Renal Cell Carcinoma: ବର୍ତ୍ତମାନ ସମୟରେ ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଖାଦ୍ୟପେୟ ପ୍ରତି ଅସାବଧାନତା କାରଣରୁ ଲୋକମାନେ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଆଜିକାଲି ପ୍ରାୟ ଲୋକଙ୍କ ପାଖରେ ରକ୍ତଚାପ (Blood Pressure) ଏବଂ ମଧୁମେହ (Diabetes) ସମସ୍ୟା ଦେଖିବାକୁ ମିଳୁଛି । ସେହିପରି କିଡନୀ ସମ୍ବନ୍ଧିୟ ରୋଗ ଯେପରିକି କିଡନୀ ଷ୍ଟୋନ, କିଡନୀ ଖରାପ ଏବଂ କିଡନୀ କ୍ୟାନ୍ସର ଭଳି ସମସ୍ୟା ଏବେ ଲୋକମାନଙ୍କ ପାଖରେ ସାଧାରଣ ହୋଇଗଲାଣି । ଶରୀରରେ ଏହି ସମସ୍ୟା ଦେଖାଦେଲେ ଏହାର ଯନ୍ତ୍ରଣା ଅସହ୍ୟ ହୋଇପାରେ । କିନ୍ତୁ ସମୟାନୁସାରେ ଯଦି ରୋଗ ନିର୍ଣ୍ଣୟ ଏବଂ ଉପଯୁକ୍ତ ଚିକିତ୍ସା କରାଯାଏ, ତେବେ କିଡନୀ ଖରାପ (kidney Failure) ହେବାର ଆଶଙ୍କା ହ୍ରାସ ପାଇପାରେ । IMA ମହାସଚିବ ଡକ୍ଟର ଜୟେଶ ଏମ୍ ଲେଲଙ୍କ ଅନୁସାରେ, କିଡନୀ କ୍ୟାନ୍ସର ବା ବୃକକ କର୍କଟ କ’ଣ ? ଏହା କିପରି ହୁଏ ? ଏହାର ଲକ୍ଷଣଗୁଡ଼ିକ କ’ଣ ? ଏହାକୁ କିପରି ରୋକାଯାଇପାରିବ ? ଆସନ୍ତୁ ଜାଣିବା..
କିଡନୀ (Kidney) ବା ବୃକକ୍ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । କିଡନୀ ଶରୀରରେ ପଞ୍ଜରା ତଳ ଏବଂ ପେଟ ପଛରେ ଅବସ୍ଥିତ । ଏହାର କାର୍ଯ୍ୟ ହେଉଛି ରକ୍ତ ସଫା କରିବା ଏବଂ ପରିସ୍ରା ଉତ୍ପାଦନ କରିବା । ଏହା ବ୍ୟତୀତ, ସମସ୍ତ ଖାଦ୍ୟ ଏବଂ ପାନୀୟରୁ ବିଷାକ୍ତ ପଦାର୍ଥ ବାହାର କରିବା ପାଇଁ କିଡନୀ କାର୍ଯ୍ୟ କରେ । ଏହା ସହିତ, କିଡନୀ ରକ୍ତଚାପ ନିୟନ୍ତ୍ରଣ କରିବା, ଲୋହିତ ରକ୍ତ କଣିକା ଉତ୍ପାଦନକୁ ବୃଦ୍ଧି କରିବା ଏବଂ ହାଡ଼କୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରେ । ଯଦି କିଡନୀରେ କୌଣସି ସମସ୍ୟା ଥାଏ, ତେବେ ଏହା ସାରା ଶରୀରକୁ ପ୍ରଭାବିତ କରେ । ଏପରିକି କିଡନୀ କର୍କଟ ହୋଇପାରେ । ଯଦି ଏହା ଠିକ ସମୟ ମଧ୍ୟରେ ଚିହ୍ନଟ ନହୁଏ କିମ୍ବା ସଠିକ୍ ଚିକିତ୍ସା ନହୁଏ, ତେବେ ଏହା ଜୀବନ ପ୍ରତି ଘାତକ ହୋଇପାରେ ।
ନ୍ୟାସନାଲ କିଡନୀ ଫାଉଣ୍ଡେସନ (National Kidney Foundation) ଅନୁଯାୟୀ, କିଡନୀ କ୍ୟାନ୍ସର ଏକ ଗମ୍ଭୀର ରୋଗ । କିଡନୀ କ୍ୟାନ୍ସର ହେଉଛି କିଡନୀ କୋଷଗୁଡ଼ିକର କ୍ୟାନ୍ସର । ଏହା ସେତେବେଳେ ଘଟେ, ଯେତେବେଳେ ସୁସ୍ଥ ବୃକକ୍ କୋଷଗୁଡ଼ିକ ଅନିୟନ୍ତ୍ରିତ ଭାବରେ ବୃଦ୍ଧି ପାଏ ଏବଂ ଏକ ଗଣ୍ଠି (Tumor) ଭଳି ହୋଇଯାଏ । କିଡନୀ କ୍ୟାନ୍ସର ରୋଗକୁ ରିନଲ ସେଲ କାର୍ସିନୋମା ରୋଗ ବା RCC (Renal cell carcinoma ) କୁହାଯାଏ । କିଡନୀ କ୍ୟାନ୍ସର ଯୋଗୁଁ, ପରିସ୍ରାରେ ରକ୍ତ, ପଞ୍ଜରାରେ ଯନ୍ତ୍ରଣା କିମ୍ବା ଜ୍ୱର ହୋଇପାରେ ।
କାହାକୁ କିଡନୀ କ୍ୟାନ୍ସର ହୁଏ?
କିଡନୀ କ୍ୟାନ୍ସର ଯେକୌଣସି ବୟସରେ ହୋଇପାରେ । କିନ୍ତୁ କିଛି ଲୋକଙ୍କ ପାଇଁ ଏହି ବିପଦ ଅଧିକ ଥାଏ । ବିଶେଷକରି ଯେଉଁମାନେ ଧୂମପାନ କରନ୍ତି, ଅତ୍ୟଧିକ ମଦ୍ୟପାନ କରନ୍ତି, ମେଦବହୁଳ, ଉଚ୍ଚ ରକ୍ତଚାପ ଥାଏ କିମ୍ବା ପରିବାରରେ ପୂର୍ବରୁ କାହାର ଏହି ରୋଗ ଥାଏ । ଏହା ସହିତ, ବୟସ ବୃଦ୍ଧି ସହିତ କିଡନୀ କର୍କଟ ରୋଗର ଆଶଙ୍କା ବୃଦ୍ଧି ପାଏ । ଯେଉଁ ଲୋକମାନଙ୍କୁ ଦୀର୍ଘ ସମୟ ଧରି ଡାଏଲିସିସ୍ ଆବଶ୍ୟକ ହୁଏ, ସେମାନଙ୍କର କିଡନୀ କର୍କଟ ହେବାର ଆଶଙ୍କା ଅଧିକ ଥାଏ । କିଛି ଶିଳ୍ପ ରାସାୟନିକ ପଦାର୍ଥର ସଂସ୍ପର୍ଶରେ ଆସିବା ଦ୍ୱାରା କିଡନୀ କ୍ୟାନ୍ସର ହେବାର ଆଶଙ୍କା ମଧ୍ୟ ବଢ଼ିପାରେ ।

Kidney cancer symptoms:
କିଡନୀ କ୍ୟାନ୍ସର ରୋଗର ଲକ୍ଷଣ କ’ଣ ? କିଡନୀ କ୍ୟାନ୍ସର ରୋଗର ପ୍ରାରମ୍ଭିକ ପର୍ଯ୍ୟାୟରେ କୌଣସି ନିର୍ଦ୍ଦିଷ୍ଟ ଲକ୍ଷଣ ନଥାଏ, କିନ୍ତୁ ଟ୍ୟୁମର ବଢ଼ିବା ସହିତ ଲକ୍ଷଣ ଦେଖାଯିବା ଆରମ୍ଭ ହୁଏ । ଏହି କାରଣରୁ, କିଡନୀ କ୍ୟାନ୍ସର ବ୍ୟାପିବା ଆରମ୍ଭ ନହେବା ପର୍ଯ୍ୟନ୍ତ ପ୍ରାୟତଃ ଚିହ୍ନଟ ହୁଏ ନାହିଁ।

ଏହା ମଧ୍ୟ ପଢ଼ନ୍ତୁ... ହଠାତ୍ ଶରୀରର ଏହି ୫ଟି ସ୍ଥାନରେ ଯନ୍ତ୍ରଣା ଅନୁଭବ କରୁଛନ୍ତି କି ? ସାବଧାନ ! ହୋଇପାରେ କିଡନୀ ଖରାପ ଲକ୍ଷଣ କିଡନୀ ଷ୍ଟୋନ ହେଲେ ଦେଖାଦିଏ ଏହି ଲକ୍ଷଣ, ଭୁଲରେ ବି ଖାଆନ୍ତୁ ନାହିଁ ଏହି ଖାଦ୍ୟ |
ନ୍ୟାସନାଲ କିଡନୀ ଫାଉଣ୍ଡେସନ ଅନୁଯାୟୀ, କିଡନୀ କର୍କଟ ରୋଗର ଲକ୍ଷଣ:
1. ପରିସ୍ରାରେ ରକ୍ତ (Hematuria) |
2. କିଡନୀ ଅଞ୍ଚଳରେ ଗଣ୍ଠି (Lumps in Kidney Area) |
3. ପ୍ରବଳ ପିଠି ଯନ୍ତ୍ରଣା (Severe Back Pain) |
4. କ୍ଳାନ୍ତି (Fatigue) |
5. ସବୁବେଳେ ଅସୁସ୍ଥ ଅନୁଭବ କରିବା (Generally Feeling Unwell) |
6. ଭୋକ ନ ଲାଗିବା (Loss of Appetite) |
7. ଓଜନ ହ୍ରାସ (Weight Loss ) |
8. ଦେହରେ ହାଲୁକା ଜ୍ୱର (Mild Fever) |
9. ହାଡ଼ରେ ଯନ୍ତ୍ରଣା (Bone Pain) |
10. ଉଚ୍ଚ ରକ୍ତଚାପ (High Blood Pressure) |
11. ରକ୍ତହୀନତା (Anemia) |
12. ଉଚ୍ଚ କ୍ୟାଲସିୟମ ସ୍ତର (High Calcium Levels) |
ଏହା ମଧ୍ୟ ପଢ଼ନ୍ତୁ... ଅତ୍ୟଧିକ ପାଣି ପିଉ ନାହାନ୍ତି ତ ? ଚେତେଇଲେ ଡାକ୍ତର ଦୁଇଟି କିଡନୀ ଖରାପ ହେଲେ ଦେଖାଯାଏ ଏହି 7 ଲକ୍ଷଣ, ନଜରଅନ୍ଦାଜ କଲେ ଯାଇପାରେ ଜୀବନ |
Kidney Cancer Treatment:
ନ୍ୟାସନାଲ କିଡନୀ ଫାଉଣ୍ଡେସନ ଅନୁଯାୟୀ, ଏହି ପରୀକ୍ଷା ମାଧ୍ୟମରେ କିଡନୀ କର୍କଟ ଚିହ୍ନଟ କରାଯାଇପାରିବ ।
- ପରିସ୍ରା ପରୀକ୍ଷା (Urine Test): ଆପଣଙ୍କ ପରିସ୍ରାର ନମୁନା ପରୀକ୍ଷା କରାଯାଇ ସେଥିରେ ରକ୍ତ ଅଛି କି ନାହିଁ ତାହା ଦେଖାଯାଏ ।
- ରକ୍ତ ପରୀକ୍ଷା (Blood Test): ରକ୍ତ ପରୀକ୍ଷାରୁ ଜଣାପଡ଼ିପାରିବ ଯେ, ଆପଣଙ୍କର ବହୁତ କମ୍ ଲୋହିତ ରକ୍ତ କଣିକା (red blood cells) (ଆନିମିଆ) ଅଛି କି ନାହିଁ । କିମ୍ବା ଆପଣଙ୍କର କିଡନୀ କାର୍ଯ୍ୟକ୍ଷମତା ଦୁର୍ବଳ ଅଛି କି ନାହିଁ।
- (CT Scan)ସିଟି ସ୍କାନ
- MRI
- ଅଲ୍ଟ୍ରାସାଉଣ୍ଡ (Ultrasound)
- ରେନାଲ୍ ମାସ ବାୟୋପସି (Renal mass biopsy)
Disclaimer: (ଏହି ରିପୋର୍ଟରେ ଦିଆଯାଇଥିବା ସମସ୍ତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଏବଂ ପରାମର୍ଶ କେବଳ ଆପଣଙ୍କ ସୂଚନା ପାଇଁ । ବୈଜ୍ଞାନିକ ଗବେଷଣା, ଅଧ୍ୟୟନ, ଡାକ୍ତରୀ ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଉପରେ ଆଧାର କରି ଏହି ସୂଚନା ପ୍ରଦାନ କରାଯାଇଛି । ଏହି ପଦ୍ଧତି କିମ୍ବା ପ୍ରକ୍ରିୟା ଅନୁସରଣ କରିବା ପୂର୍ବରୁ ଏହା ବିଷୟରେ ବିସ୍ତୃତ ଭାବରେ ଜାଣିବା ଉଚିତ ଏବଂ ଆପଣଙ୍କ ବ୍ୟକ୍ତିଗତ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ । ଏହା ETV Bharatର ନିଜସ୍ବ ମତ ନୁହେଁ ।)