BJD Unexpected Support For Waqf Bill: ଭୁବନେଶ୍ବର: ସଂସଦରେ ୱାକଫ ବିଲକୁ ନେଇ ବିଜେଡିର ବଦଳିଥିବା ଆଭିମୁଖ୍ୟକୁ ନେଇ ସାରା ଦେଶରେ ଚର୍ଚ୍ଚା । ୱାକଫ ବିଲକୁ ଆରମ୍ଭରୁ ବିରୋଧ କରିଆସିଥିବା ବିଜେଡି ଅଘୋଷିତ ଭାବେ ସମର୍ଥନ ଜଣାଇଛି । ହୁଇପ ଜାରୀ ନକରି ବିବେକାନୁମୋଦିତ ଭୋଟିଂ କଥା ଦଳର ସାଂସଦ ସସ୍ମିତଙ୍କ ପୋଷ୍ଟକୁ ନେଇ ରାଜନୈତିକ ପୋଷ୍ଟମର୍ଟମ ଆରମ୍ଭ ହୋଇଛି । ୱାକଫ ବିଲ ଭୋଟିଂରେ ବିଜେଡି ସାଂସଦ ଦୁଇ ଫାଳ ନେଇ ଦଳର ବରିଷ୍ଠ ନେତା ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ବରିଷ୍ଠ ବିଜେଡି ନେତା ଏ ବାବଦରେ କଡା ମନ୍ତବ୍ୟ ଦେବା ସହ ଦଳର ସଭାପତିଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି । ବିଜେଡିର ଏଭଳି ନିଷ୍ପତ୍ତିକୁ କଂଗ୍ରେସ ସମାଲୋଚନା କରିଥିବା ବେଳେ ନେତୃତ୍ୱ ବିହୀନ ବେଳେ ଏଭଳି ଘଟଣା ନଜରକୁ ଆସେ ବୋଲି ବିଜେପି ବିଧାୟକ କହିଛନ୍ତି ।
'ବିଜେଡି ଓ ବିଜେପି ଏକ ନୁହଁନ୍ତି':
ଏନେଇ ବିଜେଡିର ଉପ ସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, "ବିଜେଡି ଓ ବିଜେପି ଏକ ନୁହଁନ୍ତି । ବିଜେଡି ଏକ ସ୍ୱତନ୍ତ୍ର ରାଜନୈତିକ ଦଳ । ବିଜେପି ମଧ୍ୟ । ଆମେ ନିର୍ଦ୍ଧାରିତ ନୀତି ଅନୁସାରେ କାର୍ଯ୍ୟକ୍ରମ ଗ୍ରହଣ କରୁ । ପାର୍ଲିଆମେଣ୍ଟ ଅଧିବେଶନ ପୂର୍ବରୁ ବିଜେଡିର ସଂସଦୀୟ ଦଳ ବୈଠକ ସଭାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୁଏ । ସଂସଦୀୟ ଅଧିବେଶନ ପୂର୍ବରୁ ଏହି ବୈଠକ ହୋଇଥିଲା । ସାଂସଦରେ ବିଭିନ୍ନ ପ୍ରସଙ୍ଗ ବାବଦରେ ଆଲୋଚନା କରି ନିଷ୍ପତ୍ତି ନିଆଯାଏ । ଗତକାଲିର ପ୍ରସଙ୍ଗ ବାବଦରେ ଆମେ ସମ୍ପୂର୍ଣ୍ଣ ଭାବେ ଅବଗତ ନାଁହୁ । ସଂସଦୀୟ ଦଳ ନେତା ଏ ବାବଦରେ ଅବଗତ ଥିବେ । କିନ୍ତୁ ଏ ବାବଦରେ ବିଜେଡି ସଭାପତିଙ୍କ ସହ ଦଳର ବରିଷ୍ଠ ନେତା ଆଜି ଆଲୋଚନା କରିବୁ । ଯେତେବେଳେ ଓଡ଼ିଶାର ସ୍ୱାର୍ଥ ବିରୋଧୀ ଯେଉଁ ପ୍ରସଙ୍ଗ ଆସେ ଆମେ ବିରୋଧ କରୁ । ବିଜେଡି ହେଉଛି ଓଡ଼ିଶାର ଜନମାନସର ଦଳ । ଜନସାଧାରଣଙ୍କ ପ୍ରତିନିଧିତ୍ୱ ଆମେ କରୁଛୁ । ଓଡ଼ିଶା ଓ ଓଡ଼ିଶାର ଲୋକଙ୍କ ସେବା କରିବା ଲାଗି ଆମ ଦଳର ଜନ୍ମ । ୱାକଫ ବିଲକୁ ବିରୋଧ କରାଯିବ ବୋଲି ସଂସଦୀୟ ଦଳ ବୈଠକରେ ନିଷ୍ପତ୍ତି ହୋଇଥିଲା । କେଉଁ ପରିସ୍ଥିତିରେ ଏହା ପରିବର୍ତ୍ତନ ହେଲା ସେ ସମ୍ପର୍କରେ ଆମେ ଅବଗତ ନାଁହୁ ।"
'ସଂସଦରେ କ'ଣ ହୋଇଛି ଅବଗତ ନାହୁଁ':
ବିଜେଡିର ବରିଷ୍ଠ ନେତା ଭୂପିନ୍ଦର ସିଂ କହିଛନ୍ତି, "ୱାକଫ ବିଲକୁ ନେଇ ବିଜେଡିର ପରିବର୍ତ୍ତନ ଷ୍ଟାଣ୍ଡ ବାବଦରେ ଟିଭିରୁ ଜାଣିଲୁ । ବିବେକାନୁମୋଦିତ ଭୋଟିଂ ପାଇଁ ଦଳ ନିଷ୍ପତ୍ତି ନେଇଥିବା ସକାଳେ ଜାଣିଲୁ । ଏ ବାବଦରେ ଦଳର ନେତାଙ୍କ ସହ ଚର୍ଚ୍ଚା କରିବା ପରେ ମତ ରଖିବୁ । ରାଜ୍ୟ ରାଜନୀତିରେ ଆମର ଷ୍ଟାଣ୍ଡକୁ ନେଇ ସବୁବେଳେ କୁହାଯାଏ । ବିଜେଡି ଓ ବିଜେପି ଏକ ବୋଲି ବିରୋଧୀ ଦଳ ସବୁବେଳେ କୁହନ୍ତି । ଏହା ଠିକ ନୁହେଁ ବୋଲି ବିଧାନସଭାରୁ ସମସ୍ତେ ଜାଣିଥିବେ । ସଂସଦରେ କ'ଣ ହୋଇଛି ସେ ବାବଦରେ ବର୍ତ୍ତମାନ ଅବଗତ ନାହୁଁ ।"
'ସଭାପତିଙ୍କ ସହ ଆଲୋଚନା ପରେ ସ୍ପଷ୍ଟ ହେବ':
ବିଜେଡିର ବରିଷ୍ଠ ନେତା ଶଶୀଭୂଷଣ ବେହେରା କହିଛନ୍ତି, "ନିଷ୍ପତ୍ତିରେ କିଛି ଦ୍ବନ୍ଦ୍ୱ ସୃଷ୍ଟି ହୋଇଛି । ୱାକଫ ବିଲକୁ ବିରୋଧ କରିବା ପାଇଁ ସଂସଦୀୟ ଦଳ ବୈଠକରେ ସଭାପତିଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଥିଲା । ଅନୁରୂପ ଭାବେ ଦଳ ସାଂସଦ ମୁନ୍ନା ଖାଁ ସ୍ପଷ୍ଟ ଭାବେ ବିରୋଧ କରିଥିଲେ । ପରବର୍ତ୍ତୀ ସମୟରେ ଯେଉଁଭଳି ଭାବେ ନିଷ୍ପତ୍ତି ବଦଳିଲା ଓ ସୋସିଆଲ ମିଡିଆରେ ପୋଷ୍ଟକୁ ନେଇ ସାରା ଦେଶରେ ଦ୍ବନ୍ଦ୍ୱ ସୃଷ୍ଟି ହୋଇଛି । ଦଳର ନେତାଙ୍କ ମହଲରେ ମଧ୍ୟ ଦ୍ବନ୍ଦ୍ୱ ରହିଛି । ସନ୍ଧ୍ୟାରେ ସଭାପତିଙ୍କୁ ଭେଟି ଏ ବାବଦରେ ଆଲୋଚନା କରିବୁ । ଦ୍ଵନ୍ଦ ଦୂର କରିବା ପାଇଁ ରାସ୍ତା ବାହାର କରିବୁ । ଯେତେବେଳେ ଦଳର ନିଷ୍ପତ୍ତି ବ୍ୟତିକ୍ରମ ହୋଇଛି, ସଭାପତିଙ୍କ ସହ ଆଲୋଚନା ପରେ ସ୍ପଷ୍ଟ ହେବ ।"
'ଏଥିରେ ନିଶ୍ଚୟ ଖେଳ ହୋଇଛି':
ସେହିପରି ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର କହିଛନ୍ତି, "ଦଳର ନୀତିଗତ ନିଷ୍ପତ୍ତି ଉପରେ ଗତକାଲି ଘଟଣା ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି । ଏହି ବିଲକୁ ନିଷ୍ଠାପର ଭାବେ ବିରୋଧ କରିବା ଲାଗି ଦଳର ସଭାପତି ନିର୍ଦ୍ଦେଶ ଦେଇଥିଲେ । ଦଳର ସଭାପତିଙ୍କ ନିର୍ଦ୍ଦେଶ ସ୍ୱତ୍ତ୍ବେ ଏହା କେମିତି ହେଲା ଚିନ୍ତାର ବିଷୟ । ସଭାପତିଙ୍କ ନିର୍ଦ୍ଦେଶ ପରେ ଯଦି ଏଭଳି ବ୍ୟତିକ୍ରମ ହୋଇଛି ତାହାଲେ କିଛି ଚାପ ଥିବ । ସଭାପତିଙ୍କ ନିର୍ଦ୍ଦେଶ ପରେ ଯଦି ନିଷ୍ପତ୍ତି ବଦଳିଛି, ତେବେ ଏଥିରେ ନିଶ୍ଚୟ ଖେଳ ହୋଇଛି । କିଏ ଏଭଳି କରିଛି, ସେ ବାବଦରେ ଖୋଜା ଚାଲିଛି । ହୁଇପ କାହିଁକି ରହିଲା ନାହିଁ, କାହିଁକି ସମସ୍ତେ ଏହାକୁ ବିରୋଧ କଲେ ନାହିଁ ? କିଛି ବିଲ ସପକ୍ଷରେ ଓ ବିପକ୍ଷରେ ଭୋଟ ଦେଇଛନ୍ତି । ତାହା ବର୍ତ୍ତମାନ ସନ୍ଦେହ ଘେରରେ ଅଛି ।"
'ବିଜେଡି ବିଭାଜନ ଆଡକୁ ଆଗେଇଛି':
ବିଜେପି ବିଧାୟକ ବାବୁ ସିଂ କହିଛନ୍ତି, "ପାର୍ଲିଆମେଣ୍ଟ କାହିଁକି ଓଡିଶା ବିଧାନସଭାରେ ଯଦି ବିଶ୍ୱବିଦ୍ୟାଳୟ ବିଲ ନେଇ ଭୋଟିଂ ହୋଇଥିଲେ ସମାନ ଅବସ୍ଥା ହୋଇଥାନ୍ତା । ବିଶ୍ୱବିଦ୍ୟାଳୟ ବିଲରେ ବିଜେଡିର ୬ ଜଣ ବକ୍ତାଙ୍କ ମଧ୍ୟରୁ ୩ ଜଣ ସମର୍ଥନ ଓ ୩ ଜଣ ବିରୋଧରେ କହିଲେ । ବିଜେଡି ଦଳ ଭିତରେ ସହମତି ନାହିଁ । ବିଲ ଉପରେ କହିବା ବେଳେ ବିଜେଡି ଦୁଇ ଭାଗ । ରାଜ୍ୟସଭାରେ ବିଜେଡି ମଧ୍ୟରେ ସହମତି ନାହିଁ । କାହାକୁ ସମର୍ଥନ ଓ କାହାକୁ ବିରୋଧ କରିବେ, ସେନେଇ ତାଙ୍କ ଭିତରେ ଏକମତ ନାହିଁ । ଯେତେବେଳେ ଦଳ ନେତୃତ୍ୱ ବିହୀନ ହୋଇଯାଏ, ଏଭଳି ଘଟଣା ନଜରକୁ ଆସେ । ବିଭାଜନ ଆଡ଼କୁ ଦଳ ଯାଏଁ । ଲୋକଙ୍କ ବିଶ୍ୱାସ ହରେଇଥିବା ବିଜେଡି କର୍ମୀଙ୍କ ବିଶ୍ୱାସ ହରେଇବେ । ଆଗକୁ ଅନ୍ଧକାର ଭିତକୁ ଚାଲିଯିବେ । ହୁଇପ ଜାରି ହେବା ଓ ନହେବା ମଧ୍ୟରେ ବିଶେଷ ଫରକ ନଥାଏ । ଦଳର ମତ ବାବଦରେ ନେତା ଯଦି ନଜାଣି ପାରିବେ କେବଳ ହୁଇପ ଦରକାର ହେଲେ ସାଂସଦ କିମ୍ବା ବିଧାୟକ ହେବା ଦରକାର ନାହିଁ । ବିଜେଡି ବିଭାଜନ ଆଡକୁ ଆଗେଇଛି । ଆଗକୁ ଡୁବି ଯିବେ ।"
'ବିଜେଡି ଏବଂ ବିଜେପି ଏକାଠି ଅଛନ୍ତି':
ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି, "ଗତବର୍ଷ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ସଂଖ୍ୟାଲଘୁ ସଂପ୍ରଦାୟ ଭେଟିଥିଲେ । ୱାକଫ ବିଲକୁ ବିଲ ବିରୋଧରେ ଆମେ ସାଂସଦରେ ମତ ଦେବେ ବୋଲି ବିଜେଡି ସଭାପତି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏବେ ବିଜେଡି କ'ଣ କଲା ତାହା ସମସ୍ତେ ଦେଖିଲେ । ପୂର୍ବରୁ ନବୀନ ବାବୁ ଦିଲ୍ଲୀ ଗସ୍ତ କରିଥିଲେ । ସେତେବେଳେ କୁହାଗଲା ଏହା ହେଉଛି ନବୀନ ବାବୁଙ୍କ ଘରୋଇ ଗସ୍ତ । ସେତେବେଳେ ସିଏ କାହାକୁ ଭେଟିଲେ ଜାଣିନାହୁଁ । ପୁନର୍ବାର ଦିଲ୍ଲୀ ଗସ୍ତ କରିଥିଲେ ନବୀନ ବାବୁ । କିନ୍ତୁ ସେଠାରୁ ଫେରିବା ପରେ ପଟ ପରିବର୍ତନ ହୋଇଥିଲା । ଏବେ ୱାକଫ ବିଲରେ ବିବେକ ଅନୁସାରେ ସମର୍ଥନ ଦେଇଛିନ୍ତି ବିଜେଡି ସାଂସଦ । ସଂଖ୍ୟାଲଘୁଙ୍କୁ ଆଶ୍ୱାସନା ଦେବା ବେଳେ କ'ଣ ବିବେକ ନଥିଲା ? ଏ ବିବେକ ହେଉଛି ଭୟ ଭୀରୁତାର ବିବେକ । ଭୟରେ ବିଜେଡି-ବିଜେପିକୁ ସମର୍ଥନ ହେଉଛି । ଏଥିରୁ ଜଣାପଡୁଛି ବିଜେଡି ଏବଂ ବିଜେପି ଏକାଠି ଅଛନ୍ତି । ଆମେ ଅନୁମାନ କରୁଛୁ ଉଭୟଙ୍କ ମଧ୍ୟରେ ଷ୍ଟାଙ୍ଗ ଡିଲ ହୋଇଛି । ଏମିତି ହୋଇନଥିଲେ ସୁଜାତା ରାଉତ କର୍ତ୍ତୀକେୟାନଙ୍କ ସ୍ୱେଚ୍ଛାକୃତ ଅବସରକୁ ତୁରନ୍ତ ମଞ୍ଜୁରୀ ମିଳିନଥାନ୍ତା ।"
ଇଟିଭି ଭାରତ, ଭୁବନେଶ୍ବର