କିଭ୍: ଲାଗୁଛି ବୃଥା ହୋଇଯିବ ଟ୍ରମ୍ପଙ୍କ ଉଦ୍ୟମ । କାହିଁକିନା ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧକୁ ବିରାମ ଲଗାଇବା ପାଇଁ ଟ୍ରମ୍ପ ଗୋଟିଏ ପଟେ ଚେଷ୍ଟା ଜାରି ରଖିଥିବା ବେଳେ ଅନ୍ୟପଟେ ଆକ୍ରମଣ କିନ୍ତୁ ଥମିବାର ନା ଧରୁନି । ରବିବାର ୟୁକ୍ରେନର ସୁମି ସହରରେ ଋଷ ମିସାଇଲ ମାଡ କରିଥିଲା । ଫଳରେ 32 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଅଧିକାରୀମାନଙ୍କ ଅନୁଯାୟୀ, ପାମ ସଣ୍ଡେ ପାଳନ କରିବା ପାଇଁ ଲୋକମାନେ ଏକତ୍ରିତ ହେଉଥିବା ସମୟରେ ସକାଳ ପ୍ରାୟ 10:15 ସମୟରେ ଦୁଇଟି ବାଲିଷ୍ଟିକ୍ ମିସାଇଲ ସୁମି ସହରରେ ଋଷ ମାଡ କରିଥିଲା ।
ମିସାଇଲ ମାଡରେ ଛାରଖାର ସୁମି ସହର:

ମିସାଇଲ ମାଡରେ ସୁମି ସହର ପୁରା ଛାରଖାର ହୋଇଯାଇଥିବା। ସରକାରୀ ଚ୍ୟାନେଲରେ ପୋଷ୍ଟ ହୋଇଥିବା ଫଟୋ ଓ ଭିଡିଓରେ ଦେଖିବାକୁ ମିଳିଛି । ସହର ପୁରା ଧୂଆଁମୟ ହୋଇଯାଇଥିବା ବେଳେ ଗଛ ସବୁ ଉପୁଡି ପଡିଛି । କେଉଁଠି କାର ଜଳିଯାଇଛି ତ କେଉଁ ବସ ପୋଡିଯାଇଛି । 20ରୁ ଅଧିକ କୋଠା ଭୁଶୁଡିପଡିଥିବା ବେଳେ ତାତଳେ ଅନେକ ଲୋକ ଚାପି ହୋଇଯିବାରୁ ଉଦ୍ଧାର କାର୍ଯ୍ୟ କରାଯାଉଛି । ଭଗ୍ନାବଶେଷ ତଳେ ମୃତଦେହ ପଡିରହିଥିବା ଦେଖିବାକୁ ମିଳୁଛି ।

ଏହା ମଧ୍ୟ ପଢ଼ନ୍ତୁ- ୟୁକ୍ରେନ ଉପରେ ଋଷର ଆକ୍ରମଣ, 16 ମୃତ, ପୁଟିନଙ୍କୁ ଦାୟୀ କଲେ ଜେଲେନସ୍କି
ଜେଲେନସ୍କିଙ୍କ ପ୍ରତିକ୍ରିୟା:
ୟୁକ୍ରେନର ଷ୍ଟେଟ ଏମରଜେନ୍ସି ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ, ଆକ୍ରମଣରେ ଦୁଇଜଣ ଶିଶୁ ସମେତ ଅତି କମରେ 32 ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ 10 ଜଣ ଶିଶୁ ସମେତ ଆହୁରି 84 ଜଣ ଆହତ ହୋଇଛନ୍ତି। ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ନିଶ୍ଚିତ କରିଛନ୍ତି ଯେ, ମିସାଇଲ ମାଡରେ ବହୁ ଲୋକଙ୍କ ଜୀବନ ଯାଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । କେବଳ ଖରାପ ଲୋକ ହିଁ ଏପରି କାମ କରିପାରିବେ । ସାଧାରଣ ଲୋକଙ୍କ ଜୀବନ ନେବା । ଏକ ସପ୍ତାହ ମଧ୍ୟରେ ସୁମି ଉପରେ ଆକ୍ରମଣ ହେଉଛି ସାଧାରଣ ନାଗରିକଙ୍କ ଜୀବନ ନେବାରେ ଦ୍ୱିତୀୟ ବଡ଼ ଆକ୍ରମଣ ।
ବିଶ୍ବନେତାଙ୍କ ନିନ୍ଦା:

ପାମ ପାଳନ ସମୟରେ ସୁମି ସହର ଉପରେ ଋଷର ଆକ୍ରମଣକୁ ବିଶ୍ବନେତା ନିନ୍ଦା କରିଛନ୍ତି । ଋଷ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଇମାନୁଏଲ ମାକ୍ରନ, ସ୍ୱିଡିସ୍ ପ୍ରଧାନମନ୍ତ୍ରୀ ଅଳ୍ଫ କ୍ରିଷ୍ଟରସନ, ୟୁକେ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର ଏବଂ ଅନ୍ୟମାନଙ୍କ ସମେତ ୟୁରୋପର ପ୍ରମୁଖ ବ୍ୟକ୍ତିମାନେ ୟୁକ୍ରେନକୁ ସମବେଦନା ଜଣାଇ ଏହି ସଂଘର୍ଷ ସମାପ୍ତ କରିବା ପାଇଁ ଋଷ ଉପରେ ଚାପ ପକାଇବା ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି।