Lucknow Super Giants beat Mumbai Indians ଲକ୍ଷ୍ନୌ: ଘରୋଇ ଗ୍ରାଉଣ୍ଡରେ ଚମକିଲା ଲକ୍ଷ୍ନୌ ସୁପର ଜିଆଣ୍ଟସ । ଇଣ୍ଡିଆନ ପ୍ରିମିୟର ଲିଗର 18ତମ ସଂସ୍କରଣର 16ତମ ମ୍ୟାଚରେ ମୁମ୍ବାଇକୁ 12 ରନରେ ପରାସ୍ତ କଲା ଏଲଏସଜି । ସନ୍ତୁଳିତ ବୋଲିଂ ଯୋଗୁ ଆଇପିଏଲରେ ଦ୍ବିତୀୟ ବିଜୟ ହାସଲ କରିବାରେ ସଫଳ ହୋଇଛି ଲକ୍ଷ୍ନୌ । କାମ ଦେଲା ମିଚେଲ ମାର୍ଶ ଓ ଆଡେନ ମାର୍କମଙ୍କ ଧୂଆଁଧାର ଅର୍ଦ୍ଧଶତକ । ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ଥିଲା 204 ରନର ବିଜୟ ଲକ୍ଷ୍ୟ । ମାତ୍ର 191 ରନରେ ଅଟକିଲା ମୁମ୍ବାଇ। ଦଳ ପକ୍ଷରୁ ସୂର୍ଯ୍ୟ କୁମାର ଯାଦବ 67 ରନ କରିଥିବା ବେଳେ ନମନ ଧିର କରିଥିଲେ 46 ରନ । ପାଣ୍ଡ୍ଯାଙ୍କ 5 ଓ୍ବିକେଟ ମଧ୍ୟ ବିଫଳ ହୋଇଛି ।
Game-changing last 2️⃣ overs, ft. Shardul Thakur and Avesh Khan
— IndianPremierLeague (@IPL) April 4, 2025
WATCH ⬇️🎥#TATAIPL | #LSGvMI
ତୃତୀୟ ଥର ହାରିଲା ମୁମ୍ବାଇ:
ବିଜୟ ପାଇଁ ମୁମ୍ବାଇକୁ ଶେଷ ଓଭରରେ 22 ରନ କରିବାକୁ ଥିଲା । କିନ୍ତୁ ଲକ୍ଷ୍ନୌର ଦ୍ରୁତ ବୋଲର ଅଭେଶ ଖାନ ଆଗରେ ଲୟ ହରାଇଥିଲେ ମୁମ୍ବାଇ ବ୍ୟାଟର । ଅଭେଶ ଶେଷ ଓଭରରେ 9 ରନ୍ ଦେଇଥିଲେ । ମୁମ୍ବାଇ ଇଣ୍ଡିଆନ୍ସର ଚଳିତ ସିଜିନର ଏହା ତୃତୀୟ ପରାଜୟ ଅଟେ । ସେପଟେ ଦ୍ବିତୀୟ ଥର ପାଇଁ ବିଜୟର ସ୍ବାଦ ଚାଖିଛି ଲକ୍ଷ୍ନୌ ସୁପର ଜିଆଣ୍ଟସ । ଉଭୟ ଦଳ ଚଳିତ ଆଇପିଏଲରେ 4ଲେଖାଏଁ ମ୍ୟାଚ ଶେଷ କରିଛନ୍ତି । ମୁମ୍ବାଇର ନୈରାଶ୍ୟଜନକ ପ୍ରଦର୍ଶନ ରହିଛି ।

କାମ ଦେଲାନି ପାଣ୍ଡ୍ଯାଙ୍କ ଘାତକ ବୋଲିଂ:
ଶୁକ୍ରବାର ଲକ୍ଷ୍ନୌର ଏକନା ଷ୍ଟାଡିୟମରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ମୁମ୍ବାଇ ଇଣ୍ଡିଆନ୍ସ । ଲକ୍ଷ୍ନୌକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । 20 ଓଭରରେ ଦଳ 8 ଓ୍ବିକେଟ ହରାଇ 203 ରନ କରିଥିଲା । ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ହାର୍ଦ୍ଧିକ ପାଣ୍ଡ୍ୟା ଘାତକ ବୋଲିଂ କରିଥିଲେ । ସେ ଘାତକ ବୋଲିଂ କରି ଲକ୍ଷ୍ନୌ ବ୍ୟାଟରଙ୍କୁ ବେଶି ସମୟ ପଡିଆରେ ତିଷ୍ଠି ରହିବାକୁ ଦେଇନଥିଲେ । ସେ 5 ଓ୍ବିକେଟ ନେଇଥିବା ବେଳେ ଏଥିରେ ରହିଛନ୍ତି ଆଡେନ ମାର୍କମ,ନିକୋଲାଶ ପୁରନ,ଋଷଭ ପନ୍ତ, ଡେଭିଡ ମିଲର ଓ ଆକାଶ ଦୀପ । ଦଳ ପକ୍ଷରୁ ମିଚେଲ ମାର୍ଶ 60, ଆର୍କମ 53 ଓ ଆୟୁସ 30 ରନ କରିଥିଲେ । ପୂର୍ବ ପରି କ୍ୟାପଟେନ ଋଷଭ ପନ୍ତ ଦର୍ଶକଙ୍କୁ ନିରାଶ କରି ମାତ୍ର 2 ରନରେ ଆଉଟ ହୋଇଥିଲେ ।
A nail-biting thriller that goes #LSG's way ✨#MI fall short by 1️⃣2️⃣ runs as Avesh Khan and LSG hold their nerves to secure their 2nd win of the season! #TATAIPL | #LSGvMI | @LucknowIPL pic.twitter.com/4YV2QmtUD0
— IndianPremierLeague (@IPL) April 4, 2025
ଏଲଏସଜିର ସନ୍ତୁଳିତ ବୋଲିଂ ଆଗରେ ହାର ମାନିଲେ ମୁମ୍ବାଇ ବ୍ୟାଟର:

204 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ମୁମ୍ବାଇ । କିନ୍ତୁ ଆରମ୍ଭରୁ ଝୁଣ୍ଟିଥିଲା ଦଳ । ଦଳୀୟ ସ୍କୋର 17 ହୋଇଥିବା ବେଳେ ଦୁଇ ଓପନର ଆଉଟ ହୋଇଥିଲେ । ଓ୍ବିଲ ଜେକ୍ସଙ୍କୁ 5 ରନରେ ଆଉଟ କରିଥିଲେ ଆକାଶ ଦୀପ । ପରେ ଓପନର ରିଆନ ରିକ୍ଲେଟନ 10 ରନ କରି ପାଭିଲିୟନକୁ ଫେରିଥିଲେ । ଏହା ପରେ ନମନ ଧିର ଓ ସୂର୍ଯ୍ୟ କୁମାର ଯାଦବ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଉଭୟଙ୍କ ପାର୍ଟନରସିପରେ 69ରନ ହୋଇଥିଲା । ନମନ 24 ବଲରେ 46 ରନ କରିଥିବା ବେଳେ 4 ଚଉକା ଓ 3 ଛକା ମାରିଥିଲେ । ନମନକୁ ସ୍ପିନର ଦିଗଭେଶ ସିଂହ ରାଠି ବୋଲ୍ଡ କରିଥିଲେ । ସୂର୍ଯ୍ୟ କୁମାର ଯାଦବ 43 ବଲରେ 67 ରନ କରିଥିଲେ । ଯେଉଁଥିରେ 9ଟି ଚଉକା ଓ 1ଟି ଛକା ସାମିଲ ରହିଛି । ସୂର୍ଯ୍ୟ କୁମାର ଆଉଟ ହେବା ପରେ ତିଲକ ବର୍ମା ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଠାରୁ ଦର୍ଶକ ଆଶା ରଖିଥିଲେ । କିନ୍ତୁ ଖେଳ ମଝିରେ ତିଲକ ଆହତ ହୋଇ ପାଭିଲିୟନକୁ ଫେରିଥିଲେ । ସେ 24 ବଲରେ 25 ରନ କରିଥିଲେ । ଓଭର ଶେଷ ପର୍ଯ୍ୟନ୍ତ ପାଣ୍ଡ୍ଯା ଓ ମିଚେଲ ସାଣ୍ଟନର ବ୍ୟାଟିଂ କରିଥିଲେ ମଧ୍ୟ ଲକ୍ଷ୍ନୌର ସନ୍ତୁଳିତ ବୋଲିଂ ଆଗରେ ଦଳକୁ ବିଜୟ ଦ୍ବାରରେ ପହଞ୍ଚାଇ ପାରିନଥିଲେ । ଲକ୍ଷ୍ନୌର ସାର୍ଦ୍ଦୁଲ ଠାକୁର, ଆକାଶ ଦୀପ, ଅଭେଶ ଖାନ ଓ ଦୀଗଭେଶ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
Match 16. Lucknow Super Giants Won by 12 Run(s) https://t.co/HHS1Gsaw71 #LSGvMI #TATAIPL #IPL2025
— IndianPremierLeague (@IPL) April 4, 2025