ETV Bharat / politics

ନୂଆପଡ଼ା ବ୍ୟାଟେଲ; ଜୟଙ୍କୁ ବିଜେପି ନେଲା ପରେ ବିଜେଡି ପ୍ରାର୍ଥୀ କିଏ ? ରେସରେ ଏମାନେ

କିଏ ହେବେ ନୂଆପଡା ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ? କାହା ଉପରେ ଦଳ ଭରସା କରିବ ? ପ୍ରାର୍ଥୀ ପାଇଁ ଆଶାୟୀଙ୍କ ଲମ୍ବା ତାଲିକା ।

NUAPADA BY ELECTIONS 2025
NUAPADA BY ELECTIONS 2025 (ETV Bharat Odisha)
author img

By ETV Bharat Odisha Team

Published : October 13, 2025 at 8:04 PM IST

6 Min Read
Choose ETV Bharat

ଭୁବନେଶ୍ବର/ନୂଆପଡ଼ା: କିଏ ହେବ ନୂଆପଡା ଉପନିର୍ବାଚନ ବିଜେଡି ପ୍ରାର୍ଥୀ ? କାହା ଉପରେ ଦଳ ଭରସା କରି ଟିକେଟ ଦେବ ? କଂଗ୍ରେସ ତାର ପ୍ରାର୍ଥୀ ଘୋଷଣା କରି ସାରିଛି । ସେପଟେ ବିଜେପି ପ୍ରାର୍ଥୀ ଘୋଷଣା କରି ନଥିଲେ ବି ଶଙ୍ଖ ଛାଡି ପଦ୍ମରେ ମିଶିଥିବା ଦିବଙ୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ଭାରତୀୟ ଜନତା ପାର୍ଟୀ ପ୍ରାର୍ଥୀ କରିବା ଏକ ପ୍ରକାର ଥୟ ହୋଇଛି । ସେପଟେ BJD ଟିକେଟ ରେସ୍‌ରେ ଆଶାୟୀଙ୍କ ଲମ୍ବା ଲିଷ୍ଟ ରହିଛି । ତେବେ ବିଜୁ ଜନତା ଦଳ କାହା କାନ୍ଧରେ ଭାର ଦେବ ତେକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି ।

ନୂଆପଡ଼ା ଉପନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାତୀୟ କଂଗ୍ରେସ ପ୍ରଥମ ଦଳ ଭାବେ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ ଭାବେ ନୂଆପଡା ମଇଦାନକୁ ଓହ୍ଲାଇ ସାରିଛି । ଜୟ ଢୋଲକିଆଙ୍କୁ ବିଜେପି ନିଜର ପ୍ରାର୍ଥୀ ଭାବେ ଔପଚାରିକ ଭାବେ ଘୋଷଣା କରିବାକୁ ବାକି ରହିଛି । କିନ୍ତୁ ବିଜେଡି ଲାଗି ସବୁଠାରୁ ଘଡିସନ୍ଧି ମୁହୂର୍ତ୍ତ । ବିଜେଡି ଆଶାୟୀ ପ୍ରାର୍ଥୀ ତଥା ସ୍ୱର୍ଗତ ରାଜେନ୍ଦ୍ର ଢ଼ୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେପିରେ ମିଶିବା ପରେ ନୂଆପଡା ଗଣିତ ଓଲଟପାଲଟ ହୋଇଯାଇଛି । ଜୟ ବିଜେପି ଯିବା ପରେ ବିଜେଡି ଟିକେଟ ରେସରେ ଏବେ ଏକାଧିକ ପ୍ରାର୍ଥୀ । ବହୁ ପୁରୁଖା ନେତା ନୂଆପଡ଼ାରେ ଡେରା ପକାଇଥିବାବେଳେ ଆସନ୍ତା ୨ ଦିନ ମଧ୍ୟରେ ଦଳ ପ୍ରାର୍ଥୀ ଘୋଷଣା କରିବା ବୋଲି ସୂଚନା ମିଳିଛି ।

ଅଙ୍କ ସଜାଡିବାକୁ ଆପ୍ରାଣ ଉଦ୍ୟମ:

ଆଜିଠାରୁ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ହେଉଥିବା ବେଳେ ବର୍ତ୍ତମାନ ବିଜେଡି ପ୍ରାର୍ଥୀ କିଏ ହେବେ ଚୂଡ଼ାନ୍ତ ହୋଇପାରିନାହିଁ । ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇ ଅକ୍ଟୋବର ୨୦ ଯାଏଁ ଚାଲିବ ନାମାଙ୍କନ ପ୍ରକ୍ରିୟା । ନାଟକୀୟ ଘଟଣା କ୍ରମେ ବିଜେଡିର ଆଶାୟୀ ପ୍ରାର୍ଥୀ ତଥା ସ୍ୱର୍ଗତ ରାଜେନ୍ଦ୍ର ଢ଼ୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେପିରେ ମିଶିଛନ୍ତି । ଏହା ପରେ ରାଜନୈତିକ ଗଣିତ ଓଲଟପାଲଟ ହୋଇଯାଇଛି । ନୂଆପଡ଼ାରେ ଏବେ ଆରମ୍ଭ ହୋଇଛି ବିଜେଡିର ନୂଆ ଡ୍ରାମା । ବର୍ତ୍ତମାନ ଟିକେଟକୁ ନେଇ ବଢୁଥିବା ଦ୍ବନ୍ଦ୍ୱ ଓ ଯୋଗ୍ୟ ପ୍ରାର୍ଥୀ ଚୟନ ବିଜେଡି ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛି । ଗ୍ରହଣୀୟ ପ୍ରାର୍ଥୀ ଚୟନ କରି ବ୍ୟାକଫୁଟରେ ଥିବା ବିଜେଡି ନିଜକୁ ନୂଆପଡା ରେସର ଟ୍ରାକକୁ ଫେରାଇ ଆଣିବା ଲାଗି ଆପ୍ରାଣେ ଉଦ୍ୟମ କରୁଛି । ସେଥିପାଇଁ ବିଜେଡି ସଭାପତି ଦଳର ପୁରୁଖା ନେତାଙ୍କୁ ନୂଆପଡା ପଠାଇଛନ୍ତି ।

ଡେରା ପକାଇଛନ୍ତି ବରିଷ୍ଠ ନେତା :

ବିଜୁ ଜନତା ଦଳର ବରିଷ୍ଠ ନେତା ନିରଞ୍ଜନ ପୂଜାରୀ, ପ୍ରଣବ ପ୍ରକାଶ ଦାସ, ଅତୁନୁ ସବ୍ୟସାଚୀ ନାୟକ, ସ୍ନେହାଙ୍ଗିନୀ ଛୁରିଆ, ଦେବୀ ପ୍ରସାଦ ମିଶ୍ର, ଟୁକୁନୀ ସାହୁ ଭଳି ବରିଷ୍ଠ ନେତା ନୂଆପଡାରେ ଡେରା ପକାଇଛନ୍ତି । ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ମଧ୍ୟ ଉପସ୍ଥିତ ରହିଛନ୍ତି । ଖଡିଆଳ ରୋଡରେ ଥିବା ଏକ ହୋଟେଲରେ ଜିଲ୍ଲାର ବରିଷ୍ଠ ନେତାଙ୍କ ସହ ରୁଦ୍ଧଦ୍ୱାର ବୈଠକ କରୁଛନ୍ତି ରାଜ୍ୟସ୍ତରରୁ ଯାଇଥିବା ନେତା । ଜିଲ୍ଲା ସଂଗଠନରେ ବିଭିନ୍ନ ଦାୟିତ୍ୱରେ ଥିବା ଦଳୀୟ ନେତା ଓ କର୍ମୀମାନଙ୍କ ସହିତ ସେମାନେ ଆଲୋଚନା କରୁଛନ୍ତି । ଏବେ ବିଜେଡିରୁ ଅନେକ ଆଶାୟୀ ପ୍ରାର୍ଥୀ ଭାବେ ସାମ୍ନାକୁ ଆସିଛନ୍ତି । ସେମାନେ ହେଲେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ମନୋଜ ମିଶ୍ର, ଜିଲ୍ଲା ବିଜେଡି ସଭାପତି ଅବନୀ ରଞ୍ଜନ ଯୋଶୀ, ମହିଳା ନେତ୍ରୀ ତଥା ବର୍ତ୍ତମାନ ନୂଆପଡା ବ୍ଲକ ଚେୟାରମ୍ୟାନ ତାରେଶ୍ବରୀ ସାହୁ, ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ଭାନୁପ୍ରତାପସିଂ ମାଝି, ନୂଆପଡ଼ା ଏନଏସି ଅଧ୍ୟକ୍ଷ ମହମ୍ମଦ ଆଦମ ଓ ପୂର୍ବତନ ବିଜେଡି ଯୁବ ସଭାପତି ହରିଶ୍ଚନ୍ଦ୍ର ପଣ୍ଡା ।

ମନୋଜ ମିଶ୍ର
ମନୋଜ ମିଶ୍ର (ETV Bharat Odisha)

ଟିକେଟ ରେସରେ ସାଧାରଣ ସମ୍ପାଦକ ମନୋଜ ମିଶ୍ର :

ଜୟ ଢୋଲକିଆ ବିଜେପିକୁ ଯିବା ପରେ ବିଜେଡିର ଟିକେଟ ଆଶାୟୀ ହୋଇଛନ୍ତି ପୂର୍ବତନ ଜିଲ୍ଲା ବିଜେଡି ସଭାପତି ତଥା କୋମନା ବ୍ଲକର ପୂର୍ବତନ ଅଧ୍ୟକ୍ଷ ମନୋଜ ମିଶ୍ର । ମନୋଜ ବର୍ତ୍ତମାନ ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି । ୨୦୨୪ ନିର୍ବାଚନରେ ଖଡିଆଳ ନିର୍ବାଚନ ମଣ୍ଡଳୀରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ ମନୋଜ । ସେହିପରି ୨୦୨୨ ପଞ୍ଚାୟତ ନିର୍ବାଚନରେ ଜିଲ୍ଲାରେ ଦଳର ବିଜୟରେ କର୍ଣ୍ଣଧାର ସାଜିଥିଲେ । ମନୋଜ ଜନତା ଦଳରୁ ବିଜେଡିକୁ ଆସିଥିଲେ । ବିଜୁ ପରିବାରର ସଦସ୍ୟ ଭାବେ ୧୯୯୨ରୁ ଦଳ ପାଇଁ କାମ କରିଆସିଛନ୍ତି । "ମୁଁ ଟିକେଟ ଆଶାୟୀ ନୁହେଁ, କିନ୍ତୁ ଦଳ ଚାହିଁଲେ ନିର୍ବାଚନ ଲଢ଼ିବି" ବୋଲି ମନୋଜ କହିଛନ୍ତି । "ସଚ୍ଚୋଟ କାର୍ଯ୍ୟକର୍ତ୍ତା ଭାବେ ଦଳରେ କାର୍ଯ୍ୟ କରୁଛି । ଦଳ ଯାହା ନିର୍ଦ୍ଦେଶ ଦେବ, ସେହି ହିସାବରେ ଚାଲିବି ।" ନବୀନ ନିବାସରୁ ଡାକରା ପାଇ ମନୋଜ ଭୁବନେଶ୍ୱର ଗସ୍ତ କରି ଫେରିଛନ୍ତି ।

ଅବନୀ ରଞ୍ଜନ ଯୋଶୀ
ଅବନୀ ରଞ୍ଜନ ଯୋଶୀ (ETV Bharat Odisha)

ସଂଗଠନ ସଜାଡିଛନ୍ତି ଅବନୀ ରଞ୍ଜନ ଯୋଶୀ :

ନୂଆପଡା ରାଜନୀତିରେ ବଡ଼ ଚେହେରା ଥିଲେ ରାଜେନ୍ଦ୍ର ଢୋଲକିଆ । ୨୦୨୪ ନିର୍ବାଚନ ବିଜୟ ପରେ ଅଧିକାଂଶ ସମୟ ସେ ଅସୁସ୍ଥ ରହିଲେ ରାଜେନ୍ଦ୍ର । ବିଧାୟକ ଭାବରେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ସେ ଅଧିକାଂଶ ସମୟ ଭୁବନେଶ୍ୱରରେ ରହିଥିଲେ । ସେହି ସମୟରେ ଜିଲ୍ଲାରେ ବିଜେଡି ସଂଗଠନ ସମ୍ଭାଳି ରଖିଥିଲେ ବର୍ତ୍ତମାନ ବିଜେଡି ଜିଲ୍ଲା ସଭାପତି ଅବନୀ ରଞ୍ଜନ ଯୋଶୀ । ବିଜେଡି ସରକାରରୁ ଗଲା ବିଜେଡି ସୁପ୍ରିମୋ ଅବନୀଙ୍କୁ ଦାୟିତ୍ୱ ଦେଇଥିଲେ । ଜିଲ୍ଲାରେ ଦଳକୁ ସଜାଡି ରଖିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛନ୍ତି । ସ୍ୱାଭାବିକ ଭାବେ ସେ ଟିକେଟ ରେସରେ ସାମିଲ ହୋଇଛନ୍ତି । ସେ କହିଛନ୍ତି, "ଦଳ ପାଇଁ ଏହି ସମୟ ସବୁଠାରୁ ଦୁଃଖର ସମୟ । ଦୁଃଖ ସମୟରେ ମୁଁ ଦଳକୁ ସଂଗଠିତ କରୁଛି । ମୋତେ ଦଳ ଟିକେଟ ଦେଲେ ମୁଁ ପ୍ରାର୍ଥୀ ହେବି ଆଶା ରଖିଛି ।"

ତାରେଶ୍ବରୀ ସାହୁ
ତାରେଶ୍ବରୀ ସାହୁ (ETV Bharat Odisha)

ନାରୀ ଚେହେରା ତାରେଶ୍ବରୀଙ୍କ ଉପରେ ନଜର :

ମହିଳା ନେତ୍ରୀ ତଥା ବର୍ତ୍ତମାନ ନୂଆପଡା ବ୍ଲକ ଅଧ୍ୟକ୍ଷ ତାରେଶ୍ବରୀ ସାହୁ ଟିକେଟ ପାଇଁ ଲବି ଆରମ୍ଭ କରିଛନ୍ତି । ନୂଆପଡା ବ୍ଲକର ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଲୋକମାନଙ୍କ ସହିତ ସିଧାସଳଖ ଯୋଡି ହୋଇ ସେ କାମ କରୁଥିବା ଦାବି କରିଛନ୍ତି । ଲୋକ ସମ୍ପର୍କ ରହିଥିବାରୁ ତାଙ୍କୁ ଦଳ ପ୍ରାର୍ଥୀ କଲେ ନିର୍ବାଚନ ଲଢ଼ିବେ ବୋଲି ସେ କହିଛନ୍ତି । ସେ କହିଛନ୍ତି, "ନୂଆପଡା ବ୍ଲକର ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଲୋକମାନଙ୍କ ସହିତ ସିଧାସଳଖ ଯୋଡି ହୋଇ କାମ କରୁଛି । ମୋର ଲୋକ ସମ୍ପର୍କ ରହିଛି । ମୋତେ ଦଳ ପ୍ରାର୍ଥୀ କଲେ ମୁଁ ନିର୍ବାଚନ ଲଢ଼ିବି ।"

ଆଦିବାସୀ ଚେହେରାକୁ ଭରସା କରିବ କି ଦଳ ?:

ନୂଆପଡା ଜିଲ୍ଲା ବିଜେଡି ଉପସଭାପତି ତଥା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ନେତା ହେଉଛନ୍ତି ଭାନୁ ପ୍ରତାପ ସିଂ ମାଝୀ । ଭାନୁ ପ୍ରତାପ ହେଉଛନ୍ତି ଅନ୍ୟତମ ଟିକେଟ ଆଶାୟୀ । ଦୁଇଥର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି ଭାନୁ । ବର୍ତ୍ତମାନ ଜିଲ୍ଲା ପରିଷଦ ସଭ୍ୟ ମଧ୍ୟ ଭାନୁ ଅଛନ୍ତି । ସ୍ୱର୍ଗତ ଘାସିରାମ ମାଝୀଙ୍କ ପୁତୁରା ହେଉଛନ୍ତି ଭାନୁ । ଟିକେଟ ଆଶାରେ ଭାନୁ ପ୍ରତାପ ମଧ୍ୟ ଭୁବନେଶ୍ୱରରେ ଡେରା ପକାଇଛନ୍ତି । ଆଦିବାସୀଙ୍କୁ ବିଜେଡି ସର୍ବଦା ସମ୍ମାନ ଦେଇଛି । ପ୍ରାର୍ଥୀ କଲେ ସେ ନିଶ୍ଚୟ ଲଢ଼ିବେ ବୋଲି ଭାନୁପ୍ରତାପ କହିଛନ୍ତି । ସେ କହିଛନ୍ତି, "ମୁଁ ଜିଲ୍ଲା ପରିଷଦ ମେମ୍ବର ରହିଛି । ଜିଲ୍ଲାରେ ମୋର ଲୋକପ୍ରିୟତା ବହୁତ ରହିଛି । ମୁଁ ଜଣେ ଆଦିବାସୀ ନେତା । ଦଳ ମୋ ଉପରେ ଆସ୍ଥା ଭାଜନ କଲେ ମୁଁ ପ୍ରାର୍ଥୀ ହେବାକୁ ପ୍ରସ୍ତୁତ ରହିଛି । ମୁଁ ଏକା କଂଗ୍ରେସର ଆଦିବାସୀ ନେତା ଘାସିରାମ ମାଝୀକୁ ଟକ୍କର ଦେବି ।"

ସଂଖ୍ୟାଲଘୁ କାର୍ଡ ଖେଳିବ କି ବିଜେଡି ?

ନୂଆପଡ଼ା ଏନଏସି ଅଧ୍ୟକ୍ଷ ଅଛନ୍ତି ମହମ୍ମଦ ଆଦମ । ମହମ୍ମଦ ମଧ୍ୟ ଟିକେଟ ଆଶାୟୀ ତାଲିକାରେ ରହିଛନ୍ତି । ୨୦୨୨ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଏନଏସି ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ । ଏନଏସି ଅଧ୍ୟକ୍ଷ ନିର୍ବାଚିତରେ ବିଜେପି ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା ଓ ବିଜେଡ଼ି ପ୍ରାର୍ଥୀ କ୍ଷିତିଶ ଅଶୋକ ବୋଧନକରଙ୍କୁ ସେ ପରାସ୍ତ କରିଥିଲେ । ବିଜେଡି ଟିକେଟ ମିଳିଲେ ନିଶ୍ଚୟ ନିର୍ବାଚନ ଲଢିବି ବୋଲି ସେ କହିଛନ୍ତି । ଅନ୍ୟ କେହି ପ୍ରାର୍ଥୀ ହେଲେ ବି ସମର୍ଥନ କରିବୁ ବୋଲି ଆଦମ କହିଛନ୍ତି ।

ବସନ୍ତଙ୍କ ପୁତୁରା ହରିଶ୍ଚନ୍ଦ୍ର ପଣ୍ଡାଙ୍କ ଉପରେ ଆଖି:

ପୂର୍ବତନ ଯୁବ ବିଜେଡି ଜିଲ୍ଲା ସଭାପତି ହରିଶ୍ଚନ୍ଦ୍ର ପଣ୍ଡା ମଧ୍ୟ ଆଶାୟୀ ପ୍ରାର୍ଥୀ ତାଲିକାରେ ରହିଛନ୍ତି । ସେ କଳାହାଣ୍ଡି ପୂର୍ବତନ ସାଂସଦ ବସନ୍ତ ପଣ୍ଡାଙ୍କ ପୁତୁରା । ଏବେ ବିଜେଡି ହରିଶ୍ଚନ୍ଦ୍ରଙ୍କୁ ଟିକଟ ଦେଇ ପୁଣି ମାଷ୍ଟର ଷ୍ଟ୍ରୋକ ଖେଳିପାରେ ବୋଲି ଚର୍ଚ୍ଚା ହେଉଛି । ଦଳ ତାଙ୍କ ଉପରେ ବିଶ୍ୱାସ ଓ ଭରସା କରି ପ୍ରାର୍ଥୀ କଲେ ସେ ନିଶ୍ଚୟ ଆଶା ପୂରଣ କରିବେ ବୋଲି ହରିଶ୍ଚନ୍ଦ୍ର କହିଛନ୍ତି । ସେହିପରି ରାଜେଶ ନିଗମଙ୍କର ମଧ୍ୟ ନୂଆପଡା ଟିକେଟ ଉପରେ ଆଖି । ନିର୍ବାଚନ ମଣ୍ଡଳୀରେ ଜଡିତ ହୋଇ ଲୋକଙ୍କ ଦୁଃଖ ସୁଖରେ ରହିଛି । ଦଳୀୟ ନିର୍ଦ୍ଦେଶ ମାନି ପ୍ରତିଟି ମୁହୂର୍ତ୍ତରେ ଦଳର କାମ କରୁଛି । ମୋର ଲୋକପ୍ରିୟତା ରହିଛି । ଦଳ ମୋତେ ପ୍ରାର୍ଥୀ କଲେ ମୁଁ ପ୍ରସ୍ତୁତ ରହିଛି ବୋଲି ସେ ମଧ୍ୟ କହିଛନ୍ତି ।

ହରିଶ୍ଚନ୍ଦ୍ର ପଣ୍ଡା
ହରିଶ୍ଚନ୍ଦ୍ର ପଣ୍ଡା (ETV Bharat Odisha)

ରାଜେଶ ନିଗମ:

ସେହିପରି ଟିକେଟ ରେସ୍‌ରେ ଅଛନ୍ତି ରାଜେଶ ନିଗମ । ସେ କହିଛନ୍ତି, "ମୁଁ ନୂଆପଡା ନିର୍ବାଚନ ମଣ୍ଡଳୀରେ ସବୁବେଳେ ଲୋକଙ୍କ ସହିତ ଜଡିତ ରହିଛି । ଲୋକଙ୍କ ଦୁଃଖ ସୁଖରେ ରହିଛି । ଦଳୀୟ ନିର୍ଦ୍ଦେଶ ମାନି ପ୍ରତିଟି ମୁହୂର୍ତ୍ତରେ ଦଳର କାମ କରୁଛି । ମୋର ଲୋକପ୍ରିୟତା ରହିଛି । ଦଳ ମୋତେ ପ୍ରାର୍ଥୀ କଲେ ମୁଁ ପ୍ରସ୍ତୁତ ରହିଛି ।"

ଢୋଲକିଆଙ୍କ ପତ୍ନୀ ଓ ବସନ୍ତଙ୍କ ପୁଅ ହୋଇପାରନ୍ତି ଡାର୍କ ହର୍ସ :

ସାରା ରାଜ୍ୟରେ ଏବେ ନୂଆପଡାକୁ ନେଇ ଚର୍ଚ୍ଚା । ଜୟ ଢୋଲକିଆ ବିଜେପି ଯିବା ପରେ ନିର୍ବାଚନ ସମୀକରଣ ବଦଳିଛି । ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀ ତଥା ଜୟ ଢୋଲକିଆଙ୍କ ମା' କଳ୍ପନା ଢୋଲକିଆଙ୍କୁ ବିଜେଡି ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ମଧ୍ୟ ହେଉଛି । ବିଜେଡି ପକ୍ଷରୁ କଳ୍ପନାଙ୍କ ସହ ଯୋଗାଯୋଗ ମଧ୍ୟ କରାଯାଇଛି । ହେଲେ କଳ୍ପନାଙ୍କ ମତାମତ ସ୍ପଷ୍ଟ ହୋଇନାହିଁ । ବିଜେଡି କଳ୍ପନାଙ୍କୁ ନେଇ ପୁଅ ବିପକ୍ଷରେ ଲଢେଇବାକୁ ଚେଷ୍ଟା କରୁଛି । ଯଦି ଏମିତି ହୁଏ ତାହାଲେ ନୂଆପଡା ଅଲଗା କାହାଣୀ ଲେଖିବ । ସେହିପରି ବିଜେପି ଟିକେଟରୁ ଅଶାୟୀ ବରିଷ୍ଠ ନେତା ବସନ୍ତ ପଣ୍ଡା ଓ ତାଙ୍କ ପୁଅ ଅଭିନନ୍ଦନ ପଣ୍ଡା ଏବଂ ପ୍ରସନ୍ନ ପାଢ଼ୀ ବଞ୍ଚିତ ହେବେ । ବିଜେପିର ଅସନ୍ତୁଷ୍ଟଙ୍କ ଉପରେ ମଧ୍ୟ ବିଜେଡିର ନଜର ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...

ନୂଆପଡ଼ା ଉପନିର୍ବାଚନ; ବିଜେପି କୋର୍ କମିଟି ବୈଠକ, ଜୟ ଦଳରେ ସାମିଲ ପରେ ବି ଛିଡୁନି ଅଙ୍କ

ଶଙ୍ଖ ଛାଡି ପଦ୍ମ ଧରିଲେ ଜୟ; ଭୋଟ ପୋଛି ନେବି କହିଲେ ଘାସିରାମ

ତେବେ ବିଜେଡି ଦଳୀୟ ବରିଷ୍ଠ ନେତା ଆଜି ନୂଆପଡାରେ ପହଞ୍ଚି ପ୍ରାର୍ଥୀ ଖୋଜା ସର୍ଭେ ଆରମ୍ଭ କରିଛନ୍ତି । କାହା ଉପରେ ଦଳ ଆସ୍ଥା ଭାଜନ କରି ପ୍ରାର୍ଥୀ କରୁଛି, ଏବେ ତାହା ଉପରେ ସମସ୍ତଙ୍କ ନଜର ।

ଇଟିଭି ଭାରତ, ଭୁବନେଶ୍ବର/ନୂଆପଡ଼ା