ଭୁବନେଶ୍ବର: ରାଜଧାନୀରେ ଚାଲିଛି ୧୭ତମ କଳିଙ୍ଗ ହର୍ବାଲ ମେଳା ୨୦୨୪ । ଏହି ମେଳା ମାଧ୍ୟମରେ ଜଡ଼ିବୁଟି, ପ୍ରାକୃତିକ ଔଷଧ ଓ ପ୍ରକୃତିଜାତ ଦ୍ରବ୍ୟ ଭଳି ବହୁ ମୂଲ୍ୟବାନ ଜିନିଷକୁ ହାତପାହାନ୍ତାରେ ପାଇବାର ସୁଯୋଗ ପାଉଛନ୍ତି ରାଜଧାନୀବାସୀ । ଆୟୁର୍ବେଦ ଚିକିତ୍ସା ଓ ଔଷଧର ପ୍ରଚାର ପ୍ରସାର କରିବାର ଲକ୍ଷ୍ୟ ରଖି ଏହି ମେଳା ଆୟୋଜିତ କରାଯାଇଛି । ଏହାଦ୍ବାରା ଲୋକମାନେ ଅତି ସହଜରେ ବିଭିନ୍ନ ପ୍ରକୃତି ଜାତ ଦ୍ରବ୍ୟକୁ ଗୋଟିଏ ଯାଗାକୁ ପାଇପାରୁଛନ୍ତି ।
କଳିଙ୍ଗ ହର୍ବାଲ ମେଳା ୨୦୨୪:
୧୭ତମ କଳିଙ୍ଗ ହର୍ବାଲ ମେଳା ୨୦୨୪ ନଭେମ୍ବର ୬ ତାରିଖରୁ ଆରମ୍ଭ ହୋଇଥିବା ଏହି ମେଳା ନେଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ । ମାନବ ସମ୍ବଳ ପାଇଁ ପ୍ରକୃତି ଅନେକ କିଛି ପ୍ରଦାନ କରିଛି । ତେଣୁ ଏହାର ପ୍ରଚାର ଏବଂ ବିସ୍ତାର ପାଇଁ ଏହି ମେଳାର ଆବଶ୍ୟକତା ରହିଛି । ହର୍ବାଲ ପଦ୍ଧତିରେ ପୂର୍ବ କାଳରୁ ବଇଦ ଏବଂ କବି ରାଜମାନେ ଚିକିତ୍ସା କରିଆସୁଛନ୍ତି । ତେଣୁ ଏହା ଭାରତର ସଂସ୍କୃତି ଏବଂ ପରମ୍ପରା ସହ ଜଡିତ । ଆଉ ଏଭଳି ମେଳାକୁ ଆଗାମୀ ଦିନରେ ଅଧିକ ବ୍ୟାପକ କରାଯିବା ସହ ପ୍ରକୃତିଜାତ ଦ୍ରବ୍ୟରୁ ପ୍ରସ୍ତୁତ ସାମଗ୍ରୀ ମଣିଷ ସମାଜ ପାଇଁ ବିଶେଷ ଉପଯୋଗୀ ହୋଇଥାଏ । ତେଣୁ ପ୍ରାକୃତିକ ଉପଚାର ସମ୍ପର୍କରେ ସଚେତନ କରିବାରେ ସହାୟକ ହେବା ସହ ଏହି ମେଳାରେ ପ୍ରକୃତି ଜାତ ସମଗ୍ର ସାମଗ୍ରୀ ଗୋଟିଏ ଜାଗାରେ ମିଳିପାରୁଛି ।
ଗ୍ରାହକଙ୍କ ହାତପାହାନ୍ତାରେ ପ୍ରକୃତିଜାତ ଦ୍ରବ୍ୟ:
ଅଧିକରୁ ଅଧିକ ଔଷଧୀୟ ବୃକ୍ଷରୋପଣ କରି ବୃକ୍ଷଲତାର ଔଷଧୀୟ ଗୁଣକୁ ବ୍ୟାଧି ନିରାକରଣରେ ବ୍ୟବହାର କରିବା ପାଇଁ ଆସିଥିବା ବ୍ୟବସାୟୀ ଓ ବୈଦ୍ୟମାନେ ଲୋକଙ୍କୁ ବୁଝାଉଥିବା ବେଳେ ହର୍ବାଲ ସାମଗ୍ରୀ ନେବାକୁ ପଦର୍ଶନୀ ପଡିଆରେ ସନ୍ଧ୍ୟା ହେଲେ ଲୋକଙ୍କ ଭିଡ ଲାଗୁଛି । ଗୋଟିଏ ଜାଗାରେ ଜଙ୍ଗଲ ବା ପ୍ରକୃତି ଜାତ ଖାଦ୍ୟ ସାମଗ୍ରୀ ସହ ଜଡିବୁଟି ଜିନିଷ ମିଳୁଥିବାରୁ ଲୋକମାନେ ବିନା ରସାୟନର ପ୍ରସାଦନ ଠାରୁ ଆରମ୍ଭ କରି ରୋଷେଇ ଉପକରଣ କିଣୁଥିବା ଦେଖିବାକୁ ମିଳିଛି । ଆଧୁନିକତାର ଜୀବନଶୈଳୀ ଭିତରେ ମଣିଷ ଯନ୍ତ୍ର ସହ ରାସାୟନଯୁକ୍ତ ସାମଗ୍ରୀ ଉପରେ ନିର୍ଭର ହେଉଥିବା ବେଳେ ପ୍ରକୃତି ଜାତ ଦ୍ରବ୍ୟକୁ ହାତ ପାହାନ୍ତାରେ ପାଇଁ ଖୁସି ହୋଇ କିଣି ନେଉଛନ୍ତି ଗ୍ରାହକ । ରାଜଧାନୀ ସମେତ ଆଖପାଖ ଅଞ୍ଚଳରୁ ଲୋକମାନେ ଆସି ହର୍ବାଲ ସାମଗ୍ରୀ ନେଉଥିବା ବେଳେ ବ୍ୟବସାୟା ବି ଭଲ ହେଉଛି । ଆଗକୁ ଭିଡ ବଢିବା ଓ ବ୍ୟବସାୟ ଭଲ ହେବା ବୋଲି କହିଛନ୍ତି ବ୍ୟବସାୟୀ ।
ଏହା ମଧ୍ୟ ପଢ଼ନ୍ତୁ...କୃଷିରେ ମେକ ଇନ ଓଡ଼ିଶା ! ୨୬ ଜିଲ୍ଲାରେ କୃଷି ଯନ୍ତ୍ରପାତି ମେଳା - krishi mela ଏହା ମଧ୍ୟ ପଢ଼ନ୍ତୁ...ମେଳାରେ ଅଟୋ ଚଲାଇଲେ ମନ୍ତ୍ରୀ, ବସିଲେ ସାଂସଦ ଓ ବିଧାୟକ |
ମିଳୁଛି ଦୂରାରୋଗ୍ୟ ବ୍ୟାଧି ନିରାକରଣ କରୁଥିବା ସାମଗ୍ରୀ:
ତେବେ ରାଜ୍ୟ ଔଷଧୀୟ ଗୁଳ୍ମଲତା ବୋର୍ଡ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ କଳିଙ୍ଗ ହର୍ବାଲ ମେଳା ୟୁନିଟ୍-୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଗତ ୪ ଦିନ ଧରି ଚାଲି ଆସୁଅଛି । ୧୩୦ଟି ଷ୍ଟଲରେ ପାରମ୍ପରିକ ଚିକିତ୍ସକମାନେ ଦୁରାରୋଗ୍ୟ ବ୍ୟାଧିର ନିରାକରଣ କରୁଥିବା ବେଳେ ସାମଗ୍ରୀ ବିକ୍ରି କରୁଛନ୍ତି । ଏହାସହ ପାରମ୍ପରିକ ଚିକିତ୍ସାରେ ଚେରମୂଳିର ବ୍ୟବହାର ଏବେ ମଧ୍ୟ ଆଦିବାସୀମାନଙ୍କ ଜୀବନର ଅଂଶ ହୋଇ ରହିଛି । ତେଣୁ ପ୍ରାକୃତିକ ଔଷଧୀୟ ଉଦ୍ୟାନ ସୃଷ୍ଟି ଏବଂ ଜଡିବୁଟିର ଉପକାରିତା ସମ୍ପର୍କରେ ଜାଣିବାର ବ୍ୟବସ୍ଥା ମଧ୍ୟ ଏଠାରେ କରାଯାଇଛି । ସୂଚନା ମୁତାବକ ରାଜ୍ୟରେ ୪୧ ଔଷଧୀୟ ବୃକ୍ଷ ବିଲୁପ୍ତ ପ୍ରଜାତିରେ ପହଞ୍ଚି ଥିବାରୁ ସଂରକ୍ଷଣ ପ୍ରୟାସକୁ ଜୋରଦାର କରାଯାଇଛି । ବିରଳ ବିପନ୍ନ ବୃକ୍ଷ ସଂରକ୍ଷଣ ପାଇଁ ଓଡିଶାର ୬ଟି ଜଙ୍ଗଲକୁ ଔଷଧୀୟ ସଂରକ୍ଷିତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିବା ବେଳେ ବିଭାଗ ଦ୍ୱାରା ପାତ୍ରପଡାରେ ଔଷଧୀୟ ବୃକ୍ଷ କେନ୍ଦ୍ର ସ୍ଥାପନ କରାଯାଇଛି ।
ଏନେଇ ଜଣେ ବ୍ୟବସାୟୀ କହିଛନ୍ତି, "ମେଳାରେ ବହୁତ ଭଲ ବିକ୍ରି ହେଉଛି । ଆଗକୁ ବି ଆହୁରି ଭଲ ହେବ । ଗତ ବର୍ଷ ଆସିଥିଲୁ । ଏବର୍ଷ ବି ଆସିଛୁ । ହର୍ବାଲ ଜିନିଷ ଗତ ବର୍ଷ ଅପେକ୍ଷା ଏଥର ଅଧିକ ବିକ୍ରି ହେଉଛି । ଭଲ ଆୟ ହେଉଛି ।" ସେହିପରି ଗ୍ରାହକ କହିଛନ୍ତି, "ଆଜାକାଲି ମାର୍କେଟରେ ଯେଉଁ ସବୁ ଜିନିଷ ମିଳୁଛି ସେଥିରେ ବହୁତ କେମିକାଲ ରହୁଛି । ଶରୀର ପାଇଁ ଏହା କ୍ଷତିକାରକ । ହର୍ବାଲ ଜିନିଷ ପ୍ରାକୃତିକ ଉପାୟରେ ହେଉଛି ଏହା ଶରୀର ପାଇଁ ଉପକାରୀ ।"
ଇଟିଭି ଭାରତ, ଭୁବନେଶ୍ବର