ହାଇଦ୍ରାବାଦ: ଇନ୍ଦୋରର ରାଜା ରଘୁବଂଶୀ ହତ୍ୟା ମାମଲା ସାରା ଦେଶକୁ ଥରାଇ ଦେଇଛି । ରାଜାଙ୍କ ବିବାହକୁ ଗୋଟିଏ ମାସ ବି ପୂରିନଥିଲା ତାଙ୍କ ଦତ୍ୟାର ଖବର ସାମ୍ନାକୁ ଆସିଥିଲା । ଘଟଣା ପଛରେ ତାଙ୍କ ପତ୍ନୀ ସୋନମଙ୍କ ହାତ ରହିଥିବା ବେଳେ ସିଲଂରେ ହନିମୁନ ସମୟରେ ଏକ କଣ୍ଟ୍ରାକ୍ଟ କିଲର ଦ୍ୱାରା ହତ୍ୟା କରାଇଥିବା ଜଣାପଡିଛି । ଏହି ଘଟଣା ପାଇଁ ସାରା ଦେଶ ଆଶ୍ଚର୍ଯ୍ୟ ହୋଇଛି । ଏବେ ଘଟଣାରେ ବଲିଉଡ ଅଭିନେତ୍ରୀ ଏବଂ ସାଂସଦ କଙ୍ଗନା ରାଣାୱତ ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି । କଙ୍ଗନା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରି ଖୁବ ବର୍ଷିଛନ୍ତି ।

କଙ୍ଗନା ରାଣାୱତଙ୍କ ପ୍ରତିକ୍ରିୟା
କଙ୍ଗନା ରାଜନୈତିକ ଏବଂ ସାମାଜିକ ପ୍ରସଙ୍ଗରେ ନିଜର ମତ ରଖିବାରେ ପଛରେ ନାହାନ୍ତି । ଅଭିନେତ୍ରୀ ରାଜା ରଘୁବଂଶୀ ହତ୍ୟା ମାମଲାରେ ଲେଖିଛନ୍ତି, 'ଏହା କେତେ ଅବାସ୍ତବ ଯେ ଜଣେ ଝିଅ ତାଙ୍କ ପିତାମାତାଙ୍କ ଭୟରେ ବିବାହକୁ ମନା କରିପାରୁନାହିଁ, କିନ୍ତୁ ସେହି ମହିଳା ଜଣେ କଣ୍ଟ୍ରାକ୍ଟ କିଲର ଦେଇ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରାଇପାରନ୍ତି । ଏହି ମାମଲା ମୋ ମନରୁ ଯାଉନାହିଁ, ମୂର୍ଖ ଲୋକମାନେ ସମାଜ ପାଇଁ ବିପଦ ।'
ଅଭିନେତ୍ରୀ ଆହୁରି ଲେଖିଛନ୍ତି, 'କ'ଣ ସେ ମହିଳା ଜଣକ ଛାଡପତ୍ର ନେଇପାରିନଥାନ୍ତେ କିମ୍ବା ସେ ତାଙ୍କ ପ୍ରେମିକଙ୍କ ସହ ପଳାଇ ଯାଇପାରିନଥାନ୍ତେ କି? ଏସବୁ କେତେ ନିଷ୍ଠୁର, ଘୃଣ୍ୟ ଏବଂ ମୂର୍ଖତାପୂର୍ଣ୍ଣ । ମୂର୍ଖ ଲୋକଙ୍କୁ କେବେବି ହାଲୁକା ଭାବରେ ନିଆଯିବା ଉଚିତ୍ ନୁହେଁ, ସେମାନେ ସମାଜ ପାଇଁ ସବୁଠାରୁ ବଡ଼ ବିପଦ । ଆମେ ମୂର୍ଖ ଲୋକଙ୍କ ଉପରେ ହସିଥାଉ ଏହା ଆମର କ'ଣ କ୍ଷତି କରିବ, ମୂର୍ଖ ଏବଂ ବୁଦ୍ଧିମାନ ଲୋକ ଉଭୟ ବିପଦରୁ ମୁକ୍ତ ନୁହଁନ୍ତି, କେବଳ ପାର୍ଥକ୍ୟ ହେଉଛି ଜଣେ ମୂର୍ଖ ଜାଣିପାରେ ନାହିଁ ଯେ ସେ କ'ଣ କରେ । ଦ୍ୱିତୀୟତଃ, ମୂର୍ଖମାନଙ୍କଠାରୁ ଦୂରରେ ରୁହନ୍ତୁ ।'
ଏହା ମଧ୍ୟ ପଢନ୍ତୁ: ମେଘାଳୟ ହନିମୁନ ମର୍ଡର ମିଷ୍ଟ୍ରିର ଖୁଲାସା, ସ୍ୱାମୀଙ୍କୁ ହତ୍ୟା ପାଇଁ ସୁପାରୀ ଦେଇଥିଲେ ସ୍ତ୍ରୀ !
ରାଜା ରଘୁବଂଶୀଙ୍କୁ କାହିଁକି କରାଯାଇଥିଲା ହତ୍ୟା?
29 ବର୍ଷୀୟ ରାଜା ରଘୁବଂଶୀ ବିବାହର କିଛି ଦିନ ପରେ ମେଘାଳୟର ସିଲଂକୁ ପତ୍ନୀ ସୋନମଙ୍କ ସହ ହନିମୁନ୍ ପାଇଁ ଯାଇଥିଲେ । ରାଜାଙ୍କ ପତ୍ନୀ ସୋନମ ତାଙ୍କ ପ୍ରେମିକ ଏବଂ ଅନ୍ୟ ଦୁଇଜଣଙ୍କ ସହ ତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲେ । ମେ 23 ତାରିଖରୁ ନିଖୋଜ ହୋଇଯାଇଥିଲେ ଉଭୟ । ଜୁନ 2 ତାରିଖରେ ରାଜାଙ୍କ ମୃତଦେହ ଏକ ଘାଟିରୁ ଉଦ୍ଧାର କରାଯାଇଥିବା ବେଳେ ସ୍ତ୍ରୀ ସୋନମ ନିଖୋଜ ରହିଥିଲେ । ଘଟଣାର କିଛି ଦିନ ପରେ ଉତ୍ତରପ୍ରଦେଶରୁ ଧରାପଡ଼ିଥିଲେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ରଘୁବଂଶୀଙ୍କ ପତ୍ନୀ ଏବଂ 3 ଅଭିଯୁକ୍ତ । ସମସ୍ତ ଅଭିଯୁକ୍ତଙ୍କୁ ଏବେ ସିଲଂ ନେଇ ଅଧିକ ତଦନ୍ତ କରିବ ପୋଲିସ ସେପଟେ ଏହି ଚାଞ୍ଚଲ୍ୟକର ଘଟଣାର ମଧ୍ୟରେ, ରାଜା ଏବଂ ସୋନମଙ୍କ ବିବାହର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ