Congress press conference on assembly issue ଭୁବନେଶ୍ବର: ଆଜି ରାଜଧାନୀରେ କଂଗ୍ରେସର ବଡ ଆନ୍ଦୋଳନ । ନାରୀ ନିର୍ଯାତନା ଓ କଂଗ୍ରେସର ସମସ୍ତ ବିଧାୟକଙ୍କୁ ନିଲମ୍ବନ ନେଇ ରାଜ ରାସ୍ତାରେ ଗର୍ଜିବା ସହ ବିଧାନସଭା ଘେରାଉ କରିବ ଓଡ଼ିଶା କଂଗ୍ରେସ । ଗତ 2 ଦିନ ହେବ ବିଧାନସଭା ଆଗରେ କଂଗ୍ରେସର ହାଇଡ୍ରାମା ଦେଖିବାକୁ ମିଳିଥିବା ବେଳେ ଆଜି ମଧ୍ୟ ଆନ୍ଦୋଳନ ପାଇଁ ଦଳ ପ୍ରସ୍ତୁତ । ସେପଟେ ବିଧାନସଭାରେ କଂଗ୍ରେସ ନେତାଙ୍କୁ ପଶାଇ ନଦେବାକୁ ପୋଲିସ କଡା ପ୍ରସ୍ତୁତି କରିଛି । ଆନ୍ଦୋଳନକୁ ରୋକିବରୁ 80 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ। ବିଧାନସଭା ଭିତରେ କଂଗ୍ରେସ ବିଧାୟକଙ୍କୁ ଯେଉଁଭଳି ଭାବରେ ଅସମ୍ମାନ କରାଯାଇଅଛି ତାକୁ ନେଇ ସରକାରଙ୍କୁ ପ୍ରଶ୍ନ କରିବ ଦଳ । ଏନେଇ ଗତକାଲି ପିସିସି ସଭାପତିଙ୍କ ନେତୃତ୍ବରେ ବିଧାନସଭା ଘଟଣାକୁ ନେଇ ବରିଷ୍ଠ କଂଗ୍ରେସ ନେତାଙ୍କ ମିଳିତ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ବୈଠକରେ ଦଳର ସମସ୍ତ ବିଧାୟକଙ୍କ ସହିତ ବରିଷ୍ଠ ନେତା ମଧ୍ୟ ସାମିଲ ଥିଲେ ।
ବିଧାନସଭା ଉପରେ ବାଚସ୍ପତିଙ୍କ କୌଣସି କର୍ତ୍ତୃତ୍ୱ ନାହିଁ :
ଏନେଇ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି, ''ବିଧାନସଭାରେ ଯାହା ଘଟିଲା ତାହା ଅସମ୍ବିଧାନିକ । ପୋଲିସ ବେଆଇନ ଭାବେ ବାଧା ଦେଇଥିଲା । ଆଇନ ଅନୁଯାୟୀ, ଗୃହ ମଧ୍ୟଭାଗକୁ ପୂର୍ବତନ ବିଧାୟକମାନେ ନ ଯାଇପାରନ୍ତି, କିନ୍ତୁ ବିଧାନସଭା ଭିତରକୁ ଯାଇପାରିବେ । ବିଧି ଵ୍ୟଵସ୍ଥା ଅନୁଯାୟୀ ବାଚସ୍ପତିଙ୍କ ବିନା ଅନୁମତିରେ ପୋଲିସ କିନ୍ତୁ ବିଧାନସଭା ଭିତରକୁ ଯାଇପାରିବ ନାହିଁ । ପୂର୍ବତନ ବିଧାୟକମାନଙ୍କ ବିଧାନସଭାକୁ ଯିବାର ଅଧିକାର ଥିଲା, କିନ୍ତୁ ଯିବାକୁ ଦିଆଗଲା ନାହିଁ । କାହିଁକି ଭିତରକୁ ପୁରେଇ ଦେବେନି ତାର କୌଣସି କାରଣ ନାହିଁ । ବିଧାନସଭା ଉପରେ ବାଚସ୍ପତିଙ୍କ କୌଣସି କର୍ତ୍ତୃତ୍ୱ ନାହିଁ । ପୋଲିସ ବିଧାନସଭାକୁ କବଜାକୁ ନେଇଛି । ଏନେଇ ମୁଁ ବାଚସ୍ପତିଙ୍କୁ ଫୋନ କରିଥିଲି । ହେଲେ ସେ ଫୋନ ଉଠାଇଲେ ନାହିଁ । ଆମେ ଏହା ଜାଣିବାକୁ ଚାହୁଁଥିଲୁ ଯେ, କାହାକୁ ନ ଛାଡିବାକୁ ବାଚସ୍ପତି କିଛି ନିର୍ଦ୍ଦେଶ ଦେଇଛନ୍ତି କି ।"
ନିଆଁରେ ଘିଅ ପକାଇବା ଭଳି ପଦକ୍ଷେପ:
ସେ ଆହୁରି ମଧ୍ୟ କହିଛନ୍ତି, "ବିଧାୟକମାନଙ୍କୁ ଆକ୍ରମଣର ଖବର ଆସିଥିଲା । ଆମ୍ବୁଲାନ୍ସ ଆସିଥିଲା ଚିକିତ୍ସା ପାଇଁ । ମାନବାଧିକାର ଦୃଷ୍ଟିକୋଣରୁ ମଧ୍ୟ ସାକ୍ଷାତ ପାଇଁ ସୁଯୋଗ ଦେଲେନି । ପୋଲିସ ବରିଷ୍ଠ ନେତାମାନଙ୍କୁ ଉଠାଇ ନେଲା । ଏବେ ବିଜେଡି ବି ବୟକଟ କରିଛି । ଏକଛତ୍ରବାଦ ଶାସନ ଚାଲିଛି । ଏହା ଗଣତନ୍ତ୍ରର ହତ୍ୟା । କଂଗ୍ରେସ ଏହାକୁ ନିନ୍ଦା କଲା । ରାଜ୍ୟରେ ନାରୀ ନିର୍ଯ୍ୟାତନା ଶୀର୍ଷରେ । ଗୃହ କମିଟି କରୁନାହାନ୍ତି କି ଆଲୋଚନା କରୁନାହାନ୍ତି । ମହିଳାମାନେ ପଛେ ଚୁଲିକୁ ଯାଆନ୍ତୁ କିନ୍ତୁ ଆଲୋଚନା ହେଲାନାହିଁ । ଏଭଳି ଦୃଷ୍ଟାନ୍ତ କେବେ ନ ଥିଲା । ଏମାନେ ଇତିହାସ ସୃଷ୍ଟି କଲେ । କାଲି ଲୋକେ ଜବାବ ଦେବେ । କଂଗ୍ରେସ ବିଧାନସଭା ଘେରାଉ କରିବା ପୂର୍ବରୁ ବିଧାୟକମାନଙ୍କ ସହ ଏଭଳି ଘଟମା ଘଟିଲା । ଏହା ନିଆଁରେ ଘିଅ ପକାଇବା ଭଳି ପଦକ୍ଷେପ । ବିଧାନସଭା ଘେରାଉ ବେଳେ ଲୋକେ ଆହୁରି ଉତ୍ତେଜିତ ହେବେ । ଏହାର ପ୍ରମାଣ ଆସନ୍ତାକାଲି ମିଳିବ ।"
ଏହା ମଧ୍ୟ ପଢ଼ନ୍ତୁ.. 7ଦିନ ପାଇଁ କଂଗ୍ରେସ ମୁକ୍ତ ଓଡିଶା ବିଧାନସଭା; ମୁଖ୍ୟ ଗେଟ୍ ଆଗରେ କଂଗ୍ରେସ-ପୋଲିସ ମୁହାଁମୁହିଁ, 163 ଧାରା ଜାରି 12 କଂଗ୍ରେସ ବିଧାୟକ 7 ଦିନ ପାଇଁ ବିଧାନସଭାରୁ ସସପେଣ୍ଡ, ଗୃହ ଭିତରେ ରାତି ସାରା ରହିବାକୁ ନିଷ୍ପତ୍ତି |
କୁରୁ ସଭାର ପୁନରାବୃତ୍ତି:
ଏନେଇ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି, "ବିଧାନସଭାକୁ ବିଜେପି କୁରୁସଭାରେ ପରିଣତ କରିବାକୁ ଚାହୁଁଛି । ଏକତରଫା ଭାବରେ କୁରୁସଭାରେ ଯାହା ଘଟିଥିଲା ତାର ପୁନରାବୃତ୍ତି କରାଯାଉଛି । ସାମ୍ବିଧାନିକ ବିଧି ବ୍ୟବସ୍ଥା ଓ ଗଣତାନ୍ତ୍ରିକ ଵ୍ୟଵସ୍ଥାର ଚିରାଚରିତ ପରମ୍ପରାକୁ ଧର୍ଷଣ କରାଯାଉଛି । ନିନ୍ଦା ପାଇଁ ଭାଷା ନାହିଁ । ମହିଳା ନିର୍ଯାତନାକୁ ନେଇ ଗୃହ କମିଟି ଗଠନ ପାଇଁ କଂଗ୍ରେସ ବିଧାୟକ ଧାରଣା ଦେଇଥିଲେ । କିନ୍ତୁ ବିଧାୟକମାନଙ୍କୁ ଯେଭଳି ପଦକ୍ଷେପ ନିଆଗଲା । ୧୯୯୫ରେ କଂଗ୍ରେସ ସରକାର ଥିଲା, ସ୍ୱତନ୍ତ୍ର ବିଧେୟକ ଉଚ୍ଛେଦ ବିଲ ଅଣାଯାଇଥିଲା । ରାତି ତମାମ ସକାଳ ଯାଏ ସମସ୍ତେ ରହିଥିଲେ । କିନ୍ତୁ ଜଣେ ବି ନିଲମ୍ବିତ ହୋଇ ନ ଥିଲେ । ଓଡିଶା କଂଗ୍ରେସ ସରକାର ଏ କଥା କରିଥିଲା । ୨୦୧୨ରେ ପ୍ରତୀକ ବିଧାନସଭା ଆରମ୍ଭ ହୋଇଥିଲା । ସେତେବେଳେ ବି ବିଧାନସଭାରେ ରହିଥିଲେ କଂଗ୍ରେସ ବିଧାୟକ । ଅସମ୍ବିଧାନିକ କହିଲେ ମଧ୍ୟ କାର୍ଯ୍ୟ ଚାଲିଲା । କିନ୍ତୁ ଆଜି କ'ଣ ହେଉଛି । ଆସନ୍ତାକାଲି ଘେରାଉ କାର୍ଯ୍ୟକ୍ରମ ହେବ । ଜବରଦସ୍ତ ସଫଳ ହେବ । ତମାମ ଓଡ଼ିଶାରେ ଲୋକ ଉଠିଲେଣି ଜାଣିଲେଣି । ଲୋକେ ଏ ସରକାରକୁ ଜବାବ ଦେବେ ।"
ଇଟିଭି ଭାରତ, ଭୁବନେଶ୍ବର