ଡେରାଡୁନ୍: ଦେବଭୂମି ଉତ୍ତରାଖଣ୍ଡ କେବଳ ଆଧ୍ୟାତ୍ମିକ ପରିବେଶ ଓ ପର୍ଯ୍ୟଟନ ପାଇଁ ପ୍ରସିଦ୍ଧ ନୁହେଁ, ଏବେ ଏହା ଏକ ୱେଡିଂ ଡେଷ୍ଟିନେସନ୍ ଭାବେ ପରିଚିତ । ଏହି କ୍ରମାନ୍ୱୟରେ ତ୍ରିଯୁଗୀନାରାୟଣ ପ୍ରଥମେ ଆସେ । ପ୍ରକୃତିର ସୌନ୍ଦର୍ଯ୍ୟମୟ ପରିବେଷ୍ଟିତ ମଧ୍ୟରେ ନବବିବାହିତ ଦମ୍ପତି ସାତ ଜନ୍ମ ଏକାସାଥୀରେ ବିତାଇବା ପାଇଁ ଏହି ସ୍ଥାନରେ ଶପଥ ନେଇଥାନ୍ତି । ତେବେ ଏହି ସ୍ଥାନର ଏକ ସ୍ୱତନ୍ତ୍ର ପୌରାଣିକ ମାନ୍ୟତା ରହିଛି ଏବଂ ଏଠାରେ ଏକ ପୌରାଣିକ ମନ୍ଦିର ମଧ୍ୟ ରହିଛି । ବିଶ୍ୱାସ କରାଯାଏ ଏଠାରେ ଭଗବାନ ଶିବ ଓ ମାତା ପାର୍ବତୀ ବିବାହ କରିଥିଲେ । ଏହି ମନ୍ଦିରରେ ଏକ ଅଖଣ୍ଡ ଜ୍ୟୋତି କେଉଁ ପୂରାତନ କାଳରୁ ପ୍ରଜ୍ଜ୍ୱଳିତ ହୋଇଆସିଛି । ଏହି ଅଖଣ୍ଡ ଜ୍ୟୋତିକୁ ଭଗବାନ ଶିବ ଓ ମାତା ପାର୍ବତୀଙ୍କ ଦାମ୍ପତ୍ୟ ଜୀବନର ପ୍ରତୀକ ଭାବେ ବିବେଚନା କରାଯାଇଥାଏ ।
ଏଠାରେ ଶିବ ଶକ୍ତିଙ୍କ ହାତ ଧରିଥିଲେ:
ରୁଦ୍ରପ୍ରୟାଗ ଜିଲ୍ଲାରେ ତ୍ରିଯୁଗୀନାରାୟଣ ମନ୍ଦିର ଏକ ପବିତ୍ର ସ୍ଥାନ,ଯେଉଁଠାରେ ବିବାହ କରିଲେ ଦମ୍ପତ୍ୟ ଜୀବନ ସୁଖଦାୟକ ହୁଏ ବୋଲି ମାନ୍ୟତା ରହିଛି । ଏହି ମନ୍ଦିରରେ ଭଗବାନ ଶିବ ଓ ମାତା ପାର୍ବତୀ ନିଜ ଦମ୍ପତ୍ୟ ଜୀବନର ଅୟମାରମ୍ଭ କରିଥିଲେ । ଆଜି ମଧ୍ୟ ଏହି ମନ୍ଦିରରେ ଅଖଣ୍ଡ ଜ୍ୟୋତି ପ୍ରଜ୍ଜ୍ୱଳିତ, ଯାହାକି ତ୍ରେତୟା ଯୁଗରୁ ଜଳି ଆସୁଛି ବୋଲି ବିଶ୍ୱାସ କରାଯାଏ । ଏହି ସ୍ଥାନର ମହତ୍ୱ କେବଳ ଶିବ ଓ ମାତା ପାର୍ବତୀଙ୍କ ସହିତ ନୁହେଁ ବରଂ ବଦ୍ରିନାଥ ଓ କେଦାରନାଥ ଏବଂ ଅନ୍ୟାନ୍ୟ ମନ୍ଦିର ସହିତ ଯୋଡି ହୋଇରହିଛି ।

ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ୱେଡିଂ ଡେଷ୍ଟିନେସନ୍:
ଏହି ମନ୍ଦିରର ଐତିହ୍ୟ ବିଷୟରେ ଯିଏ ଶୁଣୁଛି ସେ ଏଠାକୁ ଆକର୍ଷିତ ହୋଇ ଆସୁଛି । ଭଗବାନ ଶିବ ଓ ମାତା ପାର୍ବତୀଙ୍କ ବିବାହସ୍ଥଳୀ ଏବେ ବହୁ ଦମ୍ପତିଙ୍କ ବିବାହ ଡେଷ୍ଟିନେସନ୍ ଭାବେ ସାକ୍ଷୀ ହୋଇ ରହୁଛି । ଏହି ମନ୍ଦିରରେ ପ୍ରଜ୍ଜ୍ୱଳିତ ଅଖଣ୍ଡ ଜ୍ୟୋତିରୁ କେତେ ଦମ୍ପତି ନିଜର ନୂତନ ଜୀବନର ଆରମ୍ଭ କରୁଛନ୍ତି । ସମୁଦ୍ର ପତ୍ତନରୁ ପାଖାପାଖି 6495ଫୁଟ୍ ଉଚ୍ଚରେ ଅବସ୍ଥିତ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ମନ୍ଦିରର ପ୍ରତିଷ୍ଠା ହିମାଳୟର ରାଜା କରିଥିବାର ବିଶ୍ୱାସ କରାଯାଏ ।
ବଦ୍ରିନାଥ ପୂଜାରୀ ସମାଜର ସଦସ୍ୟ ଆଶୁତୋଶ ଡିମରି କହିଛନ୍ତି, ଏହି ମନ୍ଦିର ପ୍ରତି ଲୋକଙ୍କ ଆସ୍ଥା ବହୁ ପୁରାତନ କାଳରୁ ରହି ଆସିଛି । ଏଠାରେ ଭଗବାନ ଶିବ ଓ ମାତା ପାର୍ବତୀ ବିବାହ କରିଥିବାର ପୂରାଣରେ ବର୍ଣ୍ଣିତ ରହିଛି । ଶ୍ରଦ୍ଧାଳୁ ପବିତ୍ର ଅଖଣ୍ଡ ଜ୍ୟୋତିରୁ ବିଭୁତି ଘରକୁ ନେଇଯାଆନ୍ତି, ଯଦ୍ୱାରା ସେମାନଙ୍କର ବୈବାହିକ ଜୀବନ ସୁଖମୟ ହୋଇଥାଏ ବୋଲି ବିଶ୍ୱାସ କରନ୍ତି ।
ଚାରିକୁଣ୍ଡ ଜଳର ରହସ୍ୟ:
ତ୍ରିଯୁଗୀନାରାୟଣ ମନ୍ଦିର ନିକଟରେ ଚାରି ପବିତ୍ର କୁଣ୍ଡ ରହିଛି । ଏହାକୁ ବ୍ରହ୍ମା କୁଣ୍ଡ, ବିଷ୍ଣୁ କୁଣ୍ଡ, ସରସ୍ୱତୀ କୁଣ୍ଡ ଓ ରୁଦ୍ର କୁଣ୍ଡ ଭାବେ ପରିଚିତି ମିଳିଛି । ବିଶ୍ୱାସ କରାଯାଏ ଯଦି କାହାର ସନ୍ତାନ ହେଉନଥାଏ କିମ୍ବା ବିବାହ ହେଉନଥାଏ, ସେ ଏହି କୁଣ୍ଡରେ ସ୍ନାନ କରିବା ଦ୍ୱାରା ମନୋକାମନା ଜଲଦି ପୂର୍ଣ୍ଣ ହୋଇଥାଏ । ଏହି କୁଣ୍ଡର ପବିତ୍ର ଜଳରେ ଶ୍ରଦ୍ଧାଳୁ ମାନେ ଆଗମନ ମଧ୍ୟ କରିଥାନ୍ତି । ଏଠାରେ ଭଗବାନ ଶିବ ଓ ମାତା ପାର୍ବତୀ ବିବାହ କରିଥିଲେ, ଭଗବାନ ବିଷ୍ଣୁ, ମାତା ପାର୍ବତୀଙ୍କ ଭାଇ ହୋଇଥିଲେ ଏବଂ ବ୍ରହ୍ମା ଯଜମାନ ଭାବେ ଏହି ବିବାହ କରାଇଥିଲେ । ଏହି ମନ୍ଦିର ନିକଟରେ ମନ୍ଦାକିନୀ ଓ ସୋନଗଙ୍ଗା ନଦୀର ସଙ୍ଗମସ୍ଥଳ ରହିଛି ।
|
ବଦ୍ରିନାଥ ଓ କେଦାରନାଥ ସହ କି ସମ୍ବନ୍ଧ ରହିଛି...
ଏହି ମନ୍ଦିର ଏକ ସାଧାରଣ ମନ୍ଦିର ନୁହେଁ, ଏହାର ସମ୍ପର୍କ ବଦ୍ରିନାଥ ଓ କେଦାରନାଥ ମନ୍ଦିର ସହିତ ମଧ୍ୟ ରହିଛି । ଏହି ମନ୍ଦିର ଓ ବଦ୍ରିନାଥ ମନ୍ଦିରରେ ଭଗବାନ ବିଷ୍ଣୁ ପୂଜା ପାଇଥାନ୍ତି । ମାନ୍ୟତା ଅନୁଯାୟୀ ଭକ୍ତି ଗୌରୀକୁଣ୍ଡ ହୋଇ କେଦାରନାଥ ଠାରେ ପହଞ୍ଚିଥାନ୍ତି ଏବଂ ସେହି ଗୌରୀକୁଣ୍ଡରେ ମାତା ପାର୍ବତୀ ତପସ୍ୟା କରି ଭଗବାନ ଶିବଙ୍କୁ ପାଇଥିଲେ । ଏହି ସ୍ଥାନଟି କେଦାରନାଥ ଠାରୁ ପାଞ୍ଚ କିମି ଦୂରତାରେ ଅବସ୍ଥିତ । ନର ଓ ନାରାୟଣଙ୍କ ମଧ୍ୟରେ ଯେଉଁ ସମ୍ପର୍କ ରହିଛି ତାହା ତ୍ରିଯୁଗୀନାରାୟଣ ମନ୍ଦିର ସହ ଜଡିତ ।
ମନ୍ଦିରର ସ୍ୱତନ୍ତ୍ର ସ୍ଥାପତ୍ୟ:
ଏହି ମନ୍ଦିର କେଦାରନାଥ ମନ୍ଦିର ଭଳି ସ୍ଥାପତ୍ୟ ଶୈଳୀରେ ନିର୍ମିତ । ଏହି ମନ୍ଦିର ତ୍ରେତୟା ଯୁଗରୁ ନିର୍ମିତ ବୋଲି ମାନ୍ୟତା ରହିଛି । ଅଷ୍ଟମ ଶତାବ୍ଦୀରେ ଆଦିଗୁରୁ ଶଙ୍କରାଚାର୍ଯ୍ୟ ଏହି ମନ୍ଦିରରେ ଏକ ଦ୍ୱାରର ନିର୍ମାଣ କରିଥିଲେ । ଏଠାରେ ଭଗବାନ ଶିବଙ୍କର 2 ଫୁଟର ଏକ ମୂର୍ତ୍ତୀ ରହିଛି । ଏହା ସହିତ ମନ୍ଦିରରେ ମାତା ଲକ୍ଷ୍ମୀ ଓ ମାତା ସରସ୍ୱତୀଙ୍କ ମନ୍ଦିର ମଧ୍ୟ ରହିଛି । ମନ୍ଦିର ପରିସରରେ କିଛି ଯଜ୍ଞକୁଣ୍ଡର ବ୍ୟବସ୍ଥା କରାଯାଇଛି ଯେଉଁଠାରେ ଦମ୍ପତିଙ୍କ ବିବାହ ସମ୍ପର୍ଣ୍ଣ ହୋଇଥାଏ ।
ଏଠାରେ ବିବାହ କରିବା ପାଇଁ ଲାଗୁଛି ଲମ୍ବା ଲାଇନ୍:
ବିଗତ କିଛି ବର୍ଷ ଧରି ଏହି ସ୍ଥାନରେ ବିବାହ କରିବା ପାଇଁ ଉତ୍ସୁକତା ବଢିବାରେ ଲାଗିଛି । ନା କେବଳ ଉତ୍ତରାଖଣ୍ଡ, ଭାରତ ତଥା ଦୁନିଆର କୋଣ ଅନୁକୋଣରୁ ବର କନ୍ୟା ଏଠାକୁ ବିବାହ କରିବାକୁ ଆସୁଛନ୍ତି । ସବୁବେଳେ ଏଠାରେ ବାର୍ଷିକ ଦୁଇରୁ ତିନୋଟି ବିବାହ ଅନୁଷ୍ଠିତ ହେଉଥିଲା । ମାତ୍ର 2018 ପରେ ଏଠାରେ ବିବାହ ସଂଖ୍ୟା ବଢିବାରେ ଲାଗିଲା । ସହରର ଚଳଚଞ୍ଚଳ ଜୀବନ ମଧ୍ୟରେ ନିଜ ଜୀବନର ଏହି ଅପୂର୍ବ କ୍ଷଣକୁ ମନଭରି ଉପଭୋଗ କରିବା ପାଇଁ ଏକ ବଡ ସଂଖ୍ୟା ଏଠାରେ ପହଞ୍ଚୁଛି ।
ବଢୁଛି ସଂଖ୍ୟା:
ଏଠାରେ ବିବାହ କରିବା ପାଇଁ ବର ଓ କନ୍ୟାଙ୍କ ସଂଖ୍ୟା ବଢିବାରେ ଲାଗିଛି । 2021ରେ ଏଠାରେ 51 ଜଣ ବିବାହ କରିଥିଲେ । 2022ରେ ଏହି ସଂଖ୍ୟା ବଢି 101ରେ ପହଞ୍ଚିଯାଇଥିଲା । 2023ରେ ଏହି ସଂଖ୍ୟା 124 ପାର୍ କରିଥିଲା । 2024ରେ ସମୁଦାୟ 152 ଜଣ ଏଠାରେ ବିବାହ କରିଥିଲେ । ତେବେ 2025 ଅର୍ଦ୍ଧେକ ନ ସରିବା ଆଗରୁ ଏହି ସଂଖ୍ୟା 82ରେ ପହଁଞ୍ଚିଲାଣି । ଏହି ମନ୍ଦିରର କାର୍ଯ୍ୟକାରୀ ସମିତି ବଦ୍ରିନାଥ ଓ କେଦାରନାଥ ମନ୍ଦିର ସମିତି ଅଧୀନରେ ଆସେ । ମାତ୍ର ବାହାଘର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଏଠାରେ ରହୁଥିବା 200 ପୂରୋହିତଙ୍କ ପରିବାର ସମ୍ପାଦନ କରାଇଥାଏ ।
ତୀର୍ଥ ପୂରୋହିତ ସମିତି ସଦସ୍ୟ ସରସ୍ୱତାନନ୍ଦ ଭଟ୍ଟଙ୍କ ଅନୁଯାୟୀ, ବିବାହ ଋତୁରେ ପ୍ରତିଦିନ 11ଟି ବିବାହ ପର୍ଯ୍ୟନ୍ତ ହୋଇଥାଏ । ବିବାହ ପାଇଁ ଆବଶ୍ୟକୀୟ ସାମଗ୍ରୀ ଯୋଗାଇବା ପାଇଁ ଏଠାକାର ସ୍ଥାନୀୟ ମହିଳା ମାନେ ଏକ ଦଳ ଗଠନ କରିଛନ୍ତି । ବିବାହ କରିବା ପାଇଁ ଆସୁଥିବା ବ୍ୟକ୍ତିଙ୍କୁ କୌଣସି ସାମଗ୍ରୀ ଆଣିବାର ଆବଶ୍ୟକତା ନାହିଁ । ବିବାହ ପାଇଁ ଆବଶ୍ୟକୀୟ ସବୁ ସାମଗ୍ରୀ ସୁବିଧାରେ ଉପଲବ୍ଧ ହୋଇଯାଏ । ବିବାହ କରୁଥିବା ବ୍ୟକ୍ତିଙ୍କୁ ନିଜ ପରିବାର ଓ ଅତିଥିଙ୍କ ସମେତ ଆବଶ୍ୟକୀୟ ପରିଚୟ ପତ୍ର ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଆଣିବାକୁ ହୋଇଥାଏ । ବିବାହ କରିବା ପାଇଁ ପଞ୍ଜିକରଣ ନିମନ୍ତେ 1100 ଟଙ୍କା ଜମା କରିବାକୁ ପଡେ । ବିବାହ ସମ୍ପୂର୍ଣ୍ଣ ହେବା ପରେ ମନ୍ଦିର ତରଫରୁ ବିବାହ ପ୍ରମାଣପତ୍ର ଦିଆଯାଇଥାଏ, ଯାହାପାଇଁ 1100 ଟଙ୍କା ଆଉଥରେ ଜମା କରିବାକୁ ହୁଏ । ବିବାହ କରିବାକୁ ଆସିବା ଆଗରୁ ପଞ୍ଜିକରଣ ନିତ୍ୟାନ୍ତ ଆବଶ୍ୟକ । ଏହି ମନ୍ଦିର ସହ ଜଡିତ ପୁରୋହିତ ସମିତି ପଞ୍ଜିକରଣ କରିଥାନ୍ତି ।
ଏଠାରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏହି ସେଲିବ୍ରିଟି ମାନେ:
ଭାରତ ତଥା ଦୁନିଆର କୋଣ ଅନୁକୋଣରୁ ଆସୁଥିବା କପଲଙ୍କ ସମେତ ଅନେକ ଭିଆଇପି ଓ ଲୋକପ୍ରିୟ କଳାକାର ମାନେ ମଧ୍ୟ ଏଠାରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଯାହା ମଧ୍ୟରେ ଇସ୍ରୋର ଜଣେ ବୈଜ୍ଞାନିକ ମଧ୍ୟ ସାମିଲ । ଅଭିନେତ୍ରୀ ଚିତ୍ରା ଶୁକ୍ଳା, କବିତା କୌଶିକ୍, ନିକିତା ଶର୍ମା, ଗାୟକ ହଂସରାଜ ରଘୁବଂଶୀ, ଗଢୱାଲୀ ଲୋକଗାୟକ ସୌରଭ ମୈଠାଣୀଙ୍କ ସହ ବହୁ ଜଣାଶୁଣା ବ୍ୟକ୍ତିତ୍ୱ ଏଠାରେ ବିବାହ କରିଛନ୍ତି । ପ୍ରସିଦ୍ଧ ଅଭିନେତା ଗୋବିନ୍ଦାଙ୍କ ଭାଣିଜୀ ଅଭିନେତ୍ରୀ ଆରତୀ ସିଂ ଏଠାରେ ଦ୍ୱିତୀୟଥର ପାଇଁ ବିବାହ କରିଛନ୍ତି ।
ଏଠାରେ କିପରି ପହଞ୍ଚିବେ:
ତ୍ରିଯୁଗୀନାରାୟଣ ମନ୍ଦିରକୁ ଆପଣ ଗାଡି ମାଧ୍ୟମରେ ଯାଇପାରିବେ । ରହିବାପାଇଁ ଏଠାରେ ହୋଟେଲ ସହିତ ହୋମ୍ ଷ୍ଟେ ମଧ୍ୟ ଉପଲବ୍ଧ । ଋଷିକେଶ କିମ୍ବା ହରିଦ୍ୱାର ପର୍ଯ୍ୟନ୍ତ ରେଳ ମାଧ୍ୟମରେ ଆସିପାରିବେ । ହରିଦ୍ୱାର ଠାରୁ ରୁଦ୍ରପ୍ରୟାଗ ପର୍ଯ୍ୟନ୍ତ 165 କିମି ଯାତ୍ରା ପାଇଁ 8 ଘଣ୍ଟା ସମୟ ଲାଗେ । ଏଠାରୁ 70 କିମି ଦୂର ପର୍ଯ୍ୟନ୍ତ ସୋନପ୍ରୟାଗ କିମ୍ବା ତ୍ରିଯୁଗୀନାରାୟଣ ମନ୍ଦିର ପର୍ଯ୍ୟନ୍ତ ଟ୍ୟାକ୍ସି ମାଧ୍ୟମରେ ପହଞ୍ଚିପାରିବେ ।
ଦିଲ୍ଲୀ ଠାରୁ ଏହି ମନ୍ଦିରର ଦୂରତା ପାଖାପାଖି 441କିମି । ଯଦି ଆପଣ ଆକାଶମାର୍ଗରେ ଆସିବାକୁ ଚାହାଁନ୍ତି, ତେବେ ନିକଟତମ ଏୟାରପୋର୍ଟ ଜୌଲିଗ୍ରାଣ୍ଟରେ ରହିଛି । ଏଠାରେ ଚପର୍ ସୁବିଧା ମଧ୍ୟ ଉପଲବ୍ଧ । ଚପର୍ ମାଧ୍ୟମରେ ଆପଣ ସୋନପ୍ରୟାଗ ପର୍ଯ୍ୟନ୍ତ ପହଞ୍ଚିପାରିବେ । ଧ୍ୟାନ ରଖିବେ ବର୍ଷାଋତୁକୁ ଛାଡି ବର୍ଷର ଅନ୍ୟ କେଉଁ ସମୟରେ ମଧ୍ୟ ଆପଣ ଏଠାରେ ଆରାମରେ ପହଞ୍ଚିପାରିବେ ।
ତ୍ରିଯୁଗୀନାରାୟଣ ମନ୍ଦିରର ମହତ୍ତ୍ୱ:
ପୌରାଣିକ ମାନ୍ୟତା ଅନୁଯାୟୀ ଏଠାରେ ଭଗବାନ ଶିବ, ମାତା ପାର୍ବତୀଙ୍କୁ ବିବାହ କରିଥିଲେ । ସ୍ୱୟଂ ଭଗବାନ ବିଷ୍ଣୁ ମାତା ପାର୍ବତୀଙ୍କ ଭାଇ ରୂପେ କର୍ତ୍ତବ୍ୟ ନିର୍ବାହ କରିଥିଲେ । ମନ୍ଦିରରେ ପ୍ରଜ୍ଜ୍ୱଳିତ ଅଖଣ୍ଡ ଜ୍ୟୋତିର ଭଗବାନ ଶିବ ଓ ମାତା ପାର୍ବତୀ ସାତଥର ପରିକ୍ରମା କରିଥିଲେ । ଯାହାଦ୍ୱାରା ଏହି ମନ୍ଦିରର ବିଶେଷତା ବୃଦ୍ଧିପାଏ ।