Pravat Tripathy slams Naveen Patnaik ଭୁବନେଶ୍ବର: ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିବୃତି ପରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀ । ସାମ୍ବାଦିକ ସମ୍ମିଳନୀ କରି ବିଜେଡି, ବିଜେଡି ସଭାପତି ଓ କ୍ଷମତା କେନ୍ଦ୍ରକୁ ଘେରିଛନ୍ତି ପ୍ରଭାତ । ମୁଁ ଦଳରେ ନାହିଁ ବୋଲି ନବୀନ କହିବା ଅଶୋଭନୀୟ । ଜାଣିଶୁଣି ଭୁଲ ତଥ୍ୟ ଦେଇ ନବୀନଙ୍କ ଭାବମୂର୍ତ୍ତି କ୍ଷୁର୍ଣ୍ଣ କରୁଛି ତାଙ୍କ ଅଫିସ । ସେପଟେ ଜବାବ ରଖିଛି ଦଳ ।
ନବୀନଙ୍କ ଟାର୍ଗେଟ ପରେ ଜବାବ ରଖିଲେ ପ୍ରଭାତ:
ସାମ୍ବାଦିକ ସମ୍ମିଳନୀରେ ପ୍ରଭାତ ତ୍ରିପାଠୀ କହିଛନ୍ତି, ‘ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଗଣମାଧ୍ୟମରେ ଦେଇଥିବା ପ୍ରତିକ୍ରିୟା ମୁଁ ଶୁଣିଲି । ନବୀନ କେବଳ ଦୁଇଟି ଖବର ସରବରାହ ସଂସ୍ଥାକୁ ଡାକି ପ୍ରତିକ୍ରିୟା ଦେଇଛନ୍ତି । ନବୀନ ନିବାସ ଆଗରେ ଓଡିଶା ଗଣମାଧ୍ୟମର ଅନେକ ସାମ୍ବାଦିକ ଥିଲେ ମଧ୍ୟ ତାଙ୍କୁ ସାମିଲ କରିନଥିଲେ । ଆଞ୍ଚଳିକ ଦଳ ଭାବେ ଓଡ଼ିଶାର ପ୍ରତିନିଧିତ୍ୱ କରୁଥିବା ବିଜେଡି ଓ ବିଜେଡି ସଭାପତି ଓଡ଼ିଆ ଅସ୍ମିତା କଥା ଭୁଲି ଗଲେ । ବିଜେଡି ସଭାପତି ସମସ୍ତଙ୍କ ଲାଗି ଉପଲବ୍ଧ ହେବେନାହିଁ । ବୃତ୍ତିଗତ ସାମ୍ବାଦିକ ଯେମିତି ହେଲେ ନବୀନଙ୍କ ପ୍ରତିକ୍ରିୟା ସଂଗ୍ରହ କରିଛନ୍ତି । ସମସ୍ତ ଗଣମାଧ୍ୟମକୁ ଡାକି ନିଜର ପକ୍ଷ ନବୀନ ରଖିବା କଥା । ଓଡ଼ିଆ ଅସ୍ମିତା କଥା ରାଜ୍ୟର ବିଭିନ୍ନ ରାଜନୈତିକ ଦଳ ନାରା ଦେଉଥିବା ବେଳେ ଏକଥା ଭାତ ହାଣ୍ଡିରୁ ଗୋଟେ ।’
ମାମଲା ବିଚାରଧିନ ଅଛି:
‘ମୁଁ ବିଜେଡିରେ ନାହିଁ ବୋଲି ଦଳର ସଭାପତି କହିଛନ୍ତି । ତଦନ୍ତ ସମୟରେ ଏକ ମାମଲାରେ ଦଳ ମୋତେ ସସପେଣ୍ଡ କରିଥିଲା । ଆଜି ପର୍ଯ୍ୟନ୍ତ ମୁଁ ଦଳରେ ନାହିଁ ବୋଲି ବିରୋଧୀ ଦଳ ନେତାଙ୍କ ଅଫିସ ନବୀନଙ୍କୁ ଫିଡ଼ବ୍ୟାକ ଦେଇଛି । ଯେଉଁ କାରଣ ପାଇଁ ମୋତେ ସସପେଣ୍ଡ କରାଯାଇଥିଲା, ସେହି ମାମଲା କୋର୍ଟରେ ବିଚାରଧିନ ରହିଲା । ଏହାର କୌଣସି ନିର୍ଣ୍ଣୟ ଆସିଲା ନାହିଁ । ତେଣୁ 2017ରେ ଦଳର ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଥିଲା । ନିଲମ୍ବନ ଆଦେଶ ପ୍ରତ୍ୟାହାର ପାଇଁ ମୁଁ ଦଳରେ କାହାକୁ ଦରଖାସ୍ତ କରିନଥିଲି । ଚିଟଫଣ୍ଡ ମାମଲାରେ ମୁଁ ଗିରଫ ହେବା ଓ ଏହାକୁ ନେଇ ମୋତେ ସସପେଣ୍ଡ କରାଯାଇଥିଲା । ଉକ୍ତ ମାମଲା ଆଜି ମଧ୍ୟ ବିଚାରଧିନ ଅଛି ।’
ଗତକାଲି ପର୍ଯ୍ୟନ୍ତ ମୁଁ ଶୃଙ୍ଖଳିତ ସଦସ୍ୟ ଥିଲି:
‘ବିଜେଡି ସଭାପତି 24 ବର୍ଷର ମୁଖ୍ୟମନ୍ତ୍ରୀ । ପ୍ରଶାସନିକ ଅଭିଜ୍ଞତା ତାଙ୍କର ପ୍ରଚୁର । ତାଙ୍କ ଅଫିସରେ ସହଯୋଗୀ ମଧ୍ୟ ଥିବେ । କୌଣସି ମାମଲା ବିଚାରଧିନ ଥିବା ବେଳେ ଯଦି କୌଣସି ବିଧାୟକ ଏ ବାବଦରେ ପ୍ରଶ୍ନ କରନ୍ତି । ଉକ୍ତ ମାମଲା ବିଚାରଧିନ ଥିବାରୁ ଏହାର ଉତ୍ତର ଦିଆଯାଇପାରିବ ନାହିଁ ବୋଲି ସେତେବେଳେ ସରକାରଙ୍କ ପକ୍ଷରୁ ଉତ୍ତର ରୁହେ । ମାମଲା ମୋ ବାବଦରେ କୋର୍ଟରେ ବିଚାରଧିନ ଅଛି । ମୋତେ କୌଣସି କୋର୍ଟ ଦଣ୍ଡିତ କରିନାହାନ୍ତି । ଯେଉଁ ମାମଲା କୋର୍ଟରେ ଅଛି, ଯାହାର ରାୟ ଆସିନାହିଁ ସେ ବାବଦରେ କହିବା ଠିକ ନୁହେଁ । ଜନ ମାନସରେ ଘଟଣା ଥିବାରୁ ସେତେବେଳେ ମୋତେ ସସପେଣ୍ଡ କରାଯାଇଥିଲା । ଗତକାଲି ସନ୍ଧ୍ୟା ପର୍ଯ୍ୟନ୍ତ ମୁଁ ବିଜେଡିର ଶୃଙ୍ଖଳିତ ସଦସ୍ୟ ଥିଲି, ଏହା ସତ୍ୟ ।’
ମୁଁ ଭାଷଣ ଦେଲା ବେଳେ ନବୀନ ଉପସ୍ଥିତ ଥିଲେ:
‘2019 ମସିହାରେ ମୁଁ ଏକ ରାଜନୈତିକ ସଭାରେ ଭାଷଣ ଦେଉଥିଲି ସେଠାରେ ରାଜ୍ୟ ସଭାପତି ତଥା ସେତେବେଳେର ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ । କୋଭିଡ ପରବର୍ତ୍ତୀ ସମୟରେ କଟକ ସହରରେ ଯେକୌଣସି କାର୍ଯ୍ୟକ୍ରମରେ ସାଧାରଣ ସଦସ୍ୟ ଭାବେ ଦଳ ମୋତେ ବିନିଯୋଗ କରେ । ଗତ ସାଧାରଣ ନିର୍ବାଚନରେ ଏକାଧିକ ନିର୍ବାଚନ ମଣ୍ଡଳୀରେ ଦଳ ପାଇଁ କାର୍ଯ୍ୟ ମଧ୍ୟ କରିଛି । ନବୀନ ପଟ୍ଟନାୟକ କାଲି କହିବା ପର୍ଯ୍ୟନ୍ତ ମୁଁ ଦଳରେ ଥିଲି । ମୃତପ୍ରାୟ ମାମଲାରେ ବିରୋଧୀ ଦଳ ନେତାଙ୍କ ଅଫିସ କିଭଳି ଲେଖିଲା ମୁଁ ତାଙ୍କୁ ବହିଷ୍କାର କରିଥିଲି । ବିଜେଡିର ଦ୍ୱତୀୟ କ୍ଷମତା କେନ୍ଦ୍ର ବୋଲି ରାଜ୍ୟରେ ବହୁଳ ଭାବେ ପ୍ରଚାର ହେଉଛି, ସେ 2024 ମସିହା ନିର୍ବାଚନ ସଭାରେ ମୋ ସପକ୍ଷରେ ବକ୍ତବ୍ୟ ଦେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ମୁଁ ଉପସ୍ଥିତ ନଥିଲି । ଏହା ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।’
ମିଡ୍ନାଇଟ ଅପରେସନ କଥା କହିଲେ ପ୍ରଭାତ:
‘2012 ମସିହା ମେ 29 ମିଡ଼ ନାଇଟ ଅପରେସନ ସମୟରେ ଦଳ ପାଇଁ ମୋର ଯୋଗଦାନ କଣ ଥିଲା, ତାହା ଦ୍ଵିତୀୟ କ୍ଷମତା କେନ୍ଦ୍ର କହିଥିଲେ । ସଂସଦୀୟ ବ୍ୟବସ୍ଥାରେ କୌଣସି ବିଲରେ ଭୋଟିଂ ପାଇଁ ହୁଇପ ଜାରି ହୁଏ । ୱାକଫ ବିଲ ପାଇଁ ହୁଇପ ଜାରି ହେବା କଥା । ବିଜେଡିର ରାଜ୍ୟସଭା ନେତା ସସ୍ମିତ ପାତ୍ର କୌଣସି ହୁଇପ ଜାରୀ ନକରି ସୋସିଆଲ ମିଡିଆ ପୋଷ୍ଟ କଲେ । ବିବେକ ଅନୁସାରେ ଭୋଟ ଦେଇପାରିବ ବୋଲି ଲେଖିଲେ । ଏହା ଏକ ବିଚିତ୍ର ନୋଟିସ । ସସ୍ମିତ ପାତ୍ର କହିଲେ ବିଲ ସପକ୍ଷରେ ଭୋଟ ଦେଲି । ଦେବାଶିଷ ସାମନ୍ତରାୟ କହିଲେ ଭୋଟ ଦେଲିନାହିଁ । ବାକି 5 ଜଣ କାହାକୁ ଭୋଟ ଦେଲେ ସ୍ପଷ୍ଟ କରୁନାହାନ୍ତି ।’
ଲୁଚିଛି ନା ଗୋଡ ଦୁଇଟା ଦିଶୁଛି:
‘କର୍ମୀ ମାନେ ଜାଣିବାକୁ ଚାହୁଁଛନ୍ତି ଦଳର କଣ ପାଇଁ ଏଭଳି ସ୍ଥିତି ହୋଇଛି । 10 ମାସ ତଳେ ନିର୍ବାଚନରେ ଓଡ଼ିଶାବାସୀ ଜବାବ ଦେଲେ କି ଆମେ ଜଣେ ଅଣ ଓଡ଼ିଆକୁ ଗ୍ରହଣ କରିବୁ ନାହିଁ । ଅଣ ଓଡିଆଙ୍କ ବିରୋଧୀ ଓଡିଶାବାସୀ ନୁହଁନ୍ତି । ସେମାନେ ପ୍ରଶାସନିକ ସେବାରେ ରହିପାରିବେ । କିନ୍ତୁ ରାଜନୈତିକ ବ୍ୟବସ୍ଥା ଭିତରକୁ ଆସିଲେ ସାଧାରଣ ଲୋକ ଗ୍ରହଣ କରିବେ ନାହିଁ । 10 ମାସ ହେଲା ରାଜନୀତିରେ ନାହାନ୍ତି । ଲୁଚିଛି ନା ଗୋଡ଼ ଦୁଇଟା ଦିଶୁଛି ନ୍ୟାୟରେ ଯଦି ସମସ୍ତ ନିଷ୍ପତ୍ତି ତାଙ୍କ ଦ୍ୱାରା ହେଉଥିବ ତାହାଲେ ବିଜେଡିର ଅବସ୍ଥା ଭଲ ନୁହେଁ ବୋଲି ମୁଁ ଆଜିଠାରୁ ଆକଳନ କରୁଛି ।’
ଜବାବ ରଖିଲା ବିଜେଡି:
ପ୍ରଭାତଙ୍କ ଅଭିଯୋଗର ଜବାବ ରଖିଛନ୍ତି ବିଜେଡ଼ି ମୁଖପାତ୍ର ଲେନିନ ମହାନ୍ତି । ଲେନିନ କହିଛନ୍ତି, "ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀଙ୍କ କେଉଁ ମନ୍ତବ୍ୟ ଠିକ ତାହା ସ୍ପଷ୍ଟ ହେବା ଦରକାର । ଜଣେ ବରିଷ୍ଠ ନେତାଙ୍କ ମନ୍ତବ୍ୟ ତଥ୍ୟ ଆଧାରିତ ହେବା ଦରକାର । କିଛି କଥା ଲୁଚେଇବାକୁ ଯାଇ ପ୍ରଭାତ ତ୍ରିପାଠୀ ଆଜି ବିଜେଡି ସଭାପତିଙ୍କୁ ନେଇ ଟିପ୍ପଣୀ ଦେଇଛନ୍ତି । ଚିଟଫଣ୍ଡ ମାମଲାରେ ପ୍ରଭାତ ସଠିକ ତଥ୍ୟ ରଖିନାହାନ୍ତି ।
ଇଟିଭି ଭାରତ, ଭୁବନେଶ୍ବର