ଜୟପୁର: ଘରୋଇ ଗ୍ରାଉଣ୍ଡରେ ରାଜସ୍ଥାନକୁ ହରାଇଲା ବେଙ୍ଗାଲୁରୁ । IPL 2025ର 28ତମ ମ୍ୟାଚରେ, ରାଜସ୍ଥାନ ରୟାଲ୍ସକୁ (RR) 9 ୱିକେଟରେ ପରାସ୍ତ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) । ଏହି ବିଜୟ ସହିତ, RCB 8 ପଏଣ୍ଟ ସହିତ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ପହଞ୍ଚିଛି । ସେପଟେ ପଏଣ୍ଟ ଟେବୁଲରେ ରାଜସ୍ଥାନ 7ମ ସ୍ଥାନରେ ରହିଛି । ଚଳିତ ଆଇପିଏଲ ସିଜିନରେ ରାଜସ୍ଥାନର ଏହା ଚତୁର୍ଥ ପରାଜୟ ।
ରାଜସ୍ଥାନକୁ 9 ୱିକେଟରେ ପରାସ୍ତ କଲା ଆରସିବି
ଜୟପୁର ସାୱାଇ ମାନସିଂହ ଷ୍ଟାଡିୟମରେ RCB ଓ RR ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା ବେଙ୍ଗାଲୁରୁ । RCB ବୋଲର ଧୂଆଁଧାର ବୋଲିଂ କରି 4ଟି ୱିକେଟ ନେଇ ରାଜସ୍ଥାନ ରୟାଲ୍ସକୁ 20 ଓଭରରେ ମାତ୍ର 173 ରନରେ ସୀମିତ ରଖିଥିଲେ । ବେଙ୍ଗାଲୁରୁକୁ 174 ରନର ଟାର୍ଗେଟ ଦେଇଥିଲା RR । 174 ରନର ଲକ୍ଷ୍ୟକୁ ଆରସିବି 1 ୱିକେଟ ହରାଇ 15ଟି ବଲ ବାକି ଥାଇ 175 ରନ ହାସଲ କରିଥିଲା । ବିରାଟ କୋହଲି ଏବଂ ଦେବଦତ୍ତ ପାଡିକ୍କାଲ ଅପରାଜିତ ରହି ଦଳକୁ 9 ୱିକେଟରେ ବିଜୟ ଦେଇଥିଲେ ।
ବିରାଟ କୋହଲି ଏବଂ ଫିଲ୍ ସଲ୍ଟଙ୍କ ଅର୍ଦ୍ଧଶତକ:
ଟାର୍ଗେଟର ପିଛା କରି, RCB ବ୍ୟାଟସମ୍ୟାନ୍ ଫିଲ୍ ସଲ୍ଟ 33 ବଲ୍ରେ 5 ଚୌକା ଏବଂ 6 ଛକା ସହ 65 ରନ୍ର ଏକ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଥିଲେ । ବିରାଟ କୋହଲି 45 ବଲ୍ରେ 4 ଚୌକା ଏବଂ 5 ଛକା ସହ 62 ରନ୍ର ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିଲେ । ଦଳ ପାଇଁ ଦେବଦତ୍ତ ପାଡିକ୍କାଲ 28 ବଲ୍ରେ 5 ଚୌକା ଏବଂ 1 ଛକା ସହାୟତାରେ 40 ରନ୍ର ଅପରାଜିତ ଇନିଂସ ଖେଳି RCB ଦଳକୁ ବିଜୟୀ କରାଇଥିଲେ । ରାଜସ୍ଥାନ ପକ୍ଷରୁ ଏକମାତ୍ର ୱିକେଟ୍ କୁମାର କାର୍ତ୍ତିକେୟ ନେଇଥିଲେ ।
ଏହା ମଧ୍ୟ ପଢ଼ନ୍ତୁ.. ହୋମ୍ ଗ୍ରାଉଣ୍ଡରେ ଅପରାଜେୟ ଦିଲ୍ଲୀକୁ ଅଟକାଇ ପାରିବ କି ମୁମ୍ବାଇ ? ଇନଫର୍ମ ରାହୁଲ ବନାମ ବୁମରା ଲଢେଇ IPL ଇତିହାସ; ମହମ୍ମଦ ଶାମୀଙ୍କ ଲଜ୍ଜାଜନକ ରେକର୍ଡ, ପ୍ରବଳ ଛେଚିଲେ ପଞ୍ଜାବ ବ୍ୟାଟର |
ବ୍ୟର୍ଥ ଗଲା ଯଶସ୍ବୀଙ୍କ ଅର୍ଦ୍ଧଶତକ:
ସେପେଟ ରାଜସ୍ଥାନ ପାଇଁ ଯଶସ୍ୱୀ ଜୟସୱାଲ ଏକ ଚମତ୍କାର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ଯଶସ୍ୱୀ 47 ବଲ୍ରେ 10 ଚୌକା ଏବଂ 2 ଛକା ସହାୟତାରେ 75 ରନ୍ର ଇନିଂସ ଖେଳିଥିଲେ । ତାଙ୍କର ଷ୍ଟ୍ରାଇକ୍ ରେଟ୍ ଥିଲା ଏକ ବିସ୍ଫୋରକ 159.57 । ଦଳ ପକ୍ଷରୁ ରିୟାନ ପରାଗ 22 ବଲ୍ରେ 3 ଚୌକା ଓ 1 ଛକା ସହାୟତାରେ 30 ରନ୍ ଏବଂ ଧ୍ରୁବ ଜୁରେଲ 23 ବଲ୍ରେ 2 ଚୌକା ଓ 2 ଛକା ସହାୟତାରେ 35 ରନ୍ କରିଥିଲେ । ଆରସିବି ପକ୍ଷରୁ ଭୁବନେଶ୍ୱର କୁମାର, ଯଶ ଦୟାଲ, ଜୋଶ ହାଜେଲଉଡ୍ ଏବଂ କୃଣାଲ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ।