
ମାଣ୍ଡିଆ ଖାଇଲେ ହ୍ରାସ ହୁଏ କି ଓଜନ? ଜାଣନ୍ତୁ ସଠିକ୍ ପଦ୍ଧତି ଓ ଲାଭ
ମାଣ୍ଡିଆରେ ଥିବା ପୋଷକ ତତ୍ତ୍ୱ ଶରୀରରେ ହାଡ଼ ଓ ଦାନ୍ତକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ ।

Published : July 18, 2025 at 7:57 PM IST
Millets in weight loss,ହାଇଦ୍ରାବାଦ: ଆଜିକାଲିର ଆଧୁନିକ ଜୀବନଶୈଳୀ, ତେଲ, ମସଲା ଓ ଲବଣାକ୍ତ ଖାଦ୍ୟଗ୍ରହଣ ତଥା ଖାଦ୍ୟ ପାନୀୟ ଗ୍ରହଣ କରିବାର ସଠିକ ସମୟ ନ ରହିବାରୁ ବହୁ ଲୋକ ମେଦ ବହୁଳତାର ଶିକାର ହେଉଛନ୍ତି । ପରେ ଓଜନହ୍ରାସ କରିବା ପାଇଁ କଡ଼ା ବ୍ୟାୟାମ ସହିତ ଖାଦ୍ୟପେୟ ଉପରେ ଧ୍ୟାନ ଦେଇଥାନ୍ତି । ଏପରିକି କିଛି ବ୍ୟକ୍ତି ଖାଇବା ଛାଡି ଦେଇଥାନ୍ତି ।
ବିଶେଷଜ୍ଞଙ୍କ ଅନୁଯାୟୀ, ଓଜନହ୍ରାସ କରିବା ପାଇଁ ଅସ୍ବାସ୍ଥ୍ୟକର ଅଭ୍ୟାସ ପରିବର୍ତ୍ତେ କିଛି ଖାଦ୍ୟକୁ ଆମର ଦୈନିକ ଖାଦ୍ୟ ପ୍ରଣାଳୀରେ ସାମିଲ କରିବା ଦ୍ବାରା ସୁଫଳ ମିଳିଥାଏ । ଏପରି ଏକ ଖାଦ୍ୟ ହେଉଛି ମାଣ୍ଡିଆ । ମାଣ୍ଡିଆକୁ ଦୈନିକ ଖାଦ୍ୟରେ ସାମିଲ କରିବା ଦ୍ବାରା ଏହା ଆପଣଙ୍କ ଓଜନକୁ ନିୟନ୍ତ୍ରଣ କରିଥାଏ । ଏହା ସହିତ ମାଣ୍ଡିଆର ସ୍ବାସ୍ଥ୍ୟ ଉପରେ ଅନେକ ସୁପ୍ରଭାବ ପକାଇଥାଏ । ଆପଣ ମାଣ୍ଡିଆରୁ ଦୋସା, ଇଡଲି ଓ ରୁଟି ଆଦି ପ୍ରସ୍ତୁତ କରି ଗ୍ରହଣ କରିପାରିବେ । ତେବେ ଚାଲନ୍ତୁ ଜାଣିବା ମାଣ୍ଡିଆ ଖାଇବାର ଫାଇଦା ଓ କିଛି ସତର୍କତା ବିଷୟରେ ।
ଓଜନ ନିୟନ୍ତ୍ରଣ:
ଓଜନ ହ୍ରାସ କରିବାକୁ ଚାହୁଁଥିବା ବ୍ୟକ୍ତି ନିଜ ଖାଦ୍ୟ ଶୈଳୀରେ ମାଣ୍ଡିଆକୁ ସାମିଲ କରି ଓଜନ ନିୟନ୍ତ୍ରଣ କରିପାରିବେ । 2011 ମସିହାର ଏନସିବିଆଇ ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ମାଣ୍ଡିଆରେ ଫାଇବର ଓ ପ୍ରୋଟିନ ପ୍ରଚୁର ମାତ୍ରାରେ ରହିଥାଏ । ପ୍ରତ୍ୟେକ ଦିନ କିଛି ମାତ୍ରାରେ ସେବନ କରିବା ଫଳରେ ବହୁ ସମୟ ପର୍ଯ୍ୟନ୍ତ ଭୋକ ଲାଗିନଥାଏ । ଏହା ସହିତ ପ୍ରତ୍ୟେକ ଦିନ ମାଣ୍ଡିଆ ଖାଇବା ଦ୍ବାରା ଶରୀରକୁ ଆବଶ୍ୟକ ପରିମାଣର ପୋଷକ ତତ୍ତ୍ୱ ମିଳିଥାଏ ।
ହାଡ଼ ହୁଏ ମଜବୁତ:
ମାଣ୍ଡିଆରେ ପ୍ରଚୁର ପରିମାଣରେ କ୍ୟାଲସିଅମ ରହିଥାଏ । ଏହା ହାୱାର୍ଡ ହେଲ୍ଥ ପବ୍ଲିଶିଂ ଜର୍ଣ୍ଣାଲ "ଏସେନ୍ସିଆଲ ନ୍ୟୁଟ୍ରିଏଣ୍ଟସ ଆଣ୍ଡ ବଡ଼ି ନିଡସ୍ ଟୁ ବିଲ୍ଡ ବୋନ୍ସ" ରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡିଛି, ମାଣ୍ଡିଆରେ ଥିବା ପୋଷକ ତତ୍ତ୍ୱ ଶରୀରରେ ହାଡ଼ ଓ ଦାନ୍ତକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ । ଏଥିପାଇଁ ଏହା ଶିଶୁଙ୍କ ପାଇଁ ଏକ ଆବଶ୍ୟକ ଖାଦ୍ୟ ଅଟେ । ମାଣ୍ଡିଆକୁ ବୟସ୍କ ବ୍ୟକ୍ତିମାନେ ମଧ୍ୟ ନିଜର ଖାଦ୍ୟରେ ସାମିଲ କରି ଅଷ୍ଟିଓପୋରୋସିସ୍ ଭଳି ରୋଗରୁ ମୁକ୍ତି ପାଇପାରିବେ ।
ରକ୍ତ ଶର୍କରାକୁ କରେ ନିୟନ୍ତ୍ରଣ:
ମାଣ୍ଡିଆରେ ଚାଉଳ ଓ ଗହମ ତୁଳନାରେ ଅପେକ୍ଷାକୃତ କମ୍ ଗ୍ଲାଇସେମିକ ଇଣ୍ଡେକ୍ସ ରହିଥାଏ । ଏହାର ନିୟମିତ ସେବନ ଦ୍ବାରା ରକ୍ତ ଶର୍କରାର ସ୍ତରକୁ ନିୟନ୍ତ୍ରଣ କରାଯାଇଥାଏ । ଏହା ବ୍ୟତୀତ ନ୍ୟାସନାଲ ଲାଇବ୍ରେରୀ ଅଫ୍ ମେଡିସିନରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ଏଥିରେ ଥିବା ଫ୍ରି ରାଡିକାଲ୍ସ ସ୍କେଭେଞ୍ଜର ଡାଇବେଟିସ ଓ ବୟସ ସୀମାକୁ କମ୍ କରିବାରେ ସାହାଯ୍ୟ କରିଥାଏ ।
ଗର୍ଭବତୀ ମହିଳାଙ୍କ ପାଇଁ ଉପକାରୀ:
ମାଣ୍ଡିଆରେ କ୍ୟାଲସିୟମ ଓ ଫଲିକ୍ ଏସିଡ ଭରପୁର ମାତ୍ରାରେ ଭର୍ତ୍ତି ହୋଇ ରହିଥାଏ । ଏଥିପାଇଁ ବିଶେଷଜ୍ଞମାନେ ମାଣ୍ଡିଆକୁ ଗର୍ଭବତୀ ମହିଳାଙ୍କ ପାଇଁ ବହୁତ ଉପକାରୀ ହୋଇଥାଏ । ମାଣ୍ଡିଆରେ ଥିବା ଖଣିଜ ପଦାର୍ଥ ଗର୍ଭବତୀଙ୍କ ଶରୀରର ପ୍ରତିରକ୍ଷା ପ୍ରଣାଳୀକୁ ଦୃଢ କରିଥାଏ । ଏହା ସହିତ ମାଣ୍ଡିଆରେ ପ୍ରଚୁର ପରିମାଣରେ କ୍ୟାଲସିୟମ,ଆଇରନ ଓ ଆମିନୋ ଏସିଡ ରହିଥାଏ । ଯାହା ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ ସାହାଯ୍ୟ କରିଥାଏ ।
ଏହି ବ୍ୟକ୍ତିମାନେ ରୁହନ୍ତୁ ସାବଧାନ:
ସାମଗ୍ରିକ ଭାବେ ମାଣ୍ଡିଆ ଶରୀର ପାଇଁ ହିତକର ଅଟେ । କିନ୍ତୁ ଏହାର ମାତ୍ରାଧିକ ସେବନ ଦ୍ବାରା ଶରୀରରେ ଅକ୍ସାଲିକ ଏସିଡର ସମସ୍ୟା ବୃଦ୍ଧି ପାଇଥାଏ । ଏହା ସହିତ ଥାଇରଏଡରେ ପୀଡିତ ବ୍ୟକ୍ତି ମାନେ ମାତ୍ରାଧିକ ମାଣ୍ଡିଆ ସେବନ କରିଲେ ଏହା ଥାଇରଏଡ୍ ଗ୍ରନ୍ଥି ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ । ଏହା ଛଡା ଆଲର୍ଜି ଥିବା ବ୍ୟକ୍ତି ତଥା ଛୋଟ ଛୋଟ ପିଲା ମାନଙ୍କୁ ମାଣ୍ଡିଆ ଖୁଆଇବା ଆଗରୁ ଡାକ୍ତରଙ୍କର ପରାମର୍ଶ ନେବା ଆବଶ୍ୟକ ।
ଏହା ମଧ୍ୟ ପଢନ୍ତୁ: ଡାଇବେଟିସ ରୋଗୀ ବି ଖାଇପାରିବେ ଚକୋଲେଟ, ଡାର୍କ ଚକୋଲେଟର ଅଛି ଏସବୁ ଫାଇଦା |
Source:
https://phytopharmajournal.com/assets/pdf_files/Vol12_Issue3_08.pdf
https://pmc.ncbi.nlm.nih.gov/articles/PMC4033754/
Disclaimer: (ଏହି ରିପୋର୍ଟରେ ଦିଆଯାଇଥିବା ସମସ୍ତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଏବଂ ପରାମର୍ଶ କେବଳ ଆପଣଙ୍କ ସୂଚନା ପାଇଁ । ବୈଜ୍ଞାନିକ ଗବେଷଣା, ଅଧ୍ୟୟନ, ଡାକ୍ତରୀ ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଉପରେ ଆଧାର କରି ଏହି ସୂଚନା ପ୍ରଦାନ କରାଯାଇଛି । ଏହି ପଦ୍ଧତି କିମ୍ବା ପ୍ରକ୍ରିୟା ଅନୁସରଣ କରିବା ପୂର୍ବରୁ ଏହା ବିଷୟରେ ବିସ୍ତୃତ ଭାବରେ ଜାଣିବା ଉଚିତ ଏବଂ ଆପଣଙ୍କ ବ୍ୟକ୍ତିଗତ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ । ଏହା ETV Bharatର ନିଜସ୍ବ ମତ ନୁହେଁ ।)
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

