ଭୁବନେଶ୍ୱର: ଅକ୍ଷମ ନୁହେଁ ଆମେ ବି ସକ୍ଷମ ଏହି ବାର୍ତ୍ତା ନେଇ ଆୟୋଜିତ ହୋଇଯାଇଛି ଭିନ୍ନକ୍ଷମ ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ଫେଷ୍ଟିଭାଲ । ଏହି ଚଳଚିତ୍ର ମହୋତ୍ସବ ଗୁରୁ କେଳୁଚରଣ ଓଡିଶୀ କେନ୍ଦ୍ରରେ ୨ ଦିନ ହେବ ଆୟୋଜିତ ହେଇଆସୁଛି । ରାଜ୍ୟ ଓ ରାଜ୍ୟ ବାହାରର ବିଭିନ୍ନଭାଷୀର ୧୫୦ ଚଳଚିତ୍ର ଏଥିରେ ପ୍ରଦର୍ଶିତ ହୋଇଥିଲା । ପ୍ରତିଟି କାହାଣୀରେ ଥିଲା ଦିବ୍ୟାଙ୍ଗଙ୍କ ସାମର୍ଥ୍ୟର କାହାଣୀ ଯେଉଁଥିରେ ସାମାଜିକ ବାର୍ତ୍ତା ସହ ରହିଥିଲା ସଚେତନତା ।
ଦିବ୍ୟାଙ୍ଗ ମାନଙ୍କ ସମସ୍ୟା ବିଷୟରେ ଆଲୋକପାତ କରି ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କ ସମ୍ମାନ, ଅଧିକାର ଏବଂ କଲ୍ୟାଣ ପାଇଁ ସମର୍ଥନ ସଂଗ୍ରହ କରିବା ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ମାଧ୍ୟମ ହିଁ ଅନ୍ୟ ଏକ ସର୍ବୋତ୍ତମ ମାଧ୍ୟମ ବୋଲି ଓଡିଶା ରାଜ୍ୟ ସରକାର ମନେକରିଵା ସହିତ ସଚେତନତା ସୃଷ୍ଟି କରିପାରିଵା ପାଇଁ ଏହି ଉତ୍ସବ କରାଯାଇଛି । ରାଜ୍ୟ ସରକାରଙ୍କ ସମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏହା କରୁଥିବା ବେଳେ ଚଳିତବର୍ଷ ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ଫେଷ୍ଟିଭାଲର ଶୀର୍ଷକ ଥିଲା "ସାମର୍ଥ୍ୟ "। ଆୟୋଜକ ଆର ଆର ଇଭେଣ୍ଟସ ଆଣ୍ଡ ସିନେ ପ୍ରଡକସନ ଥିବାବେଳେ କ୍ରିଏଟିଭ ମୁଖ୍ୟ ଅଛନ୍ତି ଶ୍ୟାମା ପ୍ରସାଦ ମିଶ୍ର ।
ସମଗ୍ର ଭାରତରୁ ୧୫୦ ସିନେମାରୁ ମନୋନୀତ ହୋଇଥିବା 71 ଟି ଭିନ୍ନକ୍ଷମଙ୍କ ସଶକ୍ତିକରଣ ସମ୍ପର୍କିତ କ୍ଷୁଦ୍ର ଚଳଚ୍ଚିତ୍ର ବିଚାରକ ମଣ୍ଡଳୀମାନଙ୍କ ଦ୍ୱାରା ସ୍କ୍ରିନିଂ କରାଯାଇ ବିଭିନ୍ନ ବିଭାଗର ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ଚୟନ କରାଯାଇଛି । ଏହି ସିନେମାର ଅବଧି ଦୁଇରୁ ପାଞ୍ଚ ମିନିଟ ପର୍ଯ୍ୟନ୍ତ ରହିଥିବା ବେଳେ ମୁମ୍ବାଇ, କଲିକତା, ଆନ୍ଧ୍ର, ଆସାମ, ହରିୟାଣା ଓ ଓଡିଶାରୁ ଅନେକ ଲବ୍ଧ ପ୍ରତିଷ୍ଠିତ ଏବଂ ଯୁବ ଫିଲ୍ମ ମେକର ମାନେ କ୍ଷୁଦ୍ର ଚଳଚ୍ଚିତ୍ର ମାଧ୍ୟମରେ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିବା ବେଳେ ସମାଜକୁ ନିଜ ସିନେମା ମାଧ୍ୟମ ରେ ଦିଗଦର୍ଶନ ଦେଇଥିଲେ ।
ଏଥିରେ ବେଶ ଜଣାଶୁଣା ଓ ଅଭିଜ୍ଞ ପ୍ରଯୋଜକ ଓ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ସତ୍ୟଜିତ ରାୟ ଫିଲ୍ମ ଆଣ୍ଡ ଟେଲିଭିଜନ ଇନ୍ଷ୍ଟିଚ୍ୟୁଟ ନିର୍ଦେଶକ ହିମାଂଶୁ ଶେଖର ଖଟୁଆ, ନିର୍ଦ୍ଦେଶକ ଗଦାଧର ପୁଟ୍ଟୀ, ଅଭିନେତା ନିର୍ଦ୍ଦେଶକ ଶ୍ରୀତମ ଦାସ, ଅଭିନେତା ନିର୍ଦେଶକ ହରିହର ମହାପାତ୍ର, ନିର୍ଦ୍ଦେଶକ ସୁଶାନ୍ତ ମଣି, ପ୍ରଫେସର ଆଶା ହଂସ ଏବଂ ଚୁମକି ଦତ୍ତ ବିଚାରକ ମଣ୍ଡଳୀ ସଦସ୍ୟ ରହିଥିବା ବେଳେ ଅନେକ ଜାତୀୟ ସ୍ତରର ନିର୍ଦ୍ଦେଶକ ମାନେ ମଧ୍ୟ ଏଥିରେ ଜୁରୀ ରହିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ଓଡ଼ିଆ ଫିଲ୍ମ 'ଡଷ୍ଟବିନ୍' ଅଡିଓ ରିଲିଜ କଲେ ବିଏମସି ମେୟର, ଏହି ଦିନ ପରଦାକୁ ଆସିବ
ହିମାଂଶୁ ଶେଖର ଖଟୁଆ ଜାତୀୟ ପ୍ରତିଯୋଗିତା ପାଇଁ ବିଚାରକ ମଣ୍ଡଳୀ ମୁଖ୍ୟ ରହିଥିବା ବେଳେ ନିର୍ଦେଶକ ସବ୍ୟସାଚୀ ମହାପାତ୍ର ଓଡ଼ିଆ କ୍ଷୁଦ୍ରଚଳଚ୍ଚିତ୍ର ବିଚାରକ ମଣ୍ଡଳୀ ବିଭାଗର ମୁଖ୍ୟ ଅଛନ୍ତି । ମାର୍ଚ୍ଚ ୧୯ ତାରିଖ ଦିନ ଭୁବନେଶ୍ୱରସ୍ଥିତ ଉତ୍କଳ ମଣ୍ଡପ ଠାରେ ବଲିଉଡ ଏବଂ ଓଲିଉଡ଼ ତାରକା ମାନଙ୍କ ମେଳାରେ ଏହି ପୁରସ୍କାର ବିତରଣ କରାଯିବ । ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ଓ ସାମାଜିକ ସଶକ୍ତିକରଣ ବିଭାଗ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ବିଶେଷ ପାରଦର୍ଶିତା ପାଇଁ ଜାତୀୟ ଓ ଓଡ଼ିଆ କ୍ୟାଟେଗୋରିରେ 10 ଲକ୍ଷ ପର୍ଯ୍ୟନ୍ତ ପୁରସ୍କାର ଦିଆଯିବ । ଡ଼ ସ୍ମୃତି ମହାପାତ୍ର ଓ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଏହି ଫେଷ୍ଟିଭାଲର ବ୍ରାଣ୍ଡ ଆମ୍ବାସାଡ଼ର ରହିଛନ୍ତି ।
ଭୁବନେଶ୍ୱର, ଇଟିଭି ଭାରତ