BJD Waqf Bill voting Politics ଭୁବନେଶ୍ବର: ‘ପାଣ୍ଡିଆନ ଗୋ ବ୍ୟାକ । ପାଣ୍ଡିଆନ ହଟାଓ ବିଜେଡି ବଞ୍ଚାଅ । ନବୀନ ନିବାସରେ ଏଭଳି ଆଜି ଲାଗିଛି ପାଣ୍ଡିଆନ ହଟାଓ ନାରା ।’ ବିନା ଅନୁମତିରେ ଯେଉଁଠିକୁ ଯିବାକୁ ନେତାଙ୍କର ସାହସ ନଥିଲା । ସେଠାରେ ତାଙ୍କ ବିରୋଧରେ କର୍ମୀ ପକାଇଛନ୍ତି ନାରା । ବିଜେଡି ସଭାପତିଙ୍କ ଉପସ୍ଥିତରେ ନବୀନ ନିବାସରେ ପଡିଛି ପାଣ୍ଡିଆନ ବିରୋଧୀ ନାରା । ୱାକଫ ବିଲରେ ଦଳର ଷ୍ଟାଣ୍ଡ ପରିବର୍ତ୍ତନକୁ ନେଇ ପାଣ୍ଡିଆନଙ୍କ ବିରୋଧରେ ବିଷୋଦଗାର କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସଂଖ୍ୟାଲଘୁ ସେଲର କର୍ମକର୍ତ୍ତା । ଏହାକୁ ନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଚିନ୍ତା ବଢି ଯାଇଛି । ଘଟଣାରେ ଅନୁଧ୍ୟାନ କରି ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ନବୀନ ।
ବିଜେଡିରେ ୱାକଫ ବିଲ୍ ଭୋଟ ବିସ୍ଫୋରଣ !
ରାଜ୍ୟସଭାରେ ୱାକଫ ବିଲରେ ବିବେକାନୁମୋଦିତ ଭୋଟ ନେଇ ବିଜେଡିରେ ଜାରି ରଖିଛି ବିସ୍ଫୋରଣ । ବିଲରେ ଦଳର ଦ୍ବନ୍ଦ୍ବାତ୍ମକ ଷ୍ଟାଣ୍ଡକୁ ନେଇ ବିବାଦ ଚାଲିଥିବା ବେଳେ ଓଡିଶା ଫେରିଛନ୍ତି ବିଜେଡିର ସଂଖ୍ୟାଲଘୁ ସାଂସଦ ମୁନ୍ନା ଖାଁ । ଭୁବନେଶ୍ୱର ବିମାନବନ୍ଦରରେ ମୁନ୍ନା ପହଁଚିବା ପରେ ତାଙ୍କୁ ସ୍ବାଗତ କରିଛନ୍ତି ବିଜେଡିର ସଂଖ୍ୟାଲଘୁ ସେଲର କର୍ମକର୍ତ୍ତା, ନେତା ଓ ସାଧାରଣ ଜନତା ।
ବିଲ୍କୁ ବିରୋଧକୁ କହିଥିଲେ ବିଜେଡି ସଭାପତି:
ବିଜେଡି ରାଜ୍ୟସଭା ସାଂସଦ ମୁନ୍ନା ଖାଁ କହିଛନ୍ତି, "ବିଜୁ ବାବୁଙ୍କ ନାଁରେ ତିଆରି ହୋଇଥିବା ବିଜେଡି ଧର୍ମ ନିରପେକ୍ଷ ଦଳ । ନବୀନ ବାବୁ ହେଉଛନ୍ତି ସାରା ଦେଶର ଧର୍ମ ନିରପେକ୍ଷ ନେତା । ସଂସଦ ଆରମ୍ଭ ହେବା ପୂର୍ବରୁ ନବୀନ ନିବାସରେ ସଂସଦୀୟ ଦଳ ବୈଠକ ବସିଥିଲା । ବିଜେଡି ୱାକଫ ବିଲକୁ ବିରୋଧ କରିବ ବୋଲି ବିଜେଡି ସଭାପତି ରାଜ୍ୟସଭା ସଦସ୍ୟଙ୍କୁ କହିଥିଲେ । ଏପରିକି ବିଲ ବିରୋଧରେ ଭୁବନେଶ୍ୱରରେ ଏକ ରାଲି କରିବାକୁ ନବୀନ ବାବୁ ମୋତେ ଅନୁମତି ଦେଇଥିଲେ ।"

ଫେରିଲେ ଉତ୍ତର ଦେବେ ସସ୍ମିତ:
ମୁନ୍ନା ଆହୁରି ମଧ୍ୟ କହିଛନ୍ତି, "ରାଜ୍ୟସଭାରେ ବିଲକୁ ମୁଁ ବିରୋଧ କଲି । କିନ୍ତୁ ରାଜ୍ୟସଭାରେ ବିଜେଡିର ସଂସଦୀୟ ଦଳ ନେତା ସସ୍ମିତ ପାତ୍ର ଟ୍ୱିଟ କଲେ ବିବେକ ଅନୁସାରେ ଭୋଟ ଦିଅନ୍ତୁ । ଏହାକୁ ମୁଁ ଦୃଢ଼ ଭାବେ ଖଣ୍ଡନ କରୁଛି । ସସ୍ମିତ ଟ୍ୱିଟ କରିବା ପରଠୁ ଏଯାଏଁ ତାଙ୍କୁ ମୁଁ ପାଉନାହିଁ । ସେ ବିଦେଶ ଗସ୍ତରେ ଅଛନ୍ତି ଫେରିଲେ ଉତ୍ତର ଦେବେ । ଟ୍ୱିଟ କରିବା ଓ ବିଲକୁ ସମର୍ଥନ କରିବାକୁ ତାଙ୍କୁ କିଏ କହିଲା ବୋଲି କହିବେ । ମୋର ବିଶ୍ୱାସ ନବୀନ ବାବୁ ୱାକଫ ବିଲକୁ ସମର୍ଥନ କରିବାକୁ କହିନଥିବେ । କାରଣ ବିଜେଡି ସବୁବେଳେ ଧର୍ମ ନିରପେକ୍ଷତାକୁ ବିଶ୍ୱାସ କରେ ।’

ସସ୍ମିତଙ୍କ ଉପରେ ବର୍ଷିଲେ ମୁନ୍ନା:
ସେହିପରି ଦଳୀୟ ନେତା ସସ୍ମିତ ପାତ୍ରଙ୍କ ଉପରେ ବର୍ଷିଛନ୍ତି ମୁନ୍ନା । ସଂସଦୀୟ ଗଣତନ୍ତ୍ରରେ ସମର୍ଥନ କିମ୍ବା ବିରୋଧ କରାଯାଏ । ନହେଲେ କକ୍ଷତ୍ୟାଗ ଭଳି ନିଷ୍ପତ୍ତି ରାଜନୈତିକ ଦଳ ନିଅନ୍ତି । ଆମ ସଂସଦୀୟ ଦଳ ନେତା ସସ୍ମିତ ବାବୁ ବିବେକ ଅନୁସାରେ ଭୋଟ ଦେବାକୁ କହିବା ସଂସଦ ଇତିହାସରେ ବିରଳ ଘଟଣା । ଯାହାର ବିବେକ କିମ୍ବା ଆତ୍ମା ବିଜେପିକୁ ସମର୍ଥନ କରିବାକୁ କହୁଛି ସେ ବିଜେପିକୁ ଚାଲିଯାଉନାହାନ୍ତି କାହିଁକି ? ସେ ଏହା ମଧ୍ୟ କହିଛନ୍ତି, "ବିଜେଡିରେ ଦୋମୁହାଁ ନୀତି ରଖିଥିବା ନେତାଙ୍କର ଜାଗା ନାହିଁ ।"

ନବୀନଙ୍କୁ ସମର୍ଥକଙ୍କ ସହ ଭେଟିଲେ ମୁନ୍ନା:
ଓଡିଶା ଫେରି ଗଣମାଧ୍ୟମରେ ପ୍ରତିକ୍ରିୟା ରଖିବା ପରେ ବିମାନବନ୍ଦରରୁ ମୁନ୍ନା ଶୋଭାଯାତ୍ରାରେ ନବୀନ ନିବାସ ଯାଇଥିଲେ । ମୁନ୍ନାଙ୍କ ସହ ଶତାଧିକ କର୍ମକର୍ତ୍ତା ନବୀନ ନିବାସ ଯାଇ ବିଜେଡି ସଭାପତିଙ୍କୁ ଭେଟିଛନ୍ତି । ବିଲରେ ଦଳର ଏଭଳି ଷ୍ଟାଣ୍ଡକୁ ନେଇ ନବୀନ ନିବାସରେ ଦଳୀୟ କର୍ମକର୍ତ୍ତା ରୋଷ ଜାହିର କରିଛନ୍ତି । ନବୀନ ନିବାସରେ ବିଜେଡି ସଭାପତି ଉପସ୍ଥିତ ଥିବା ବେଳେ ନାରାବାଜି କରିଛନ୍ତି ଦଳୀୟ ନେତା ଓ କର୍ମୀ ।
ନବୀନ ସାମ୍ନାରେ ପାଣ୍ଡିଆନ ଗୋ ବ୍ୟାକ ନାରା:
ସେପଟେ ପାଣ୍ଡିଆନ ଗୋ ବ୍ୟାକ ନାରା ନବୀନ ନିବାସରେ ପଡିଛି । ପାଣ୍ଡିଆନ ହଟାଓ ବିଜେଡି ବଞ୍ଚାଅ ଭଳି ନାରା ନବୀନ ନିବାସରେ ଗୁଞ୍ଜରିତ ହୋଇଛି । ବିନା ଅନୁମତିରେ ଯେଉଁଠିକୁ ଯିବାକୁ ନେତାଙ୍କର ସାହସ ନଥିଲା, ସେଠାରେ ତାଙ୍କ ବିରୋଧରେ କର୍ମୀ ନାରା ପକାଇଛନ୍ତି । ୱାକଫ ବିଲରେ ଦଳର ଷ୍ଟାଣ୍ଡ ପରିବର୍ତ୍ତନକୁ ନେଇ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ସଂଖ୍ୟାଲଘୁ ନେତା । ଯାହାକୁ ନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଟେନସନ ବଢି ଯାଇଛି । ଘଟଣାରେ ଅନୁଧ୍ୟାନ କରି ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ନବୀନ ।
ଏହା ମଧ୍ୟ ପଢନ୍ତୁ: ୱାକଫ ଭୋଟ; ବିଜେଡିରେ ବିବାଦ, ନବୀନଙ୍କ ସହ ଆଲୋଚନା କରିବେ ବରିଷ୍ଠ ନେତା ଓ୍ବାକଫ୍ ବିଲ୍ ବିଜେଡିର ୟୁ-ଟର୍ଣ୍ଣ; ବିବେକ ଅନୁସାରେ ଭୋଟ ଦେବେ ବିଜେଡିର ରାଜ୍ୟସଭା ସାଂସଦ |
ପ୍ରତିଶ୍ରୁତି ଦେଲେ ନବୀନ:
ନବୀନଙ୍କୁ ଭେଟି ସସ୍ମିତ ପାତ୍ରଙ୍କ ନିଲମ୍ବନ ଦାବି କରିଛନ୍ତି ମୁନା । କାର୍ଯ୍ୟାନୁଷ୍ଠାନ ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିର୍ଭର ପ୍ରତିଶ୍ରୁତି ଦେଇଥିବା ମୁନ୍ନା କହିଛନ୍ତି । ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି, "ସଂଖ୍ୟାଲଘୁଙ୍କ ପାଇଁ ମସଜିଦ ଓ ଚର୍ଚ୍ଚ କରିଛୁ । ସଂଖ୍ୟାଲଘୁଙ୍କୁ ଆଗରେ ରଖିବାକୁ ଚେଷ୍ଟା କରିଛୁ । ସଂଖ୍ୟାଲଘୁଙ୍କ ହିତ ଲାଗି କାର୍ଯ୍ୟ କରିଛୁ । ଆଗକୁ ମଧ୍ୟ କରିବୁ । ସଂଖ୍ୟାଲଘୁଙ୍କ ହିତ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ବିଜେଡି ଧର୍ମ ନିରପେକ୍ଷ ଦଳ । ଯାହା ବି ରାଜ୍ୟସଭାରେ ହୋଇଛି, ତାହା ଦେଖିବି ଓ ବୁଝିବି । ଯାହା କରାଯିବା କଥା କରାଯିବ ।"

ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣେ କର୍ମକର୍ତ୍ତା କହିଛନ୍ତି, ‘ଆମେ ନବୀନ ପଟ୍ଟନାୟକଙ୍କୁ ଭେଟିଲୁ ତୁରନ୍ତ ସସ୍ମିତ ପାତ୍ରଙ୍କୁ ନିଲମ୍ବନ କରାଯାଉ । ଏପରି ନିଷ୍ପତ୍ତି ନେବା ପଛରେ ଯିଏ ଅଛି ସେମାନଙ୍କୁ ସାମ୍ନାକୁ ଅଣାଯାଉ ।’
ସେହିପରି ସଂଖ୍ୟାଲଘୁ ସମ୍ପ୍ରଦାୟର ଆଉ ଜଣେ କହିଛନ୍ତି, ‘ଆମେ ମୁନ୍ନା ଖାଁଙ୍କୁ ସ୍ବାଗତ ଜଣାଉଛୁ । କିନ୍ତୁ ସସ୍ମିତ ପାତ୍ର ଯିଏ ୱାକଫ ସପକ୍ଷରେ ଭୋଟ କରିଛନ୍ତି । ଭୋଟିଂ ପୂର୍ବରୁ ନବୀନ ପଟ୍ଟନାୟକ କହିଥିଲେ ଏହି ବିଲ୍କୁ ବିଜେଡି ସମର୍ଥନ କରିବନି । ତାଙ୍କ ନିର୍ଦ୍ଦେଶ ନ ମାନି କାହା ଇଙ୍ଗିତରେ ବା ଚାପରେ ଏହି ବିଲ୍କୁ ସମର୍ଥନ କରିଛନ୍ତି ତାହାକୁ ଆମେ ନିନ୍ଦା କରୁଛୁ । ଏହାକୁ ନେଇ ଆମେ ନବୀନଙ୍କୁ ଆଜି ଭେଟିଛୁ ।
କାହିଁକି ବିଜେଡିରେ ଅସନ୍ତୋଷ ?
ୱାକଫ ବିଲ୍କୁ ରାଜ୍ୟସଭାରେ ବିଜେଡି ବିରୋଧ କରିବ ବୋଲି କହିଥିଲା । ରାଜ୍ୟସଭାରେ ଏହାକୁ ବିରୋଧ କରିଥିଲେ ରାଜ୍ୟସଭା ସାଂସଦ ମୁନ୍ନା ଖାନ । ହେଲେ ବିଜେଡି ସାଂସଦ ସସ୍ମିତ ପାତ୍ର ଏକ୍ସରେ ଲେଖିଥିଲେ, ବିବେକ ଅନୁସାରେ ଭୋଟ ଦିଅ । ୱାକଫ ବିଲ୍କୁ ନେଇ ବିଜେଡିର ଦ୍ବନ୍ଦ୍ବାତ୍ମକ ଆଭିମୁଖ୍ୟକୁ ନେଇ ରାଜନୀତି ଜୋର ଧରିଛି । ଏହାକୁ ନେଇ ପୂର୍ବରୁ ବିଜେଡିର ବରିଷ୍ଠ ନେତା ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ବିଜେଡିର ଭୋଟକୁ ନେଇ ଏବେ ରାଜନୀତି ଜୋର ଧରିଛି ।
ଇଟିଭି ଭାରତ, ଭୁବନେଶ୍ବର