ଭୁବନେଶ୍ୱର: ‘ମିସ୍ ଟିନ୍ ୟୁନିଭର୍ସ-2024’ ଟାଇଟଲ ହାତେଇଲେ ଓଡ଼ିଶାର ଝିଅ ତ୍ରିଷ୍ଣା ରାୟ । ଦକ୍ଷିଣ ଆଫ୍ରିକାର କିମ୍ବର୍ଲିରେ ଅନୁଷ୍ଠିତ ‘ମିସ୍ ଟିନ୍ ୟୁନିଭର୍ସ-୨୦୨୪’ ସୁନ୍ଦରୀ ପ୍ରତିଯୋଗିତାରେ ସମଗ୍ର ବିଶ୍ୱର ସୁନ୍ଦରୀମାନଙ୍କୁ ପଛରେ ପକାଇ ତ୍ରିଷ୍ଣା ବିଜେତା ହୋଇଛନ୍ତି । ଏହି ସଫଳତା ହାସଲ କରି ସେ ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ତେବେ ତାଙ୍କ ବିଜୟ ନେଇ ସବୁଆଡୁ ଛୁଟିଛି ଶୁଭେଚ୍ଛାର ସୁଅ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମେତ ଓଡ଼ିଶାବାସୀ ଓ ଫ୍ୟାନ୍ସ ତାଙ୍କୁ ଶୁଭକାମନା ଜଣାଇଛନ୍ତି ।
- ମିସ୍ ଟିନ୍ ୟୁନିଭର୍ସ 2024 ଟାଇଟଲ ହାତେଇଲେ ତ୍ରିଷ୍ଣା ରାୟ
ସୂଚନା ଅନୁସାରେ, ଚଳିତମାସ (ନଭେମ୍ବର) ୧ରୁ ୯ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ସମଗ୍ର ବିଶ୍ୱରୁ ପ୍ରତିଯୋଗୀମାନେ ଭାଗ ନେଇଥିଲେ । ପେରୁ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ, କେନିଆ, ପର୍ତ୍ତୁଗାଲ ଏବଂ ନେଦରଲ୍ୟାଣ୍ଡର ସୁନ୍ଦରୀମାନଙ୍କୁ ପଛରେ ପକାଇ 19 ବର୍ଷୀୟା ତ୍ରିଷ୍ଣା ଏହି ଟାଇଟଲ୍ ଜିତିଛନ୍ତି । ତ୍ରିଷ୍ଣା ଏହି ପ୍ରତିଯୋଗିତାରେ ଭାଗ ନେବାପାଇଁ ଅନେକ ଦିନରୁ ପ୍ରୟାସ କରିଆସୁଥିଲେ । ତାଙ୍କର ଭିସା ସମସ୍ୟା ଯୋଗୁଁ ସେ ଗତବର୍ଷ କଲମ୍ବିଆ ଓ ଡ଼ୋମିନିକାନ୍ ରିପବ୍ଲିକ୍ରେ ଅନୁଷ୍ଠିତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରି ନଥିଲେ । ତାଙ୍କର କଠିନ ଅଧ୍ୟବସାୟ ଓ ନିଷ୍ଠା ପାଇଁ ସେ ଆଜି ଏହି ଅନ୍ତର୍ଜାତୀୟ ସଫଳତା ପାଇପାରିଛନ୍ତି । ସେହିପରି ପେରୁର ଆନ୍ ଥୋର୍ସେନ୍ ଏବଂ ନାମିବିଆର ପ୍ରିସିୟୋସ ଆଣ୍ଡ୍ରେ ପ୍ରଥମ ଏବଂ ଦ୍ୱିତୀୟ ରନର୍ ଅପ୍ ହୋଇଥିଲେ ।
Congratulate #Odisha’s Trishna Ray on being crowned Miss Teen Universe 2024 in Kimberley, South Africa. May she scale new heights in her career and make our state proud. Wish her the best for the future. pic.twitter.com/xkqRa9FhGe
— Naveen Patnaik (@Naveen_Odisha) November 12, 2024
- ତ୍ରିଷ୍ଣା ରାୟଙ୍କୁ ନବୀନଙ୍କ ଶୁଭେଚ୍ଛା
ତ୍ରିଷ୍ଣାଙ୍କୁ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ‘ଏକ୍ସ’ରେ ତ୍ରିଷ୍ଣାଙ୍କ ଏକ ଫଟୋ ସେୟାର କରି ତାଙ୍କୁ ଶୁଭକାମନା ଜଣାଇଛନ୍ତି । ଏହି ପୋଷ୍ଟରେ ନବୀନ ଲେଖିଛନ୍ତି,'' ଦକ୍ଷିଣ ଆଫ୍ରିକାର କିମ୍ବର୍ଲିରେ ମିସ୍ ଟିନ୍ ୟୁନିଭର୍ସ-2024 ମୁକୁଟ ପିନ୍ଧିଥିବାରୁ ଓଡିଶାର ତ୍ରିଷ୍ଣା ରାୟଙ୍କୁ ଅଭିନନ୍ଦନ । ସେ ତାଙ୍କ କ୍ୟାରିୟରରେ ନୂତନ ଉଚ୍ଚତା ସୃଷ୍ଟି କରନ୍ତୁ ଏବଂ ଆମ ରାଜ୍ୟକୁ ଗର୍ବିତ କରନ୍ତୁ । ଭବିଷ୍ୟତ ପାଇଁ ତାଙ୍କୁ ଶୁଭେଚ୍ଛା ।''
- ଏହା ମଧ୍ୟ ପଢନ୍ତୁ: ମିସ୍ ୟୁନିଭର୍ସ ଇଣ୍ଡିଆ 2024 ମୁକୁଟ ପିନ୍ଧିଲେ ରିୟା ସିଂଘା
ତ୍ରିଷ୍ଣାଙ୍କ ସମ୍ପର୍କରେ...
ତ୍ରିଷ୍ଣା ରାୟ ସେନା ଅଧିକାରୀ କର୍ଣ୍ଣେଲ୍ ଦିଲ୍ଲୀପ କୁମାର ରାୟ ଏବଂ ରାଜଶ୍ରୀଙ୍କ ଝିଅ । ତ୍ରିଷ୍ଣା ନିଷ୍ଠା ଓ କଠିନ ପରିଶ୍ରମ କିରି ନିଜ ଲକ୍ଷ୍ୟ ହାସଲ କରିଛନ୍ତି । ସେ ଭୁବନେଶ୍ୱର ସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟରେ ଫ୍ୟାଶନ ଟେକ୍ନୋଲୋଜିରେ ଅଧ୍ୟୟନ କରୁଛନ୍ତି । କହି ରଖୁଛୁ କି, ଗତବର୍ଷ (2023) ରେ ସେ ‘ମିସ ଟିନ୍ ୟୁନିଭର୍ସ ଇଣ୍ଡିଆ’ ଟାଇଟଲ ମଧ୍ୟ ହାତେଇଥିଲେ । ଏହା ପରେ ସେ ଅନ୍ତର୍ଜାତୀୟ ସ୍ତରରେ ଭାଗ ନେଇ ବିଜୟ ହାସଲ କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ୱର