ଭୁବନେଶ୍ୱର: ଓଡ଼ିଆ ଅଭିନେତା ଶୁଭମ ନାୟକଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । 3 ବର୍ଷ ପରେ ପରଦାକୁ ଆସୁଛି ତାଙ୍କ ଆଗାମୀ ଫିଲ୍ମ 'ଶମ୍ଭୁ' । ଫିଲ୍ମର ପୋଷ୍ଟର ରିଲିଜ ହୋଇଥିବା ବେଳେ ଏହା କେବେ ପରଦାକୁ ଆସିବ ତାହା ପ୍ରକାଶ କରିଛନ୍ତି ନିର୍ମାତା । ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଫିଲ୍ମର ରିଲିଜ ତାରିଖ ଘୋଷଣା କରାଯାଇଛି । ୩ବର୍ଷ ହେବ ସିନେମାଟି ସୁଟିଂ ହୋଇଥିବା ବେଳେ କିଛି ବାଧାବିଘ୍ନକୁ ନେଇ ମୁକ୍ତିଲାଭ ହୋଇପାରୁନଥିଲା । ହେଲେ ବହୁ ପ୍ରତିବନ୍ଧକ ପରେ ବର୍ତ୍ତମାନ ଏହି ଫିଲ୍ମ ରିଲିଜ ହେବାକୁ ଯାଉଛି ।
'ଶମ୍ଭୁ' ଷ୍ଟାରକାଷ୍ଟ
ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ଅଭିନେତା ଶୁଭମ ନାୟକ ରହିଥିବା ବେଳେ ତାଙ୍କ ବିପକ୍ଷରେ ନଜର ଆସିଛନ୍ତି ଅଭିନେତ୍ରୀ ତମନ୍ନା ବ୍ୟାସ । ଏହି ଫିଲ୍ମରେ ପିୟୂଷ ତ୍ରୀପାଠୀ ଖଳନାୟକ ଭୂମିକାରେ ନଜର ଆସିଥିବା ବେଳେ ଅନ୍ୟାନ୍ୟ ଭୂମିକାରେ ରହିଛନ୍ତି ଜୀବନ ପଣ୍ଡା,ହରିହର ମହାପାତ୍ର , ଡିସ୍କ ଚିନ୍ତାମଣି, ସରୋଜ ଦାସ ଓ ସୁଧାକର । ଚଳଚ୍ଚିତ୍ରଟି ମଣିଷର ସାମାଜିକ ଜୀବନର ପୃଷ୍ଠଭୁମି ସହ ଅନୁପମ ମୁଭି ଦ୍ୱାରା ପ୍ରସ୍ତୁତ ହୋଇଛି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ଦିଲୀପ ପଣ୍ଡା । ବିଭୁତି ଜେନା, ବିବେକ ଓ ଅଭିଷେକ ଜେନା ପ୍ରଯୋଜନା କରିଛନ୍ତି । ସେହିପରି ସଂଳାପ ଡ ରଜନୀ ରଞ୍ଜନ ଲେଖିଥିବା ବେଳେ କାହାଣୀ ଲେଖିଛନ୍ତି ଅନୁପମ ଜେନା । ଦୀପକ କୁମାର ଗୀତ ଲେଖିଛନ୍ତି ।
'ଶମ୍ଭୁ' କାହାଣୀ
ପ୍ରେମ ପ୍ରତାରଣା, ପ୍ରତିଶୋଧ, ସଂଘର୍ଷ,ହିଂସା ,ଅତ୍ୟାଚାର, ଭ୍ରଷ୍ଟାଚାର ଓ ଦୁର୍ନୀତିର ପୃଷ୍ଠଭୂମି ଉପରେ ଫିଲ୍ମଟି ପର୍ଯ୍ୟବେସିତ । ସାମାଜିକ ଜୀବନ ଯାତ୍ରାରେ ଆମ ସହ ଘଟୁଥିବା ଘଟଣାକୁ ନେଇ କାହାଣୀଟି ଗତିଶୀଳ ହୋଇଥିବା ବେଳେ ମଣିଷର ସବୁ ବର୍ଗର ଭାବନାକୁ ଏଥିରେ ଚିତ୍ରିତ କରାଯାଇଛି । ବିଶେଷ କରି ଏହି ଚଳଚିତ୍ରର ସୁଟିଂ ରାଜ୍ୟର ବିଭିନ୍ନ ଐତିହାହସିକ ଓ ମନୋରମ ପର୍ଯ୍ୟଟନ ସ୍ଥଳୀଗୁଡ଼ିକରେ ହୋଇଛି । ଯାହା ଦର୍ଶକଙ୍କୁ ବେଶ ଆକର୍ଷିତ କରିବ । ସୁଟିଂରେ ବିଶେଷକରି କଟକ ସହର ସହ ଅନ୍ୟ ସହରର ଗୁରୁତ୍ୱ ଓ ଐତିହାସିକ ପୃଷ୍ଠଭୁମିକୁ ବହନ କରୁଥିବା ସ୍ଥାନରେ ହୋଇଛି ।
ଏହା ମଧ୍ୟ ପଢନ୍ତୁ: ଜଗନ୍ନାଥ ପ୍ରେମୀଙ୍କ ପାଇଁ ଖୁସି ଖବର, ବାହୁଡ଼ାରେ ଆସୁଛି ଓଡ଼ିଆ ଫିଲ୍ମ 'ନବକଳେବର' ଓ 'ଆଇ ଏମ କାଳିଆ'
ଏହି ଦିନ ପରଦାକୁ ଆସିବ ଫିଲ୍ମ
ଲଭ ଥ୍ରୀଲର ଓ ସସପେନସକୁ ନେଇ ପ୍ରସ୍ତୁତ ହୋଇଛି ଏହି ଫିଲ୍ମ । ବର୍ତ୍ତମାନ ଫିଲ୍ମର ପୋଷ୍ଟର ରିଲିଜ ହୋଇଥିବା ବେଳେ ବଡ ବଜେଟର ଚଳଚିତ୍ରଟି ଲୋକଙ୍କୁ ବେଶ ଭଲ ଲାଗିବ ବୋଲି କହିଛି ପ୍ରଯୋଜନା ସଂସ୍ଥା । ଏହି ଫିଲ୍ମଟି ରଥଯାତ୍ରାରେ ମୁକ୍ତିଲାଭ କରିବ ।
ଇଟିଭି ଭାରତ, ଭୁବନେଶ୍ୱର