ହାଇଦ୍ରାବାଦ: ଚା' ପିଇବା କାହାକୁ ବା ନ ପସନ୍ଦ । ସେହି ଚା' ଯଦି ଆପଣଙ୍କ ଶରୀର ପାଇଁ ହିତକର ହୁଏ ତେବେ ଏହାକୁ ଆପଣ ନିସନ୍ଦେହରେ ନିଜ ଖାଦ୍ୟପ୍ରଣାଳୀରେ ଗ୍ରହଣ କରିପାରିବେ । ତେବେ ଏଠାରେ ସାଧାରଣ ଚା' କଥା କୁହାଯାଉନାହିଁ, ଆମେ କହୁଛୁ ହର୍ବାଲ ଚା' ବିଷୟରେ । ଏହି କ୍ୟାଫିନ୍ ମୁକ୍ତ ପାନୀୟର ଢେର ଉପାଦେୟତା ରହିଛି । ଏହାର ଶରୀର ପ୍ରତି ଥିବା ଉପକାରିତା ସମ୍ପର୍କରେ ଉଭୟ ଆୟୁର୍ବେଦ ଓ ଆଧୁନିକ ବିଜ୍ଞାନରେ ପ୍ରମାଣ ରହିଛି । ତେବେ ବିଭିନ୍ନ ପ୍ରକାରର ହର୍ବାଲ ଚା' ବିଭିନ୍ନ ପ୍ରକାର ସମସ୍ୟାର ସମାଧାନ କରିଥାଏ । ତେବେ ଚାଲନ୍ତୁ ଜାଣିବା କେଉଁ ହର୍ବାଲ ଚା' ଶରୀରର କେଉଁ ସମସ୍ୟାର ସମାଧାନରେ ସାହାଯ୍ୟ କରିଥାଏ ।

1. ଅନିଦ୍ରା ଓ ଚିନ୍ତା ଜନିତ ସମସ୍ୟା ପାଇଁ:
ଅନିଦ୍ରା ଓ ଚିନ୍ତା ଜନିତ ସମସ୍ୟାର ରାମବାଣ ଭାବେ କାର୍ଯ୍ୟ କରିଥାଏ କାମୋମାଇଲ ଚା' । କାମୋମାଇଲ ଫୁଲରୁ ପ୍ରସ୍ତୁତ ଏହି ଚା'କୁ ରାତ୍ରି ସମୟରେ ଗ୍ରହଣ କରାଯାଇଥାଏ । ଅନୁସନ୍ଧାନରୁ ପ୍ରକାଶ କାମୋମାଇଲ ଚା' ଶୟନର ଗୁଣବତ୍ତାରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ । ଏହା ସହ ଶିଶୁ ଜନ୍ମ ନେବାର ପରବର୍ତ୍ତୀ ସମୟରେ ମହିଳାଙ୍କୁ ଡିପ୍ରେସନରୁ ମୁକ୍ତି ଦେଇଥାଏ । ଫାଇଟୋମେଡିସିନ୍ ବିଭାଗର ଏକ ଅନୁସନ୍ଧାନରୁ ପ୍ରକାଶ କାମୋମାଇଲ ଚା'ରେ ଚିନ୍ତାରୁ ରକ୍ଷାକରିବାର ଗୁଣ ରହିଛି ।
ଏଥିରୁ ମିଳୁଥିବା ଲାଭ: ଆରାମର ଅନୁଭବ, ସାମାନ୍ୟ ଚିନ୍ତାରୁ ମୁକ୍ତି ଓ ଗଭୀର ନିଦ୍ରା

2. ପାଚନ ପ୍ରକ୍ରିୟା ଓ ମୁଣ୍ଡବିନ୍ଧାରୁ ରକ୍ଷା ନିମନ୍ତେ:
ସତେଜତା ଭରା ଓ ପେଟକୁ ଥଣ୍ଡା ରଖୁଥିବା ପେପରମିଣ୍ଟ ଚା' ଆପଣଙ୍କ ପେଟଜନିତ ସମସ୍ତ ସମସ୍ୟାର ସହଜରେ ସମାଧାନ କରିଥାଏ । ଅନ୍ତ୍ର ଜନିତ ସମସ୍ୟାରୁ ମୁକ୍ତି ପାଇଁ ପେପରମିଣ୍ଟ ତେଲର ବ୍ୟବହାର କରାଯାଇଥାଏ । ତେବେ ପେପରମିଣ୍ଟରୁ ପ୍ରସ୍ତୁତ ଚା' ପାଚନ ପ୍ରକ୍ରିୟାରେ ସହାୟତା କରିବା ସହିତ ଏହାର ସତେଜତାପୂର୍ଣ୍ଣ ଅନୁଭବ ମୁଣ୍ଡବିନ୍ଧାରୁ ମଧ୍ୟ ଆରାମ ଦେଇଥାଏ ।
ଏଥିରୁ ମିଳୁଥିବା ଲାଭ: ପାଚନ ପ୍ରକ୍ରିୟାରେ ସହାୟତା, ବାନ୍ତି ଓ ଅଜୀର୍ଣ୍ଣରୁ ମୁକ୍ତି, ସାମାନ୍ୟ ମୁଣ୍ଡବିନ୍ଧାରୁ ମୁକ୍ତି,

3. ପେଟ ଗରମରୁ ରକ୍ଷା ଓ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ:
ଆୟୁର୍ବେଦ ଓ ପାରମ୍ପାରିକ ଔଷଧରେ ଅଦାର ବ୍ୟବହାର ବହୁତ ବେଶି । ଅଦା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଏବଂ ଲେମ୍ବୁରେ ଭିଟାମିନ ସିର ମାତ୍ରା ଅଧିକ ରହିଥାଏ । ଯାହାକି ଶରୀରକୁ ବାହ୍ୟ ସଂକ୍ରମଣରୁ ରକ୍ଷା କରିଥାଏ । ଅଦା ଓ ଲେମ୍ବୁର ମିଶ୍ରଣରେ ଆପଣ ଚା' ପ୍ରସ୍ତୁତ କରିଲେ, ଶରୀର ପାଇଁ ଏକ ଶକ୍ତିଶାଳୀ ଡେଟକ୍ସ ଡ୍ରିଙ୍କ ବନାଇପାରିବେ, ଯାହା ଆପଣଙ୍କ ଶରୀର ପାଇଁ ଲାଭଦାୟକ ଅଟେ ।
ଏଥିରୁ ମିଳୁଥିବା ଲାଭ: ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି, ଥଣ୍ଡାରୁ ମୁକ୍ତି, ପେଟ ଗରମରୁ ରକ୍ଷା
ଏହା ମଧ୍ୟ ପଢନ୍ତୁ: Healthy Beverages: ଉତ୍ତମ ସ୍ବାସ୍ଥ୍ୟ ପାଇଁ ପିଅନ୍ତୁ ଏହି ୬ ପ୍ରକାର ଚା' |
4. ଉଚ୍ଚ ରକ୍ତଚାପ ଓ ହୃଦୟ ଜନିତ ସମସ୍ୟା ପାଇଁ:
ଆଜିକାଲି ଉଚ୍ଚ ରକ୍ତଚାପ ଓ ହୃଦୟ ଜନିତ ସମସ୍ୟା ଧୀରେ ଧୀରେ ବଢିବାରେ ଲାଗିଛି । ମନ୍ଦାରଫୁଲରୁ ପ୍ରସ୍ତୁତ ଚା' ରକ୍ତଚାପ ଓ ହୃଦୟ ଜନିତ ସମସ୍ୟା ପାଇଁ ଏକ ଔଷଧୀ ସଦୃଶ । ଜର୍ଣ୍ଣାଲ ଅଫ ଫାର୍ମାସ୍ୟୁଟିକାଲ୍ ଟେକ୍ନୋଲୋଜିର ଅନୁସନ୍ଧାନର ପ୍ରକାଶ ପ୍ରତିଦିନ ମନ୍ଦାର ଫୁଲରୁ ପ୍ରସ୍ତୁତ ଚା' ପିଇଲେ ଏହା ସାବାଳକଙ୍କ କ୍ଷେତ୍ରରେ ଉଚ୍ଚ ରକ୍ତଚାପ ଓ ହୃଦୟ ଜନିତ ସମସ୍ୟାର ସମାଧାନ କରିଥାଏ । ଏଥିରେ ପ୍ରଚୁର ପରିମାଣର ଆଣ୍ଟି ଅକ୍ସିଡାଣ୍ଟସ ରହିଥାଏ ।

ଏଥିରୁ ମିଳୁଥିବା ଲାଭ: ଉଚ୍ଚ ରକ୍ତଚାପ ହ୍ରାସ, ସୁସ୍ଥ ହୃଦୟ, ଆଣ୍ଟି ଅକ୍ସିଡାଣ୍ଟସ ବୃଦ୍ଧି
5. ରୋଗ ପ୍ରତିରୋଧକ ଶକ୍ତି ଓ ଚିନ୍ତା ବହୁଳତାରୁ ରକ୍ଷା ପାଇଁ
ଭାରତୀୟ ଘରେ ଘରେ ତୁଳସୀ ଏକ ଔଷଧି ଭାବେ ବ୍ୟବହୃତ ହୁଏ । ତୁଳସୀ ନିଜର ଆଣ୍ଟି ମାଇକ୍ରୋବିଆଲ୍ ତତ୍ତ୍ୱ ପାଇଁ ବେଶ୍ ପରିଚିତ । ଏଥିରୁ ପ୍ରସ୍ତୁତ ଚା' ଶରୀରକୁ ଚିନ୍ତା ବହୁଳତାରୁ ରକ୍ଷା କରିବା ସହିତ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ ।

ଏଥିରୁ ମିଳୁଥିବା ଲାଭ: ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି, ଚିନ୍ତା ବହୁଳତାରୁ ରକ୍ଷା ଓ ବାହ୍ୟ ସଂକ୍ରମଣରୁ ରକ୍ଷା
6. ଶରୀରର ଆବଶ୍ୟକୀୟ ପୋଷକ ଓ ଶକ୍ତି ନିମନ୍ତେ
ସଜନା ଗଛକୁ ଏକ ଚମତ୍କାରୀ ଗଛ ଭାବେ ଜଣାଯାଏ । ଏହାର ପତ୍ରରେ ଆଇରନ୍, କ୍ୟାଲସିୟମ ଓ ଆଣ୍ଟି ଅକ୍ସିଡାଣ୍ଟସ ଭରପୁର ମାତ୍ରାରେ ରହିଥାଏ । ସଜନା ପତ୍ରରୁ ପ୍ରସ୍ତୁତ ଚା' ରକ୍ତରେ ଶର୍କରାର ମାତ୍ରା ନିୟନ୍ତ୍ରଣ କରିଥାଏ । ଏଥିରେ ଥିବା ପୋଷକ ତତ୍ତ୍ୱ ଶରୀରର ସମ୍ପୂର୍ଣ୍ଣ ବୃଦ୍ଧିରେ ସାହାଯ୍ୟ କରିଥାଏ ।
ଏଥିରୁ ମିଳୁଥିବା ଲାଭ: ଶରୀରକୁ ଶକ୍ତି,ରକ୍ତ ଶର୍କରା ନିୟନ୍ତ୍ରଣ, ଶରୀରକୁ ଉପଯୁକ୍ତ ପୋଷଣ
ପରିଶେଷରେ ଏହି ଚା' ଗୁଡିକ ଜୀବନଶୈଳୀର ଏକ ଅଂଶ ହୋଇପାରେ ମାତ୍ର ଔଷଧିୟ ଚିକିତ୍ସାର ବିକଳ୍ପ ନୁହେଁ ।
Disclaimer: (ଏହି ରିପୋର୍ଟରେ ଦିଆଯାଇଥିବା ସମସ୍ତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଏବଂ ପରାମର୍ଶ କେବଳ ଆପଣଙ୍କ ସୂଚନା ପାଇଁ । ବୈଜ୍ଞାନିକ ଗବେଷଣା, ଅଧ୍ୟୟନ, ଡାକ୍ତରୀ ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଉପରେ ଆଧାର କରି ଏହି ସୂଚନା ପ୍ରଦାନ କରାଯାଇଛି । ଏହି ପଦ୍ଧତି କିମ୍ବା ପ୍ରକ୍ରିୟା ଅନୁସରଣ କରିବା ପୂର୍ବରୁ ଏହା ବିଷୟରେ ବିସ୍ତୃତ ଭାବରେ ଜାଣିବା ଉଚିତ ଏବଂ ଆପଣଙ୍କ ବ୍ୟକ୍ତିଗତ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ । ଏହା ETV Bharat ର ନିଜସ୍ବ ମତ ନୁହେଁ ।)
Sources:
https://www.sciencedirect.com/science/article/abs/pii/S0965229917302601
https://journals.lww.com/japtr/fulltext/2019/10030/effect_of_hibiscus_sabdariffa_on_blood_pressure_in.3.aspx
https://pmc.ncbi.nlm.nih.gov/articles/PMC4296439/
https://pmc.ncbi.nlm.nih.gov/articles/PMC6950081/