ETV Bharat / politics

ଉପନିର୍ବାଚନ ରାଜନୀତି ସରଗରମ; ଆଜି ନୂଆପଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ଓ ପିସିସି ସଭାପତି

ନୂଆପଡ଼ା ଉପନିର୍ବାଚନକୁ ନେଇ ଏବେ ରାଜନୀତି ସରଗରମ l ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ଚାଲିଛି ଅଙ୍କକଷା  l

CM Mohan Majhi and PCC President Bhakta Das
CM Mohan Majhi and PCC President Bhakta Das (Etv Bharat)
author img

By ETV Bharat Odisha Team

Published : October 5, 2025 at 8:39 PM IST

|

Updated : October 6, 2025 at 7:09 AM IST

3 Min Read
Choose ETV Bharat

ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନକୁ ନେଇ ଏବେ ରାଜନୀତି ସରଗରମ l ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ଚାଲିଛି ଅଙ୍କକଷା l କିଏ ମାରିବ ବାଜି । ନୂଆପଡ଼ା ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କର ମୃତ୍ୟୁ ପରେ ଏବେ ଏହି ଆସନଟି ଖାଲି ପଡିଛି l ନିୟମ ଅନୁସାରେ 6 ମାସ ମଧ୍ୟରେ ଉପନିର୍ବାଚନ ହେବ l ଏଥିପାଇଁ ପ୍ରମୁଖ ତିନି ରାଜନୈତିକ ଦଳରେ ଏବେ ଚାଲିଛି ମାନସମନ୍ଥନ l ରଣନୀତି ପ୍ରସ୍ତୁତିରେ ଲାଗି ପଡିଛନ୍ତି ତିନି ଦଳ । ବିଜେପି ଏବଂ କଂଗ୍ରେସ ଏଠାରେ ରାଜନୈତିକ ଗୋଟି ଚାଳନା ଆରମ୍ଭ କରି ଦେଇଥିବାବେଳେ ବିଜେଡିର ରଣନୀତି ସ୍ପଷ୍ଟ ହୋଇନାହିଁ । ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନୂଆପଡ଼ା ଗସ୍ତରେ ଯିବାର କାର୍ଯ୍ୟକ୍ରମ ଥିବାବେଳେ ପିସିସି ସଭାପତି ଭକ୍ତ ଚରଣ ଦାସ ମଧ୍ୟ ଆଜିଠୁ ୪ ଦିନିଆ ନୂଆପଡା ଗସ୍ତରେ ଯାଉଛନ୍ତି ।

ଉପନିର୍ବାଚନକୁ ନେଇ ତେଜିଲା ରାଜନୀତି

ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତ (ଇଟିଭି ଭାରତ)

ଏହି ଉପନିର୍ବାଚନ ସରକାରରେ ଥିବା ବିଜେପି ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ । ଅନ୍ୟପକ୍ଷେ ବିରୋଧୀ ବିଜେଡି ଏବଂ କଂଗ୍ରେସ ପାଇଁ ବି ଏହା ସମ୍ମାନର ପ୍ରଶ୍ନ ହେବ l କାରଣ ଏହି ଆସନ ଗତ 15 ବର୍ଷ ହେବ ବିଜେଡି ନିଜ ଅଧିନରେ ରଖିଥିଲା l ଏବେ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ତାଙ୍କ ପୁଅ ଜୟ ଢୋଲକିଆଙ୍କୁ ବିଜେଡି ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ଚାଲିଛି l ସେହିପରି ବିଜେପି 2024 ନିର୍ବାଚନରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ପୁଅକୁ ପ୍ରାର୍ଥୀ କରିଥିଲା l ହେଲେ ସେ ହାରି ଯାଇଥିଲେ l ଏବେ ବିଜେପି କାହାକୁ ସେଠାରେ ପ୍ରାର୍ଥୀ କରିବ ତାକୁ ନେଇ ଦ୍ୱନ୍ଦରେ l କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତ କାର୍ଯ୍ୟକ୍ରମ ନିର୍ବାଚନ ମାହୋଲକୁ ସରଗରମ କରିଛି ।

ଅଣ୍ଟା ଭିଡିଲାଣି କଂଗ୍ରେସ

ଉପ ନିର୍ବାଚନରେ ଏହି ଆସନ ହାତେଇବାକୁ ଅଣ୍ଟା ଭିଡିଛି କଂଗ୍ରେସ । କାରଣ ପୂର୍ବରୁ ନୂଆପଡ଼ା କଂଗ୍ରେସ ହାତରେ ଥିଲେ ମଧ୍ୟ ଦୀର୍ଘ ବର୍ଷ ହେବ ବିଜେପି, ବିଜେଡି ହାତକୁ ଏହା ଚାଲି ଯାଇଥିଲା । ତେଣୁ ପୁଣି ଏହି ଆସନକୁ ହାତେଇବା ପାଇଁ ରଣନୀତି ପ୍ରସ୍ତୁତ କରୁଛି କଂଗ୍ରେସ । ୨୪ ନିର୍ବାଚନ ପରେ କଂଗ୍ରେସ ସମୀକରଣ ମଧ୍ୟ ବଦଳିଛି। ଶରତ ପଟ୍ଟନାୟକଙ୍କ ସ୍ଥାନରେ ଏବେ ଭକ୍ତ ଦାସ ରାଜ୍ୟ କଂଗ୍ରେସ ସଭାପତି। ଗତ ନିର୍ବାଚନରେ ଶରତ ପଟ୍ଟନାୟକ ନିଜେ ପ୍ରାର୍ଥୀ ହୋଇଥିବା ବେଳେ ଚତୁର୍ଥ ସ୍ଥାନରେ ରହିଥିଲେ l ହେଲେ ଘାସିରାମ ମାଝି ଟିକେଟ ନ ପାଇ ଏହି ଆସନରୁ ସ୍ୱାଧୀନ ଭାବେ ଲଢି 50 ହଜାରରୁ ଅଧିକ ଭୋଟ ପାଇ ଦ୍ୱୀତିୟ ସ୍ଥାନରେ ରହିଥିଲେ l ତେଣୁ ଦଳ ଏବେ ଘାସିରାମଙ୍କୁ ପ୍ରାର୍ଥୀ କରି ଏହି ଆସନ ହାତେଇବା ଲକ୍ଷ୍ୟ ରଖିଛି ।

ଆଜି ନୂଆପଡ଼ା ଯିବେ ମୁଖ୍ୟମନ୍ତ୍ରୀ

ସେପଟେ ଦିଲ୍ଲୀ ଗସ୍ତରୁ ଫେରିବା ପରେ ଆଜି ନୂଆପଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଗୋଟେ ପଟେ ମନମୋହନ ସାମଲ ଦିଲ୍ଲୀରେ ନୂଆପଡ଼ା ଉପନିର୍ବାଚନ ନେଇ ଅଙ୍କ କଷୁଥିବା ବେଳେ ମୋହନଙ୍କ ଏହି ଗସ୍ତ କାର୍ଯ୍ୟକ୍ରମ ନୂଆପଡ଼ା ଉପନିର୍ବାଚନ ରାଜନୀତିକୁ ସରଗରମ କରିଛି।

ଏନେଇ ବିଜେପି ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ କହିଛନ୍ତି ,ବିଜେପି ତାର ସାଙ୍ଗଠନିକ କାର୍ଯ୍ୟକଳାପ ୩୬୫ ଦିନ ଜାରି ରଖିଥାଏ। ଉପ ନିର୍ବାଚନକୁ ନେଇ ବିଜେପି ପ୍ରସ୍ତୁତ । ତେବେ ଉପନିର୍ବାଚନକୁ ନେଇ ତାରିଖ ଘୋଷଣା ହେଲେ ରାଜ୍ୟର ନିର୍ବାଚନ କମିଟି ବସିବ। ରାଜ୍ୟର ନିର୍ବାଚନ କମିଟି କେନ୍ଦ୍ରୀୟ ନିର୍ବାଚନ କମିଟିକୁ ତାର ରେକମେଣ୍ଡେସନ ଦେବ। କେନ୍ଦ୍ରୀୟ ପାର୍ଲିଆମେଣ୍ଟ ବୋର୍ଡର ଯେତେବେଳେ ମୋହର ବାଜିବ ସେତେବେଳେ କିଏ ପ୍ରାର୍ଥୀ ହେବ ସ୍ପଷ୍ଟ ହେବ। ଉପ ନିର୍ବାଚନ ଯେବେ ବି ହେଉ ନୂଆପଡ଼ାବାସୀଙ୍କ ଆଶୀର୍ବାଦ ନେଇ ବିଜେପି ବାଜି ମାରିବ ବୋଲି କହିଛନ୍ତି ବିରଞ୍ଚି ନାରାୟଣ ତ୍ରିପାଠୀ ।

ଖରିଆରରୋଡ଼ରେ ନ୍ୟାୟ ସମାବେଶ କରିବେ ପିସିସି ସଭାପତି

ସେହିପରି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, ସୋମବାରଠାରୁ ୪ ଦିନିଆ ନୂଆପଡା ଗସ୍ତରେ ଯିବେ l ଖରିଆର ରୋଡ଼ରେ ନ୍ୟାୟ ସମାବେଶ କରିବେ । ଗସ୍ତ ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ପିସିସି ସଭାପତି ଭକ୍ତ ଦାସ । ଭକ୍ତ କହିଛନ୍ତି, 'ଏଥର ମାଟିର ପୁଅ ନିଶ୍ଚୟ ଜିତିବ। ଘାସିରାମ ମାଝୀ 4ଥର ନିର୍ବାଚନ ହାରିଛନ୍ତି । ଏଥର ନିଶ୍ଚୟ ଜିତିବେ। ଆମର ବୁଥ କମିଟି ସରିଲାଣି। ସମସ୍ତ ବିଧାୟକ ନୂଆପଡାରେ ରହିବେ। ଉପନିର୍ବାଚନ ପ୍ରସ୍ତୁତି ଆରମ୍ଭ ହୋଇସାରିଲାଣି। ଜଣେ ବିଧାୟକ ଦୁଇ ଦୁଇଟା ଜୋନର ଦାୟିତ୍ୱ ନେବେ। ନୂଆପଡାରେ ନିଶ୍ଚୟ କଂଗ୍ରେସ ଜିତିବ।'

ପିସିସି ସଭାପତି କହିଛନ୍ତି, ‘ନୂଆପଡାରେ ଆସନ୍ତାକାଲି କାର୍ଯ୍ୟକ୍ରମ ପାଇଁ ମୁଁ ଆଗରୁ ଘୋଷଣା କରିଥିଲି । ମୋ ଘୋଷଣା ପରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ କରୁଛନ୍ତି। ମୁଖ୍ୟମନ୍ତ୍ରୀ ଆସନ୍ତା କାଲି ନୂଆପଡା ଯାଉଥିବାରୁ ଆଇନ ଶୃଙ୍ଖଳା ପାଇଁ ଆମ କାର୍ଯ୍ୟକ୍ରମ ବାତିଲ ସହ ଘୁଞ୍ଚାଇବାକୁ ଆମ ଉପରେ ଚାପ ପଡୁଛି।’

ଇଟିଭି ଭାରତ, ଭୁବନେଶ୍ବର

ଏହା ମଧ୍ୟ ପଢନ୍ତୁ ଲକ୍ଷେ ପ୍ରତିଶତ ଟିକଟ ମିଳିବ, 1000% ନିର୍ବାଚନ ଜିତିବି: କଂଗ୍ରେସ ଆଶାୟୀ ପ୍ରାର୍ଥୀ ଘାସିରାମ

ଏହା ମଧ୍ୟ ପଢନ୍ତୁ ବିହାର ବିଧାନସଭା ନିର୍ବାଚନ ସହ ହେବ ନୂଆପଡ଼ା ଉପ ନିର୍ବାଚନ- ECI

Last Updated : October 6, 2025 at 7:09 AM IST