BJD Leader Says Time For Battle Against BJP : ଭୁବନେଶ୍ବର: ସାମ୍ପ୍ରତିକ ପରିସ୍ଥିତିରେ ବିଜେଡି କନ୍ଦଳକୁ ନେଇ ଦଳର ବରିଷ୍ଠ ଓ କନିଷ୍ଠ ନେତା ମାପିଚୁପି ପ୍ରତିକ୍ରିୟା ରଖୁଛନ୍ତି । ବର୍ତ୍ତମାନର ସ୍ଥିତିକୁ ନେଇ ତେରଛା ବାଣ ମାରିଛନ୍ତି ବରିଷ୍ଠ ବିଧାୟକ ଅରୁଣ ସାହୁ ଓ ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ। ଦଳ ଭିତରେ ସଂସ୍କାର ଓ ବିଜେପି ବିରୋଧରେ ରଣହୁଙ୍କାର ଦେବା ସମୟ ଆସିଛି ବୋଲି କହିଛନ୍ତି ଅରୁଣ। ଛୋଟ ଛୋଟ ଭୁଲ ହୁଏ, ତାକୁ ସୁଧାରି ଆଗକୁ ଯିବାକୁ ଅରୁଣ ଆହ୍ୱାନ ଦେଇଛନ୍ତି। ଦଳର ସଭାପତିଙ୍କୁ କ୍ଷତି ପହଞ୍ଚାଇଲେ ସ୍ବର ଉତ୍ତୋଳନ କରିବୁ ବୋଲି ସମ୍ବିତ କହିଛନ୍ତି। ପୁନର୍ବାର ସେ ମୂଷା ଉପଖ୍ୟାନ ଦୋହରାଇଛନ୍ତି।
'ଦଳ ଭିତରେ ସଂସ୍କାର ଏବଂ ବିଜେପି ବିରୋଧରେ ରଣହୁଙ୍କାର'
ବିଜେଡିରେ ନେତାଙ୍କ ଦ୍ଵିମତ ପ୍ରସଙ୍ଗରେ ବିଜେଡି ବିଧାୟକ ଅରୁଣ ସାହୁଙ୍କ ତେରଛା ବାଣ। ଅରୁଣ କହିଛନ୍ତି, "ଗତ 10 ମାସ ଭିତରେ ମୁଁ ଲଢେଇର ସବୁଠୁ ଆଗରେ ରହିଛି। ବିଜେପି ବିରୋଧରେ ତୀବ୍ର ଲଢେଇ ହେଉଛି। ବର୍ତ୍ତମାନ ଦଳର ଆଭ୍ୟନ୍ତରୀଣ ବ୍ୟାପାର ହେଉଛି ସାଙ୍ଗଠନିକ ନିର୍ବାଚନ। ସାଙ୍ଗଠନିକ ନିର୍ବାଚନ ପରେ ସବୁ କିଛି ଠିକ ହୋଇଯିବ। ବ୍ୟକ୍ତିଗତ ଭାବେ ମୁଁ ସଂସ୍କାରକୁ ଭଲ ପାଏ। ରାଜନୀତିରେ ଦୁଇଟି ଧାର; ଉନ୍ନତି ସାଥିରେ ସମାଜ ସଂସ୍କାର। ମୁଁ ସବୁବେଳେ ସଂସ୍କାର ସପକ୍ଷରେ ରୁହେ। ଯଦି ଦଳ ଭିତରେ କିଛି ଭୁଲ ଭଟକା ରହୁଛି, ତେବେ ତାହାକୁ ଦୂର କରିବା ଓ ସଂସ୍କାର ଆଣିବା ଦରକାର। ମୋର ଲଢେଇ ହେଉଛି ଦଳ ଭିତରେ ସଂସ୍କାର ଏବଂ ବିଜେପି ବିରୋଧରେ ତୀବ୍ର ଭାବେ ରଣହୁଙ୍କାର।"
'ବିଜେଡି ଏକ ଆନ୍ଦୋଳନ':
ଅରୁଣ ଆହୁରି ମଧ୍ୟ କହିଛନ୍ତି, "ସାଧାରଣ ଜୀବନରେ ଯାଉ ଯାଉ କେଉଁଠି ନା କେଉଁଠି ଛୋଟ ଛୋଟ ଭୁଲ ଭଟକା ହୋଇଥାଏ। ଭୁଲକୁ ସୁଧାରି ଆଗକୁ ଯିବାର ଅଛି। ବିଜେଡି ଏକ ଆନ୍ଦୋଳନ। ଆନ୍ଦୋଳନ କରି ଆଗକୁ ବଢ଼ିବା ରାଜନୈତିକ ବ୍ୟକ୍ତିର ଲକ୍ଷ୍ୟ ହେବା ଦରକାର। ରାଜନୀତିରେ ଜନ୍ମ ନେବା ପରେ ବିଜେଡି 1997ରୁ 2000 ପର୍ଯ୍ୟନ୍ତ ବିରୋଧୀ ଦଳରେ ଥିଲା। ପରବର୍ତ୍ତୀ 24 ବର୍ଷ ବିଜେଡି ସରକାରରେ ରହିଛି । 2000ରୁ 2009 ବିଜେପି ସହ ଭାଗୁଆଳି ସରକାର କରିଛୁ। ମେଣ୍ଟ ସରକାର ଥିବା ବେଳେ ବିଜେପି ସାମ୍ପ୍ରଦୟିକ ଦଙ୍ଗା କରିବା ସହ ସମାଜରେ ଭେଦଭାବ ସୃଷ୍ଟି କଲେ। ତେଣୁ ଆମେ ବିଜେପି ହାତ ଛାଡିଥିଲୁ । 2009, 2014 ଓ 2019ରେ ଜନସାଧାରଣଙ୍କ ସହଯୋଗ ମିଳିଲା। 2024ରେ ଭୋଟ ଅଧିକ ମିଳିଥିଲେ ମଧ୍ୟ ଆମେ ପଛରେ ପଡ଼ିଲୁ।"
'ନବୀନ ଆମର ଏକ ମାତ୍ର ନେତା':
ସେ ଏହା ମଧ୍ୟ କହିଛନ୍ତି, "ବର୍ତ୍ତମାନ ଦଳ ଭିତରେ ସଂସ୍କାର ଓ ବିଜେପି ବିରୁଦ୍ଧରେ ରଣହୁଙ୍କାର ଦେବା ଦରକାର ରହିଛି। ରାସ୍ତାରେ ଯିବା ବେଳେ ଛୋଟ ଭୁଲଭାଲ ହୁଏ, କିନ୍ତୁ ତାକୁ ସୁଧାରିବାର ଆବଶ୍ୟକ ରହିଛି। ନବୀନ ଆମର ଏକ ମାତ୍ର ନେତା। ତାଙ୍କ ନେତୃତ୍ଵରେ ଦଳ ଚାଲିଛି। ଏଥିରେ କୌଣସି ଦ୍ୱିମତ ନାହିଁ। ଯଦି କେଉଁଠି କିଛି ଭୁଲ ଭଟକା ରହିଛି, ତାକୁ ଦୂର କରି ସଂସ୍କାର ଆଣିବା ଦରକାର । ବରିଷ୍ଠ ନେତାମାନେ ଏକାଠି ବସିଲେ ବି ନବୀନଙ୍କୁ ସର୍ବମାନ୍ୟ ନେତା ବୋଲି ସମସ୍ତେ ମାନୁଛନ୍ତି । ଦଳ କିପରି ଚାଲିବ ମୁଁ ମଧ୍ୟ ନବୀନ ପଟ୍ଟନାୟକଙ୍କୁ କିଛି ପ୍ରସ୍ତାବ ଦେଇଛି ।"
'ଦଳରେ ଅବିଶ୍ୱାସର ବାତାବରଣ ସୃଷ୍ଟି କରାଯାଇଛି':
ବିଜେଡିର ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ କହିଛନ୍ତି, "ଏକ ଅଭାବନୀୟ ଘଟଣା ଘଟିଛି, ତାହାର ତର୍ଜମା ଚାଲିଛି । ଯାହାକୁ ନେଇ ଏତେ ସବୁ ଘଟଣା ଚାଲିଛି । ବରିଷ୍ଠ ଓ କନିଷ୍ଠ ଏକ ସ୍ୱରରେ କହିଛନ୍ତି ଆମ ନେତା ନବୀନ ପଟ୍ଟନାୟକ । ଦଳରେ ଅବିଶ୍ୱାସର ବାତାବରଣ ସୃଷ୍ଟି କରାଯାଇଛି । ଏଥିପାଇଁ ଦଳର ସଭାପତି ପଦକ୍ଷେପ ନେବେ । ଆମ ବିଷୟରେ ପଟ୍ଟନାୟକଙ୍କୁ ଭୁଲ ଚିତ୍ରଣ କରାଯାଉଥିବ । ଆଗାମୀ ଦିନରେ ସେମିତି କିଛି କାର୍ଯ୍ୟକ୍ରମ ହେବାକୁ ଯାଉଛି, ଯାହା ବରିଷ୍ଠଙ୍କୁ ଭଲ ଲାଗିବ । ଆଜି ଯାହା ଆଖିକୁ କଷ୍ଟ ଲାଗୁଛି ସୂର୍ଯ୍ୟଦୋୟ ପରେ ଭଲ ଲାଗିବ । କର୍ମୀଙ୍କ ମନରେ ଯାହା ଅଛି ନବୀନ ପଟ୍ଟନାୟକ ଯବନିକା ପକେଇବେ। ସଭାପତି ବରିଷ୍ଠଙ୍କୁ ସାଙ୍ଗରେ ନେଇ ବାହାରିବେ ।"
ସମ୍ବିତଙ୍କ ମୂଷା ଉପାଖ୍ୟାନ:
ସମ୍ବିତ ଆହୁରି ମଧ୍ୟ କହିଛନ୍ତି, "ଦଳରେ ସୃଷ୍ଟି ହୋଇଥିବା ଅବିଶ୍ୱାସର ବାତାବରଣ ଶେଷ ହେବ । ନବୀନ ପଟ୍ଟନାୟକଙ୍କୁ କିଏ କ୍ଷତି ପହଁଚାଇବ ଆମେ ବାହାରିବୁ । ନୂଆ ରୂପରେ ନବୀନଙ୍କୁ ଦେଖିବେ । ଯାହାର ଯାହା ଅଭିଯୋଗ ଅଛି ସେମାନେ ସଭାପତିଙ୍କୁ ଭେଟନ୍ତୁ । ବରିଷ୍ଠଙ୍କୁ ଦଳର ନବାଗତଙ୍କ ଆକ୍ଷେପ ସମସ୍ତେ ଦେଖୁଛନ୍ତି । ଏ ସବୁ ଜିନିଷ ଦୁଃଖଦାୟକ । ଅତି ପାଖରୁ ମୁଁ ଏ ସବୁ ଦେଖିଛି । ବିଜେଡିରେ ସୃଷ୍ଟି ହୋଇଥିବା ଦ୍ଵନ୍ଦକୁ ନେଇ ଆଗାମୀ ଦିନରେ ପାଣ୍ଡିଆନ ଆଗକୁ ଆସି କହିପାରନ୍ତି । ଆଗକୁ ଅନେକ କିଛି ଘଟିପାରେ । ନବୀନ ଆମ ନେତା, ଏ ପାଟିରୁ ନବୀନଙ୍କ ଗୁଣ ଗାନ ବାହାରିବ । ଭିନ୍ନ ଭିନ୍ନ ପରିସ୍ଥିତିରେ ଭିନ୍ନ ଭିନ୍ନ ଆଚରଣ ବାହାରିବ । ପରିସ୍ଥିତି ବଦଳିଛି ଆଗକୁ ଭଲ ହେବ ।" ସେହିପରି ସମ୍ବିତଙ୍କ ମୂଷା ଉପାଖ୍ୟାନ ଜାରି ରହିଛି । "ଏ ମୂଷାକୁ ଖାଇପାରିବନି, କି ମାରିପାରିବନି । ଗୁଡ଼େଇ ଗୁଡେଇକି ଅଣ ନିଶ୍ୱାସୀ କରିକି ମାରିବ । ମୂଷା ସବୁଠି ଥାଏ ବିଜେଡିରେ ରହିବେନି କେମିତି ? ମୂଷାର ପ୍ରଜନନ କ୍ଷମତା ଅଧିକ । ମୋ ଘର କଂକ୍ରିଟ ମୂଷା ପଶିବନି ।"
ଇଟିଭି ଭାରତ, ଭୁବନେଶ୍ବର