ଭୁବନେଶ୍ବର: ସାଧାରଣ ନିର୍ବାଚନକୁ 8 ମାସ ବିତିଲାଣି । ପ୍ରଥମ ଥର ଲାଗି ବିଜେପି ଏକକ ଭାବେ ରାଜ୍ୟର ନେତୃତ୍ୱ ନେଉଛି । ପ୍ରଥମ ଥର ଲାଗି ବିଜେଡି ବିରୋଧୀ ଆସନରେ ବସିଛି । ଗତ 9 ମାସ ମଧ୍ୟରେ ନୂଆ ସରକାରରେ ରାଜ୍ୟରେ ବିଭିନ୍ନ ବିଭ୍ରାଟ ଓ ସମସ୍ୟା ମୁଣ୍ଡ ଟେକିଛି । ଜନସାଧାରଣଙ୍କୁ ପ୍ରଭାବିତ କରିବା ଭଳି ପ୍ରସଙ୍ଗ ମଧ୍ୟରେ ସାମ୍ନାକୁ ଆସିଛି । କିନ୍ତୁ ଏହାକୁ ପ୍ରଭାବୀ ଢ଼ଙ୍ଗରେ ବିରୋଧ କରିବାରେ ବିଜେଡ଼ି ବିଫଳ ହୋଇଥିବା ଅଭିଯୋଗ ହେଉଛି । ଗତ 9 ମାସରେ ବିଜେଡି କେବଳ ଦରଦାମ ପ୍ରସଙ୍ଗରେ ଆନ୍ଦୋଳନ କରିଛି । ଅନ୍ୟାନ୍ୟ ପ୍ରସଙ୍ଗରେ ଆଖିଦୃଶିଆ ପ୍ରଦର୍ଶନ ଦଳ କରିନାହିଁ । ଯାହାକୁ ନେଇ ଓଡ଼ିଶା ରାଜନୀତିରେ ଚାଲିଛି ଚର୍ଚ୍ଚା ।
ବିରୋଧୀ ଭାବେ ନାହିଁ ପ୍ରଭାବୀ ପ୍ରଦର୍ଶନ !
ସରକାର ଆରମ୍ଭରୁ ତତ୍କାଳୀନ ରାଜ୍ୟପାଳଙ୍କ ପୁଅ ଜଣେ କାର୍ଯ୍ୟରତ ଏଏସଓଙ୍କୁ ଆକ୍ରମଣ କଲେ । ବିଜେଡି ଦଳୀୟ କାର୍ଯ୍ୟାଳୟରେ ଏକାଧିକ ସାମ୍ବାଦିକ ସମ୍ମିଳନୀ ଓ ବିଧାନସଭାରେ ଉଠାଇ ଚୁପ ରହିଲା । ପରବର୍ତ୍ତୀ ସମୟରେ ରଥରେ ବଳଭଦ୍ର ମୁହଁ ମାଡି ପଡିଲେ, ହେଲେ ବିଜେଡି କୌଣସି ପ୍ରତିବାଦ ରାଜରାସ୍ତା କରିଲା ନାହିଁ । ଆମ୍ବ ଟାକୁଆ ଖାଇ ମୃତ୍ୟୁ, ବିଷାକ୍ତ ମଦ ମୃତ୍ୟୁ ପରି ଅନେକ ଘଟଣାରେ ବିଜେଡିର ପ୍ରଭାବ ଦେଖିବାକୁ ମିଳିଲା ନାହିଁ । ଭାରତପୁର ଥାନାରେ ମେଜର-ପୋଲିସ ଘଟଣାରେ ଆନ୍ଦୋଳନ କରିବାକୁ ସଜ ହେଉଥିବା ବିଜେଡି ସରକାରଙ୍କ ପଦକ୍ଷେପରେ ପଛକୁ ଗଲା । ପୋଲାଭରମ ପ୍ରସଙ୍ଗରେ କ୍ରିୟାନୁଷ୍ଠାନ କମିଟି ଆନ୍ଦୋଳନ ଡାକରା ଦେଲା । ବିଜେଡି ନିଜେ ଆନ୍ଦୋଳନ ନକରି କମିଟି ନିଷ୍ପତ୍ତିକୁ ସମର୍ଥନ କଲା । ବିଜେଡି ସଭାପତି ମାଲକାନଗିରି ଯିବା ପରିବର୍ତ୍ତେ ଭିସିରେ କାମ ସାରିଦେଲେ ।
ବିଜେଡିର ଉପର ଠାଉରିଆ ବିରୋଧ କି ?
ସେହିପରି କଟନୀ ଛଟନୀ, ଅଦିନିଆ ବର୍ଷାରେ ଚାଷୀ କ୍ଷତି ସହିଲେ । ନବୀନ 2/3 ଜିଲ୍ଲା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ । କିନ୍ତୁ ସରକାରଙ୍କ ଉପରେ ଚାପ ପକାଇବା ଲାଗି ଆନ୍ଦୋଳନକୁ ଗଲେ ନାହିଁ । ଚାଷ ଓ ଚାଷୀ ସମସ୍ୟା ନେଇ ନବ ନିର୍ମାଣ କୃଷକ ସଙ୍ଗଠନ ଆନ୍ଦୋଳନ କରୁଛି । ବିଜେଡି ଆନ୍ଦୋଳନ କରିବା ବଦଳରେ ସଂଗଠନର ଆନ୍ଦୋଳନକୁ ସମର୍ଥନ କରି ଚୁପ ରହିଛି । ବିଭିନ୍ନ ବିଜୁଳି ସମସ୍ୟା ନେଇ ବିଦ୍ୟୁତ ଉପଭୋକ୍ତା ସଂଗଠନ ଆନ୍ଦୋଳନ କରୁଛି । ବିଜେଡି ଖୋଦ ଆନ୍ଦୋଳନ ନକରି ସଂଗଠନର ଆନ୍ଦୋଳନକୁ ସମର୍ଥନ ଦେଇଛି । କିଛି ଦଳୀୟ ନେତା ଓ ବିଧାୟକ ଏହି ଆନ୍ଦୋଳନରେ ସାମିଲ ହୋଇଛି ।
ଦିନେ ଆନ୍ଦୋଳନ କରୁଥିଲେ, ଆଜି ବିଜେଡିରେ:
ପୂର୍ବରୁ ବିଭିନ୍ନ ଆନ୍ଦୋଳନ ସହ ଜଡିତ ନେତାଙ୍କୁ ବିଜେଡି ନିର୍ବାଚନ ପୂର୍ବରୁ ଦଳରେ ସାମିଲ କରିଛି । ସେମାନେ ନେତୃତ୍ୱ ନେଉଥିବା ଆନ୍ଦୋଳନକୁ ଭଣ୍ଡୁର କରିବାକୁ ସରକାରରେ ଥିବାବେଳେ ବିଜେଡି ପ୍ରୟାସ କରିଛି । ସୌମ୍ୟ ରଞ୍ଜନ ପଟ୍ଟନାୟକ, ପ୍ରଦୀପ ମାଝୀ, ନିରଞ୍ଜନ ବିଶି, ସୁବାସ ସିଂ ପ୍ରମୁଖ । ସୌମ୍ୟ ରଞ୍ଜନକୁ ବିଧାୟକ କରି କୃଷକ ଆନ୍ଦୋଳନ ଓ ଚିଟଫଣ୍ଡ ଆନ୍ଦୋଳନକୁ ବିଜେଡି ଚାପି ଦେଇଥିଲା । ସେହିପରି ଆଦିବାସୀଙ୍କ ବିଭିନ୍ନ ସମସ୍ୟା ପାଇଁ ଲଢୁଥିବା ପ୍ରଦୀପ ମାଝୀ, ନିରଞ୍ଜନ ବିଶିଙ୍କୁ ଦଳରେ ସାମିଲ କରିଥିଲା ବିଜେଡ଼ି । ସେହିପରି ଶ୍ରମିକ ଆନ୍ଦୋଳନ ସହ ଜଡିତ ସୁବାସ ସିଂଙ୍କୁ ବିଜେଡି ରାଜ୍ୟସଭା ଓ ପରେ କଟକ ମେୟର କରିଛି ।
କଂଗ୍ରେସ ସ୍ବର ଶୁଭୁଛି, ଲୁଚି ଯାଉଛି ବିଜେଡି ସ୍ବର !
ସାଧାରଣ ନିର୍ବାଚନରେ ବିଜେଡିର ପରାଜୟ ହୋଇଛି । 51 ଜଣ ବିଧାୟକ ନିର୍ବାଚିତ ହୋଇଛନ୍ତି । ପ୍ରଭାବୀ ଢଙ୍ଗରେ ଦଳ ବିଧାନସଭା ଓ ବାହାରେ ସରକାରଙ୍କୁ ଘେରିବେ ବୋଲି ଆଶା ଥିଲା । କଂଗ୍ରେସର 14 ବିଧାୟକଙ୍କ ଆଗରେ ବିଜେଡିର 51 ସଦସ୍ୟ ଗୌଣ ମନେ ହେଉଛନ୍ତି । କଂଗ୍ରେସର ସ୍ୱର ଯେମିତି ଶୁଭୁଛି, ସେତିକି ସ୍ୱର ବିଜେଡିର ଶୁଣା ଯାଉନାହିଁ । କଂଗ୍ରେସ ଯେଉଁଭଳି ଭାବେ ରଣନୀତି କରୁଛି, ସେମିତି ବିଜେଡି କରିପାରୁନାହିଁ । ବିଧାନସଭା ବାହାରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳୁଛି । ତମାମ ପ୍ରସଙ୍ଗରେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇଛି । କିନ୍ତୁ ବିଜେଡି ଚୁପ ରହିଛି ।
ବିରୋଧୀ ଦଳ ନେତା ବି ଉଠାଇ ପାରୁନାହାନ୍ତି ପ୍ରସଙ୍ଗ !
ବିଜେଡି ସଭାପତି ନବୀନ ପଟ୍ଟନାୟକ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରସଙ୍ଗକୁ ଉଠାଇ ନାହାନ୍ତି । ହିସାବ ନିକାସ କରି ବାହାରକୁ ଆଣୁ ନାହାନ୍ତି । ଯାହାକୁ ନେଇ ଦଳ ଆଗକୁ ଆସି ଲଢ଼ିବ । ବିଜେଡିର ଦ୍ଵିତୀୟ ଓ ତୃତୀୟ ଧାଡ଼ିର ନେତାଙ୍କର ଦେଖା ନାହିଁ । ନାଁ'କୁ ମାତ୍ର କିଛି ନେତା ଆଗକୁ ଆସୁଛନ୍ତି । ଗଣମାଧ୍ୟମରେ କହୁଛନ୍ତି । କିନ୍ତୁ ରାସ୍ତା ଉପରେ ଆକ୍ସନ ଦେଖାଉ ନାହାନ୍ତି । ଯାହା ବିଜେଡି ଭଳି ବଡ଼ ରାଜନୈତିକ ଦଳ କରିବା କଥା । ବିଜେଡିର ସେଭଳି ରଣହୁଙ୍କାର ନାହିଁ । ଏହି କାର୍ଯ୍ୟକ୍ରମ କଂଗ୍ରେସ ପାଖରେ ଦେଖିବାକୁ ମିଳୁଛି । ରାଜନୈତିକ ଦଳ ଏକ ସୈନ୍ୟବାହିନୀ ଭଳି । ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ କରି ସେମାନଙ୍କୁ ଆକ୍ଟିଭ କରି ରଖିବା କଥା । ତାହାର ରାଜନୈତିକ ଫାଇଦା ସମ୍ପୃକ୍ତ ଦଳକୁ ମିଳେ । ବର୍ତ୍ତମାନ କଂଗ୍ରେସ କରୁଛି । ବିଜେଡି ପାଖରେ ଏହାର ଘୋର ଅଭାବ ଦେଖିବାକୁ ମିଳୁଛି ।
‘ଅନ୍ୟ ସଂଗଠନକୁ ସମର୍ଥନ କରି ଲାଉ ହେଉଛି ବିଜେଡି’
ବିଜେପି ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ କହିଛନ୍ତି, 'ବିଜେଡି ବିଧାନସଭା ଭିତରେ ଓ ବାହାରେ ପ୍ରଭାବୀ ପ୍ରଦର୍ଶନ କରିନାହିଁ । ଅନ୍ୟ ସଂଗଠନକୁ ସମର୍ଥନ କରି ତାଙ୍କ ଉପରେ ଲାଉ ହୋଇଯାଉଛନ୍ତି । 24 ବର୍ଷରେ ବିଜେଡି ଯାହା କରିଛି, ତାହା ବିଜେପି 9 ମାସରେ କରିଦେଉ ବୋଲି ଚାହୁଁଛନ୍ତି । ବିରୋଧୀ ଦଳରେ ବସିବାରେ ବିଜେଡି ଅଭିଜ୍ଞତା ନାହିଁ । ଶାସକ ଦଳ ମାନସିକତାରେ ଦଳ ରହିଛି । ସରକାର ଥିବା ସମୟରେ ସେମାନେ ମନମୁଖୀ କାର୍ଯ୍ୟ କରିଛନ୍ତି । ନେତାଙ୍କୁ ନିମ୍ନ କରିଦେଲେ । ଦଳର ମୁଖ୍ୟଙ୍କୁ ନେତା ଦେଖିପାରିଲେ ନାହିଁ । ନେତାଙ୍କ ଆକ୍ରୋଶ ମନୋଭାବ ଯୋଗୁଁ ବିଜେଡ଼ିର ଏହି ଅବସ୍ଥା ।
ବିଜେଡିର ଜବାବ, ଓଡ଼ିଶାବାସୀଙ୍କ ପାଇଁ ଲଢେଇ କରୁଛୁ:
ବିଜେଡି ବିଧାୟକ ପ୍ରଦୀପ ଦିଶାରୀ କହିଛନ୍ତି, ‘ଓଡିଶାବାସୀଙ୍କ ଲାଗି ବିଜେଡ଼ି ଅଛି । ଓଡିଶାବାସୀଙ୍କ ମଙ୍ଗଳ ଓ ଓଡିଶାର ସ୍ୱାର୍ଥ ପାଇଁ ବିଜେଡି କାର୍ଯ୍ୟ କରୁଛି । ଓଡିଶାବାସୀଙ୍କ ଲାଗି ଲଢେଇ କରିଛୁ । ଚଳିତ ବିଧାନସଭାରେ ଆଇନ ଶୃଙ୍ଖଳା, ନାରୀ ନିର୍ଯାତନା ଓ ପୋଲାଭରମ ପ୍ରସଙ୍ଗ ଉଠେଇଛୁ । ଏମିତି ଅନେକ ପ୍ରସଙ୍ଗ ଆମେ ସରକାରଙ୍କ ଦୃଷ୍ଟିକୁ ଆଣିଛୁ । ଓଡିଶାର ତମାମ ପ୍ରସଙ୍ଗ ଆମେ ବିଧାନସଭାରେ ଉଠାଉଛୁ । ଓଡିଶାବାସୀଙ୍କ ହିତ ପାଇଁ ଗୃହରେ ଲଢେଇ କରିଛୁ । ରାଜରାସ୍ତାରେ ଲଢେଇ ପାଇଁ ଦଳ ରଣନୀତି ପ୍ରସ୍ତୁତ କରୁଛି । ଆଗାମୀ ଦିନରେ ତମାମ ପ୍ରସଙ୍ଗକୁ ନେଇ ଦଳ ରାଜରାସ୍ତାକୁ ଓହ୍ଲେଇବ । ସମସ୍ତ ପ୍ରକାର ବିକ୍ଷୋଭ ପ୍ରଦର୍ଶନ କରାଯିବ । ପର୍ଯ୍ୟାୟକ୍ରମେ ଏସବୁ ଚାଲିଛି । ଆଗାମୀ ଦିନରେ ସରକାରଙ୍କୁ ରାଜରାସ୍ତାରେ ଉଚିତ ଜବାବ ଦିଆଯିବ ।’
ବିରୋଧୀ ଦଳ ସ୍ଥାନ ନେବାକୁ ଲଢେଇ !
ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ କହିଛନ୍ତି, ‘ବିଜୁ ଜନତା ଦଳ ଗତ ନିର୍ବାଚନରେ ପରାସ୍ତ ହେବା ପରେ 51 ସଦସ୍ୟ ବିଧାନସଭା ଆସିଛନ୍ତି । ଯାହା ଜଣାପଡୁଥିଲା ଏହି 51 ଜଣ ସଦସ୍ୟ ବେଶ ପ୍ରଭାବୀ ଢଙ୍ଗରେ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିବେ । ଯେଉଁ 51 ଜଣ ସଦସ୍ୟ ଅଛନ୍ତି ସେମାନେ କଂଗ୍ରେସର 14 ଜଣ ସଦସ୍ୟଙ୍କ ସମକକ୍ଷ ହେବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ହୋଇପାରୁନାହାନ୍ତି । 14 ଜଣ ବିଧାୟକଙ୍କ ଯେଉଁ ସ୍ବର ଶୁଣିବାକୁ ମିଳୁଛି 51 ଜଣଙ୍କ ସେତିକି ସ୍ବର ଆସୁନାହିଁ । ଷ୍ଟ୍ରାଟେଜୀ ଭାବେ ଯଦି ଦେଖାଯାଏ କଂଗ୍ରେସ ଯେଉଁପରି ଭାବେ କରୁଛି ବିଜେଡି କରିପାରୁନାହିଁ । ଲୋକମାନଙ୍କ ଭିତରେ ଏହି ଧାରଣା ରହୁଛି କଂଗ୍ରେସର ଏହି 14 ବିଧାୟକ ସରକାରୀ ଦଳ ଉପରେ ଅଧିକ ଭାରୀ ପଡୁଛନ୍ତି । ବିଜେପି ବିରୋଧରେ ଯେତିକି ଲଢୁନାହାନ୍ତି ଏହି ଦୁଇ ଦଳ । ଦ୍ବିତୀୟ ସ୍ଥାନ ନେବାକୁ ସେତିକି ଲଢୁଛନ୍ତି । ମୁଖ୍ୟ ବିରୋଧୀ ଦଳର ଧାରଣା ସୃଷ୍ଟି କରିବାକୁ ପରସ୍ପର ମଧ୍ୟରେ ଲଢେଇ ଚାଲୁଛି । ପୂର୍ବ ଦୁଇ ଅଧିବେଶନକୁ ଯଦି ଦେଖାଯାଏ ପୂର୍ବରୁ ବିଜେଡି ଯେଉଁ ପ୍ରସଙ୍ଗ ଉଠାଇଥିଲା ସେଥିରେ ସ୍ବର ମିଳାଉଥିଲା କଂଗ୍ରେସ । କଂଗ୍ରେସ ଯେଉଁ ପ୍ରସଙ୍ଗ ଉଠାଉଥିଲା ସେଥିରେ ସ୍ବର ମିଳାଉଥିଲା ବିଜେଡି । ମାତ୍ର ଚଳିତ ଅଧିବେଶନରେ କାହା ପ୍ରସଙ୍ଗ କାହା ସହିତ ମେଳ ଖାଉନି ।
ସେ ଆହୁରି କହିଛନ୍ତି, ‘ବିଜେଡି ସଭାପତି ନବୀନ ପଟ୍ଟନାୟକ ଏପରି କିଛି ପ୍ରସଙ୍ଗ ହିସାବ ନିକାସ କରି ଆଗକୁ ଆଣୁନାହାନ୍ତି । ଯାହାକି ତାଙ୍କ ଦଳ ଲଢିବ । ବିଜେଡିର ଦ୍ବିତୀୟ ଓ ତୃତୀୟ ଧାଡି ନେତାଙ୍କ ଦେଖା ନାହିଁ । ନାମତୁ ମାତ୍ର କିଛି ନେତା ଆସୁଛନ୍ତି । ରାସ୍ତା ଉପରେ ଯେଉଁ ପ୍ରତିବାଦ ହେବା କଥା ତାହା ଦେଖିବାକୁ ମିଳୁନାହିଁ ।’
ଇଟିଭି ଭାରତ, ଭୁବନେଶ୍ବର