ନୂଆଦିଲ୍ଲୀ: ପାକିସ୍ତାନ ଗୃହମନ୍ତ୍ରୀ ମୋହସିନ ନକଭି ଜାତୀୟ ସଂସଦରେ ଘୋଷଣା କରିଛନ୍ତି ଯେ, 2024 ମସିହା ଜାନୁଆରୀ ମାସ ପରଠାରୁ ସାଉଦି ଆରବ, ଇରାକ, ମାଲେସିଆ, ଓମାନ, କତାର ଏବଂ ୟୁଏଇରୁ ମୋଟ 5,402 ଜଣ ପାକିସ୍ତାନୀ ନାଗରିକଙ୍କୁ ନିର୍ବାସିତ କରାଯାଇଛି । ନିର୍ବାସନ କରାଯିବର ମୁଖ୍ୟ କାରଣ ହେଉଛି ଭିକ୍ଷାବୃତ୍ତି କରିବା । ଡାଟା ଅନୁସାରେ, କେବଳ 2024 ମସିହାରେ ଏହି ଦେଶଗୁଡ଼ିକରୁ 4,850 ଜଣ ପାକିସ୍ତାନୀଙ୍କୁ ନିର୍ବାସିତ କରାଯାଇଛି । ସେହିପିର ଚଳିତ ବର୍ଷ 552 ଜଣ ପାକିସ୍ତାନୀ ନାଗରିକଙ୍କୁ ନିର୍ବାସିତ କରାଯାଇଛି । ଡନ୍ (Dawn) ରିପୋର୍ଟ ଅନୁଯାୟୀ, ନକଭିଙ୍କ ଏହି ଟିପ୍ପଣୀ, ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ସାଂସଦ ସେହର କାମରାନଙ୍କ ଦ୍ୱାରା ଉଠାଯାଇଥିବା ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଆସିଛି ।
ତେବେ ସାଉଦି ଆରବରୁ ସର୍ବାଧିକ 5033 ଜଣ ପାକିସ୍ତାନୀ ନାଗରିକଙ୍କୁ ନିର୍ବାସିତ କରାଯାଇଛି । ସାଉଦି ଆରବ ପରେ, ଇରାକ ସର୍ବାଧିକ 247 ଜଣ ପାକିସ୍ତାନୀ ନାଗରିକଙ୍କୁ ପାକିସ୍ତାନ ଫେରାଇ ଦେଇଛି । ୟୁଏଇ (UAE), ପାକିସ୍ତାନ ସରକାରଙ୍କ ନିକଟରେ ଗମ୍ଭୀର ଚିନ୍ତା ପ୍ରକାଶ କରିଛି ଏବଂ ପାକିସ୍ତାନୀମାନଙ୍କ ପାଇଁ ଭିସା ପାଇବା ନିୟମକୁ କଡ଼ାକଡ଼ି କରିଛି । ଏହା ମଧ୍ୟରେ, 58 ଜଣ ପାକିସ୍ତାନୀଙ୍କୁ ପାକିସ୍ତାନ ପଠାଇ ଦିଆଯାଇଛି ।
ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ କହିଛନ୍ତି ଯେ, ଏହି ସମସ୍ୟା ଏକ ବିପଜ୍ଜନକ ସ୍ତରରେ ପହଞ୍ଚିଛି, ଯାହା ଫଳରେ ପାକିସ୍ତାନୀମାନଙ୍କ ପାଇଁ ଅନ୍ୟ ଦେଶରୁ ଭିସା ପାଇବା କଷ୍ଟକର ହୋଇପଡ଼ିଛି । ସେ ଅନୁମାନ କରିଛନ୍ତି ଯେ, ପାକିସ୍ତାନରେ ପ୍ରାୟ 22 ମିଲିୟନ ଲୋକ ଭିକ୍ଷାବୃତ୍ତି କରୁଛନ୍ତି, ଯାହା ଦ୍ୱାରା ବାର୍ଷିକ ପ୍ରାୟ 42 ବିଲିୟନ ଡଲାର ରୋଜଗାର କରିଥାନ୍ତି । ଏହି ଫିଗର ସମସ୍ୟାର ପରିମାଣକୁ ଦର୍ଶାଉଛି ।
ଏହା ମଧ୍ୟ ପଢ଼ନ୍ତୁ.. OPINION: 'ଅପରେସନ ସିନ୍ଦୂରକୁ ନେଇ ଭୁଲ ସୂଚନା ଖେଳ ଚଲାଇଛି ପାକିସ୍ତାନ' ପାକିସ୍ତାନ ଉପରେ ଭାରତର କୂଟନୈତିକ ପ୍ରହାର, ବିଶ୍ବ ଦରବାରରେ ପାକ୍ ଆତଙ୍କୀ ମୁଖା ଖୋଲିବେ ସାଂସଦ |
2023 ମସିହାରେ ଏକ ସିନେଟ୍ କମିଟି ବୈଠକ ସମୟରେ, ତତ୍କାଳୀନ ବୈଦେଶିକ ମନ୍ତ୍ରଣାଳୟ ସଚିବ ଜୁଲଫିକର ହାଇଦର ପ୍ରକାଶ କରିଥିଲେ ଯେ, ବିଦେଶରେ ଗିରଫ ହୋଇଥିବା ଅଧିକାଂଶ ଭିକ୍ଷାବୃତ୍ତି କରିଥିବା ଲୋକ, ପ୍ରାୟ 90 ପ୍ରତିଶତ, ପାକିସ୍ତାନୀ ନାଗରିକ ଥିଲେ । ସେ କହିଛନ୍ତି ଯେ, ସେମାନଙ୍କ ମଧ୍ୟରୁ ଅନେକ ତୀର୍ଥଯାତ୍ରା ଭିସାରେ ସାଉଦି ଆରବ, ଇରାନ ଏବଂ ଇରାକ ଭଳି ଦେଶକୁ ଯାତ୍ରା କରନ୍ତି, କିନ୍ତୁ ସେଠାରେ ଯାଇ ଭିକ୍ଷାବୃତ୍ତି କରୁଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ