ଲକ୍ଷ୍ନୌ: ଅନ୍ତର୍ଜାତୀୟ କ୍ରିକେଟର ରିଙ୍କୁ ସିଂ ଏବଂ ସମାଜବାଦୀ ପାର୍ଟିର ସାଂସଦ ପ୍ରିୟା ସରୋଜ ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ । ଲକ୍ଷ୍ନୌର ଏକ ପଞ୍ଚତାରକା ହୋଟେଲରେ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବଙ୍କ ସମେତ ଅନେକ ଭିଆଇପିଙ୍କ ଉପସ୍ଥିତିରେ ଆଜି ଦୁହିଁଙ୍କ ନିର୍ବନ୍ଧ ସମ୍ପପ୍ନ ହୋଇଛି । କ୍ରିକେଟର ରିଙ୍କୁ ଏବଂ ସାଂସଦ ପ୍ରିୟା ଗୋଟିଏ ମଞ୍ଚରେ ଉଭୟ ଉଭୟଙ୍କୁ ମୁଦି ପିନ୍ଧାଇ ଥିଲେ । ଏହି ବିଶେଷ ଅବସରରେ ରିଙ୍କୁ ଏବଂ ପ୍ରିୟାଙ୍କ ଲୁକ୍ ବେଶ ଖାସ ଥିଲା । ଉଭୟ ପରସ୍ପରର ହାତ ଧରିଥିବାର ଦେଖାଯାଇଥିଲା । ଉଭୟଙ୍କ ଅନେକ ସୁନ୍ଦର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ପରିବାର ଏବଂ ସମ୍ପର୍କୀୟଙ୍କ ବ୍ୟତୀତ, ନିକଟତମ ବନ୍ଧୁମାନେ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଉତ୍ସବରେ ପାରମ୍ପରିକ ରୀତି ନୀତି ସହିତ ଆଧୁନିକତାର ଏକ ସୁନ୍ଦର ମିଶ୍ରଣ ଦେଖିବାକୁ ମିଳିଥିଲା । ରିଙ୍କୁ ଏବଂ ପ୍ରିୟା ପରସ୍ପରର ହାତ ଧରି ମଞ୍ଚ ଉପରେ ପହଞ୍ଚିଥିଲେ । ସାଂସଦ ପ୍ରିୟା ସରୋଜଙ୍କୁ ରିଙ୍କୁ ମୁଦି ପାନ୍ଧାଇବା ପରେ ସାଂସଦ ଭାବପ୍ରବଣ ହୋଇଯାଇଥିଲେ । ସେ କାନ୍ଦିବାକୁ ଲାଗିଲେ । ଅତିଥିମାନେ ତାଳି ମାରିଥିଲେ । ରିଙ୍କୁ ଏବଂ ପ୍ରିୟା କହିଛନ୍ତି ଯେ ସେମାନେ ସେମାନଙ୍କର ନୂତନ ଯାତ୍ରା ପାଇଁ ଉତ୍ସାହିତ ।

ପ୍ରାୟ 300 ଅତିଥି ଏହି ରାଜକୀୟ ଉତ୍ସବରେ ସାମିଲ ହୋଇଥିଲେ । ସମାଜବାଦୀ ପାର୍ଟିର ସାଂସଦ ଧର୍ମେନ୍ଦ୍ର ଯାଦବ, ସମ୍ଭଲ ସାଂସଦ ଜିଆଉର ରହମାନ ବାର୍କ ମଧ୍ୟ ନିର୍ବନ୍ଧରେ ଉପସ୍ଥିତ ନଜର ଆସିଥିଲେ । ଏହା ବ୍ୟତୀତ ରାଜନୈତିକ ଏବଂ କ୍ରୀଡ଼ା ଜଗତର ଅନ୍ୟ ସେଲିବ୍ରିଟି ମଧ୍ୟ ପହଞ୍ଚିଥିଲେ । ଅତିଥିମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଏକ ସ୍ୱତନ୍ତ୍ର ମେନୁ ପ୍ରସ୍ତୁତ କରାଯାଇଥିଲା । ମେନୁରେ ରସଗୁଲ୍ଲା, କାଜୁ ପନିର ରୋଲ ଇତ୍ୟାଦି ମିଠା ସ୍ଥାନ ପାଇଥିଲା । ରିଙ୍କୁଙ୍କ ପ୍ରିୟ ଖାଦ୍ୟ ପନିର ଟିକ୍କା ଏବଂ ମଟର ମଲାଇ ମଧ୍ୟ ଅତିଥିମାନଙ୍କୁ ପରିବେଷଣ କରାଯାଇଥିଲା ।

ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ମଧ୍ୟ କଡ଼ା ବ୍ୟବସ୍ଥା କରାଯାଇଥିଲା । ଅତିଥିମାନଙ୍କୁ ସ୍ୱତନ୍ତ୍ର ପାସ୍ ମାଧ୍ୟମରେ ପ୍ରବେଶ ଦିଆଯାଇଥିଲା । ହୋଟେଲ ଚାରିପାଖରେ ବ୍ୟକ୍ତିଗତ ଏବଂ ପୋଲିସ ସୁରକ୍ଷା ନିୟୋଜିତ କରାଯାଇଥିଲା । ଭିଆଇପି ଅତିଥିମାନଙ୍କ ସୁବିଧା ପ୍ରତି ବିଶେଷ ଧ୍ୟାନ ଦିଆଯାଇଥିଲା । ରିଙ୍କୁ ଏବଂ ପ୍ରିୟା ଚଳିତ ବର୍ଷ ନଭେମ୍ବର 18 ରେ ବିବାହ କରିବେ । ସେମାନଙ୍କର ବିବାହ ଉତ୍ସବ ବନାରସରେ ଅନୁଷ୍ଠିତ ହୋଇପାରେ । ବିବାହରେ ଅନେକ ସେଲିବ୍ରିଟି ମଧ୍ୟ ଯୋଗଦେବେ।

ପ୍ରିୟା ସରୋଜ 2024 ଲୋକସଭା ନିର୍ବାଚନରେ ମଛଲିଶହର ଆସନରୁ ଜିତିଥିଲେ । ତାଙ୍କ ବାପା ଟୁଫାନି ସରୋଜଙ୍କୁ ଜଣେ ଅଭିଜ୍ଞ ନେତା ଭାବରେ ବିବେଚନା କରାଯାଏ । ପ୍ରିୟା ସରୋଜଙ୍କ ବନ୍ଧୁଙ୍କ ବାପା ଜଣେ କ୍ରିକେଟର ଥିଲେ । ପ୍ରିୟା ସରୋଜ ତାଙ୍କ ମାଧ୍ୟମରେ ରିଙ୍କୁଙ୍କୁ ଭେଟିଥିଲେ । ଏହା ପରେ ଉଭୟଙ୍କ ମଧ୍ୟରେ ବାର୍ତ୍ତାଳାପ ଆରମ୍ଭ ହୋଇଥିଲା ।