ହାଇଦ୍ରାବାଦ: ରଜରେ ହେବ ଧମାକା । 'ବୋଉ ବୁଟୁ ଭୂତ' ସହ ପୁଣି ପରଦାକୁ ଫେରୁଛନ୍ତି ଓଡ଼ିଆ ଅଭିନେତା ବାବୁସାନ ମହାନ୍ତି । ଏହି ଫିଲ୍ମ ହରର ଥ୍ରୀଲର ସହ କମେଡ଼ି ରହିଛି । ନିକଟରେ ଫିଲ୍ମର ଟିଜର, ଗୀତ ରିଲିଜ ହୋଇଥିବା ବେଳେ ଫ୍ୟାନ୍ସ ଫିଲ୍ମ ଦେଖିବାକୁ ଉତ୍ସାହିତ ହୋଇଥିଲେ । ବର୍ତ୍ତମାନ ଏହି ଉତ୍ସାହକୁ ଦ୍ୱିଗୁଣିତ କରିବାକୁ ଫିଲ୍ମର ଟ୍ରେଲର ରିିଲିଜ କରିଛନ୍ତି ନିର୍ମାତା । ଯାହା ଲୋକଙ୍କୁ ବେଶ ପସନ୍ଦ ଆସିଛି ।କିଛି ସେକେଣ୍ଡରେ ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ବୋଉ ବୁଟୁ ଭୂତ ଟ୍ରେଲର
ୟୁଟ୍ୟୁବରେ ସେୟାର ହୋଇଥିବା 3.08 ସେକେଣ୍ଡର ଟ୍ରେଲର ଦମଦାର ରହିଛି । ଯେଉଁଥିରେ ସମସ୍ତ ଷ୍ଟାରକାଷ୍ଟଙ୍କ ଝଲକ ଦେଖିବାକୁ ମିଳିଛି । ଏହା ସେୟାର କରି ନିର୍ମାତା କ୍ୟାପସନରେ ଲେଖିଛନ୍ତି, ବାବୁଶାନ ମହାନ୍ତି, ଅର୍ଚ୍ଚିତା ସାହୁ ଏବଂ ଅପରାଜିତା ମହାନ୍ତିଙ୍କ ଅଭିନୟରେ "ବୋଉ ବଟୁ ଭୁତ"ର ଅଫିସିଆଲ୍ ଟ୍ରେଲର ଉପସ୍ଥାପନ କରାଯାଉଛି । ଏକ କାହାଣୀର ସାକ୍ଷୀ ହୁଅନ୍ତୁ ଯେଉଁଠାରେ ଭାବନା ଭୟଙ୍କର ସହିତ ମିଶିଥାଏ ଏବଂ ନାଟକ ମନୋରଞ୍ଜନ ସହିତ ମିଶିଥାଏ । ଆଗାମୀ ହରର ବ୍ଲକବଷ୍ଟର ବିଷୟରେ ଅଧିକ ଅପଡେଟ୍ ପାଇଁ ଆମ ସହିତ ରୁହନ୍ତୁ ।'
ଫିଲ୍ମର ଟ୍ରେଲର କେମିତି ରହିଛି ?
ଟ୍ରେଲରର ଆରମ୍ଭରେ ଅପରାଜିତା ମହାନ୍ତିଙ୍କୁ ଦେଖିବାକୁ ମିଳିଛି । ଯିଏ ଗାଁରେ ଭୂତ ଆସୁଥିବା ଲୋକଙ୍କୁ ବଞ୍ଚାଇଥାନ୍ତି । ଏହା ପରେ ବାବୁସାନଙ୍କ ଏଣ୍ଟ୍ରି ହୁଏ ଯିଏ ଅପରାଜିତାଙ୍କ ପୁଅ ଅଟନ୍ତି । ପରେ ଅର୍ଚ୍ଚିତାଙ୍କ ସହ ତାଙ୍କ ରୋମାନ୍ସ ଦେଖିବାକୁ ମିଳେ । ଏହା ପରେ ଅର୍ଚ୍ଚିତାଙ୍କ ବାପା ବାବୁସାନଙ୍କ ସହ ତାଙ୍କ ବାହାଘର ପାଇଁ ମନା କରନ୍ତି । ଏପରିକି ଗାଁ ଲୋକେ ମଧ୍ୟ ମା ଓ ପୁଅକୁ ତାଗିଦ କରନ୍ତି । ଯାହା ପରେ ବାବୁସାନ ନିଜ ମାଆଙ୍କ ଯୁକ୍ତି କରନ୍ତି ଏବଂ ଘର ଛାଡ଼ି ପଳାଇଯାଆନ୍ତି । ଯାହା ପରେ ଗାଁରେ କିଛି ଏମିତି ଘଟଣା ଘଟେ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ । ଶେଷରେ ବାବୁସାନ କୁହନ୍ତି ମୁଁ କାହାକୁ ମାରିନି । ତେବେ ଏହି ସସପେନ୍ସ ହରର ଥ୍ରୀଲର ଫିଲ୍ମ ବେଶ ମଜାଦାର ରହିଥିବା ବେଳେ ଦର୍ଶକଙ୍କୁ କେତେ ଆକୃଷ୍ଟ କରିବ ତାହା ଦେଖିବାକୁ ବାକି ରହିଲା ।
ଏହା ମଧ୍ୟ ପଢନ୍ତୁ: ସବ୍ୟସାଚୀଙ୍କ ଫିଲ୍ମ 'ଅନନ୍ତା'କୁ ମିଳିଲା 'U' ସାର୍ଟିଫିକେଟ, ଏହି ଦିନ ପରଦାକୁ ଆସିବ
ଏହି ଦିନ ପରଦାକୁ ଆସୁଛି ଫିଲ୍ମ
ଅଭିନେତା ବାବୁସାନ ମହାନ୍ତି, ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କ ବ୍ୟତୀତ ସ୍ୱର୍ଗତ ଅଭିନେତା ତଥା ବାପା ଉତ୍ତମ ମହାନ୍ତିଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ଅଭିନେତ୍ରୀ ଅର୍ଚ୍ଚିତା ମହାନ୍ତି ନଜର ଆସିବେ । 'ଅଜବ ସଞ୍ଜୁର ଗଜବ ଲଭ', 'ଚକୋଲେଟ', 'ଲୋଫର', 'ଠୁକୁଲ' ପରେ ଏହି ଯୋଡ଼ି ପୁଣି ଥରେ ଏହି ଫିଲ୍ମରେ 5ମ ଥର ପାଇଁ ଏକାଠି ନଜର ଆସିବେ । ଦର୍ଶକ ଏହି ଯୋଡ଼ିକୁ ବେଶ ପସନ୍ଦ କରୁଥିବା ବେଳେ ପୁଣି ପରଦାରେ ଉଭୟଙ୍କ କେମେଷ୍ଟ୍ରି ଦେଖିବାକୁ ମିଳିବ । ନିକଟରେ ଫିଲ୍ମର ରୋମାଣ୍ଟିକ ଗୀତ 'ଓଦା ଲାଗେ' ଓ ଆଇଟମ ଗୀତ 'ଡୁଙ୍ଗୁଥିଲି' ରିଲିଜ ହୋଇଥିଲା । ଯାହା ବର୍ତ୍ତମାନ ଟ୍ରେଣ୍ଡିଂରେ ରହିଛି । ତେବେ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ଜଗଦୀଶ ମିଶ୍ର ଓ ପ୍ରଯୋଜନା କରିଛନ୍ତି ଅଭିନେତାଙ୍କ ସ୍ତ୍ରୀ ତୃପ୍ତୀ ମହାନ୍ତି । ଏହି ଫିଲ୍ମ ରଜ ଅବସରରେ ଜୁନ 12ରେ ରିଲିଜ ହେବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ