Neuro surgery କଟକ: ମଣିଷ ଶରୀରରେ ଅନେକ ରୋଗ ଦେଖାଯାଇଥାଏ । ଏହି ରୋଗ ଗୁଡିକ ମଧ୍ୟରୁ ସ୍ନାୟୁ ସମ୍ବନ୍ଧୀୟ ରୋଗ ମଧ୍ୟ ଅନ୍ୟତମ । ଏହି ସ୍ନାୟୁ ସମ୍ବନ୍ଧୀୟ (ନ୍ୟୁରୋ ସର୍ଜରୀ) ଜନିତ ବ୍ରେନ୍ ଟ୍ୟୁମର, ମସ୍ତିଷ୍କ ଆଘାତ ଓ ମେରୁଦଣ୍ଡ ଆଘାତ ଜନିତ ରୋଗୀଙ୍କ ସଂଖ୍ୟା ଏବେ ବୃଦ୍ଧି ପାଉଛି।ତେବେ ଏହି ରୋଗର ଲକ୍ଷଣ କଣ ? କେମିତି ଜାଣିବେ ଆପଣ ସ୍ନାୟୁ ସମ୍ବନ୍ଧୀୟ ରୋଗର ଶିକାର ହୋଇଛନ୍ତି । କେଉଁ କେଉଁ ବୟସ ଲୋକଙ୍କୁ ଏହା ଆକ୍ରାନ୍ତ କରିଥାଏ ? ଏହା କେତେ ମାରାତ୍ମକ ? ଏହାର ନିରାକରଣ କଣ ? କଟକ ବଡ଼ ମେଡିକାଲ ସ୍ନାୟୁ ଶଲ୍ୟ ବିଭାଗର ଡାକ୍ତର ଶ୍ରୀକାନ୍ତ ଦାସ ଇଟିଭି ଭାରତକୁ ବିସ୍ତୁତ ସୂଚନା ଦେଇଛନ୍ତି ।
କେମିତି ଜାଣିବେ ସ୍ନାୟୁ ସମ୍ବନ୍ଧୀୟ ରୋଗର ଶିକାର ହୋଇଛନ୍ତି ?
ଶରୀରରେ ଅନେକ ରୋଗ ଦେଖାଯାଏ । ଯାହାକି ଅନେକ ଲୋକ ଜାଣିପାରନ୍ତି ନାହିଁ । ଆଉ କିଛି ଲୋକ ଅଛନ୍ତି ରୋଗ ଜାଣି ମଧ୍ୟ ତାହାର ଚିକିତ୍ସା କରନ୍ତି ନାହିଁ । ଅର୍ଥାତ ରୋଗକୁ ଅଣଦେଖା କରନ୍ତି । ଯଦିଓ ପରବର୍ତ୍ତୀ ସମୟରେ ଉକ୍ତ ରୋଗ ସାଙ୍ଘାତିକ କରିଦିଏ । ଏକଥା ଆମେ କହୁ ନାହୁଁ ବରଂ ଅନେକ ଲୋକଙ୍କ କ୍ଷେତ୍ରରେ ଏପରି ଘଟିଥିବା ନଜିର ରହିଛି ।
ନ୍ୟୁରୋ ସର୍ଜରୀକୁ କଣ କହୁଛନ୍ତି ଡାକ୍ତର:
କଟକ ସ୍ନାୟୁ ଶଲ୍ୟ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ଶ୍ରୀକାନ୍ତ ଦାସ କହିଛନ୍ତି, ‘ସ୍ନାୟୁ ଶଲ୍ୟ ରୋଗର ଲକ୍ଷଣ ଦେଖାଗଲେ ପ୍ରଥମେ ମୁଣ୍ଡ ବିନ୍ଧା ହେବ। ବାନ୍ତି ହେବ, ଆଖିକୁ ଦୃଷ୍ଟି ଶକ୍ତି କମିବ, କାନକୁ ଠିକ ଭାବରେ ଶୁଣାଯିବ ନାହିଁ, ମୁହଁ ଗୋଟିଏ ସାଇଡ ବଙ୍କା ହୋଇଯିବ, ହାତ ଗୋଡ଼ ଅଚଳ ହୋଇଯିବ,ହାତ ଝିମ ଝିମ ହୋଇଯିବ,ଏହି ସମୟରେ ଜଣେ ହାତ ମୁଠା କରି ପାରିବ ନାହିଁ, କୌଣସି ଜିନିଷକୁ ହାତରେ ଧରି ନ ପାରିବା । ଚାଲିବା ବେଳକୁ ଛୋଟେଇ ଛୋଟେଇ ଚାଲିବା, କିଛି ସମୟ ମଧ୍ୟରେ କଥାବାତ୍ତା ବାଚଳାମୀ ପରି କରିବା, ଜଣେ ଯେତେବେଳେ ଦ୍ବନ୍ଦ୍ବରେ ପଡିବ ସେତେବେଳେ ଜାଣିବେ କି ଆପଣ ସ୍ନାୟୁ ଶଲ୍ୟ ରୋଗର ଶିକାର ହୋଇଛନ୍ତି । ଏହା ଧୀରେ ଧୀରେ ମଣିଷକୁ କୋମା ଆଡକୁ ମଧ୍ୟ ନେଇଯିବ । ଏହି ଲକ୍ଷଣ ଦେଖାଗଲେ ଜଣେ ସଠିକ ସମୟରେ ରୋଗର ଚିକିତ୍ସା କରାଇବା ଉଚିତ୍ ।’

ସ୍ନାୟୁ ସମ୍ବନ୍ଧୀୟ ରୋଗର ଲକ୍ଷଣ କଣ (NEURO SURGERY SYMPTOMS) ?
- ବାନ୍ତି ହେବା
- ଦୃଷ୍ଟି ଶକ୍ତି କମିବା
- କାନକୁ ଠିକ ଭାବରେ ଶୁଣାଯିବ ନାହିଁ
- ମୁହଁ ଗୋଟିଏ ସାଇଡ ବଙ୍କା ହୋଇଯିବ
- ହାତ ଗୋଡ଼ ଅଚଳ ହୋଇଯିବ
- ହାତ ଝିମ ଝିମ ହୋଇଯିବ
- ହାତ ମୁଠା କରି ପାରିବନାହିଁ
- କୌଣସି ଜିନିଷକୁ ହାତରେ ଧରି ନପାରିବା
- ଛୋଟେଇ ଛୋଟେଇ ଚାଲିବା
- କଥାବାର୍ତ୍ତାରେ ବାଚାଳାମୀ
- ସବୁବେଳେ ଦ୍ବନ୍ଦ୍ବରେ ପଡିବା
କେଉଁ କେଉଁ ବୟସ ଲୋକଙ୍କୁ ଏହି ରୋଗ ହୋଇଥାଏ ?
ଡାକ୍ତର ଶ୍ରୀକାନ୍ତ ଦାସଙ୍କ କହିଛନ୍ତି, ‘ଏହି ରୋଗ ସମସ୍ତ ବୟସ ଲୋକଙ୍କୁ ହୋଇଥାଏ । ଶିଶୁ ଠାରୁ ଆରମ୍ଭ କରି ବୃଦ୍ଧ ବୟସର ଲୋକଙ୍କୁ ଏହି ରୋଗ ହୋଇଥାଏ । ଶିଶୁ ମାନଙ୍କର ବିଭିନ୍ନ ପ୍ରକାର ଟ୍ୟୁମର ଯାହାକି ଏହି ସ୍ନାୟୁ ସମ୍ବନ୍ଧୀୟ ରୋଗର ଲକ୍ଷଣ ଅଟେ ।
ଶିଶୁଙ୍କ କ୍ଷେତ୍ରରେ କଣ ଦେଖାଯାଏ ଲକ୍ଷଣ ?
- ବାତ ମାରିବା
- ଏପିଲେପ୍ସି ହେବା
- ପିଠି ପଛରେ ଛୋଟ ଛୋଟ ଫୋଟକା ହେବା
- ପ୍ରବଳ ମୁଣ୍ଡ ବିନ୍ଧା ହେବା
- ବାନ୍ତି କରିବା
- ଦୃଷ୍ଟି ଶକ୍ତି ହରାଇବା
- ହାତ ମୁଠା କରି ମୂର୍ଚ୍ଛା ମାରିବା
- ଗୋଟିଏ ସାଇଡ଼ ହାତ ଗୋଡ଼ ଅକାମି ହୋଇଯାଏ
- କଥାବାର୍ତ୍ତାରେ ଅସୁବିଧା
- ଚିଡ଼ଚିଡ଼ା ହେବା
ଯୁବକଙ୍କ କ୍ଷେତ୍ରରେ କଣ ଦେଖାଯାଏ ଲକ୍ଷଣ ?
ଯୁବକ ମାନଙ୍କ କ୍ଷେତ୍ରରେ ମଧ୍ୟ ସ୍ନାୟୁ ସମ୍ବନ୍ଧୀୟ ରୋଗର ଲକ୍ଷଣ ଦେଖାଯାଏ । ଯୁବକ ମାନଙ୍କ ବିଭିନ୍ନ ବ୍ରେନ ଟ୍ୟୁମର ହୋଇଥାଏ । ଏହି ବିଭିନ୍ନ ଟ୍ୟୁମର କେବଳ ଯୁବକ ମାନଙ୍କ ବିଭିନ୍ନ ଆଡ଼କୁ ଆକ୍ରାନ୍ତ କରିଥାଏ । ଯେଉଁ ଜାଗାରେ ଟ୍ୟୁମର ହୋଇଥାଏ,ସେହି ଜାଗା ଅନୁସାରେ ଟ୍ୟୁମରର ଲକ୍ଷଣ ଦେଖାଯାଏ । ଡାକ୍ତର ଶ୍ରୀକାନ୍ତ ଦାସଙ୍କ କହିବା ମୁତାବକ, ଏହି ରୋଗ ଯୁବକ ମାନଙ୍କୁ ହେଲେ ସେମାନଙ୍କର ମୁଣ୍ଡ ବୁଲାଇ ଥାଏ, ବାନ୍ତି ହୋଇଥାଏ, କାନକୁ ଠିକ ଭାବରେ ଶୁଣା ନ ଯିବା, ଆଖି କୁ ଠିକ ଭାବରେ ନ ଦିଶିବା, ଜିଭରେ ସ୍ୱାଦ ଚାଲି ଯିବ, ନାକରେ ବାସ୍ନା ବି ଚାଲିଯିବ, ହାତ ଗୋଡ଼ ଦୁର୍ବଳ ହୋଇଯିବ, ଉଠିକି ବସି ନ ପାରିବା, ଚାଲିବା ବେଳକୁ ଗୋଡ଼ ଲାଖି ଯିବା,ହାତ ଗୋଡ଼ ପରାଲିସିସ ହୋଇଯିବା ଆଦି ଲକ୍ଷଣ ଯୁବକ ମାନଙ୍କ କ୍ଷେତ୍ରରେ ଦେଖିବାକୁ ମିକିଥାଏ ।
ତେବେ ବୟସ୍କ ଲୋକଙ୍କୁ ମଧ୍ୟ ଏହି ରୋଗ ଆକ୍ରାନ୍ତ କରିଥାଏ । ଅଧିକ ଦିନ ଟ୍ୟୁମର ରହିଲେ ସେମାନଙ୍କୁ ଏହି ରୋଗ ଆକ୍ରାନ୍ତ କରିଥାଏ । ବିଶେଷକରି ଟ୍ୟୁମର ଯଦି ଶରୀରରେ ଅଧିକ ଦିନ ରହିବ ତାହା ଅନେକ ଯନ୍ତ୍ରଣା ଦେଇଥାଏ । ଡାକ୍ତର ଦାସଙ୍କ କହିବା ମୁତାବକ ଅନେକ ରୋଗୀ ବିଳମ୍ବରେ ହସ୍ପିଟାଲ ଆସିଥାନ୍ତି । ଯଦିଓ ଏହି ବୟସରେ ଅପରେସନ କରାଇବା ସେମାନଙ୍କ ପାଇଁ କଷ୍ଟ ହୋଇଥାଏ । ତଥାପି ଆଜିକାଲି ଏହା ବି ସମ୍ଭବ ହେଉଥିବା ଡାକ୍ତର କହିଛନ୍ତି ।
ସ୍ନାୟୁ ଜନିତ ରୋଗ କାହିଁକି ହୋଇଥାଏ ?
ମଣିଷର ପ୍ରତ୍ୟକ କାର୍ଯ୍ୟକଳାପ ବ୍ରେନ ଦ୍ୱାରା ପରିଚାଳିତ ହେଉଛି । ବ୍ରେନର ବିଭିନ୍ନ ସ୍ଥାନରେ ବିଭିନ୍ନ ଲକ୍ଷଣ ପ୍ରକାଶ ପାଇଥାଏ । ସ୍ନାୟୁ ଚାପି ହୋଇଗଲେ ଏହି ସ୍ନାୟୁ ଜନିତ ସମସ୍ୟା ଦେଖାଯାଏ । ବେକ ଭିତରେ ହାଡ଼ ଦୁର୍ବଳ ହୋଇଯାଏ । ଫଳରେ ଜଣେ ବ୍ୟକ୍ତି ଆଉ ସିଧା ହୋଇ ଛିଡା ହୋଇପାରେ ନାହିଁ । ବେକ ବି ନଇଁ ପଡେ । ହାଡ଼ ଭିତରେ ଯେଉଁ ସସ୍ ଥାଏ(ଡିସ୍କ) ତାହା ଶୁଖିଯାଏ । ଫଳରେ ସ୍ନାୟୁ ଜନିତ ସମସ୍ୟା ଦେଖାଯାଏ । ଯେମିତିକି ହାତଗୋଡ଼ ଅଚଳ ହୋଇଯିବା, ଝିମ ଝିମ ଲାଗିବା, ଚାଲିବା ବେଳକୁ ଗୋଡ଼ ଲାଖି ହୋଇଯିବା, ଝାଡା ପରିସ୍ରା ବନ୍ଦ ହୋଇଯିବା ଭଳି ସମସ୍ୟା ସୃଷ୍ଟି ହୋଇଥାଏ । ତେବେ ଏହି ସମୟରେ ଯଦି ରୋଗୀକୁ ସଠିକ ଚିକିତ୍ସା ଦିଆଯିବ ତେବେ ରୋଗୀଟିଏ ସୁସ୍ଥ ହୋଇଯିବ । ବର୍ତ୍ତମାନ ଅତ୍ୟାଧୁନିକ ଜ୍ଞାନ କୌଶଳ ମାଧ୍ୟମରେ ଏହାର ଅସ୍ତ୍ରୋପଚାର କରାଯାଇପାରୁଛି ବୋଲି ଡାକ୍ତର କହିଛନ୍ତି ।
କେମିତି କରିବେ ନିରାକରଣ (NEURO SURGERY DIAGNOSIS TREATMENT) ?
କେବଳ ଯେ ଔଷଧ ଖାଇଲେ ଏହି ରୋଗକୁ ନିୟନ୍ତ୍ରଣ କରିହେବ, ତାହା ନୁହେଁ । ରୋଗର ନିରାକରଣ ପାଇଁ ଅତି ସହଜ ଉପାୟ କହିଛନ୍ତି ଡାକ୍ତର ଶ୍ରୀକାନ୍ତ ଦାସ ।
- ନିୟମିତ ଯୋଗ କରିବା
- ବ୍ୟାୟାମ କରିବା
- ପ୍ରାକୃତିକ ଚିକିତ୍ସା କରିବା
- ଦେହର ଯତ୍ନ ନେବା
- ଫିଜିକାଲ ଫିଟନେସ ବଜାୟ ରଖିବା
- ଖାଦ୍ୟପେୟକୁ ନିୟନ୍ତ୍ରଣରେ ରଖିବା
- ନିଶା ଠାରୁ ଦୂରେଇ ରହିବା
- ରକ୍ତଚାପ, ମଧୁମେହକୁ ନିୟନ୍ତ୍ରଣରେ ରଖିବା
୧୩ ବର୍ଷର ଶିଶୁ ବି ଏହି ରୋଗର ଆକ୍ରାନ୍ତ:
ଲୋକନାଥ ସ୍ୱାଇଁ । ଘର ଗଞ୍ଜାମ । ବୟସ ପ୍ରାୟ ୧୩ ବର୍ଷ ହେବ । ସେ ଷଷ୍ଠ ଶ୍ରେଣୀର ଛାତ୍ର । ୨ ମାସ ଧରି ତାଙ୍କର ମୁଣ୍ଡ ବିନ୍ଧା ହେଉଥିଲା । ପ୍ରତ୍ୟକ ଦିନ ମୁଣ୍ଡ ବିନ୍ଧା ହେଲେ ସେ ନିକଟସ୍ଥ ଔଷଧ ଦୋକାନରୁ ପଚାରି ଔଷଧ ଆଣି ଖାଇ ଦିଅନ୍ତି । ତଥାପି ମୁଣ୍ଡ ବିନ୍ଧା ଭଲ ହେଲା ନାହିଁ । ଫଳରେ ସେ ଉନ୍ନତ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ଆସିଥିଲେ । ମାତ୍ର ସେଠାରେ ତାଙ୍କର ସ୍ବାସ୍ଥ୍ଯବସ୍ଥା ଆହୁରି ଖରାପ ହୋଇଗଲା । ମୁଣ୍ଡ ବି ବୁଲାଉଥିଲା । ଏମିତି କି ମଝିରେ ମଝିରେ ତାଙ୍କୁ ଅନୁଭବ ହେଉଥିଲା କି ତାଙ୍କୁ କିଏ ପେଲି ଦେଉଛି । ମାତ୍ର ପରେ ସେ କଟକ ବଡ଼ମେଡିକାଲକୁ ଆସିଥିଲେ ଏବଂ ତାଙ୍କର ଟ୍ୟୁମର ବାହାରିଥିଲା । ଡାକ୍ତର ଅପରେସନ କରିବା ପରେ ସେ ଏବେ ସୁସ୍ଥ ଅଛନ୍ତି ।
୩୦ ବର୍ଷର ଯୁବକ ବି ଏହି ରୋଗର ଆକ୍ରାନ୍ତ:
ଜଗତସିଂହପୁର ଜିଲ୍ଲାର ବାପୁନ ଜେନା ନାମକ ଜଣେ ୩୦ ବର୍ଷର ଯୁବକ ବି ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି । ପ୍ରାୟ ୩ ମାସ ତଳେ ସେ ହଠାତ ଚେତା ହରାଇ ପଡ଼ିଥିଲେ । ପ୍ରାୟ ଅଧ ଘଣ୍ଟା ପରେ ତାଙ୍କର ଚେତା ଫେରିଥିଲା । ଘର ଲୋକ ଭୟଭୀତ ହୋଇ ତାଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନେଇଥିଲେ । ପୁନର୍ବାର ସେ ମଧ୍ୟ ଚେତା ହରାଇ ତଳେ ପଡ଼ିଥିଲେ । MRI ପରେ ତାଙ୍କର ଟ୍ୟୁମର ଥିବା ଜାଣିବାକୁ ପାଇଥିଲେ । କଟକ ବଡ଼ମେଡିକାଲରେ ତାଙ୍କ ଟ୍ୟୁମରର ଅସ୍ତ୍ରୋପଚାର ହେବା ପରେ ସେ ଏବେ ସୁସ୍ଥ ଥିବା କହିଛନ୍ତି ।
୬୦ ବର୍ଷର ବୃଦ୍ଧା ବି ଏହି ରୋଗର ଆକ୍ରାନ୍ତ:
ବିଜୟ ତାରେଣିଆ ନାମକ ଜଣେ ୬୦ ବର୍ଷୀୟ ବୃଦ୍ଧା ବି ଏହି ରୋଗର ଆକ୍ରାନ୍ତ ହୋଇଛନ୍ତି । ସେ ଚାଷ କରିବା ସମୟରେ ହଠାତ ତାଙ୍କ ମୁଣ୍ଡ ବୁଲାଇ ଥିଲା । ସେ ତଳେ ପଡି ଯାଇଥିଲେ । କିଛି ସମୟ ପାଇଁ ତାଙ୍କର ଚେତା ବି ପଳାଇଥିଲା । ସ୍ଥାନୀୟ ଲୋକ ତାଙ୍କୁ ଜଗତସିଂହପୁର ହସ୍ପିଟାଲକୁ ନେଇଥିଲେ । ସେଠାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ରେଫର କରାଯାଇଥିଲା । ସିଟି ସ୍କାନ ପରେ ତାଙ୍କର ମସ୍ତିଷ୍କରେ ଥିବା ସ୍ନାୟୁ ଅଲଗା ହୋଇଯାଇଥିଲା । ତାଙ୍କର ଅସ୍ତ୍ରୋପଚାର ପରେ ସେ ଏବେ ସୁସ୍ଥ ଥିବା କହିଛନ୍ତି ।
ଇଟିଭି ଭାରତ, କଟକ