ନୂଆପଡ଼ା ଉପନିର୍ବାଚନ; ମନଇଚ୍ଛା ବିଜ୍ଞାପନ ଛାପି ପାରିବେ ନାହିଁ ପ୍ରାର୍ଥୀ, ବଢିଲେ ୫୩୬୮ ଭୋଟର
ନୂଆପଡ଼ା ଉପନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ । ମୁକ୍ତ,ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ଉପରେ ଅଧିକ ଗୁରୁତ୍ୱ । ଗଣମାଧ୍ୟମରେ ମନଇଚ୍ଛା ବିଜ୍ଞାପନ ଛାପି ପାରିବେ ନାହିଁ ରାଜନୈତିକ ଦଳ ।

Published : October 9, 2025 at 4:43 PM IST
ଭୁବନେଶ୍ବର: ଗଣମାଧ୍ୟମରେ ମନଇଚ୍ଛା ବିଜ୍ଞାପନ ଛାପି ପାରିବେ ନାହିଁ ରାଜନୈତିକ ଦଳ ଓ ପ୍ରାର୍ଥୀ । ପ୍ରାର୍ଥୀଙ୍କ ଅପରାଧୀକ ବିବରଣୀର ଘୋଷଣାନାମା ଜରୁରୀ । ରାଜନୈତିକ ଦଳ ଓ ପ୍ରାର୍ଥୀ ୩ଥର ଏହାକୁ ଜାରୀ କରିବେ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ଏସ୍. ଗୋପାଳନ ପୁନର୍ବାର ନୂଆପଡ଼ା ଉପନିର୍ବାଚନ ଉଦ୍ଦେଶ୍ୟରେ ଏହି ନିର୍ଦ୍ଦେଶ ଜାରି କରିଛନ୍ତି । ସେହିପରି ତୁରନ୍ତ ତାରକା ପ୍ରଚାରକଙ୍କ ତାଲିକା ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ।

ନୂଆପଡ଼ା ଉପନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ:
ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ଆଜି (ଗୁରୁବାର) ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ ଏକ ସର୍ବଦଳୀୟ ବୈଠକ ଡାକିଥିଲେ । ଏହି ବୈଠକରେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ଉପରେ ଗୁରୁତ୍ୱ ଦେଇଛନ୍ତି ସେ । ନଭେମ୍ବର ୧୧ ତାରିଖରେ ହେବାକୁ ଯାଉଛି ନୂଆପଡ଼ା ଉପନିର୍ବାଚନ । ଆଜି ସବୁ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ଏସ୍. ଗୋପାଳନ ।
"ଚଳିତ ଉପନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଛି ।ଏଣୁ ନିର୍ବାଚନକୁ ସଫଳ କରିବା ପାଇଁ ଭାରତ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି ସମସ୍ତ ମାର୍ଗଦର୍ଶିକାକୁ କଡ଼ାକଡ଼ି ଅନୁପାଳନ କରିବା ପାଇଁ ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କୁ ଅନୁରୋଧ କରାଯାଇଛି" ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ଏସ୍.ଗୋପାଳନ କହିଛନ୍ତି ।

ନୂଆପଡ଼ା ଭୋଟର ତାଲିକା:
ଚଳିତବର୍ଷ ଭାରତ ନିର୍ବାଚନ ଆୟୋଗଙ୍କ ମାର୍ଗଦର୍ଶିକା ଅନୁଯାୟୀ ପ୍ରତି ବୁଥରେ ଭୋଟର ସଂଖ୍ୟା ୧୨୦୦ ମଧ୍ୟରେ ସୀମିତ କରାଯାଇଛି । ନୂଆପଡା ଉପନିର୍ବାଚନ ପାଇଁ ଚୂଡାନ୍ତ ହୋଇଛି ଭୋଟର ତାଲିକା । ମୋଟ ୨,୫୩,୬୨୪ ଜଣ ଭୋଟର ଚୂଡ଼ାନ୍ତ ଭୋଟର ତାଲିକାରେ ସ୍ଥାନ ପାଇଛନ୍ତି । ସେଥିରେ ୧,୨୪,୧୦୮ ଜଣ ପୁରୁଷ ଭୋଟର ଅଛନ୍ତି । ୧,୨୯,୪୯୫ ଜଣ ମହିଳା ଭୋଟର ରହିଛନ୍ତି । ସେହିପରି ୨୧ ଜଣ ତୃତୀୟ ଲିଙ୍ଗ ଭୋଟର ସ୍ଥାନ ପାଇଛନ୍ତି । ଚୂଡ଼ାନ୍ତ ଭୋଟର ତାଲିକାରେ ୯,୪୨୯ ଜଣ ଯୁବ ଭୋଟର ରହିଥିବାବେଳେ ୩୯୮୮ ଜଣ ଦିବ୍ୟାଙ୍ଗ ଭୋଟର ରହିଛନ୍ତି । ସେହିପରି ୮୫ ବର୍ଷରୁ ଉର୍ଦ୍ଧ୍ବ ୧୭୮୬ ଜଣ ବରିଷ୍ଠ ନାଗରିକ ଅଛନ୍ତି ।

ଯୋଡି ହେଲେ ୫୩୬୮ ନୂଆ ଭୋଟର:
ସେପ୍ଟେମ୍ବର ୨୦୨୫ରେ ପ୍ରକାଶିତ ଚିଠା ନିର୍ବାଚନ ତାଲିକା ଅନୁସାରେ ନୂଆପଡ଼ା ନିର୍ବାଚନ ମଣ୍ଡଳୀରେ ଭୋଟର ସଂଖ୍ୟା ୨୪୮୨୫୬ ଜଣ ଥିଲା । ନୂଆପଡା ନିର୍ବାଚନ ମଣ୍ଡଳୀ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଚାଲିଥିଲା । ସଂଶୋଧନ ପରେ ଏହା ୨୫୩୬୨୪ ହୋଇଛି । ଫଳରେ ୫୩୬୮ ଜଣ ନୂଆ ଭୋଟର ଏଥିରେ ଯୋଡି ହୋଇଛନ୍ତି । ଏହି ଚୂଡାନ୍ତ ଭୋଟର ତାଲିକା ନିର୍ବାଚନ ପାଇଁ ବ୍ୟବହାର କରାଯିବ ।
ନୂଆପଡ଼ା ନୂଆ ଭୋଟର ତାଲିକା :
- ମୋଟ ଭୋଟର ସଂଖ୍ୟା- 2,53,624 ଜଣ
- ପୁରୁଷ ଭୋଟର ସଂଖ୍ୟା- 1,24,108 ଜଣ
- ମହିଳା ଭୋଟର ସଂଖ୍ୟା- 1,29,495 ଜଣ
- ତୃତୀୟ ଲିଙ୍ଗୀ ଭୋଟର ସଂଖ୍ୟା-21 ଜଣ
- ଯୁବ ଭୋଟର ସଂଖ୍ୟା- 9429 ଜଣ
- ଦିବ୍ୟାଙ୍ଗ ଭୋଟର ସଂଖ୍ୟା-3988ଜଣ
- ୮୫ ବର୍ଷରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ ଭୋଟର ସଂଖ୍ୟା- 1786 ଜଣ

ନୂଆପଡ଼ା ପୁରଣା ଭୋଟର ତାଲିକା :
- ମୋଟ ଭୋଟର ସଂଖ୍ୟା-2,48,256 ଜଣ
- ପୁରୁଷ ଭୋଟର ସଂଖ୍ୟା-1,22,103 ଜଣ
- ମହିଳା ଭୋଟର ସଂଖ୍ୟା-1,26,132 ଜଣ
- ତୃତୀୟ ଲିଙ୍ଗୀ ଭୋଟର ସଂଖ୍ୟା- 21 ଜଣ
- ଦିବ୍ୟାଙ୍ଗ ଭୋଟର ସଂଖ୍ୟା- 4,000 ଜଣ
- ପୁରୁଷ ଦିବ୍ୟାଙ୍ଗ ଭୋଟର ସଂଖ୍ୟା - 2,343 ଜଣ
- ମହିଳା ଦିବ୍ୟାଙ୍ଗ ଭୋଟର ସଂଖ୍ୟା- 1,657 ଜଣ
- ବରିଷ୍ଠ ନାଗରିକ ଭୋଟର ସଂଖ୍ୟା- 2,007 ଜଣ
- ପୁରୁଷ- 694 ଜଣ
- ମହିଳା- 1,313 ଜଣ

ବିଜ୍ଞାପନ ଜାରି ପୂର୍ବରୁ ଆୟୋଗଙ୍କ ଅନୁମତି ଜରୁରୀ:
ଚଳିତ ଉପନିର୍ବାଚନ ପାଇଁ ୫୬ଟି ନୂତନ ବୁଥ ପ୍ରତିଷ୍ଠା ହୋଇଛି । ଉପନିର୍ବାଚନ ତାରିଖ ଘୋଷଣା ସହ ଆଦର୍ଶ ଆଚରଣବିଧି ଲାଗୁ ହୋଇଛି । ତେଣୁ ବୈଦୁତିକ, ମୁଦ୍ରଣ ଓ ସାମାଜିକ ଗଣମାଧ୍ୟମ ଏବଂ ୱେବମିଡ଼ିଆ ସମେତ ସିନେମା ହଲ, ରେଡ଼ିଓ, ପୋଷ୍ଟର ଓ ହୋଡ଼ିଂ ଆଦି ଜରିଆରେ ବିଜ୍ଞାପନ ଜାରି ପୂର୍ବରୁ ଆୟୋଗଙ୍କ ଅନୁମତି ଜରୁରୀ ।ଏଥିସହ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ଅପରାଧୀକ ସମ୍ପୃକ୍ତି ନେଇ ଘୋଷଣାନାମା ମୁଦ୍ରିତ ଗଣମାଧ୍ୟମରେ ପ୍ରକାଶ କରିବା ସହ ଆୟୋଗଙ୍କୁ ଏ ବାବଦରେ ଅବଗତ କରାଇବା ବାଧ୍ୟତାମୂଳକ କରାଯାଇଛି । ଦଳ ଓ ପ୍ରାର୍ଥୀଙ୍କ ଖର୍ଚ୍ଚର ବିବରଣୀ, ତାରକା ପ୍ରଚାରକଙ୍କ ତାଲିକା ଏବଂ ଆଦର୍ଶ ଆଚରଣ ବିଧିର ସଠିକ ଅନୁପାଳନ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି।

ଏହି ବୈଠକରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସମେତ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର, ଅତିରିକ୍ତ ଶାସନ ସଚିବ ପ୍ରମୋଦ କୁମାର ସାହୁ ଓ ରାମଚନ୍ଦ୍ର କିସ୍କୁ, ଯୁଗ୍ମ ଶାସନ ସଚିବ ଗୋପୀନାଥ କୁଅଁର, ଉପମୁଖ୍ୟ ନିର୍ବାଚନ ଅଧିକାରୀ ଡ.ଲକ୍ଷ୍ମୀ ପ୍ରସାଦ ସାହୁ ଓ ଅନାମିକା ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର

