BJD Leaders Dispute ଭୁବନେଶ୍ବର: ବିଜେଡିରେ ରହିଥିବା ଅସନ୍ତୋଷ ୱାକଫ ବିଲରେ ଦଳର ଆଭିମୁଖ୍ୟ ପରେ କୁହୁଳିବାରେ ଲାଗିଛି । ଗତ 4 ଦିନ ହେଲା ବିଜେଡି ନେତା ମାନେ ପରସ୍ପର ବିରୋଧରେ ଖୋଲାଖୋଲି ବିଷୋଦଗାର କରିବାରେ ଲାଗିଛନ୍ତି । ଦଳର ଭାବମୂର୍ତ୍ତି ବଞ୍ଚେଇବା ଓ ଡ୍ୟାମେଜ କଣ୍ଟ୍ରୋଲ ଲାଗି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଦଳର ବରିଷ୍ଠ ନେତା । ଗଣମାଧ୍ୟମରେ ବକ୍ତବ୍ୟ ନ ରଖିବାକୁ ନେତାଙ୍କୁ ନବୀନ କରିଛନ୍ତି ଅନୁରୋଧ । ଖୋଲା ଖୋଲି ସ୍ପଷ୍ଟ ମତ ରଖୁଥିବା ବରିଷ୍ଠ ନେତା ଅସମ୍ଭବ ନୀରବତା ଅବଲମ୍ବନ କରୁଛନ୍ତି । ସେପଟେ ମେଳି ବାନ୍ଧିଛନ୍ତି ଦଳର ଯୁବ ନେତା ।
ବିଜେଡିରେ ଥମୁନି ବିବାଦ !
ୱାକଫ ବିଲରେ ଦଳର ଆଭିମୁଖ୍ୟକୁ ନେଇ ବିଜେଡିରେ ଆରମ୍ଭ ହୋଇଥିବା ବିବାଦ ନିର୍ଣ୍ଣାୟକ ମୋଡ଼କୁ ଯିବାକୁ ଲାଗିଛି । ୱାକଫ ବିଲକୁ ବିରୋଧ କରିବାକୁ ବିଜେଡିର ନିଷ୍ପତ୍ତି ନିଷ୍ପତ୍ତି ନେଇଥିଲା । ଭୋଟିଂ ଦିନ ଦଳର ସାଂସଦ ସସ୍ମିତ ପାତ୍ରଙ୍କ ସୋସିଆଲ ମିଡିଆ ପୋଷ୍ଟ ଓ ପରେ ପ୍ରତିକ୍ରିୟାକୁ ଦ୍ବନ୍ଦ୍ୱ ସୃଷ୍ଟି ହୋଇଥିଲା । ଯାହାକୁ ନେଇ ଦଳର ବରିଷ୍ଠ ନେତା ମାନେ ନାପସନ୍ଦ କରିବା ସହ ପ୍ରତିକ୍ରିୟା ରଖିଥିଲେ । ପରବର୍ତ୍ତୀ ସମୟରେ ବିଜେଡି ସଭାପତିଙ୍କୁ ଭେଟି ସସ୍ମିତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଏହାର ପରବର୍ତ୍ତୀ ସମୟରେ ଘଟଣାରେ ନାଁ ନନେଇ ଭିକେ ପାଣ୍ଡିଆନଙ୍କୁ ଟାଣିଥିଲେ ବିଜେଡିର ଅନ୍ୟତମ ସାଂସଦ ଦେବାଶିଷ ସାମନ୍ତରାୟ ।
ସସ୍ମିତଙ୍କୁ ଟାର୍ଗେଟ କରିଥିଲେ ମୁନ୍ନା:
ସେପଟେ ଗତକାଲି ଭୁବନେଶ୍ୱର ବିମାନବନ୍ଦରରେ ପହଁଚି ସସ୍ମିତଙ୍କୁ ଟାର୍ଗେଟ କରିବା ସହ ନବୀନଙ୍କୁ ପ୍ରଶଂସା କରିଥିଲେ ମୁନ୍ନା । ପରେ ସଂଖ୍ୟାଲଘୁ ସେଲର କର୍ମକର୍ତ୍ତାଙ୍କ ସହ ନବୀନ ନିବାସ ଆସି ସେ ଶକ୍ତି ପ୍ରଦର୍ଶନ କରିଥିଲେ । କିନ୍ତୁ ଏହି କାର୍ଯ୍ୟକ୍ରମରେ ଦେବାଶିଷଙ୍କ ସମର୍ଥିତ କଟକର କିଛି ଛାତ୍ର ନେତା ପାଣ୍ଡିଆନ ହଟାଅ ନାରା ପକାଇ ଥିଲେ । ସେହିପରି ବିଭିନ୍ନ ଗଣମାଧ୍ୟମରେ ପାଣ୍ଡିଆନଙ୍କ ନାଁ ନେଇ ପ୍ରତିକ୍ରିୟା ରଖିଥିଲେ ଦେବାଶିଷ । ଦେବାଶିଷ ପାଣ୍ଡିଆନଙ୍କ ନାଁ ଧରିବା ପରେ ଚିଇଁକି ଉଠିଥିଲେ ପାଣ୍ଡିଆନ ସମର୍ଥିତ ସାଂସଦ । ସେମାନେ ଖୋଲାଖୋଲି ଦେବାଶିଷଙ୍କୁ ଟାର୍ଗେଟ କରିଥିଲେ । ବିଲ୍ ପ୍ରସଙ୍ଗରେ ବିଜେଡିର ଆଭିମୁଖ୍ୟ ନବୀନଙ୍କ ନିଷ୍ପତ୍ତି ବୋଲି କହି ପାଣ୍ଡିଆନଙ୍କୁ କ୍ଲିନଚିଟ ଦେଇଥିଲେ ସେମାନେ ।
BJD Politics U-Turn:
ଏହା ପରେ ବିଜେଡି ରାଜନୀତି ସମ୍ପୂର୍ଣ୍ଣ ଭାବେ ୟୁ-ଟର୍ଣ୍ଣ ନେଇଛି । ଆରମ୍ଭରୁ ବରିଷ୍ଠ ନେତା ସସ୍ମିତଙ୍କ ବିରୋଧରେ ଆକ୍ସନ ଦାବି କରୁଥିବାବେଳେ ଏବେ ହଠାତ ଚୁପ ରହିଛନ୍ତି । ନିଷ୍ପତ୍ତିକୁ ନେଇ ନବୀନଙ୍କ ନାଁ ସାମ୍ନାକୁ ଆସିବା ପରେ ବରିଷ୍ଠ ନେତା ପ୍ରତିକ୍ରିୟା ଦେବାରୁ ନିଜକୁ ବଞ୍ଚାଉଛନ୍ତି । ସେପଟେ ଦେବାଶିଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ପ୍ଲଟ ପ୍ରସ୍ତୁତ ହେଉଥିବା ଆଶଙ୍କା ସୃଷ୍ଟି ହୋଇଛି । ଏହାରି ଭିତରେ ଆଜି ପୂର୍ବାହ୍ନରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଦଳର କିଛି ବରିଷ୍ଠ ନେତା । ବରିଷ୍ଠ ନେତା ନବୀନ ନିବସରେ ପହଞ୍ଚି ବିଜେଡି ସଭାପତିଙ୍କ ସହ ଆଲୋଚନା କରିଛନ୍ତି । ପ୍ରାୟ ଦେଢ ଘଣ୍ଟା ଧରି ଦଳୀୟ ନେତାଙ୍କ ସହିତ ଆଲୋଚନା କରିଛନ୍ତି ନବୀନ । ଦଳରେ ଶୃଙ୍ଖଳା ବଜାୟ ରଖିବାକୁ ନେତାଙ୍କୁ ନବୀନ ପରାମର୍ଶ ଦେଇଥିବା ଜଣାପଡିଛି ।
ବିଜେଡି ନେତାଙ୍କ ମୁହଁରେ ତୁଣ୍ଡି !
ଡ୍ୟାମେଜ କଣ୍ଟ୍ରୋଲ ଲାଗି ବର୍ତ୍ତମାନ ଆଉ ଗଣମାଧ୍ୟମରେ ବକ୍ତବ୍ୟ ନ ରଖିବାକୁ ନବୀନ ନେତାଙ୍କୁ ଅନୁରୋଧ କରିଥିବା ସୂଚନା ମିଳିଛି । ନବୀନ ନିବାସରେ ବିଜେଡିର ବରିଷ୍ଠ ନେତା ତଥା ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ, ଅନଙ୍ଗ ଉଦୟ ସିଂହଦେଓ, ଦଳର ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର, ପ୍ରତାପ କେଶରୀ ଦେବ, ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସବର୍ମା, ପ୍ରଣବ ପ୍ରକାଶ ଦାସ, କଳିକେଶ ନାରାୟଣ ସିଂହଦେଓ ଓ ବିଜୟ ନାୟକ ପ୍ରମୁଖ ବିଜେଡି ସଭାପତିଙ୍କ ସହ ଆଲୋଚନା କରିଛନ୍ତି । ଗଣମାଧ୍ୟମରେ କେବଳ ଦଳର ସଂଗଠନ ନିର୍ବାଚନ, ଦଳ ସ୍ଥିର ଥିବା ନେତା ମାନେ ପ୍ରତିକ୍ରିୟା ରଖିଛନ୍ତି । ଦଳରେ ବିବାଦ ସମ୍ପର୍କିତ ସମସ୍ତ ପ୍ରଶ୍ନକୁ ଏଡାଇ ଯାଇଛନ୍ତି ନେତା ।
ଦ୍ବନ୍ଦ୍ୱରେ ଖୁବଶୀଘ୍ର ଯବନିକା ପଡିବା ଦରକାର:
ସେପଟେ ବରିଷ୍ଠ ନେତା ପଦ୍ମନାଭ ବେହେରା କହିଛନ୍ତି, ‘ବିଗତ ଦିନରେ ଯାହା ସବୁ ଘଟଣା ଘଟୁଛି, ତା'ହା ଦଳ ପାଇଁ କ୍ଷତିକାରକ । ଏଥିରେ ଟିକେ ବି ସନ୍ଦେହ ନାହିଁ । ଦଳରେ ସୃଷ୍ଟି ହୋଇଥିବା ଏହି ଦ୍ବନ୍ଦ୍ୱରେ ଖୁବଶୀଘ୍ର ଯବନିକା ପଡିବା ଦରକାର । ଅଧିକ ସମୟ ନେଲେ ଦଳର କ୍ଷତି ହେଉଛି । ବିଗତ ଦିନରେ ଯାହା ସବୁ ହୋଇଛି ଏହା ଦ୍ୱାରା ଦଳର କ୍ଷତି ହେଉଛି । ଅଧିକ ସମୟ ନେଲେ ଠିକ ହେବ ନାହିଁ । ପାଣ୍ଡିଆନ ଦଳରେ ନାହାନ୍ତି । ସନ୍ନ୍ୟାସ ନେଲେ ବୋଲି କହିଛନ୍ତି । ତାଙ୍କ ସପକ୍ଷରେ ଯେଉଁମାନେ ବାହରିକି ମତ ଦେଉଛନ୍ତି, ଏହା ଦ୍ୱାରା ଦଳର କ୍ଷତି ହେଉଛି ।’
ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲାଭ ହେବ ଭୁଲ ଧାରଣା:
ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଦେଇଥିବା ପ୍ରତିକ୍ରିୟାର କାଉଣ୍ଟର କହିଛନ୍ତି ବିଜେଡିର ସଂଖ୍ୟାଲଘୁ ସେଲର ସାଧାରଣ ସମ୍ପାଦକ ପଲ୍ଲବ କୁମାର ଲିମା । ପଲ୍ଲବ କହିଛନ୍ତି, ‘ସସ୍ମିତ ପାତ୍ର ୱାକଫ ବିଲ ସପକ୍ଷରେ ଭୋଟ ଦେଇଛନ୍ତି । ୱାକଫ ବିଲର ସମର୍ଥନ ସହ ଖ୍ରୀଷ୍ଟିଆନଙ୍କର କୌଣସି ସମ୍ପର୍କ ନାହିଁ । ୱାକଫ ବିଲ କେବଳ ମୁସଲମାନଙ୍କ ସମ୍ପର୍କିତ । ୱାକଫ ବିଲକୁ ସମର୍ଥନ ଦ୍ୱାରା ନିର୍ଦ୍ଦିଷ୍ଟ ସମ୍ପ୍ରଦାୟରର ଲାଭ ହେବ ବୋଲି ଏକ ଭୁଲ ଓ ଭ୍ରାନ୍ତ ଧାରଣା ଦିଆଯାଉଛି ।’

ଯୁବ ନେତାଙ୍କ ମେଳି:
ସେପଟେ ଏକଜୁଟ ହୋଇଛନ୍ତି ବିଜେଡିର କିଛି ଯୁବ ନେତା । ବିଜେଡିର ଏହି ଯୁବ ଗୋଷ୍ଠୀରେ ପୂର୍ବତନ ବିଧାୟକ ଓ ବର୍ତ୍ତମାନର ବିଧାୟକ ସାମିଲ ଅଛନ୍ତି । ଏହି ଗୋଷ୍ଠୀରେ ସମ୍ବିତ ରାଉତରାୟ, ପ୍ରଣବ ବଳବନ୍ତରାୟ, ବିଷ୍ଣୁବ୍ରତ ରାଉତରାୟ, ଅଂଶୁମାନ ମହାନ୍ତି, ଚନ୍ଦ୍ର ସାରଥୀ ବେହେରା, ଦେବୀ ପ୍ରସାଦ ତ୍ରିପାଠୀ ଓ ରୁଦ୍ର ମହାରଥୀ ପ୍ରମୁଖ ମେଳି କରିଥିଲେ । ୟୁନିଟ - 6 ନିକଟରେ ଥିବା ଅଂଶୁମାନ ମହାନ୍ତିଙ୍କ ଘରେ ଏକାଠି ହୋଇଥିଲେ ଏହି ନେତା । ପରବର୍ତ୍ତୀ ସମୟରେ ଶଙ୍ଖ ଭବନକୁ ଯାଇ ଏମାନେ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଛନ୍ତି ।
ବିଶୃଙ୍ଖଳା ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଯୁବ ନେତା ବିଜେଡି ସଭାପତିଙ୍କ ଉଦ୍ଦେଶ୍ୟରେ ଦଳର ସମନ୍ୱୟ କମିଟି ଆବାହକ ଦେବୀ ରଞ୍ଜନ ମିଶ୍ରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ସେହିଭଳି ସେମାନେ ରାଜ୍ୟସଭା ସାଂସଦ ମୁନ୍ନା ଖାଁ'ଙ୍କ ସହ ଆଲୋଚନା କରିଛନ୍ତି ।
ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ କହିଛନ୍ତି, ‘ବିଜେଡିରେ ବିବାଦ କିଛି ନୁହେଁ, ଯାହା ଅଛି ସଭାପତି ସବୁ ଜାଣୁଛନ୍ତି । ଦଳର ଶୃଙ୍ଖଳା କିଏ ଭାଙ୍ଗିଛନ୍ତି, ଦିନେ ଦୁଇ ଦିନ ମଧ୍ୟରେ ସଭାପତି ନିଷ୍ପତ୍ତି ନେବେ । ଲୋକେ ଆମକୁ ମଧ୍ୟ ପ୍ରଶ୍ନ କରୁଛନ୍ତି । ଆମେ ମଧ୍ୟ ବ୍ୟତିବ୍ୟସ୍ତ । ଭୁଲ ଯୋଗୁଁ ଲୋକଙ୍କ ପାଖକୁ ଖରାପ ବାର୍ତ୍ତା ଯାଇଛି । ଯାହା ଭୁଲ ହୋଇଛି ତାହାର ପ୍ରତିକାର ସହ ଡ୍ୟାମେଜ କଣ୍ଟ୍ରୋଲ ହେବ । ଦେବାଶିଷ ସାମନ୍ତରାୟ ହେଉଛନ୍ତି ଦଳର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ । ସେ କହିଥିବା କଥା ପଛର ଅର୍ଥ ନିଶ୍ଚୟ ଥିବ । ଯେଉଁମାନେ ଦେବାଶିଷ ସାମନ୍ତରାୟଙ୍କୁ ଆକ୍ଷେପ କଲେ ସେମାନେ ଦୁଇଥର ଚିନ୍ତା କରିବା ଦରକାର । ଦେବାଶିଷଙ୍କୁ ଯାହା କହିବା କଥା ବ୍ୟକ୍ତିଗତ ଭାବେ କହିଥାନ୍ତେ । ଗଣମାଧ୍ୟମକୁ ଆସିବା ଠିକ ହେଲା ନାହିଁ । ଏଇଟା ଉଚିତ ନୁହେଁ ।’
ନବୀନ ନିବାସରେ ସାଙ୍ଗଠନିକ ନିର୍ବାଚନ ଚର୍ଚ୍ଚା:
ସେପଟେ ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର କହିଛନ୍ତି, ସାଙ୍ଗଠନିକ ନିର୍ବାଚନ ସମ୍ପର୍କରେ ଆଲୋଚନା ହେଲା । କାଲି ବୈଠକ ହୋଇଥିଲା ଏଥିରେ ବିଭିନ୍ନ କମିଟିର ସଦସ୍ୟ ଥିଲେ । ଏହା ଉପରେ ଆଲୋଚନା ହୋଇଛି ।
ଏନେଇ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, ‘ସାଙ୍ଗଠନିକ କାର୍ଯ୍ୟକ୍ରମ ଯାହା ଚାଲିଛି, ଜିଲ୍ଲା ସଭାପତି, ଦଳର କମିଟି ଗଠନ କରାଯିବ ଏସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ଆସିଥିଲୁ । ସାଙ୍ଗଠନିକ ନିର୍ବାଚନ ଚାଲିଛି ସେ ସମ୍ପର୍କରେ ବିସ୍ତୁତ ଆଲୋଚନା କରାଯାଇଛି । ଯେତେ ଦିନ ପର୍ଯ୍ୟନ୍ତ ନବୀନ ପଟ୍ଟନାୟକ ଅଛନ୍ତି ବିଜୁ ଜନତା ଦଳ ମଜବୁତ ଅଛି ଓ ରହିବ । ଲୋକଙ୍କ ଆଶା ଓ ଭରସାର ଦଳ ହୋଇ ରହିବ ।’
ଇଟିଭି ଭାରତ, ଭୁବନେଶ୍ବର