ହାଇଦ୍ରାବାଦ: ଅଭିନେତ୍ରୀ ହିନା ଖାନ ତୃତୀୟ ପର୍ଯ୍ୟାୟ ସ୍ତନ କର୍କଟ ରୋଗରେ ପୀଡିତ । ଏହାରି ମଧ୍ୟରେ ବର୍ତ୍ତମାନ ହିନା ଖାନ ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେଇଛନ୍ତି । ହିନା ଖାନ ବର୍ତ୍ତମାନ ହାତକୁ ଦି'ହାତ ହୋଇଛନ୍ତି । ସେ ତାଙ୍କର ଦୀର୍ଘକାଳୀନ ପ୍ରେମିକ ରକି ଜୟସୱାଲଙ୍କୁ ବିବାହ କରିଛନ୍ତି । ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏହି ସୂଚନା ଦେଇଛନ୍ତି । ସେ ସୋସିଆଲ ମିଡିଆରେ ନିଜର ଏବଂ ରକି ଜୟସୱାଲଙ୍କ ବିବାହ ଫଟୋ ସେୟାର କରିଛନ୍ତି । ଯାହା ଏବେ ସୋସିଆଲ ମିଡିିଆରେ ଖୁବ ଭାଇରାଲ ହୋଇଛି ।
ବିବାହ କଲେ ହିନା ଖାନ
ତାଙ୍କ ବିବାହ ଫଟୋ ସେୟାର କରି ହିନା ଖାନ ଇନଷ୍ଟାଗ୍ରାମରେ ଲେଖିଛନ୍ତି, 'ଦୁଇଟି ଭିନ୍ନ ଦୁନିଆରୁ, ଆମେ ପ୍ରେମର ଏକ ବ୍ରହ୍ମାଣ୍ଡ ସୃଷ୍ଟି କଲୁ । ଆମର ମତଭେଦ ଦୂର ହୋଇଗଲା, ଆମର ହୃଦୟ ଏକ ହୋଇଗଲାଏବଂ ଏକ ବନ୍ଧନ ସୃଷ୍ଟି ହୋଇଛି ଯାହା ଜୀବନବ୍ୟାପୀ ରହିବ । ଆମେ ଆମର ଘର, ଆମର ଆଲୋକ, ଆମର ଆଶା ଏବଂ ଏକାଠି ଆମେ ସମସ୍ତ ଅସୁବିଧାକୁ ଦୂର କରିବୁ । ଆଜି, ଆମର ମିଳନ ସବୁଦିନ ପାଇଁ ଭଲପାଇବା ଏବଂ ଆଇନରେ ବନ୍ଦା ହୋଇଛି । ପତ୍ନୀ ଏବଂ ସ୍ୱାମୀ ଭାବରେ ଆମେ ଆପଣଙ୍କ ଆଶୀର୍ବାଦ ଏବଂ ଶୁଭକାମନା ଚାହୁଁଛୁ ।'
ତାଙ୍କ ବିବାହ ପାଇଁ, ହିନା ଖାନ ଏକ ଲାଇଟ ଗ୍ରୀନ ରଙ୍ଗର ହ୍ୟାଣ୍ଡଲୁମ୍ ଶାଢ଼ି ପିନ୍ଧିଥିଲେ, ଯେଉଁଥିରେ ଶହ ଶହ ବର୍ଷ ପୁରୁଣା ମୋଟିଫ୍ ସୁନା ଏବଂ ରୂପା ସୂତାରେ ବୁଣାଯାଇଛି । ହିନା ପ୍ରସିଦ୍ଧ ଫ୍ୟାଶନ୍ ଡିଜାଇନର୍ ମନୀଷ ମଲୋହୋତ୍ରାଙ୍କ ଦ୍ୱାରା ଡିଜାଇନ୍ ହୋଇଥିବା ଅଳଙ୍କାର ପିନ୍ଧିଥିବାର ଦେଖାଯାଇଥିଲା । ରକି ବିବାହ ପାଇଁ ମନୀଷ ମଲୋହୋତ୍ରାଙ୍କ ଦ୍ୱାରା ଏକ ହ୍ୱାଇଟ କୁର୍ତ୍ତା ପିନ୍ଧିଥିଲେ । ହିନା ତାଙ୍କ ଦୁପଟାରେ ରକି-ହିନା ମଧ୍ୟ ଲେଖାଥିବା ଦେଖିବାକୁ ମିଳିଛି । ତେବେ ବିବାହର ଫଟୋ ସେୟାର ହେବା ମାତ୍ରେ ଫ୍ୟାନ୍ସ ସମେତ ସେଲିବ୍ରିଟି ଉଭୟଙ୍କ ଶୁଭକାମନା ଜଣାଇଛନ୍ତି ।
ରକି ଜୟସୱାଲ କିଏ ?
ରକି ଜୟସୱାଲ ହିନା ଖାନଙ୍କ କଷ୍ଟକର ସମୟରେ ତାଙ୍କ ସହିତ ଠିଆ ହୋଇଥିଲେ । ରକି ଜୟସୱାଲ, ଯାହାଙ୍କ ପ୍ରକୃତ ନାମ ଜୟନ୍ତ ଜୟସୱାଲ, ଜଣେ ଜଣାଶୁଣା ଟେଲିଭିଜନ ପ୍ରଯୋଜକ ଏବଂ ବ୍ୟବସାୟୀ। ସେ ଅନେକ ଟିଭି ଶୋ’ରେ ପରଦା ପଛରେ କାମ କରି ପ୍ରସିଦ୍ଧି ଅର୍ଜନ କରିଛନ୍ତି । ସେ ହିନାଙ୍କ ସହ ତାଙ୍କ ସମ୍ପର୍କ ପାଇଁ ଶିରୋନାମାରେ ରହିଥିଲେ । ହିନାଙ୍କ ସହ ତାଙ୍କର ପ୍ରେମ କାହାଣୀ 'ୟେ ରିସ୍ତ କ୍ୟା କେହଲାତା ହେ' ସେଟ୍ରେ ଆରମ୍ଭ ହୋଇଥିଲା । ହିନା ଏଥିରେ ଧାରାବାହିକରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ସମୟ ସହିତ, ସେମାନଙ୍କ ସମ୍ପର୍କ ପ୍ରେମରେ ପରିଣତ ହେଲା ଏବଂ ଏହି ଦମ୍ପତି 2017ରେ ନିଜ ସମ୍ପର୍କକୁ ସୁନିଶ୍ଚିତ କରିଥିଲେ ।
ଏହା ମଧ୍ୟ ପଢନ୍ତୁ: ବଲିଉଡ୍ ଷ୍ଟାର୍ ହିନା ଖାନଙ୍କୁ ବ୍ରେଷ୍ଟ କ୍ୟାନ୍ସର, ଆରୋଗ୍ୟ କାମନା କଲେ ସେଲିବ୍ରିଟି-ଫ୍ୟାନ୍ସ
ହିନା ଖାନଙ୍କ ବିଷୟରେ କହିବାକୁ ଗଲେ, ଗତବର୍ଷ ଜୁନ 28ରେ ହିନା ଖାନ ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ଖବର ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ଯାହା ପରେ ତାଙ୍କ ଚିକିତ୍ସା ଜାରି ରହିଥିବା କହିଥିଲେ । ସେ ନିଜ ସ୍ୱାସ୍ଥ୍ୟ ବ୍ୟତୀତ ବ୍ୟକ୍ତିଗତ ନେଇ ସମସ୍ତ ଖବର ସୋସିଆଲ ମିଡିଆରେ ସେୟାର କରିଥାନ୍ତି । ତାଙ୍କ ୱାର୍କପ୍ରଣ୍ଟ ବିଷୟରେ କହିବାକୁ ଗଲେ, 'ୟେ ରିସ୍ତା କ୍ୟା କେହଲତା ହେ' ରେ ଅକ୍ଷରାଙ୍କ ଭୂମିକା ସହ ବେଶ ଲୋକପ୍ରିୟତା ହାସଲ କରିବା ସହ ଘରେ ଘରେ ବେଶ ପରିଚିତ ହୋଇଥିଲେ । ଏଥିସହ ସେ 'କସୋଟି ଜିନ୍ଦଗି କି ୨'ର ଏକ ଅଂଶ ମଧ୍ୟ ଥିଲେ, ଯେଉଁଥିରେ ସେ ଖଳନାୟିକା କୋମୋଲିକା ଭୂମିକାରେ ଅଭିନୟ କରିଥିଲେ । ତେବେ ସେ କିଛି ମାସ ପରେ ସେ ଶୋ' ଛାଡିଦେଇଥିଲେ। ପରେ ତାଙ୍କୁ 'ଖତରୋଁ କେ ଖିଲାଡି' ସିଜନ୍ 8 ଏବଂ 'ବିଗ୍ ବସ୍ 11' ପରି ଟେଲିଭିଜନ ରିଆଲିଟି ଶୋ’ରେ ମଧ୍ୟ ପ୍ରତିଯୋଗୀ ଭାବେ ଦେଖିବାକୁ ମିଳିଥିଲା । ଏଥିସହ ସେ ଅନେକ ମ୍ୟୁଜିକ ଆଲବମରେ ମଧ୍ୟ କାମ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ