ETV Bharat / entertainment

71ତମ ଜାତୀୟ ପୁରସ୍କାର; ସାତଭାୟାବାସୀଙ୍କୁ ଶ୍ରେୟ ଦେଲେ ହିମାଂଶୁ, 'ଭୁଲିହେବନି ଅନୁଭୂତି' କହିଲେ ସବ୍ୟ

'ପୁଷ୍କରା ଓ ଦ ସି ଆଣ୍ଡ୍‌ ସେଭେନ୍‌ ଭିଲେଜେସ୍‌'କୁ ଜାତୀୟ ଫିଲ୍ମ ପୁରସ୍କାର । ଅଭିନେତା ସବ୍ୟସାଚୀ ମିଶ୍ର ଓ ନିର୍ମାତା ହିମାଂଶୁ ଖଟୁଆ ରଖିଲେ ପ୍ରତିକ୍ରିୟା ।

71ତମ ଜାତୀୟ ପୁରସ୍କାର
71ST NATIONAL FILM AWARD (ETV Bharat Odisha)
author img

By ETV Bharat Entertainment Team

Published : August 2, 2025 at 12:52 PM IST

2 Min Read
Choose ETV Bharat

ଭୁବନେଶ୍ୱର: ଓଡ଼ିଆ ଇଣ୍ଡଷ୍ଟ୍ରି ପାଇଁ ଗର୍ବ । ଚଳିତ ଥର 71ତମ ଜାତୀୟ ପୁରସ୍କାର ହାସଲ କରିଛନ୍ତି 3ଟି ଓଡ଼ିଆ ଫିଲ୍ମ । ଗତକାଲି (ଅଗଷ୍ଟ 1)ରେ 71ତମ ଜାତୀୟ ପୁରସ୍କାର ଘୋଷଣା ହୋଇଥିଲା । ଯେଉଁଥିରେ 'ପୁଷ୍କରା', 'ଦ ସି ଆଣ୍ଡ ସେଭନ ଭିଲେଜେସ୍' ଓ 'ମୋ ବୋଉ-ମୋ ଗାଁ' ନାଁ ବି ମନୋନୀତ ହୋଇଛି । ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ 'ପୁଷ୍କରା' ଜାତୀୟ ପୁରସ୍କାର ହାତେଇଥିବା ବେଳେ 'ଦ ସି ଆଣ୍ଡ ସେଭନ ଭିଲେଜେସ୍' ନନ ଫିଚର ଫିଲ୍ମ (non feature film, special mention) ଏବଂ 'ମୋ ବୋଉ, ମୋ ଗାଁ' (non feature film, best biographical/ historical reconstruction/complication film) ପାଇଁ ପାଇବ ଜାତୀୟ ପୁରସ୍କାର । ଏଥିସହ ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ର ମଧ୍ୟ ଜୁରୀ ସଦସ୍ୟା ଭାବେ ଜାତୀୟ ପୁରସ୍କାର ପାଇବେ । ଯାହାକୁ ନେଇ ବର୍ତ୍ତମାନ ପ୍ରତିକ୍ରିୟା ରଖିଛନ୍ତି ସବ୍ୟସାଚୀ ମିଶ୍ର ଓ ହିମାଂଶୁ ଖଟୁଆ ।

SABYASACHI MISHRA ON NATIONAL AWARD (ETV Bharat Odisha)

ସବ୍ୟସାଚୀ ମିଶ୍ରଙ୍କ ପ୍ରତିକ୍ରିୟା

ସବ୍ୟସାଚୀ ମିଶ୍ର ଅଭିନୀତ 'ପୁଷ୍କରା' ସେପ୍ଟେମ୍ୱର 19, 2023ରେ ରିଲିଜ ହୋଇଥିଲା । ଶଙ୍କର ତ୍ରିପାଠୀଙ୍କ ରଚିତ ଓଡ଼ିଆ ଉପନ୍ୟାସ 'ନାଦ ବିନ୍ଦୁ'ରୁ ପ୍ରସ୍ତୁତ ହୋଇଛି ଚଳଚିତ୍ର ପୁଷ୍କରା । ଏହି ଫିଲ୍ମର କାହାଣୀ ଏବଂ ସଂଳାପ ମଧ୍ୟ ଶଙ୍କର ତ୍ରିପାଠୀ ଲେଖିଥିବା ବେଳେ ଶୁଭ୍ରାଂଶୁ ଦାସ ନିର୍ଦ୍ଦେଶନା ଦେଇଥିଲେ । ଏହି ଫିଲ୍ମ ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ଜାତୀୟ ପୁରସ୍କାର ହାତେଇଛି । ଯାହାକୁ ନେଇ ଦର୍ଶକ ସମେତ ଫିଲ୍ମର ସମସ୍ତ ଟିମକୁ ଶ୍ରେୟ ଦେଇଛନ୍ତି ସବ୍ୟସାଚୀ ମିଶ୍ର । ଏଥିସହ ସେ କହିଛନ୍ତି ଏହା ମୋ ଜୀବନର ପ୍ରଥମ ଜାତୀୟ ପୁରସ୍କାର, ଏହା ଏକ ଏମିତି ଅନୁଭୂତି ଯାହା ମୁଁ ଭୁଲିପାରିବି ନାହିଁ । ତେଣୁ ମୁଁ ବେଶ ଖୁସି ହେବା ସହ ଓଡ଼ିଆ ଚଳଚିତ୍ରକୁ ନୂଆ ଧାରାରେ ଆଗେଇ ନେବାର ଦାୟିତ୍ୱ ବଢ଼ିଛି ବୋଲି କହିଛନ୍ତି । ଆମ ପରମ୍ପରା ଓ ଆମ ସଂସ୍କୃତିକୁ ନେଇ ପ୍ରସ୍ତୁତ ଚଳଚିତ୍ର ଆଜି ଜାତୀୟ ପୁରସ୍କାର ପାଇବାକୁ ଯାଉଥିବା ବେଳେ ଏହା ମତେ ମଣିଷ ଜୀବନର ମୂଲ୍ୟବୋଧ ଶିଖାଇଛି ।

himanshu khatua on national award (ETV Bharat Odisha)

ହିମାଂଶୁ ଖଟୁଆଙ୍କ ପ୍ରତିକ୍ରିୟା

'ଦ ସି ଆଣ୍ଡ ସେଭନ ଭିଲେଜେସ୍'କୁ ଚଳଚ୍ଚିତ୍ର ନିର୍ମାତା ତଥା ଜାତୀୟ ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ହିମାଂଶୁ ଖଟୁଆ ନିର୍ଦ୍ଦେଶନା ଦେଇଥିବାବେଳେ ପ୍ରଯୋଜନା କରିଛନ୍ତି କାଦମ୍ବିନୀ ମିଡ଼ିଆର ସମ୍ପାଦିକା ଡକ୍ଟର ଇତି ସାମନ୍ତ । ପୂର୍ବରୁ ହିମାଂଶୁ ଫିଲ୍ମ 'ଶୂନ୍ୟସ୍ଲରୂପ' ପାଇଁ ଜାତୀୟ ପୁରସ୍କାର ପାଇଥିଲେ । ତେବେ ଏହା ତାଙ୍କର ଦ୍ୱିତୀୟ ଜାତୀୟ ପୁରସ୍କାର । ତେବେ ଫିଲ୍ମର ସଫଳତା ନେଇ ସେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ''ଏହି ସଫଳତାର ଶ୍ରେୟ ମୁଁ ସାତବାୟାବାସୀଙ୍କୁ ଦେବାକୁ ଚାହୁଁଛି । ଯେଉଁମାନଙ୍କର ସଂଘର୍ଷର କାହାଣୀ ଆମେ ଡକ୍ୟୁମେଣ୍ଟାରୀ ମାଧ୍ୟମରେ ଲୋକ ଲୋଚନକୁ ଆଣିଛୁ । ଅନ୍ୟମାନେ ଯେଉଁମାନେ ବି ଜାତୀୟ ପୁରସ୍କାର ପାଇଛନ୍ତି । ତାଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି । ଓଡ଼ିଆ ଇଣ୍ଡଷ୍ଟ୍ରିର ମେରୁଦଣ୍ଡ ଧୀରେ ଧୀରେ ଠିଆ ହେଲାଣି । ବର୍ତ୍ତମାନ ଗୌରବର କଥା ଯେ ପୂର୍ବରୁ ଜାତୀୟ ପୁରସ୍କାର ରେସରେ ଓଡ଼ିଆ ଫିଲ୍ମଗୁଡ଼ିକ କାଁ ବାଁ ରହିଥିଲା କିନ୍ତୁ ବର୍ତ୍ତମାନ ଅନେକ ଫିଲ୍ମ ଜାତୀୟ ପୁରସ୍କାର ପାଉଛି । ଆଗକୁ ମଧ୍ୟ ଏଭଳି ଫିଲ୍ମ କରି ଲୋକଲୋଚନକୁ ଆଣିବାର ଯୋଜନା ରହିଛି ।''

Prakruti Mishra
Prakruti Mishra (ETV Bharat Odisha)

ଏହା ମଧ୍ୟ ପଢନ୍ତୁ: 'ପୁଷ୍କରା'କୁ ଶ୍ରେଷ୍ଠ ଫିଚର ଫିଲ୍ମ ଆୱାର୍ଡ, ଏହି ଫିଲ୍ମ ବି ମାରିଲା ବାଜି

'ଦ ସି ଆଣ୍ଡ ସେଭନ ଭିଲେଜେସ୍' ଫିଲ୍ମ ବିଷୟରେ କହିବାକୁ ଗଲେ, 'ଦ ସି ଆଣ୍ଡ ସେଭନ ଭିଲେଜେସ୍' ନନ ଫିଚର ଫିଲ୍ମ (non feature film, special mention)ରେ ମନୋନୀତ । ପୂର୍ବରୁ ଏହି ସିନେମାଟି ଦେଶ ବିଦେଶର ଅନେକ ଚଳଚିତ୍ର ଉତ୍ସବରେ ସ୍ଥାନ ପାଇ ସଫଳତା ସାଉଁଟିଛି । ସେଥିମଧ୍ୟରୁ କେରଳ ଫିଲ୍ମ ଫେଷ୍ଟିଭାଲ, ଜାଗରଣ ଫିଲ୍ମ ଫେଷ୍ଟିଭାଲ, ୟୁ ଏସର ଲେନ ଡକ ଫିଲ୍ମ ଫେଷ୍ଟିଭାଲ, 25th ମଦୁରାଇ ଇଣ୍ଟରନେସନଲ ଡକ୍ୟୁମେଣ୍ଟାରୀ ସର୍ଟ ଫିଲ୍ମ ଫେଷ୍ଟିଭାଲ, 10th ସିଲିଗୁଡି ସର୍ଟ ଆଣ୍ଡ ଡକ୍ୟୁମେଣ୍ଟାରୀ ଫିଲ୍ମ ଫେଷ୍ଟିଭାଲ ଅନ୍ୟତମ । ଏଥିସହ 54ତମ ଇଣ୍ଡିଆନ ପାନାରୋମାରେ ଏହା ପ୍ରଦର୍ଶିତ ହୋଇ ଲୋକପ୍ରିୟତା ହାସଲ କରିଥିଲା ।

ଇଟିଭି ଭାରତ, ଭୁବନେଶ୍ୱର