
ବଲିଉଡ ମୁଭି ଦହିନୀ ଦ ୱିଚ୍: ଓଡ଼ିଶା କାହାଣୀ, ମୟୂରଭଞ୍ଜରେ ସୁଟିଂ, କ'ଣ ଥିଲା ଚ୍ୟାଲେଞ୍ଜ କହିଲେ ନିର୍ଦ୍ଦେଶକ
'ଦହିନୀ ଦ ୱିଚ୍' ସିଡନୀରେ ସ୍କ୍ରିନିଂ । ଯାହା ମୟୂରଭଞ୍ଜର କାହାଣୀ ହେବା ସହ ସୁଟ୍ ମଧ୍ୟ ଏଇଠି । ଫିଲ୍ମକୁ ନେଇ କେଉଁ ଚ୍ୟାଲେଞ୍ଜ କରିଥିଲେ ସାମ୍ନା, ଇଟିଭି ଭାରତକୁ କହିଲେ ନିର୍ଦ୍ଦେଶକ।

By ETV Bharat Entertainment Team
Published : October 9, 2025 at 5:30 PM IST
ହାଇଦ୍ରାବାଦ: ଧୀରେ ଧୀରେ ଦେଶ ଅଗ୍ରଗତି ହେବାରେ ଲାଗିଛି । ଆଧୁନିକକରଣ ଯୋଗୁଁ ଲୋକଙ୍କ ଜୀବନ ପରିବର୍ତ୍ତନ ହେବାରେ ଲାଗିଲାଣି । ହେଲେ ବି ଆଜି ଅନ୍ଧବିଶ୍ୱାସ ବଶବର୍ତ୍ତୀ ହୋଇ ରହିଛନ୍ତି । କଳା ଯାଦୁ, ଗୁଣି ଗାରେଡି ଓ ଡାହାଣୀ, ଭୂତପ୍ରେତ ଭଳି ପ୍ରଥାକୁ ଆଜି ବି ଲୋକେ ମାନୁଛନ୍ତି । ଯାହା ପାଇଁ ଲୋକେ ରୋଗୀ ଚିକିତ୍ସା ନାଁରେ ଝଡ଼ାଫୁୁଙ୍କା, ଗୁଣିର ବଶବର୍ତ୍ତୀ ହୋଇ ହତ୍ୟାକାଣ୍ଡ ଭଳି ଅନେକ ଘଟଣା ମଧ୍ୟ ଘଟାଉଛନ୍ତି । ତଥାପି ଲୋକଙ୍କ ମନରୁ ଅନ୍ଧବିଶ୍ୱାସର ଏହି ଧାରା ଲିଭୁନାହିଁ । ଓଡ଼ିଶାରେ ମୟୂରଭଞ୍ଜ ସମେତ ଅନେକ ରାଉରକେଲା, ରାୟଗଡ଼ା, କେନ୍ଦୁଝର, ଗଞ୍ଜାମ ଜିଲ୍ଲାରେ ଏଭଳି ଘଟଣାମାନ ସାମ୍ନାକୁ ଆସିଛି । ଏପରି ସମୟରେ ଏହି ଅନ୍ଧବିଶ୍ୱାସର କାହାଣୀକୁ ନେଇ ନିର୍ମିତ ହୋଇଛି 'ଦହିନୀ- ଦ ୱିଚ୍' । ଯାହାକୁ ଜାତୀୟ ପୁରସ୍କାର ବିଜେତା ତଥା ବଲିଉଡ ନିର୍ମାତା ଓ ଓଡ଼ିଆ ଫିଲ୍ମ 'ମାଇଣ୍ଡଗେମ୍' ନିର୍ଦ୍ଦେଶକ ରାଜେଶ ଟଚରିଭର ନିର୍ମାଣ କରିଛନ୍ତି । ଏହି ଫିଲ୍ମ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା ପାଇଥିବା ବେଳେ ଆଜି (ଅକ୍ଟୋବର 9)ରେ ସିଡନୀର ଭାରତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବାକୁ ଯାଉଛି । ଆପଣ ଜାଣନ୍ତି କି, ଏହି ଫିଲ୍ମ ମୟୂରଭଞ୍ଜ ଏକ ଗାଁର ଅଂଶବିଶେଷ ରହିଥିବା ବେଳେ ଜିଲ୍ଲାରେ ହିଁ ସୁଟ କରାଯାଇଛି । ଏଥିସହ ଏଥିରେ ଗାଁର 400 ଲୋକ ଜୁନିଅର କଳାକାର ଭାବେ କାମ କରିଛନ୍ତି । ଯାହା ନିର୍ଦ୍ଦେଶକଙ୍କ ପାଇଁ ଅନେକ ଚ୍ୟାଲେଞ୍ଜିଂ ରହିଥିଲା । ତେବେ ଫିଲ୍ମର କାହାଣୀ କାହାଠାରୁ ଅନୁପ୍ରାଣିତ ଓ ସୁଟିଂ ସମୟରେ କ'ଣ ଚ୍ୟାଲେଞ୍ଜ ସାମ୍ନା କରିଥିଲେ ନିର୍ଦ୍ଦେଶକ ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇଛନ୍ତି ରାଜେଶ ଟଚରିଭର ।

'ଦହିନୀ- ଦ ୱିଚ୍' ଫିଲ୍ମ ଏପର୍ଯ୍ୟନ୍ତ ମୁକ୍ତିଲାଭ କରିନଥିବା ବେଳେ, 'ଦହିନୀ' 2023 ମସିହାରେ ପ୍ୟାସିଫିକ୍ ବିଚ୍ ଅନ୍ତର୍ଜାତୀୟ ମହୋତ୍ସବ (ଯୁକ୍ତରାଷ୍ଟ୍ର) ଏବଂ ଟାଇଟାନ୍ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଅଷ୍ଟ୍ରେଲିଆ)ରେ ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଚର୍ ଫିଲ୍ମ ଜିତିଥିଲା । ଏହି ଫିଲ୍ମ ପୂର୍ବରୁ ସ୍ୱିଡେନ ଏବଂ ସ୍ପେନରେ ପ୍ରଦର୍ଶନ ସମେତ ବିଭିନ୍ନ ମହୋତ୍ସବରେ ପ୍ରଦର୍ଶିତ ହୋଇଥିବା ବେଳେ ଆଜି ସିଡନୀର ଭାରତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବାକୁ ଯାଉଛି । "ଦହିନୀ" ରେ ତନିଷ୍ଠା ଚାଟାର୍ଜୀ, ଜେ.ଡି. ଚକ୍ରବର୍ତ୍ତୀ, ବଦରୁଲ ଇସଲାମ ଏବଂ ଶ୍ରୁତି ଜୟନ ପ୍ରମୁଖ ଭୂମିକାରେ ଅଛନ୍ତି ।

ମୟୂରଭଞ୍ଜର ବାସ୍ତବ ଘଟଣା ଉପରେ ଆଧାରିତ 'ଦହିନୀ- ଦ ୱିଚ୍' କାହାଣୀ
ବାସ୍ତବ ଘଟଣା ଉପରେ ଆଧାରିତ ଏହି ଚଳଚ୍ଚିତ୍ରଟି କିପରି କ୍ଷମତା ସଂଘର୍ଷ ଏବଂ ଅନ୍ଧବିଶ୍ୱାସ ନେଇ ମହିଳାମାନଙ୍କ ବିରୁଦ୍ଧରେ ହିଂସା ହୁଏ ତାହା ଦର୍ଶାଇଛି । ଏହି ଚଳଚ୍ଚିତ୍ରଟି ଡାହାଣୀ ଶିକାରର ଭୟଙ୍କରତାକୁ ଚିତ୍ରଣ କରେ, ଯାହା ଦେଶର ଅନେକ ସ୍ଥାନରେ ଏବେ ବି ରହିଛି । ଏହା ଅନ୍ଧବିଶ୍ୱାସଠାରୁ ଅଧିକ । ଏହି ଚଳଚ୍ଚିତ୍ରଟି ବିଶ୍ୱାସ ଏବଂ ଧର୍ମର ଆବରଣ ତଳେ ବ୍ୟକ୍ତିଗତ ପ୍ରତିଶୋଧ, ନ୍ୟସ୍ତ ସ୍ୱାର୍ଥ, ସମ୍ପତ୍ତି ବିବାଦ ଏବଂ କ୍ଷତ ଅହଂକାର କିପରି ଏପରି ହିଂସାକୁ ପ୍ରୋତ୍ସାହିତ କରିଚାଲିଛି, ବିଶେଷକରି ଅବିବାହିତ, ବିଧବା କିମ୍ବା ଛାଡପତ୍ର ପାଇଥିବା ମହିଳାମାନଙ୍କ ବିରୁଦ୍ଧରେ, ତାହା ଉପରେ ଆଲୋକପାତ କରେ ।

ଇଟିଭି ଭାରତ: କାହିଁକି ଏହି ଫିଲ୍ମ କରିବାକୁ ଆପଣ ଚାହିଁଲେ ?
ଇଟିଭି ଭାରତ ସହ କଥାବାର୍ତ୍ତା କରି ନିର୍ଦ୍ଦେଶକ ରାଜେଶ କହିଛନ୍ତି, ''ପ୍ରଥମେ ମୁଁ ପୀଡିତାମାନଙ୍କ ଉପରେ ହୋଇଥିବା ପ୍ରକୃତ ନିଷ୍ଠୁରତାର 10% ରୁ କମ୍ ପ୍ରଦର୍ଶନ କରିଛି । ଦର୍ଶାଯାଇଥିବା ନିଷ୍ଠୁରତାର ଅଂଶ ନିଶ୍ଚିତ ଭାବରେ ଏହି ବାସ୍ତବତାକୁ ପ୍ରଦର୍ଶିତ କରିବା ଯେ ମଣିଷ ପିଢ଼ି ପରେ ପିଢ଼ି ଧରି ଆସୁଥିବା କିଛି ଭୁଲ ଧାରଣା ଉପରେ ଆଧାରିତ ଅନ୍ୟ ଏକ ମଣିଷ ଉପରେ ହିଂସା ଘଟାଇବାକୁ ସକ୍ଷମ । ଏହାର ପଛରେ, ସର୍ବଦା ଏପରି ଲୋକମାନେ ଥାଆନ୍ତି ଯେଉଁମାନେ ଏପରି ପରିସ୍ଥିତିର ଶୋଷଣ କରନ୍ତି । କେତେବେଳେ ଜମି ପାଇଁ, କେତେବେଳେ ପ୍ରତିଶୋଧ କିମ୍ବା ଆଘାତପ୍ରାପ୍ତ ଅହଂକାର ପାଇଁ । ସ୍ୱଭାବତଃ, ସମାଜ ଓଟପକ୍ଷୀ ଭଳି ଖେଳିବାକୁ ପସନ୍ଦ କରେ ଏବଂ ଆମ ଚାରିପାଖରେ ଥିବା ପ୍ରକୃତ ସମସ୍ୟାଗୁଡ଼ିକୁ କେବେ ସ୍ୱୀକାର କରେ ନାହିଁ । ଲୋକମାନେ ଏକ କାଳ୍ପନିକ ଦୁନିଆରେ ରହିବାକୁ ଭଲ ପାଆନ୍ତି । ଅଧିକାଂଶ ଲୋକପ୍ରିୟ ସିନେମା ଜନସାଧାରଣଙ୍କ ସେହି କଳ୍ପନାକୁ ପୂରଣ କରେ । ମୁଁ ବ୍ୟକ୍ତିଗତ ଭାବରେ ଅନେକ ସାମାଜିକ ବାସ୍ତବତା ଦ୍ୱାରା ଗଭୀର ଭାବରେ ମନ୍ଥନିତ ।"
ଇଟିଭି ଭାରତ: ଏହି ଫିଲ୍ମ କରିବାକୁ କେଉଁଠୁ ହୋଇଥିଲେ ଅନୁପ୍ରାଣିତ ?
ଏନେଇ ସେ କହିଛନ୍ତି, "ଦହିନୀ" ଫିଲ୍ମ କରିବାକୁ ସେତେବେଳେ ଚିନ୍ତା ଆସିଥିଲା ଯେତେବେଳେ ମୁଁ ଓଡ଼ିଶାର ଜଣେ ପୋଲିସ ଅଧିକାରୀଙ୍କୁ ଏକ ଡାଏନୀ ଶିକାର ମାମଲା ବିଷୟରେ କଥାବାର୍ତ୍ତା କରୁଥିବା ଶୁଣିଥିଲେ । ସେହି ଗୋଟିଏ କଲ୍ ମୋତେ ହଇରାଣ କରିଥିଲା । କିନ୍ତୁ ମୁଁ ମହାମାରୀ ପରେ ହିଁ ଚଳଚ୍ଚିତ୍ରଟି ତିଆରି କରିପାରିଲି । ଏହା ଏକ ସମସ୍ୟା ଦ୍ୱାରା ବିଚଳିତ ହେବା ଅପେକ୍ଷା ଅଧିକ କିଛି କରେ । ଆପଣଙ୍କୁ ବିପଦ ନେବାକୁ ଇଚ୍ଛୁକ ଜଣେ ପ୍ରଯୋଜକ ମଧ୍ୟ ଆବଶ୍ୟକ । କେତେକ ସମୟରେ ଏଥିପାଇଁ ବର୍ଷ ବର୍ଷ ଲାଗିଯାଏ । କହିରଖୁଛୁ କି, "ଦହିନୀ" ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ସୁନିତା କୃଷ୍ଣନ ଏବଂ ପ୍ରଦୀପ ନାରାୟଣନଙ୍କ ଦ୍ୱାରା ପ୍ରଯୋଜିତ ।

ଏହା ମଧ୍ୟ ପଢନ୍ତୁ: କୋରାପୁଟରେ ତେଲୁଗୁ ଫିଲ୍ମ 'SSMB29' ସୁଟିଂ, ଓଡ଼ିଶା ଟୁରିଜିମକୁ ପ୍ରୋତ୍ସାହନ ଦେବ କହିଲେ ପ୍ରଭାତି ପରିଡା
ମୟୂରଭଞ୍ଜରେ ସୁଟିଂ କରିବା କେତେ ରହିଥିଲା ଚ୍ୟାଲେଞ୍ଜ ?
ମୟୂରଭଞ୍ଜରେ ଫିଲ୍ମର ସୁଟିଂ ପାଇଁ ନିଜସ୍ୱ ଚ୍ୟାଲେଞ୍ଜ ଆସିଥିଲା । ଟିମ୍ ସେହି ଗ୍ରାମଗୁଡ଼ିକରେ କାମ କରିଥିଲେ ଯେଉଁଠାରେ ପ୍ରକୃତରେ ଡାହାଣୀ-ଶିକାର ଘଟିଥିଲା ଏବଂ 400 ରୁ ଅଧିକ ସ୍ଥାନୀୟ ଗ୍ରାମବାସୀ ସହ କଳାକାର ଭାବେ ଏଥିରେ ଅଂଶ ହୋଇଥିଲେ । ରାଜେଶ କହିଛନ୍ତି,''ଆମେ ସେମାନଙ୍କୁ ଏପରି ଅଭ୍ୟାସର ନିରର୍ଥକତା ବୁଝିବାରେ ସାହାଯ୍ୟ କରିବା ପାଇଁ କର୍ମଶାଳା ଆୟୋଜନ କରିଥିଲୁ । ସେମାନଙ୍କ ମଧ୍ୟରୁ ଅନେକ ବିଶ୍ୱାସୀ ହୋଇଥିଲେ ଏବଂ ଫିଲ୍ମରେ ଅଂଶଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲେ । ସେମାନଙ୍କ ସମ୍ପୃକ୍ତି ଆମକୁ ସୁରକ୍ଷାର ଭାବନା ଦେଇଥିଲା । ତଥାପି, ସମସ୍ତେ ଏହି ପ୍ରକଳ୍ପକୁ ସ୍ୱାଗତ କରିନଥିଲେ । "ଏପରି କିଛି ଲୋକ ଥିଲେ ଯେଉଁମାନେ ଆମକୁ ବିରୋଧ କରିଥିଲେ ଏବଂ ସୁଟିଂରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେହି 400 ଜଣ ଗାଁ ଲୋକ ଆମ ସହିତ ଠିଆ ହୋଇଥିଲେ । ବାର୍ତ୍ତାରେ ବିଶ୍ୱାସ କରିବା ବ୍ୟତୀତ, ସେମାନେ ଜୁନିଅର କଳାକାର ଭାବରେ କାମ କରିଥିଲେ, ଯାହା ଆମ ପାଇଁ ସାହାଯ୍ୟ ହୋଇଥିଲା ।''
ଏହା ମଧ୍ୟ ପଢନ୍ତୁ: ଲାଇଟ୍, କ୍ୟାମେରା, ଆକ୍ସନ ପରେ ଭଲିବଲ୍, ଚର୍ଚ୍ଚାରେ ନିର୍ଦ୍ଦେଶକ ରାଜାମୌଲି

କହିରଖୁଛୁ କି, ଏହି ଫିଲ୍ମ ଦର୍ଶକଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ କରିବ । ରିପୋର୍ଟ ଅନୁସାରେ, ଫିଲ୍ମ ପାଇଁ ଅନୁସନ୍ଧାନ କରିବା ସମୟରେ, ଲେଖା ବିଭାଗ ବିଭିନ୍ନ ତଥ୍ୟ ଜାଣି ଆଶ୍ଚର୍ଯ୍ୟ ହୋଇଯାଇଥିଲା । ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (NCRB) ଅନୁଯାୟୀ, 2001 ରୁ 2019 ମଧ୍ୟରେ ଭାରତରେ ପ୍ରାୟ 2937 ମହିଳାଙ୍କୁ କଳାଯାଦୁ କରୁଥିବା ସନ୍ଦେହରେ ହତ୍ୟା କରାଯାଇଥିଲା । କେବଳ 2019 ବର୍ଷରେ, 102 ଜଣଙ୍କୁ ହତ୍ୟା କରାଯାଇଥିଲା । ତଥାପି, କେବଳ 6 ଟି ରାଜ୍ୟରେ ଏପରି ନିର୍ଦ୍ଦିଷ୍ଟ ଆଇନ ଅଛି ଯାହା ପୋଲିସକୁ ହତ୍ୟାର ଉଦ୍ଦେଶ୍ୟ ଭାବରେ ଡାହାଣୀ ପ୍ରଥା ଉଲ୍ଲେଖ କରିବାକୁ କ୍ଷମତା ଦେଇଥାଏ, ଯେତେବେଳେ 17 ରୁ ଅଧିକ ରାଜ୍ୟରେ ଡାହାଣୀ-ଶିକାର ପରିଲକ୍ଷିତ ହୁଏ । ଏହା ସ୍ପଷ୍ଟ ଯେ ମାମଲାଗୁଡ଼ିକର ପ୍ରକୃତ ସଂଖ୍ୟା ରିପୋର୍ଟ କରାଯାଇଥିବା ସଂଖ୍ୟା ଅପେକ୍ଷା ବହୁତ ଅଧିକ ହୋଇପାରେ ।
ଏହା ମଧ୍ୟ ପଢନ୍ତୁ: ଓଡ଼ିଶାରେ ଗୁଣିଗାରେଡି: 2022ରେ ଅଧିକ ମାମଲା, ମୟୂରଭଞ୍ଜରେ ସର୍ବାଧିକ

ସରକାରୀ ତଥ୍ୟ ଅନୁଯାୟୀ, ଡାହାଣୀ ସନ୍ଦେହରେ ପ୍ରତିଦିନ ଜଣେ ଭାରତୀୟ ମହିଳାଙ୍କୁ ହତ୍ୟା କରାଯାଉଛି । ଓଡ଼ିଶା ହାଇକୋର୍ଟଙ୍କ ରିପୋର୍ଟ ଅନୁଯାୟୀ, କେବଳ ୨୦୨୧ ମସିହାରେ ଓଡ଼ିଶାରେ ଡାହାଣୀ ନାମରେ ପ୍ରତି ମାସରେ ୪ ଜଣ ମହିଳାଙ୍କୁ ହତ୍ୟା କରାଯାଇଥିଲା । ଜାତିସଂଘର ଏକ ରିପୋର୍ଟ ଅନୁଯାୟୀ, ୧୯୮୭-୨୦୦୩ ମଧ୍ୟରେ ଭାରତରେ ଡାହାଣୀ ନାମରେ ୧୬ ବର୍ଷରୁ କମ୍ ସମୟ ମଧ୍ୟରେ ୨୫,୦୦୦ରୁ ଅଧିକ ମହିଳାଙ୍କୁ ହତ୍ୟା କରାଯାଇଥିଲା। ଏହି ମହିଳାମାନଙ୍କ ମଧ୍ୟରୁ ଅଧିକାଂଶ ଅବିବାହିତ ମହିଳା କିମ୍ବା ବିଧବା ଥିଲେ ।

