ପୁରୀ: ଅସୁରକ୍ଷିତ ବିରଳ ଅଲିଭ ରିଡ଼ଲେ କଇଁଛ। କଇଁଛଙ୍କ ଉପରେ ନଜର ରଖାଯିବା ପାଇଁ ଅସ୍ଥାୟୀ କ୍ୟାମ୍ପ ସାଙ୍ଗକୁ ସବୁଠି ବନପାଳ,ବନରକ୍ଷୀ। କିନ୍ତୁ ଫଳ ଶୂନ । ନା ଚେତୁଛି ବନବିଭାଗ ନା ସାବାଡ ହେଉଛନ୍ତି ଅମାନିଆ । 2024-25 ତଥ୍ୟ କହୁଛି ପୁରୀରେ ବର୍ତ୍ତମାନ ସୁଦ୍ଧା 170 ଅଲିଭ ରିଡଲେଙ୍କ ମୃତ୍ୟୁ ହୋଇସାରଲାଣି। ପୁରୀ ଉପକୂଳ ଏବେ ଅଲିଭ ରିଡ଼ଲେ କଇଁଛଙ୍କ ପାଈଁ ସମ୍ପୂର୍ଣ୍ଣ ଅସୁରକ୍ଷିତ। ଚନ୍ଦ୍ରଭାଗା କୂଳ ଠାରୁ କେଳୁଣି ମୁହାଣ ଯାଏଁ ଦେଖିବାକୁ ମିଳୁଛି କୁଢ କୁଢ ମଲା କଇଁଛଙ୍କ ଶବ। ପେଟ ରେ ଅଣ୍ଡା ଥିବା ମୃତ କଇଁଛ ଙ୍କୁ ଝୁଣି ଖାଉଛନ୍ତି କୁକୁର। ଏ ଦୃଶ୍ୟ ଯିଏ ଦେଖୁଛି ତାକୁ ବିଚଳିତ ଲାଗୁଛି। ପରିବେଶ ପ୍ରେମୀ ଏଭଳି ଦୃଶ୍ୟ ଦେଖି ବେଶ୍ ଦୁଃଖିତ। କଇଁଛ ମୃତ୍ୟୁ ଘଟଣାରେ ବନ ବିଭାଗର ଅବହେଳାକୁ ସେମାନେ ଦାୟୀ କରିଛନ୍ତି। ସମୁଦ୍ରରେ ବେଆଇନ ଟ୍ରଲର ଚଳାଚଳ ରୋକିବାକୁ ନିୟମିତ ବନ ବିଭାଗ ପକ୍ଷରୁ ପାଟ୍ରୋଲିଂ ହେଉ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ବିରଳ ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା କରାନଗଲେ ପ୍ରକୃତିର ଏହି ସୁନ୍ଦର ଜୀବ ଯେ ବିଲୁପ୍ତ ହୋଇଯିବ ସେଥିରେ ସନ୍ଦେହ ନାହିଁ। ରାଜ୍ୟ ସରକାର ଏହାକୁ ଗୁରୁତର ଭାବେ ଗ୍ରହଣ କରି ପୁରୀ ଉପକୂଳରେ କିଭଳି ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା କରାଯାଇପାରିବ ସେ ଦିଗରେ କଡାକଡି ପଦକ୍ଷେପ ନେବାକୁ ଦାବି କରିଛନ୍ତି।
- ଅସୁରକ୍ଷିତ ପୁରୀ ମହାଣ
ପ୍ରତିବର୍ଷ ନଭେମ୍ବରରୁ ଡ଼ିସେମ୍ବର ମାସ ଭିତରେ ସମୁଦ୍ର ଭିତରେ କଇଁଛ ଙ୍କ ମିଳନ ପର୍ବ ପରେ ଫେବୃଆରୀ ରୁ ଅଣ୍ଡା ଦେବା ଆରମ୍ଭ କରିଥାନ୍ତି। ଏଣୁ ଦେବୀ ମୁହାଣ, ଚନ୍ଦ୍ରଭାଗା ମୁହାଣ, ପୁରୀ ଓ ବ୍ରହ୍ମଗିରିର ବିଭିନ୍ନ ସ୍ନାନରେ କଇଁଛ ଦେଖାଯାଉଥିବାରୁ ଅସ୍ତରଙ୍ଗ, କୋଣାର୍କ, ବାଲୁଖଣ୍ଡ, ବ୍ରହ୍ମଗିରି ବନାଞ୍ଚଳରେ କଇଁଛଙ୍କ ସୁରକ୍ଷା ଶିବିର କରାଯାଇଛି। କଇଁଛଙ୍କ ଉପରେ ନଜର ରଖାଯିବା ନେଇ ଅସ୍ଥାୟୀ କ୍ୟାମ୍ପ ସାଙ୍ଗକୁ ସବୁଠି ବନପାଳ, ବନରକ୍ଷୀ ଓ ଜଗୁଆଳିଙ୍କୁ ମୁତୟନ କରାଯାଇଛି। ଏମାନଙ୍କୁ 24 ଘଣ୍ଟିଆ ଡ୍ୟୁଟି ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ ବନ୍ୟପ୍ରାଣୀ ବିଭାଗ ସହ ମେରାଇନ ପୋଲିସ୍ ଓ ସାମୁଦ୍ରିକ ମତ୍ସ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପାଟ୍ରୋଲିଂ ଟିମ୍ ଗଠନ କରାଯାଇଛି। ଏତେ ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ପ୍ରକୃତିର ବିରଳ ଜୀବ ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ପୁରୀ ଉପକୂଳରେ ଦିଆଯାଇପାରୁନାହିଁ। ଯାହାକୁ ନେଇ ସବୁଆଡେ ଉଦବେଗ ପ୍ରକାଶ ପାଇଛି।

- ପୁରୀ ସମୁଦ୍ର ଉପକୂଳରେ ପ୍ରାଣ ହରାଇଛନ୍ତି ଅଲିଭ ରିଡଲେ
- ପୁରୀ ଜିଲ୍ଲା ବନଖଣ୍ଡର ସୂଚନା ଅନୁସାରେ 2024-25 ବର୍ତ୍ତମାନ ସୁଦ୍ଧା 170 ଟି କଇଁଛଙ୍କ ମୃତ୍ୟୁ ହୋଇଛି।
- 2023-24 ବର୍ଷ 568 କଇଁଛଙ୍କ ମୃତ୍ୟୁ
- 2021-22 ରେ 989 ଟି କଇଁଛଙ୍କ ମୃତ୍ୟୁ

ତେବେ ବନ ବିଭାଗର ଏହି ତଥ୍ୟକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ପରିବେଶବିତ୍ । ପୁରୀ ବନ ବିଭାଗ ନିଜର ବିଫଳତା ଲୁଚାଇବାକୁ ଯାଇ ଅଳ୍ପ କିଛି ତଥ୍ୟ ସାର୍ବଜନିନ କରୁଛି। ପ୍ରକୃତରେ ବନ ବିଭାଗର ତଥ୍ୟ ରୁ ଅଧିକ କଇଁଛଙ୍କ ମୃତ୍ୟୁ ହେଉଛି ବୋଲି ପରିବେଶବିତ୍ ଅଭିଯୋଗ କରିଛନ୍ତି।

ଅନେକ ଆନ୍ତର୍ଜାତୀୟ ଗବେଷକଙ୍କ ତଥ୍ୟ ଅନୁଯାୟୀ ବିରଳ ଅଲିଭ ରିଡଲେ କଇଁଛ ପ୍ରଶାନ୍ତ, ଆଟଲାଣ୍ଟିକ ଓ ଭାରତ ମହାସାଗରରେ ଦେଖା ଯାଆନ୍ତି। ଓଡ଼ିଶାର ଗହୀର ମଥା ସାମୁଦ୍ରିକ ଅଭୟାରଣ୍ୟ ବିରଳ ଅଲିଭ ରିଡ଼ଲେ କଇଁଛଙ୍କ ପାଇଁ ସାରା ବିଶ୍ଵରେ ସବୁଠାରୁ ବଡ ପ୍ରଜନନ ସ୍ଥଳ ଭାବେ ପରିଚିତ। ତେବେ ଦିନକୁ ଦିନ ସମୁଦ୍ର ରେ ପ୍ରଦୂଷଣ ବୃଦ୍ଧି ପାଉଥିବା ବେଳେ ଏହା ଅଲିଭ ରିଡ଼ଲେ କଇଁଛଙ୍କ ଜୀବନ ନେଉଛି। ସେହିପରି ଅଲିଭ ରିଡଲେ କଇଁଛର ମାଂସ, ଚମଡା, ଅଣ୍ଡା ପାଈଁ ଶିକାରୀ ମାନେ ଏମାନଙ୍କୁ ଶିକାର କରୁଥିବାରୁ ଏମାନଙ୍କ ପ୍ରଜାତି ଏବେ ବିପଦରେ । ଅନ୍ୟପଟେ ସମୁଦ୍ର ଭିତରେ ଯନ୍ତ୍ର ଚାଳିତ ଟ୍ରଲର ମାଡରେ ଅନେକ କଇଁଛଙ୍କ ମୃତ୍ୟୁ ହେଉଛି।

- ଜନ୍ମସ୍ଥାନକୁ ଫେରି ଅଣ୍ଡାଦାନ କରେ ଅଲିଭ ରିଡଲେ
ପ୍ରତିବର୍ଷ ନଭେମ୍ବରରୁ ଡ଼ିସେମ୍ବର ମଧ୍ୟରେ ଅଲିଭ ରିଡ଼ଲେ କଇଁଛ ମାନେ ଓଡ଼ିଶା ଉପକୂଳକୁ ଅଣ୍ଡାଦାନ ପାଇଁ ଆସିଥାନ୍ତି। ଗୋଟିଏ ବୟସ୍କ କଇଁଛ ର ଲମ୍ବା 60 ରୁ 70 ସେମି ହୋଇଥିବା ବେଳେ ଏହାର ଓଜନ 70 କିଲୋଗ୍ରାମ ଯାଏ ହୋଇଥାଏ। ଅଲିଭ ରିଡଲେ କଇଁଛ ପ୍ରାୟ 15 ବର୍ଷରେ ପ୍ରଜନନକ୍ଷମ ହୋଇଥାଏ। ଗୋଟିଏ ଅଲିଭ ରିଡଲେ କଇଁଛ 90 ରୁ 130 ଟି ଅଣ୍ଡା ଦେଇଥାଏ । ପ୍ରତ୍ୟେକ ଅଣ୍ଡାରର ଓଜନ ପ୍ରାୟ 30 ଗ୍ରାମ ହୋଇଥିବା ବେଳେ ଏହା ବିକଶିତ ହେବାକୁ ପ୍ରାୟ 50 ଦିନ ଲାଗିଥାଏ। ଅଲିଭ ରିଡ଼ଲେ କଇଁଛ ମାଂସାହାରୀ। ଏହା ସମୁଦ୍ରରେ ଥିବା ଜେଲି ଫିସ, କଙ୍କଡ଼ା, ବିଭିନ୍ନ ପ୍ରକାର ମାଛ ଓ ମାଛ ଙ୍କ ଅଣ୍ଡାକୁ ଖାଦ୍ୟ ଭାବେ ଗ୍ରହଣ କରିଥାନ୍ତି । ତେବେ 40 ମିନିଟ ପରେ ନିଶ୍ବାସ ନେବା ପାଇଁ ଉପରକୁ ଆସିଥାନ୍ତି। ତେବେ ଏକ ରୋଚକ କଥା ହେଉଛି ଯେଉଁଠି ଏହି କଇଁଛ ଜନ୍ମ ନେଇଥାନ୍ତି ସେହି ସ୍ଥାନ ସହିତ ତାଙ୍କର ଭାବନାତ୍ମକ ସମ୍ପର୍କ ଯୋଡି ହୋଇଥାଏ। ଜନ୍ମ ହେବା ପରେ କଇଁଛ ଚାଲି ଯାଇଥାଏ। ତେବେ 30 ବର୍ଷ ରେ ପ୍ରଜନନ କ୍ଷମ ହେବା ପରେ ସେହି କଇଁଛ ନିଜ ଜନ୍ମସ୍ଥାନକୁ ଆସି ଅଣ୍ଡା ଦେଇଥାଏ। ହଜାର ହଜାର କିଲୋମିଟର ଫେରିଯାଇଥିଲେ ମଧ୍ୟ ରାସ୍ତା କିନ୍ତୁ ଭୁଲି ନ ଥାଆନ୍ତି। 30 ବର୍ଷ ପରେ ନିଜ ଜନ୍ମସ୍ଥାନକୁ ଅଣ୍ଡାଦାନ ପାଈଁ ଆସିଥାନ୍ତି।

ଏହା ମଧ୍ୟ ପଢନ୍ତୁ 'ଶହେ ଠେଙ୍ଗାର ଜବାବ ଗୋଟିଏ ଠେଙ୍ଗା', ଖଣ୍ଡଗିରିରେ ଅଶ୍ଲୀଳ ନୃତ୍ୟ ପ୍ରସଙ୍ଗରେ ବିଧାୟକଙ୍କୁ ଆଇଟମ ଗାର୍ଲଙ୍କ ଚ୍ୟାଲେଞ୍ଜ
ଏହା ମଧ୍ୟ ପଢନ୍ତୁ ମାର୍କେଟରେ ଏବେ ମାଳମାଳ ନକଲି ସମ୍ବଲପୁରୀ ଶାଢୀ, ଜିଏସଟି ମାଡରେ ଘାଇଲା ଅସଲି ବୁଣାକାର
- କାହିଁକି ଓଡିଶା ଆସେ ଅଲିଭ ରିଡଲେ ?
ଓଡିଶାର ଧାମରା, ଦେବୀ ନଦୀ ଓ ଋଷକୂଲ୍ୟା ନଦୀ ମୁହାଣ ରେ ଅଲିଭ ରିଡ଼ଲେ କଇଁଛ ମାନେ ଏକାଠି ହୋଇ ସମୂହ ଅଣ୍ଡାଦାନ କରିଥାନ୍ତି। ତେବେ ଏହି କଇଁଛ ମାନେ ସମୁଦ୍ରର ଖୁବ୍ ତଳେ ପହଁରି ଯାଇଥାନ୍ତି। ପ୍ରଜନନ ମାସରେ ଜାପାନ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ଅଂଚଳରୁ ହଜାର ହଜାର କିଲୋମିଟର ସମୁଦ୍ରରେ ଜଳ ଯାତ୍ରା କରି ଏମାନେ ଓଡ଼ିଶା ଉପକୂଳକୁ ଅଣ୍ଡାଦାନ ପାଈଁ ଆସିଥାନ୍ତି। ଏହା ଛଡା ତାମିଲନାଡୁ, ଆନ୍ଧ୍ରପ୍ରଦେଶର ଉପକୂଳ ଅଞ୍ଚଳକୁ ମଧ୍ୟ ଏମାନେ ଆସିଥାନ୍ତି। ତେବେ ଓଡ଼ିଶା ଉପକୂଳ ଆସିବା ପଛରେ ଏକ କାରଣ ରହିଛି। ଗବେଷକଙ୍କ ମତରେ ଭାରତର ପୂର୍ବ ଉପକୂଳରେ ବର୍ଦ୍ଧିତ ତାପମାତ୍ରା ଅଲିଭ ରିଡ଼ଲେଙ୍କ ପ୍ରଜନନ ପାଇଁ ସହାୟକ ହୋଇଥାଏ। ନଭେମ୍ବର, ଡ଼ିସେମ୍ବର ମାସ ରେ ଅଣ୍ଡାଦାନ ପାଈଁ ଅଲିଭ ରିଡ଼ଲେ କଇଁଛ ଓଡ଼ିଶା, ଆନ୍ଧ୍ର ପ୍ରଦେଶ ଓ ତାମିଲନାଡୁ ଉପକୂଳ ଆସିଥାନ୍ତି। ଗୋଟିଏ ମାଈ କଇଁଛ 100 ରୁ 150 ଟି ଅଣ୍ଡା ଦେଇଥାଏ। ତେବେ ଭାରତ ସରକାରଙ୍କ ବନ୍ୟଜୀବ ସଂରକ୍ଷଣ ଆଇନ 1972 ଅନୁଯାୟୀ ଏହାର ଶିକାର ଦଣ୍ଡନୀୟ ଅପରାଧ। ସେହିପରି ଅର୍ନ୍ତରାଷ୍ଟ୍ରୀୟ ପ୍ରକୃତି ସଂରକ୍ଷଣ ସଂଘ ତଥା ICUN ର ରେଡ୍ ଲିଷ୍ଟ୍ ରହିଛି ଅଲିଭ ରିଡ଼ଲେ କଇଁଛ ପାଇଁ। ବିଶ୍ଵରେ ସଙ୍କଟ ସ୍ଥିତି ରେ ଥିବା ଜୀବଙ୍କୁ ଏହି ଅନୁଷ୍ଠାନ ରେଡ ଲିଷ୍ଟ ଜାରି କରିଥାଏ। ଏହି ଅନୁଷ୍ଠାନ 1948ରେ ସ୍ଥାପନ ହୋଇଥିବା ବେଳେ ଏହାର ମୁଖ୍ୟାଳୟ ସ୍ଵିଜରଲ୍ୟାଣ୍ଡରେ ରହିଛି ।

- କଣ ରହିଛି ନିୟମ ?
ବିରଳ ଅଭିଲ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ପ୍ରତିବର୍ଷ ବନ୍ୟ ପ୍ରାଣୀ ବିଭାଗ ପକ୍ଷରୁ ନଭେମ୍ବର ମାସରୁ ମେ ମାସ ଶେଷ ଯାଏଁ ପୁରୀ ସମୁଦ୍ର ଉପକୂଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଥାଏ। ଏହି ସମୟ ରେ ସମୁଦ୍ର ରେ ଟ୍ରଲର ଚଳାଚଳ ଉପରେ କଟକଣା ଲଗାଯାଇଥାଏ। କାରଣ ଟ୍ରଲର ମାଡରେ କଇଁଛଙ୍କ ମୃତ୍ୟୁ ଆଶଙ୍କା ରହିଥାଏ। ତେବେ କେବଳ ଛୋଟ ଡଙ୍ଗା ଧରି ମାଛ ମାରିବାକୁ ପାରମ୍ପରିକ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବା ନେଇ ଅନୁମତି ଦିଆଯାଇଥାଏ। ଯନ୍ତ୍ର ଚାଳିତ ଡଙ୍ଗା ନେବା ପାଇଁ କଟକଣା ରହିଥାଏ। ପୁରୀର ଦେବୀ ନଦୀ ମୁହାଣ ଠାରୁ ପୁରୀର ନୂଆ ନଈ ପର୍ଯ୍ୟନ୍ତ ଏହି କଟକଣା ଲଗାଯାଇଥାଏ। ତେବେ ଦେବୀ ନଦୀ ମୁହାଣ ଠାରୁ 5 କିଲୋମିଟର ପର୍ଯ୍ୟନ୍ତ ସମୁଦ୍ରକୁ ସମ୍ପୂର୍ଣ ନିଷିଦ୍ଧ ଅଂଚଳ ଓ ଅନ୍ୟ ସ୍ଥାନ ରେ ସମୁଦ୍ରରେ 20 କିଲୋମିଟର ଯାଏଁ ମାଛ ଧରିବା ନେଇ ଟ୍ରଲର ଚଳାଚଳ ଉପରେ କଟକଣା ରହିଛି। ନିୟମ ଉଲଘଂନ କଲେ ଟ୍ରଲରକୁ ଜବତ କରାଯିବା ସହ ଜରିମାନା ଓ ବନ୍ୟପ୍ରାଣୀ ସୁରକ୍ଷା ଆଇନ ଅନୁଯାୟୀ ଗିରଫ କରାଯିବାର ନିୟମ ରହିଛି।

ଅଲିଭ ରିଡଲେଙ୍କ ମୃତ୍ୟୁ ନେଇ ନିଜ ପ୍ରତିକ୍ରିୟାରେ ପରିବେଶବିତ୍ ସରୋଜ କୁମାର ଜେନା କହିଛନ୍ତି, ‘‘ପୁରୀ ଉପକୂଳରେ ଅଲିଭ ରିଡ଼ଲେ କଇଁଛଙ୍କ ମୃତ୍ୟୁ ବଢ଼ି ଚାଲିଛି ଯାହାକି ବେଶ୍ ଚିନ୍ତାର କାରଣ । ତେବେ କଇଁଛ ମାନେ ଏହା ଦେଖିଲେ ସେମାନେ ଆଉ ଆସିବେ ନାହିଁ। ସେମାନଙ୍କର ବି ଜ୍ଞାନ ରହିଛି ସେମାନେ କେଉଁଠି ସୁରକ୍ଷିତ। ତେବେ ଏହାକୁ ବନ ବିଭାଗ କାହିଁକି ଏହାକୁ ଗୁରୁତ୍ଵ ନେଉନି ତାହା ଏବେ ବଡ଼ ପ୍ରଶ୍ନ। କିଭଳି ଓ କେଉଁ ପରିସ୍ଥିତି ରେ ଏମାନଙ୍କ ମୃତ୍ୟୁ ହେଉଛି ତାହା ତଦାରଖ ହେବା ଉଚିତ୍। କଇଁଛ ସୁରକ୍ଷା ପାଇଁ ଥିବା ନିୟମରେ କିଛି ପରିବର୍ତ୍ତନ ହେବା ଉଚିତ୍। ପୁରୁଣା ନିୟମକୁ ବଦଳାଯାଇ ଦେବୀ ମୁହାଣ ଠାରୁ ଥିବା 20 କିମି ଅଞ୍ଚଳ ପରିବର୍ତ୍ତେ ଅଧିକ କିଲୋମିଟର ନିଷିଦ୍ଧ ଅଞ୍ଚଳ ହେବା ଉଚିତ୍। କାରଣ ଏବେ କୋଣାର୍କ, ବାଲୁଖଣ୍ଡ ଓ ପୁରୀ ଉପକୂଳକୁ ମଧ୍ୟ କଇଁଛ ଆସୁଛନ୍ତି। ତେବେ ଚଳିତ ବର୍ଷ ବନ ବିଭାଗ ଯେଉଁ ତଥ୍ୟ ଦେଇଛି ଦେଢ଼ ଶହ କଇଁଛ ମୃତ୍ୟୁ ହୋଇଛି ତାହା ଭୁଲ ତଥ୍ୟ। ବ୍ରହ୍ମଗିରି, ନୁଆ ନଈ, ବାଲୁଖଣ୍ଡ ରେ ଶତାଧିକ କଇଁଛ ମରି ପଡ଼ିଥିବା ମୁଁ ଦେଖିଚି। କେବଳ ନିଜ ଦୋଷ କୁ ଲୁଚାଇବା ପାଇଁ ସରକାରଙ୍କୁ ଭୁଲ ତଥ୍ୟ ଦେଉଚି ପୁରୀ ବନ ବିଭାଗ। ପୁରୀ ଉପକୂଳରେ କଇଁଛ ମୃତ୍ୟୁକୁ ସରକାର ଗୁରୁତର ସହ ନିଅନ୍ତୁ। ଏକ ସ୍ବତନ୍ତ୍ର କମିଟି କରି ପୁରୀ ରେ କିଭଳି ସୁରକ୍ଷା କାର୍ଯ୍ୟ ଚାଲିଛି ତାହାର ଅନୁଧ୍ୟାନ କରନ୍ତୁ।’’

ପୁରୀ ସହରର ବୁଦ୍ଧିଜିବୀ ଶ୍ରୀମନ୍ତ କୁମାର ଦାଶ କହିଛନ୍ତି, ‘‘କୋଣାର୍କ, ଚନ୍ଦ୍ରଭାଗା ଅଞ୍ଚଳରେ ଅନେକ କଇଁଛ ମରିକି ପଡ଼ିଛନ୍ତି। ଏହା ଆମେ ପ୍ରତିବର୍ଷ ଦେଖୁଛୁ। ତେବେ ପୁରୀ ଉପକୂଳରେ ମଧ୍ୟ କଇଁଛ ମରି ପଡ଼ିଥିବା ଦେଖିବାକୁ ମିଳୁଛି। ଏଣୁ ପୁରୀ ରେ ମଧ୍ୟ ତଦାରଖ ଓ ସୁରକ୍ଷା ବ୍ୟବସ୍ଥାକୁ ବନ ବିଭାଗ କଡାକଡି କରୁ। ସମୁଦ୍ର ଭିତରେ ନିଷିଦ୍ଧ ଅଞ୍ଚଳରେ ଟ୍ରଲର ଚଳାଚଳ ଯୋଗୁ ଅନେକ କଇଁଛ ଟ୍ରଲର ମାଡ ରେ ମୃତ୍ୟୁ ବରଣ କରୁଛନ୍ତି। ଟ୍ରଲର ଚଳାଚଳ ଉପରେ ବନ ବିଭାଗ କଡାକଡି ନଜର ରଖିବା ଉଚିତ୍। ତେବେ କଇଁଛ ସୁରକ୍ଷା ଆଳରେ ଏକ ପ୍ରହସନ ଚାଲିଛି। ପ୍ରକୃତରେ ସୁରକ୍ଷା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଉ। ଅଧିକ ମାନବ ସମ୍ବଳ ରଖି ପର୍ଯ୍ୟାପ୍ତ ପେଟ୍ରୋଲିଂ ହେବା ଉଚିତ୍। ଦେବୀ ମୁହାଣ ସହ ପୁରୀ ଉପକୂଳ ର ଅନ୍ୟାନ୍ୟ ସାମୁଦ୍ରିକ ଅଞ୍ଚଳ ରେ ମଧ୍ୟ କଡା ନଜର ରଖାଯିବା ଉଚିତ୍। ଅଲିଭ ରିଡ଼ଲେ କଇଁଛ ଆମର ଅତିଥି। ତାଙ୍କ ବାସସ୍ଥଳୀ ସୁରକ୍ଷିତ ନ ରହିଲେ ସେମାନେ ଆସିବେ ନାହିଁ। ଏଣୁ ଏହି ସବୁ ବ୍ୟବସ୍ଥା ହେବା ଉଚିତ୍।’’

ପୁରୀ ଜିଲ୍ଲା ପାରମ୍ପରିକ ମତ୍ସ୍ୟଜୀବୀ ୟୁନିୟନର ସମ୍ପାଦକ ବାବୁଲା ପ୍ରସାଦ କହିଛନ୍ତି, ‘‘ସମୁଦ୍ର ଭିତରେ ଟ୍ରଲର ମାଡ ରେ ବିରଳ ଅଲିଭ ରିଡ଼ଲେ କଇଁଛଙ୍କ ମୃତ୍ୟୁ ଘଟଣା ମିଛ ନୁହେ। ଅନେକ ବୟସ ହୋଇଗଲା ପରେ ମଧ୍ୟ ସ୍ବଭାବିକ ମୃତ୍ୟୁ ହେଉଛି। ପ୍ରତ୍ୟେକ ଜୀବଙ୍କ ନିର୍ଦ୍ଦିଷ୍ଟ ଆୟୁଷ ଥାଏ। ସମୁଦ୍ର ରେ ଅନେକ ଅଞ୍ଚଳ ରେ କଟକଣା ନାହିଁ। ଫଳରେ ଅନେକ ଟ୍ରଲର ପାରାଦୀପ, ଧାମରା, ଅସ୍ତରଙ୍ଗ ଅଞ୍ଚଳରୁ ମାଛ ଧରିବା ପାଇଁ ପୁରୀ ଉପକୂଳ କୁ ଆସୁଛନ୍ତି। ଫଳରେ ଅନେକ କଇଁଛ ଟ୍ରଲର ମାଡରେ ମୃତ୍ୟୁ ବରଣ କରୁଛନ୍ତି। ତେବେ 7 ମାସ ସମୁଦ୍ର ରେ ଥିବା କଟକଣା ବିଷୟ ଆମେ ପ୍ରଶାସନ ସହଯୋଗ ରେ ମତ୍ସ୍ୟଜୀବୀଙ୍କୁ ସଚେତନ କରୁଛୁ’’।

ତେବେ ପୁରୀ ଉପକୂଳରେ ବିରଳ ଅଲିଭ ରିଡ଼ଲେ କଇଁଛଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପରେ ଏ ନେଇ ପ୍ରତିକ୍ରିୟା ଦେଇ ପୁରୀ ବନଖଣ୍ଡ ଅଧିକାରୀ ବିବେକ କୁମାର କହିଛନ୍ତି, ସମୁଦ୍ର କୂଳରେ ମୃତ କଇଁଛ ଶବ ଲାଗିବା ଚଳିତ ବର୍ଷ ବହୁତ କମ ରହିଛି । ଗତ 5 ବର୍ଷ ର ତଥ୍ୟ ଦେଖିଲେ ଚଳିତ ବର୍ଷ କଇଁଛ ମୃତ୍ୟୁ ସଂଖ୍ୟା କମ ରହିଛି। ପୂର୍ବ ବର୍ଷ 568 ଥିବା ବେଳେ ଚଳିତ ବର୍ଷ ଏ ପର୍ଯ୍ୟନ୍ତ 170 ରହିଛି। ତେବେ ଭଲ ପେଟ୍ରୋଲିଂ ଓ ଚଢ଼ାଉ ଜୋରଦାର କରାଯାଉ ଥିବାରୁ ବେଆଇନ ଟ୍ରଲର ଚଳାଚଳ ଉପରେ ରୋକ ଲଗାଯାଇ ପାରିଚି। ଦେବୀ ନଦୀ ମୁହାଣ ଠାରୁ ଚନ୍ଦ୍ର ଭାଗା, ନୁଆ ନଈ ପର୍ଯ୍ୟନ୍ତ କଟକଣାକୁ କଡାକଡି କରାଯାଇଛି। କୋଷ୍ଟ ଗାର୍ଡ ଓ ପୋଲିସ୍ ସହାୟତାରେ ପାଟ୍ରୋଲିଂ ହେଉଛି। ମାନବ ସମ୍ବଳ ସମସ୍ୟା ନାହିଁ। ତେବେ ଟ୍ରଲର ମାଡ ରେ କିଛି କଇଁଛଙ୍କ ମୃତ୍ୟୁ ହେଉଥିବା ବେଳେ କେତେକ ପ୍ରାକୃତିକ କାରଣକୁ ନେଇ ମଧ୍ୟ କଇଁଛଙ୍କ ମୃତ୍ୟୁ ହେଉଛି। ସମୁଦ୍ର ରେ ଥିବା କଟକଣା ସୀମା ସରକାର ଚାହିଁଲେ ବଢ଼ାଇ ପାରିବେ। ନିୟମ ଉଲ୍ଲଘଂନ ପାଇଁ 9 ଟି ଟ୍ରଲର ଜବତ ସହ 4 ଜଣଙ୍କୁ ଗିରଫ କରାଯାଇଛି। କଇଁଛଙ୍କ ଏବେ ମିଳନ ଋତୁ ଚାଲିଛି। କିଛି ଦିନ ପରେ ଅଣ୍ଡାଦାନ କରିବେ କଇଁଛ। ତେବେ କଇଁଛ ଓ ଅଣ୍ଡାର ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ 15 ଟି କ୍ୟାମ୍ପ କରାଯାଇଛି।