କୋଲକାତା: ମୁର୍ଶିଦାବାଦରେ ସ୍ଥିତି ବେଳକୁ ବେଳ ବିଗୁଡୁଥିବା ବେଳେ ସେଠାରେ କେନ୍ଦ୍ରୀୟ ବାହିନୀ ମୁତୟନ ପାଇଁ କଲିକତା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ଦ୍ବାରା ଦାଖଲ ଏକ ଆବେଦନ ଉପରେ ବିଚାର କରି, ବିଚାରପତି ସୌମେନ ସେନ୍ ଏବଂ ରାଜା ବାସୁ ଚୌଧୁରୀଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି।
ଶୁଣାଣି ଆରମ୍ଭରେ, ହାଇକୋର୍ଟ ମୁର୍ଶିଦାବାଦରେ କେନ୍ଦ୍ରୀୟ ବାହିନୀ ମୁତୟନ ଉପରେ ମତାମତ ପ୍ରକାଶ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅଧ ଘଣ୍ଟା ସମୟ ଦେଇଥିଲେ। ସରକାର କହିଥିଲେ ଯେ କେନ୍ଦ୍ରୀୟ ବାହିନୀ ନିୟୋଜିତ କରିବାର କୌଣସି ଆବଶ୍ୟକତା ନାହିଁ, ପଶ୍ଚିମ ବଙ୍ଗ ପୋଲିସ ଡିଜି ରାଜୀବ କୁମାର ଖୁବ୍ ଶୀଘ୍ର ଜିଲ୍ଲା ଗସ୍ତ କରିବେ। କିନ୍ତୁ କୋର୍ଟ ଶେଷରେ କେନ୍ଦ୍ରୀୟ ବାହିନୀ ନିୟୋଜିତ କରିବା ସପକ୍ଷରେ ରାୟ ଦେଇଥିଲେ।

ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ୱାକଫ (ସଂଶୋଧନ) ଆଇନ ସମ୍ବନ୍ଧୀୟ ହିଂସାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ପୋଲିସ କହିଛି। ମୃତକଙ୍କ ନାମ ମୁଶାରଫ ହୁସେନ (୧୨), ଗଜୋଲ ଦାସ (୪୫) ଏବଂ ଚନ୍ଦନ ଦାସ (୨୦)। ଶୁକ୍ରବାର ସୁତିର ସାଜୁର ଛକରେ ଗୁଳି ମାଡ଼ରେ ଆହତ ହୋଇଥିବା ହୁସେନଙ୍କ ଶନିବାର ମୁର୍ଶିଦାବାଦ ମେଡିକାଲ କଲେଜ ହସ୍ପିଟାଲରେ ମୃତ୍ୟୁ ହୋଇଥିଲା। ସେ ସୁତି ଥାନା ଅନ୍ତର୍ଗତ କାଶିମନଗରର ବାସିନ୍ଦା। ଅନ୍ୟପକ୍ଷରେ ସମଶେରଗଞ୍ଜ ବ୍ଲକର ଧୂଲିଆନ ମ୍ୟୁନିସିପାଲିଟି ଅଞ୍ଚଳ ଅନ୍ତର୍ଗତ ଜାଫରାବାଦରେ ବାପ-ପୁଅ ଗଜୋଲ ଏବଂ ଚନ୍ଦନଙ୍କୁ ଏକ ଧାରୁଆ ଅସ୍ତ୍ର ଦ୍ୱାରା ହତ୍ୟା କରାଯାଇଥିଲା। ସେମାନଙ୍କ ମୃତଦେହ ଦୀର୍ଘ ସମୟ ଧରି ଘରେ ପଡ଼ି ରହିଥିଲା। ଏହାପରେ ପୋଲିସ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ଜାଙ୍ଗିପୁର ଉପ-ଜିଲ୍ଲା ହସ୍ପିଟାଲକୁ ପଠାଇଥିଲା। ସେପଟେ ଗୁଳି ମାଡ଼ ପରେ ଆଉ ଦୁଇ ଜଣ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଜିଲ୍ଲାର ସୁତି ଏବଂ ସମଶେରଗଞ୍ଜ ଅଞ୍ଚଳର ପରିସ୍ଥିତି ଗମ୍ଭୀର ରହିଛି।

ମୁର୍ଶିଦାବାଦ ଜିଲ୍ଲାର ସୁତି ଏବଂ ସମଶେରଗଞ୍ଜର ପରିସ୍ଥିତି ନିୟନ୍ତ୍ରଣାଧିନ ବୋଲି ପୋଲିସ ଦାବି କରୁଥିଲେ ବି ବାସ୍ତବତା କିନ୍ତୁ ଭିନ୍ନ। ଶନିବାର ସକାଳ ଠାରୁ ଚାନ୍ଦପୁର ଏବଂ ଡାକ ବାଙ୍ଗଳା ସମେତ ବିଭିନ୍ନ ଅଞ୍ଚଳରୁ ବିକ୍ଷିପ୍ତ ହିଂସାର ରିପୋର୍ଟ ସହିତ ସମଶେରଗଞ୍ଜରେ ପୁଣି ଉତ୍ତେଜନା ପ୍ରକାଶ ପାଇଛି।

ଜଳାଙ୍ଗି ବିଡିଓ କାର୍ଯ୍ୟାଳୟ ଭଙ୍ଗାରୁଜା କରାଯାଇଛି ଏବଂ ବିଏସଏଫ ଯବାନମାନେ ସେହି ଅଞ୍ଚଳରେ ପାଟ୍ରୋଲିଂ କରୁଛନ୍ତି। ବିକ୍ଷୋଭକାରୀମାନେ ଆଜିମଗଞ୍ଜ ରେଳ ଷ୍ଟେସନରେ ଏକ ସିଗନାଲ ନିୟନ୍ତ୍ରଣ କକ୍ଷକୁ ମଧ୍ୟ ପୋଡ଼ି ଦେଇଛନ୍ତି। କାର୍ଯ୍ୟାଳୟର ଜେନେରେଟରକୁ ପୋଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି।
ଜନସାଧାରଣଙ୍କ ଅଶାନ୍ତି, ସୁରକ୍ଷା କିମ୍ବା ଶୃଙ୍ଖଳାକୁ ରୋକିବା ପାଇଁ ସମଶେରଗଞ୍ଜରେ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା 163 ଲାଗୁ କରାଯାଇଛି। ଇଣ୍ଟରନେଟ୍ ବନ୍ଦ କରାଯିବା ସହିତ ସମସ୍ତ ପ୍ରକାରର ସମାବେଶକୁ ମଧ୍ୟ ନିଷେଧ କରାଯାଇଛି।

ଜାତୀୟ ରାଜପଥରେ ପୋଡ଼ି ଯାଇଥିବା ଗାଡ଼ିଗୁଡ଼ିକ ସହିତ ସମଶେରଗଞ୍ଜର ରାସ୍ତାଗୁଡ଼ିକ ଶୂନଶାନ ଦେଖିବାକୁ ମିଳିଛି। ଏପର୍ଯ୍ୟନ୍ତ ଘଟଣାରେ ସମ୍ପୃକ୍ତ 122 ଜଣଙ୍କୁ ଗିରଫ କରାଯାଇଛି। ଜିଲ୍ଲା ମାଜିଷ୍ଟ୍ରେଟ୍ ରାଜଶ୍ରୀ ମିତ୍ର କହିଛନ୍ତି, "BSFକୁ ଡକାଯାଇ ନଥିଲା। ଯେହେତୁ ଏହା ଭାରତ-ବାଂଲାଦେଶ ସୀମାରେ ଏକ ଅଞ୍ଚଳ, ତେଣୁ BSF ଏହି ଅଞ୍ଚଳରେ ପାଟ୍ରୋଲିଂ କରୁଛି।"
ଶୁକ୍ରବାର ମୁର୍ଶିଦାବାଦର ଅନେକ ଅଞ୍ଚଳରେ ୱାକଫ୍ (ସଂଶୋଧନ) ଆଇନ ବିରୋଧରେ ପ୍ରତିବାଦ ଦେଖାଦେଇଥିଲା। ସୁତିରେ ଏକ ସରକାରୀ ଗାଡ଼ି ସମେତ ଅନେକ ଗାଡ଼ି ପୋଡ଼ି ଦିଆଯାଇଥିଲା। ପୋଲିସ ଉପରେ ବୋମା ଫିଙ୍ଗାଯାଇଥିବା ଏବଂ ଗୁଳିଚାଳନା ଜାରି ରହିଥିବା ଅଭିଯୋଗ ହୋଇଛି।

- ଶାନ୍ତି ଏବଂ ସଦ୍ଭାବନା ପାଇଁ ଅପିଲ କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ
ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ବିଶେଷକରି ମୁର୍ଶିଦାବାଦରେ, ସମ୍ପ୍ରତି ୱାକଫ (ସଂଶୋଧନ) ଆଇନକୁ ନେଇ ବ୍ୟାପକ ବିରୋଧ ପ୍ରଦର୍ଶନ ମଧ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ଶାନ୍ତି ଏବଂ ସଦ୍ଭାବନା ପାଇଁ ଅପିଲ କରିବା ସହ ତାଙ୍କ ରାଜ୍ୟରେ ନୂତନ ଆଇନ ଲାଗୁ ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।
Xରେ ମମତା ଲେଖିଛନ୍ତି, "ସମସ୍ତଙ୍କୁ ନିବେଦନ। ସମସ୍ତ ଧର୍ମର ସମସ୍ତ ଲୋକଙ୍କୁ ମୋର ଆନ୍ତରିକ ନିବେଦନ, ଦୟାକରି ଶାନ୍ତ ରୁହନ୍ତୁ, ସଂଯମ ରୁହନ୍ତୁ। ଧର୍ମ ନାମରେ କୌଣସି ଅଧାର୍ମିକ ଆଚରଣରେ ଲିପ୍ତ ହୁଅନ୍ତୁ ନାହିଁ। ପ୍ରତ୍ୟେକ ମାନବ ଜୀବନ ମୂଲ୍ୟବାନ, ରାଜନୀତି ପାଇଁ ଦଙ୍ଗାକୁ ପ୍ରତ୍ସାହିତ କରନ୍ତୁ ନାହିଁ। ଯେଉଁମାନେ ଦଙ୍ଗାକୁ ଉସକାଉଛନ୍ତି ସେମାନେ ସମାଜକୁ କ୍ଷତି ପହଞ୍ଚାଉଛନ୍ତି।"
সবার কাছে আবেদন
— Mamata Banerjee (@MamataOfficial) April 12, 2025
সব ধর্মের সকল মানুষের কাছে আমার একান্ত আবেদন, আপনারা দয়া করে শান্ত থাকুন, সংযত থাকুন। ধর্মের নামে কোনো অ-ধার্মিক আচরণ করবেন না। প্রত্যেক মানুষের প্রাণই মূল্যবান, রাজনীতির স্বার্থে দাঙ্গা লাগাবেন না। দাঙ্গা যারা করছেন তারা সমাজের ক্ষতি করছেন।
মনে রাখবেন, যে…
ଉତ୍ତେଜନା ସମ୍ପର୍କରେ ପଶ୍ଚିମବଙ୍ଗ ଡିଜି ରାଜୀବ କୁମାର କହିଛନ୍ତି, "ପ୍ରାରମ୍ଭିକ ଭାବେ ଆମେ ସର୍ବନିମ୍ନ ବଳ ପ୍ରୟୋଗ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛୁ। ତଥାପି ଯଦି ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଏ, ତେବେ ଆମେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହେବୁ। ଆମେ ସାଧାରଣ ଲୋକଙ୍କୁ ପୋଲିସ ସହିତ ସହଯୋଗ କରିବାକୁ ଅନୁରୋଧ କରୁଛୁ।"
ଏଡିଜି ଲ ଆଣ୍ଡ ଅର୍ଡର ଜାଭେଦ ଶାମିମ କହିଛନ୍ତି ଯେ, "ପୋଲିସ ଉପରେ ଆକ୍ରମଣ କରାଯାଇଥିଲା। ପ୍ରତିଉତ୍ତରରେ ପୋଲିସ ଚାରି ରାଉଣ୍ଡ ଗୁଳି ଚଳାଇଥିଲେ। ଧୂଲିଆନରେ ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି। ଏପର୍ଯ୍ୟନ୍ତ ୧୫ ଜଣ ପୋଲିସ ଆହତ ହୋଇଛନ୍ତି ଏବଂ ୧୧୮ ଜଣଙ୍କୁ ଗିରଫ କରାଯାଇଛି।"
ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ Xରେ ଲେଖିଛନ୍ତି, "ୱାକଫ ଆଇନ ପ୍ରଣୟନକୁ ବିରୋଧ କରୁଥିବା ତଥାକଥିତ 'ବିରୋଧୀ'ମାନଙ୍କ ଦ୍ୱାରା ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ଅବସ୍ଥିତ ଅନେକ ରେଳ ଷ୍ଟେସନରେ ହୋଇଥିବା ଭଙ୍ଗାରୁଜା ଘଟଣାଗୁଡ଼ିକ ଉଦ୍ଦେଶ୍ୟମୂଳକ ଭାବେ ନଷ୍ଟ କରିବାର କାର୍ଯ୍ୟ, ଯାହା ରେଳ ଷ୍ଟେସନ ଭଳି ଗୁରୁତ୍ୱପୂର୍ଣ୍ଣ ସାର୍ବଜନୀନ ଭିତ୍ତିଭୂମିକୁ ଟାର୍ଗେଟ କରୁଛି। ଯାହା କେବଳ ଅତ୍ୟାବଶ୍ୟକ ସେବାକୁ ବାଧାପ୍ରାପ୍ତ କରେ ନାହିଁ ବରଂ ସାଧାରଣ ସୁରକ୍ଷା ଏବଂ ଜାତୀୟ ସୁରକ୍ଷା ପାଇଁ ମଧ୍ୟ ଏକ ଗମ୍ଭୀର ବିପଦ ସୃଷ୍ଟି କରେ। ମୁଁ ମାନ୍ୟବର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଜୀଙ୍କୁ ଏକ ଚିଠି ଲେଖି ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ଅବସ୍ଥିତ ରେଳ ଷ୍ଟେସନରେ ହୋଇଥିବା ଭଙ୍ଗାରୁଜା ଘଟଣାର ତଦନ୍ତ ଜାତୀୟ ତଦନ୍ତକାରୀ ସଂସ୍ଥାକୁ ହସ୍ତାନ୍ତର କରିବାକୁ ଅନୁରୋଧ କରିଛି।"
The recent incidents of vandalism at several Railway Stations situated in the Murshidabad district of West Bengal, perpetrated by the so-called 'protesters' opposing the passage of the Waqf Act are deliberate acts of destruction, targeting critical Public Infrastructure like… pic.twitter.com/vIOv0Bsrre
— Suvendu Adhikari (@SuvenduWB) April 12, 2025
ଏହା ମଧ୍ୟ ପଢ଼ନ୍ତୁ- ବିଲ୍ ଉପରେ ନିଷ୍ପତ୍ତି ନେବା ପାଇଁ ରାଷ୍ଟ୍ରପତିଙ୍କୁ ସମୟସୀମା ଧାର୍ଯ୍ୟ କଲେ ସୁପ୍ରିମକୋର୍ଟ