ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ଆମେରିକା ପ୍ରଶାସନରେ ବେଶ୍ ପ୍ରଭାବଶାଳୀ ତଥା କୋଟିପତି ବ୍ୟବସାୟୀ ଏଲନ ମସ୍କଙ୍କ ସହ କଥା ହୋଇଛନ୍ତି । ଉଭୟଙ୍କ ମଧ୍ୟରେ ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ କ୍ଷେତ୍ରରେ ସହଯୋଗର ଅପାର ସମ୍ଭାବନା ବିଷୟରେ ଆଲୋଚନା ହୋଇଥିଲା । ଭାରତ ଏହି କ୍ଷେତ୍ରଗୁଡ଼ିକରେ ଆମେରିକା ସହିତ ଏହାର ସହଭାଗୀତାକୁ ଆହୁରି ବୃଦ୍ଧି କରିବା ପାଇଁ ପ୍ରତିବଦ୍ଧ ।
ପ୍ରଧାନମନ୍ତ୍ରୀ ମୋଦି ମସ୍କଙ୍କ ସହ କଥା ହେବା ପରେ Xରେ ହୋଇଥିବା ଆଲୋଚନା ବିଷୟରେ ଉଲ୍ଲେଖ କରି ଏକ ପୋଷ୍ଟରେ ଲେଖିଛନ୍ତି, "ମୁଁ ଏଲନ ମସ୍କଙ୍କ ସହ କଥା ହୋଇଥିଲି ଏବଂ ଏହି ବର୍ଷ ଆରମ୍ଭରେ ୱାଶିଂଟନ ଡିସିରେ ଭେଟିବା ସମୟରେ ଆମେ ଯେଉଁ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲୁ ସେଗୁଡ଼ିକ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲି । ଆମେ ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ କ୍ଷେତ୍ରରେ ଏକାଠି କାମ କରିବାର ବିଶାଳ ସମ୍ଭାବନା ଉପରେ ଆଲୋଚନା କରିଥିଲୁ । ଭାରତ ଏହି କ୍ଷେତ୍ରଗୁଡ଼ିକରେ ଆମେରିକା ସହିତ ଏହାର ସହଭାଗିତାକୁ ଆହୁରି ମଜବୁତ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ।" ଏହି ଆଲୋଚନା ଏପରି ଏକ ସମୟରେ ହୋଇଛି ଯେତେବେଳେ ଟେସଲା ଭାରତର ଇଲେକଟ୍ରିକ୍ ଯାନ ବଜାରରେ ପ୍ରବେଶ କରିବା ପାଇଁ ସୁଯୋଗ ଖୋଜୁଛି ।
Spoke to @elonmusk and talked about various issues, including the topics we covered during our meeting in Washington DC earlier this year. We discussed the immense potential for collaboration in the areas of technology and innovation. India remains committed to advancing our…
— Narendra Modi (@narendramodi) April 18, 2025
ଏଲନ ମସ୍କଙ୍କ ବ୍ୟବସାୟ ସାମ୍ରାଜ୍ୟରେ ଟେସଲା ଏବଂ ସ୍ପେସଏକ୍ସ ଅନ୍ତର୍ଭୁକ୍ତ । ମସ୍କଙ୍କୁ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ ଏବଂ ସରକାରୀ ଖର୍ଚ୍ଚ ହ୍ରାସ କରିବା ଏବଂ ଫେଡେରାଲ କାର୍ଯ୍ୟବଳକୁ ହ୍ରାସ କରିବା ପାଇଁ ଲକ୍ଷ୍ୟ ରଖି ସରକାରୀ ଦକ୍ଷତା ବିଭାଗ (DOGE)ର ସେ ନେତୃତ୍ୱ ନେଉଛନ୍ତି ।
ଦୁଇ ଜଣ ଫେବୃଆରୀରେ ସାକ୍ଷାତ କରିଥିଲେ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଏଲନ ମସ୍କ ଶେଷ ଥର ପାଇଁ ଫେବୃଆରୀରେ ଆମେରିକା ଗସ୍ତରେ ଯାଇଥିବା ବେଳେ ସାକ୍ଷାତ କରିଥିଲେ । ଏହି ଦୁଇ ଦିନିଆ ଗସ୍ତ ସମୟରେ, ଉଭୟଙ୍କ ମଧ୍ୟରେ ବୈଦ୍ୟୁତିକ ଯାନ, ସୌରଶକ୍ତି ଏବଂ ମହାକାଶ ଭଳି ନୂତନ ଏବଂ ଉଦୀୟମାନ କ୍ଷେତ୍ରରେ ଏକାଠି କାମ କରିବାର ସମ୍ଭାବନା ଉପରେ ଭଲ ଆଲୋଚନା ହୋଇଥିଲା ।
ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଏଲନ ମସ୍କଙ୍କ ତିନି ସନ୍ତାନଙ୍କୁ ଭାରତୀୟ ସାହିତ୍ୟର କିଛି ସ୍ୱତନ୍ତ୍ର ପୁସ୍ତକ ଉପହାର ଦେଇଥିଲେ । ଏଥିରେ ରବୀନ୍ଦ୍ରନାଥ ଟାଗୋରଙ୍କ "ଦି କ୍ରେସେଣ୍ଟ ମୁନ୍", ଆର.କେ. ନାରାୟଣଙ୍କ "ଦି ଗ୍ରେଟ୍ ଆର.କେ ନାରାୟଣ କଲେକ୍ସନ" ଏବଂ ପଣ୍ଡିତ ବିଷ୍ଣୁ ଶର୍ମାଙ୍କ "ପଞ୍ଚତନ୍ତ୍ର" ଅନ୍ତର୍ଭୁକ୍ତ ଥିଲା।
ଏହା ମଧ୍ୟ ପଢନ୍ତୁ- ଆସନ୍ତା ସପ୍ତାହରେ ଭାରତ ଗସ୍ତରେ ଆସିବେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ, ସପରିବାର ଜୟପୁର ଏବଂ ଆଗ୍ରା ଗସ୍ତ କାର୍ଯ୍ୟକ୍ରମ