତରୀୟ କମିଟିକୁ ପଠା ଯାଇଥିଲା । ବିଭିନ୍ନ ଜିଲ୍ଲାରୁ ଆସିଥିବା ଜିଲ୍ଲା ସ୍ତରୀୟ କମିଟିର ନିଷ୍ପତ୍ତିକୁ ବିଚାର କରାଯାଇଛି । ପ୍ରଥମ ପର୍ଯ୍ୟାୟରେ 21 ଜଣଙ୍କୁ ପେନସନ ଦେବାକୁ ନିଷ୍ପତ୍ତି ନିଆଯାଇଛି । ଜାନୁୟାରୀ 2025ରୁ ମାସିକ 20 ହଜାର ଟଙ୍କା ପେନସନ ଦେବା ପାଇଁ ରାଜ୍ୟସ୍ତରୀୟ କମିଟି ସୁପାରିଶ କରିଛନ୍ତି । ରାଜ୍ୟ ସରକାର ଇତି ମଧ୍ୟରେ ଏହାକୁ ଅନୁମୋଦନ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ଜରୁରିକାଳୀନ ସ୍ଥିତିରେ ଯାଇଥିଲେ ଜେଲ, ଓଡିଶାର ଏହି ରାଜନେତାମାନେ ପାଇବେ ପେନସନ୍ ବନ୍ଦୀ ସଂଗ୍ରାମୀ ପାଇବେ ପେନସନ ଓ ମେଡ଼ିକାଲ ଖର୍ଚ୍ଚ, ଏମିତି କରନ୍ତୁ ଆବେଦନ |
ଜରୁରୀ କାଳୀନ ପରିସ୍ଥିତିରେ ଗିରଫଙ୍କ ମଧ୍ୟରେ ଓଡିଶାର 1200:
MISA, DIR ଏବଂ DISIR ବନ୍ଦୀମାନଙ୍କଠାରୁ ଗ୍ରହଣ ହୋଇଥିବା ଅନ୍ୟ ଆବେଦନ ପତ୍ରଗୁଡିକୁ ବିଚାର କରାଯାଉଛି । ପରବର୍ତ୍ତୀ ପର୍ଯ୍ୟାୟରେ ସେହିମାନଙ୍କୁ ମଧ୍ୟ ଏହି ସୁବିଧା ପ୍ରଦାନ କରାଯିବ । ସୂଚନା ଅନୁସାରେ ଜରୁରୀ କାଳୀନ ପରିସ୍ଥିତିରେ ସାରା ଦେଶରେ ପ୍ରାୟ 1 ଲକ୍ଷ 10 ହଜାର ଗିରଫ ହୋଇଥିଲେ । ସେମାନଙ୍କ ମଧ୍ୟରୁ ପ୍ରାୟ 12 ଶହ ଜଣ ବନ୍ଦୀ ଓଡିଶାରେ ଥିଲେ । ସେମାନଙ୍କ ମଧ୍ୟରୁ ମାତ୍ର 150 ଜଣ ଜୀବିତ ଥିବା ଆକଳନ କରାଯାଉଛି । ଏମାନଙ୍କୁ ଚିହ୍ନଟ କରି ସରକାରୀ ସୁବିଧା ପ୍ରଦାନ କରିବାକୁ ଯୋଜନା କରିଛନ୍ତି ମୋହନ ସରକାର ।
ଜାନୁଆରୀ 13ରେ ଆସିଥିଲା ବିଜ୍ଞପ୍ତି:
ଚଳିତ ବର୍ଷ ଜାନୁଆରୀ 13 ତାରିଖରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ସହ ନିୟମାବଳୀ ପ୍ରକାଶ ପାଇଥିଲା । 12 ସୁତ୍ରୀ ନିୟମ ଅନୁସାରେ ମିସା ବନ୍ଦୀ ଚିହ୍ନଟ ହୋଇଛନ୍ତି । ଆବେଦନ ପତ୍ର ସଂପୃକ୍ତ ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିବାକୁ ପଡିବ । ସମ୍ପୂର୍ଣ୍ଣ ତଥ୍ୟ ଓ 3 ଜଣ ଜଣାଶୁଣା ସହଯୋଗୀ ବନ୍ଦୀଙ୍କ ତଥ୍ୟ ଓ ସତ୍ୟପାଠ ଦାଖଲ କରିବାକୁ ପଡିବ । ଜିଲ୍ଲାପାଳ ଓ ଏସପିଙ୍କ ନେତୃତ୍ୱରେ ଗଠିତ କମିଟି ଏହାକୁ ତର୍ଜମା କରିବ । ଜିଲ୍ଲାପାଳ ଏହି ତାଲିକାକୁ ଗୃହ ବିଭାଗକୁ ପଠାଇବେ । ଗୃହ ସଚିବ, ଅର୍ଥ ସଚିବ, ଆଇନ ସଚିବ, ଗୃହ ବିଭାଗର ଆର୍ଥିକ ଉପଦେଷ୍ଟା, ପୋଲିସ ଡିଜି, ଜେଲ ଡିଜିଙ୍କୁ ନେଇ ଗଠିତ ରାଜ୍ୟସ୍ତରୀୟ କମିଟି ଏହାକୁ ଅନୁମୋଦନ କରିବେ । ରାଜ୍ୟସ୍ତରୀୟ କମିଟିରେ ଅନୁମୋଦନ ପରେ ଯୋଗ୍ୟ ବିବେଚିତଙ୍କୁ ସରକାରଙ୍କ ଏହି ସୁବିଧା ଯୋଗାଇ ଦେବେ ।
ଇଟିଭି ଭାରତ, ଭୁବନେଶ୍ବର