ଭୁବନେଶ୍ୱର: ଚଳିତ ବର୍ଷ ଖାସ୍ ହେବାକୁ ଯାଉଛି ବାହୁଡ଼ା ଯାତ୍ରା । ଏହି ଅବସରରେ ରିଲିଜ ହୋବାକୁ ଯାଉଛି ଦୁଇ ଦୁଇଟି ଓଡ଼ିଆ ଫିଲ୍ମ । ଯାହା ଓଡ଼ିଶାର ଆରଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉପରେ ଆଧାରିତ । ଓଡ଼ିଆ ଫିଲ୍ମ 'ନବକଳେବର' ଓ 'ଆଇ ଏମ୍ କାଳିଆ' ଏହି ଦୁଇଟି ଫିଲ୍ମ ପରଦାକୁ ଆସିବାକୁ ଯାଉଛି । ଫିଲ୍ମର କାହାଣୀ କ'ଣ ଓ କେଉଁ ତାରକା ଆସିବେ ? ଜାଣନ୍ତୁ...
ଓଡ଼ିଆ ଫିଲ୍ମ 'ଆଇ ଏମ୍ କାଳିଆ'
ଓଡ଼ିଆ ଫିଲ୍ମ 'ଆଇ ଏମ୍ କାଳିଆ' ର ପ୍ରଥମ ଲୁକ ରିଲିଜ ହୋଇଛି । ଲୀ ବ୍ଲିଶ ଏଣ୍ଟରଟେନମେଣ୍ଟ ବ୍ୟାନରରେ ପ୍ରସ୍ତୁତ ହୋଇଛି 'ଆଇ ଏମ୍ କାଳିଆ'। ଜୀବନ ଯୌବନ ଓ କାଳିଆର ସମ୍ପର୍କକୁ ନେଇ ଏହି ସିନେମା ପ୍ରସ୍ତୁତ ହୋଇଥିବା ବେଳେ କାଳିଆକୁ ହୃଦୟରୁ ଭଲ ପାଉଥିବା ଏକ ଭକ୍ତର କାହାଣୀ ଏଥିରେ ଚିତ୍ରିତ ହୋଇଛି । ଜୀବନରେ ଯୌବନ ମିଠାଖଟା ସ୍ମୃତି ଭିତରେ ସେଇ ଭକ୍ତ ପରିବାର ପ୍ରେମକୁ ବଡ କରିଛି ନା କାଳିଆ ପ୍ରତି ଥିବା ଭକ୍ତିକୁ ଜୀବନରେ ପାଥେୟ କରି ଆଗକୁ ଚାଲିଛି ତାହାହିଁ ଏଥିରେ ଦର୍ଶାଯାଇଛି ଓ ସେଇଟାହିଁ କାହାଣୀର ଟ୍ଵିଷ୍ଟ ରହିଛି ।
'ଆଇ ଏମ୍ କାଳିଆ' ଷ୍ଟାରକାଷ୍ଟ
ହରିହର ମହାପାତ୍ର ମୁଖ୍ୟ ଚରିତ୍ରରେ ରହିଥିବା ବେଳେ ତାଙ୍କୁ ଏଥିରେ ଭିନ୍ନ ଭିନ ଚରିତ୍ରରେ ଦେଖିବାକୁ ମିଳିବ । ହରିଙ୍କର ମୁଣ୍ଡନ ଓ ସନ୍ଥ ବେଶ ହିଁ କାହାଣୀରେ ଟ୍ଵିଷ୍ଟ ଆଣିଥିବା ବେଳେ କାଳିଆ ପ୍ରତି ଥିବା ପ୍ରତିଟି ଭକ୍ତର ଭାବକୁ ଦର୍ଶାଇଛି । ସୁବାଷ ସାହୁ ପ୍ରଯୋଜିତ "ଆଇ ଏମ୍ କାଳିଆ" ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ରରେ ହରିହର ମହାପାତ୍ର, ରୁଷିଆର ଜଣେ ପ୍ରଖ୍ୟାତ ଥିଏଟର ଅଭିନେତ୍ରୀ ଅନିୟା, ବରିଷ୍ଠ ଅଭିନେତା କୁନା ତ୍ରିପାଠୀ, ଅଭିନେତ୍ରୀ ପୁଷ୍ପା ପଣ୍ଡା, ସାତ୍ତ୍ୱିକ ମିଶ୍ର ଏବଂ ଅନ୍ୟମାନେ ଅଭିନୟ କରିଛନ୍ତି ।
କାହାଣୀ ଡଃ ମୋନାଲିସା ମହାପାତ୍ର ରଚନା କରିଛନ୍ତି । ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ହରିହର ମହାପାତ୍ର ଦେଇଥିବା ବେଳେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାଶ । ସହ-ନିର୍ଦ୍ଦେଶକ ଆଶିଷ ବେହେରା, ଚିତ୍ରଉତ୍ତୋଳନ କରିଛନ୍ତି କାହ୍ନୁ ନନ୍ଦ ଶୁଭମ । ପ୍ରଡ଼କସନ ଡିଜାଇନ ସାରଦା ନାୟକ କରିଥିବା ବେଳେ ଉପଦେଷ୍ଟା ଅଛନ୍ତି ଅମୀୟ ମହାରଣା ରହିଛନ୍ତି । ଶ୍ରୀକ୍ଷେତ୍ର ପୁରୀରେ ସିନେମାଟି ସମ୍ପୂର୍ଣ୍ଣ ସୁଟିଂ ହୋଇଛି।ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ଜଣେ ବିଦେଶିନୀ ଅଭିନେତ୍ରୀଙ୍କୁ ନେଇ ଏହା ଦ୍ବିତୀୟ ଓଡ଼ିଆ ସିନେମା ।
'ଆଇ ଏମ୍ କାଳିଆ' କାହାଣୀ
ଏହା ଭକ୍ତି ଭାବ ରସ ସମ୍ପୂର୍ଣ୍ଣ କାହାଣୀ ନୁହେ ସତ କିନ୍ତୁ ଜଣେ ସାଧାରଣ ଭକ୍ତଟିଏ କେମିତି କାଳିଆ ପ୍ରେମରେ ପଡେ ଓ ତା ଭାବଧାରରେ ତା ଭକ୍ତି ରସରେ ବୁଡି ସବୁ କିଛି ତ୍ୟାଗ କରେ ତାହାହିଁ ଦର୍ଶାଯାଇଛି । ଚଳଚ୍ଚିତ୍ରଟି ସମ୍ପୂର୍ଣ୍ଣ କାଳିଆର ଭାବ ରସରେ ଦର୍ଶକଙ୍କୁ ଭିଜେଇବା ବୋଲି କହିଛନ୍ତି ହରିହର ମହାପାତ୍ର । ତେଣୁ କାଳିଆ ପ୍ରତି ଥିବା ପ୍ରେମ ଭକ୍ତି ଓ ତ୍ୟାଗର ଭାବକୁ ଉଦ୍ରେକ କରୁଥିବା ଏହି ଫିଲ୍ମ 'ଆଇ ଏମ୍ କାଳିଆ' ଚଳଚ୍ଚିତ୍ର ଆସନ୍ତା ବାହୁଡ଼ା ଅବସରରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି । ତେବେ ଆଜିକା ସମୟରେ ମହାପ୍ରଭୁଙ୍କୁ ଖୁବ ଭକ୍ତି କରୁଥିବା, ତାଙ୍କ ପାଇଁ ନିଜକୁ ସମ୍ପୂର୍ଣ୍ଣ ସମର୍ପିତ କରିଦେଇଥିବା ଅନେକ ବ୍ୟକ୍ତି ଆମ ସମାଜରେ ଅଛନ୍ତି, ଯେଉଁମାନେ ଲୋକଲୋଚନକୁ ଆସିପାରନ୍ତି ନାହିଁ । ସେମିତି ଏକ ହୃଦୟସ୍ପର୍ଶୀ ସାମାଜିକ କାହାଣୀକୁ ନେଇ ଗଢି ଉଠିଛି ଓଡ଼ିଆ ସିନେମା 'ଆଇ ଏମ୍ କାଳିଆ' । ଭଗବାନଙ୍କ ପାଖରେ ଭକ୍ତ ହିଁ ସବୁବେଳେ ବଡ଼ ହୋଇଥାନ୍ତି ।
ଏହା ମଧ୍ୟ ପଢନ୍ତୁ: 'ବୋଉ ବୁଟୁ ଭୂତ' ଟ୍ରେଲର ରିଲିଜ, କମେଡ଼ି-ହରର ଥ୍ରୀଲର ସହ ପରଦାକୁ ଫେରୁଛନ୍ତି ବାବୁସାନ
ଓଡ଼ିଆ ଫିଲ୍ମ 'ନବକଳେବର'
ଜୁଲାଇ ୪ ତାରିଖରେ ମୁକ୍ତିଲାଭ କରିବ ଓଡ଼ିଆ ଫିଲ୍ମ 'ନବକଳେବର' । ପ୍ରତି ଓଡ଼ିଆଙ୍କ ପ୍ରାଣର ଠାକୁର ଜଗନ୍ନାଥଙ୍କର ନବକଳେବର କାହିଁକି ହୋଇଥିଲା କେମିତି କରାଯାଇଥିଲା ତାର ଇତିହାସକୁ ନେଇ ଚଳଚିତ୍ର ପ୍ରସ୍ତୁତ ହୋଇଛି । ଯାହାର ନିର୍ଦ୍ଦେଶନା ଦେଇଛନ୍ତି ବିନି ସାମଲ । ବିନି ସାମଲ ପ୍ରାୟ ୩ବର୍ଷ ଧରି ‘ଶ୍ରୀଜଗନ୍ନାଥଙ୍କ ନବକଳେବର' ନିର୍ମାଣରେ ମନୋନିବେଶ କରିଥିଲେ । ଜଗନ୍ନାଥଙ୍କ ମହିମା ଆଧାରିତ ଏହି ବହୁତାରକା ସିନେମା ଜରିଆରେ ନିର୍ଦ୍ଦେଶନା କ୍ୟାରିୟର ଆରମ୍ଭ କରିଛନ୍ତି ବିନି ।
ଏହା ମଧ୍ୟ ପଢନ୍ତୁ: ୪୩ ବର୍ଷର ସଙ୍ଗୀତ ଯାତ୍ରା, ମିଳିନି ସମ୍ମାନ: ପରିଚୟ ଅପେକ୍ଷାରେ ବର୍ଷିୟାନ ଗୀତିକାର
ସାଇ ଶ୍ରଦ୍ଧା ପ୍ରଡକ୍ସନ ବ୍ୟାନରରେ ଏହି ଫିଲ୍ମ ପ୍ରସ୍ତୁତ ହୋଇଥିବା ବେଳେ ଏହାର ପୋଷ୍ଟ ପ୍ରଡକ୍ସନ କାର୍ଯ୍ୟ ଶେଷ ହୋଇଛି । ବଡ ବ୍ୟାନରରେ ଜଗନ୍ନାଥ ସଂସ୍କୃତି ଓ ଇତିହାସର ଅନେକ ଅକୁହା କଥାକୁ ନେଇ ସିନେମାଟି ବାହୁଡ଼ାରେ ପରଦାକୁ ଆସୁଥିବା ବେଳେ ପ୍ରତି ଓଡ଼ିଆଙ୍କ ମନକୁ ଏହା ଛୁଇଁବ ବୋଲି କହିଛନ୍ତି ବିନି ସାମଲ । ଭକ୍ତି ରସ ଭରା ଏହି ଫିଲ୍ମକୁ ପୂର୍ବରୁ ଦର୍ଶକ ନାଟକ ମାଧ୍ୟମରେ ଭଲ ପାଇବା ଦେଇଥିବା ବେଳେ ବଡ କାନଭାସର ପ୍ରସ୍ତୁତ ହୋଇଥିବା ସିନେମା ବି ଭଲ ଲାଗିବ ବୋଲି କହିଛନ୍ତି ।
'ନବକଳେବର' ଷ୍ଟାରକାଷ୍ଟ
ଏଥିରେ ସିଦ୍ଧାନ୍ତ ମହାପାତ୍ର, ଶ୍ରୀତମ ଦାସ, ପିଙ୍କି ପ୍ରଧାନ, ଅଶ୍ରୁମୋଚନ, ସୂର୍ଯ୍ୟମୟୀ, ଜ୍ୟୋତି, ଶିବାନୀ, ଅଂଶୁମାନ, ଦେବୁ ପଟ୍ଟନାୟକ, କେଦାର ମିଶ୍ର ଅଭିନୟ କରିଛନ୍ତି । ପ୍ରିୟଙ୍କା ସାହୁ ଓ କୁନା ତ୍ରିପାଠୀ ପ୍ରମୁଖ ଭୂମିକାରେ ଅଛନ୍ତି । ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାରପ୍ରାପ୍ତ ସାହିତ୍ୟିକ ଶଙ୍କର ତ୍ରିପାଠୀଙ୍କ ଏକ ଚର୍ଚ୍ଚିତ ନାଟକ ଆଧାରରେ ନିର୍ମିତ ହୋଇଥିବା ଏହି ସିନେମାରେ ମଳୟ ମିଶ୍ର ସଂଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ବବି ଇସ୍ଲାମ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି। ଏନେଇ ଭୁବନେଶ୍ବରରେ ଚଳଚ୍ଚିତ୍ର ରିଲିଜ୍ ର ତାରିଖ ଘୋଷଣା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।
ଭୁବନେଶ୍ୱର, ଇଟିଭି ଭାରତ