16ରେ ନୂଆପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ପାୱାର ଶୋ', ସେହିଦିନ ନାମାଙ୍କନ ଭରିବେ ବିଜେପି ପ୍ରାର୍ଥୀ
ବଢୁଛି ନୂଆପଡ଼ା ଉପନିର୍ବାଚନ ଉଷ୍ମତା । ଦୁଇ ସପ୍ତାହରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବିତୀୟ ଗସ୍ତ କାର୍ଯ୍ୟକ୍ରମ । ଜୟ ଢୋଲକିଆ ବିଜେପି ପ୍ରାର୍ଥୀ ହେବା ନେଇ ଦଳୀୟ ସାଂସଦଙ୍କ ସୂଚନା ।

Published : October 14, 2025 at 3:09 PM IST
ନୂଆପଡ଼ା: ସରଗରମ ହୋଇଛି ନୂଆପଡ଼ା ରାଜନୀତି । ପୁଣି ନୂଆପଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ନୂଆପଡ଼ାର ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେପିରେ ସାମିଲ ହେବା ପରେ ନୂଆ ମୋଡ଼ ନେଇଛି ନୂଆପଡ଼ା ରାଜନୀତି । ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆପଡ଼ା ଗସ୍ତରେ ଯାଇ ଶକ୍ତି ପ୍ରଦର୍ଶନ କରିଥିବା ବେଳେ ପୁଣି ଆସନ୍ତା 16 ତାରିଖରେ କରିବେ ପାୱାର ଶୋ' । ସେହି ଦିନ ନୂଆପଡ଼ା ଉପନିର୍ବାଚନ ପାଇଁ ନାମାଙ୍କନ ଭରିବେ ବିଜେପି ପ୍ରାର୍ଥୀ । ଏନେଇ ସୂଚନା ଦେଇଛନ୍ତି ବିଜେପି ନେତା ତଥା ରାଜ୍ୟସଭା ସାଂସଦ ସୁଜିତ କୁମାର । ସେ ଆହୁରି ମଧ୍ୟ କହିଛନ୍ତି, "ଜୟ ଢୋଲକିଆ ହେବେ ବିଜେପିର ନୂଆପଡ଼ା ଉପନିର୍ବାଚନ ପ୍ରାର୍ଥୀ । ସବୁକିଛି ଫାଇନାଲ୍ ସାରିଛି । କେବଳ ଘୋଷଣା ବାକି ଅଛି ।"
16ରେ ନାମାଙ୍କନ ଭରିବ ବିଜେପି:
ନୂଆପଡ଼ା ଉପନିର୍ବାଚନ ଆସନ୍ତା ନଭେମ୍ବର 11ରେ ମତଦାନ ଅନୁଷ୍ଠିତ ହେବାକୁ ଥିବା ବେଳେ 14 ନଭେମ୍ବରରେ ପ୍ରକାଶ ପାଇବ ଫଳାଫଳ । ସମୟ ଯେତେକି ପାଖେଇ ଆସୁଛି, ସେତିକି ଚୋରକ ହେଉଛି ନୂଆପଡ଼ା ପାଣିପାଗ । ତେବେ ବର୍ତ୍ତମାନ ସୁଦ୍ଧା କେବଳ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେପି କିମ୍ବା ବିଜେଡି ପ୍ରାର୍ଥୀ ଘୋଷଣା କରିନାହାଁନ୍ତି । କିନ୍ତୁ ବିଜେପିରୁ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରାଯିବା ନେଇ ଏକ ପ୍ରକାର ସ୍ପଷ୍ଟୀକରଣ ରଖିଛନ୍ତି ବିଜେପି ନେତା ସୁଜିତ କୁମାର ।
"ଜୟ ଢୋଲକିଆ ହେବେ ବିଜେପିର ନୂଆପଡ଼ା ଉପନିର୍ବାଚନ ପ୍ରାର୍ଥୀ । ସବୁକିଛି ଫାଇନାଲ୍ ସାରିଛି, କେବଳ ଘୋଷଣା ବାକି ଅଛି । ଆସନ୍ତା ୧୬ ତାରିଖରେ ସେ ନାମାଙ୍କନ ଭରିବେ । ଆଉ ନାମାଙ୍କନ ଦାଖଲ ସମୟରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେଣୁ ଆସନ୍ତା ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନୂଆପଡ଼ା ଗସ୍ତ କରିବେ । ସେହିଦିନ ପ୍ରାୟ ୨ ହଜାରରୁ ଅଧିକ କଂଗ୍ରେସ ଏବଂ ବିଜେଡି କର୍ମୀ ବିଜେପିରେ ସାମିଲ ହେବେ," ବୋଲି କହିଛନ୍ତି ବିଜେପି ରାଜ୍ୟସଭା ସାଂସଦ ସୁଜିତ ।
ଏପରି କହିଲେ ବିଜେପି ରାଜ୍ୟ ସଭାପତି:
ସେପଟେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, "ବିଜେପି ପକ୍ଷରୁ ଖୁବଶୀଘ୍ର ନୂଆପଡ଼ା ପାଇଁ ପ୍ରାର୍ଥୀ ଘୋଷଣା କରାଯିବ । କୋର କମିଟି ବୈଠକ ନିଷ୍ପତ୍ତି ହୋଇଥିବା ନାମ କେନ୍ଦ୍ରୀୟ ପାର୍ଲାମେଣ୍ଟାରୀ ବୋର୍ଡକୁ ପଠା ଯାଇଛି । ବିଜେପି ପାର୍ଲାମେଣ୍ଟାରୀ ନିଷ୍ପତ୍ତି ନେବ କିଏ ହେବ ବିଜେପି ପ୍ରାର୍ଥୀ ?"
ବିଜେଡି ପ୍ରାର୍ଥୀ ଘୋଷଣା ପରେ ବିଜେପି ତାର ପ୍ରାର୍ଥୀ ଘୋଷଣା କରିବା କି ପ୍ରଶ୍ନର ଉତ୍ତର ଦେଇ ମନମୋହନ କହିଛନ୍ତି, "ଆମେ କାହାକୁ ଅପେକ୍ଷା କରୁ ନାହିଁ । ବିଜେପି କେନ୍ଦ୍ରୀୟ ପାର୍ଲାମେଣ୍ଟାରୀ ବୋର୍ଡ ଫାଇନାଲ କରନ୍ତି ପ୍ରାର୍ଥୀ କିଏ ହେବ ? ବିଜେପି କେନ୍ଦ୍ରୀୟ ପାର୍ଲାମେଣ୍ଟାରୀ ବୋର୍ଡ ଯେବେ ନାଁରେ ମୋହର ମାରିବ, ସେବେ ଘୋଷଣା ହେବ । ପ୍ରାର୍ଥୀ ଘୋଷଣା ନେଇ ବିଜେପି ବ୍ୟସ୍ତ ନାହିଁ । ଆସନ୍ତା ୨୦ତାରିଖ ନାମାଙ୍କନ ଭରିବା ଶେଷ ତାରିଖ ।"
ଆଜି ଘୋଷଣା ହୋଇପାରେ ବିଜେଡି ପ୍ରାର୍ଥୀ:
ଦେଖିବାକୁ ଗଲେ ନୂଆପଡ଼ା ଉପନିର୍ବାଚନ ଏବେ ରାଜ୍ୟ ପାଇଁ କେନ୍ଦ୍ରବିନ୍ଦୁ ପାଲଟିଛି l ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ରାଜନୀତିରେ ସେତିକି ନୂଆ ଟ୍ୱିଷ୍ଟ ଦେଖିବାକୁ ମିଳୁଛି l ଜୟ ଢୋଲକିଆ ବିଜେପିରେ ସାମିଲ ହେବା ପରେ ଏକ ପ୍ରକାର ମୋଡ ବଦଳି ଯାଇଛି l ସେପଟେ ବିଜେଡି ଆଜି ପ୍ରାର୍ଥୀ ଘୋଷଣା କରିପାରେ ବୋଲି ଚର୍ଚ୍ଚା ହେଉଛି l
ଇଟିଭି ଭାରତ, ଭୁବନେଶ୍ବର

